ନୂଆଦିଲ୍ଲୀ: ଭାରତର ଆଧୁନିକ ଅନୁଷ୍ଠାନଗୁଡ଼ିକରେ ଏବେ ମଧ୍ୟ ଜାତିଗତ ଭେଦଭାବର ପ୍ରଭାବ ଜାରି ରହିଛି । ଜାତି ଆଧାରରେ ଜେଲରେ କଏଦୀମାନଙ୍କ ପ୍ରତି ହେଉଥିବା ଭେଦଭାବ ଓ ଅତ୍ୟାଚାରକୁ ସୁପ୍ରିମକୋର୍ଟ ନିନ୍ଦା କରିବା ଘଟଣାରୁ ଏହା ସ୍ପଷ୍ଟ ହେଉଛି । ଏହି ଭେଦଭାବର ଅନ୍ୟ ଏକ ଘଟଣାକ୍ରମ ମଧ୍ୟ ଦେଖାଯାଇପାରେ । ସରକାରୀ ତଥ୍ୟ ଦର୍ଶାଉଛି ଯେ, ବିଶେଷ ଭାବେ ସହରାଞ୍ଚଳରେ ସ୍ୱେରେଜ ଓ ସେପ୍ଟିକ୍ ଟ୍ୟାଙ୍କ ସଫେଇ କରୁଥିବା ଶ୍ରମିକ ଶ୍ରେଣୀ ମଧ୍ୟରେ ପ୍ରାୟ 92 ପ୍ରତିଶତ କେବଳ ଅନୁସୂଚିତ ଜାତି, ଜନଜାତି ଓ ପଛୁଆବର୍ଗର ହୋଇଥାନ୍ତି । ଏହି ସମ୍ପ୍ରଦାୟଗୁଡିକ ଏବେ ମଧ୍ୟ ସାମାଜିକ ଭାବେ ଭେଦଭାବର ଶିକାର ହେଉଥିବା ଏହି ଘଟଣାରୁ ପରୋକ୍ଷ ଭାବେ ଅନୁମାନ କରାଯାଇପାରେ ।
- ପ୍ରଖ୍ୟାତ ସମାଜ ସଂସ୍କାରକ ଇ.ଭି ରାମାସାମୀ
1925 ମସିହାରେ ଇ.ଭି ରାମାସାମୀ (ପେରିୟାର)ଙ୍କ ନେତୃତ୍ୱରେ ଦକ୍ଷିଣ ଭାରତରେ ‘ଆତ୍ମ-ସମ୍ମାନ ଆନ୍ଦୋଳନ’ ଆରମ୍ଭ ହୋଇଥିଲା । ତତ୍କାଳୀନ ସମାଜିକ ବ୍ୟବସ୍ଥା ଓ ମାନସିକତାରୁ ଏହି ଭେଦଭାବକୁ ବିଲୋପ କରିବାକୁ ଏହି ଆନ୍ଦୋଳନର ସୂତ୍ରପାତ କରିଥିଲେ ପରିୟାର । ଯାହାର ପ୍ରଭାବ ସମଗ୍ର ଦକ୍ଷିଣ ଭାରତରେ ଅନୁଭୂତ ହୋଇଥିଲା । ଏବେ ଆମେ ‘ଆତ୍ମ-ସମ୍ମାନ ଆନ୍ଦୋଳନ’ର ଶତବାର୍ଷିକୀ ନିକଟତର ହୋଇଛନ୍ତି ।
- ଆନ୍ଦୋଳନର ଉତ୍ପତ୍ତି ଓ ସମାଜିକ ପ୍ରଭାବ:-
ଏହି ସାମାଜିକ ଆନ୍ଦୋଳନ ଆସନ୍ତାବର୍ଷ (୨୦୨୫)ରେ ଶତବାର୍ଷିକୀ ପୂରଣ କରିବାକୁ ଯାଉଛି । ଏହି ବିଚାରର ଆରମ୍ଭ, ବ୍ୟାପକତା ଓ ପ୍ରଭାବ ସମ୍ପର୍କରେ ସମୀକ୍ଷା କରିବାର ବର୍ତ୍ତମାନ ଏକ ଉତ୍କୃଷ୍ଠ ସମୟ ବୋଲି ନିଶ୍ଚୟ କହିପାରିବା । ତାମିଲନାଡୁରେ ଇ.ଭି. ରାମାସାମୀ 1925 ମସିହାରେ ସାମାଜିକ ଭେଦଭାବ ଦୂରୀକରଣ ଓ ସମସ୍ତଙ୍କୁ ଆତ୍ମସମ୍ମାନର ଜୀବନ ନିଶ୍ଚିତ କରିବାକୁ ଆହ୍ବାନ ଦେଇ ଏହି ଆନ୍ଦୋଳନ ଡାକରା ଦେଇଥିଲେ । ଏହାର ବ୍ୟାପକ ପ୍ରଭାବ କେବଳ ତାମିଲନାଡୁରେ ନୁହେଁ ବରଂ ଅନ୍ୟ ଦକ୍ଷିଣ ରାଜ୍ୟରେ ମଧ୍ୟ ସ୍ପଷ୍ଟ ଭାବେ ଅନୁଭୂତ ହୋଇଥିଲା । ଦକ୍ଷିଣ ଭାରତର ରାଜନୈତିକ ତଥା ସାମାଜିକ ଢାଞ୍ଚାରେ ଏହି ଆନ୍ଦୋଳନ ଗଭୀର ପ୍ରଭାବ ଛାଡିଥିଲା । ଯାହା ଆଜି ମଧ୍ୟ ଅନେକାଂଶରେ ବଳବତ୍ତର ରହିଛି ।
- ଋଢିବାଦୀ ବିଚାରକୁ କରାଯାଇଥିଲା ବିରୋଧ:-
ସାମାଜିକ ନ୍ୟାୟ, ଲିଙ୍ଗଗତ ସମାନତା ଏବଂ ଜାତିପ୍ରଥାର ଉଚ୍ଛେଦ ପାଇଁ ଏହି ଆନ୍ଦୋଳନର ଆହ୍ବାନ ସମାଜର ଋଢିବାଦୀ ଅତ୍ୟାଚାରକୁ ଚ୍ୟାଲେଞ୍ଜ କରିଥିଲା । ଆନ୍ଧ୍ର ନେତାମାନେ ଏହି ଆନ୍ଦୋଳନରେ କେଉଁ ଭୂମିକା ଗ୍ରହଣ କରିଥିଲେ ଓ ଆନ୍ଦୋଳନ ଆନ୍ଧ୍ର ଅଞ୍ଚଳକୁ କିପରି ପ୍ରଭାବିତ କରିଥିବା ଯାହା ବେଶ ଅନୁକରଣୀୟ । ସେହିପରି ଅନ୍ୟ ଦ୍ରାବିଡ଼ ରାଜ୍ୟଗୁଡିକରେ ଏହାର ସମସାମୟିକ ପ୍ରାସଙ୍ଗିକତା କ’ଣ ? ତାମିଲନାଡୁରେ ଏହାର ସର୍ବାଧିକ ପ୍ରଭାବ କେମିତି ଓ କାହିଁକି ପଡିଲା, ତାହା ମଧ୍ୟ ଅନୁଶୀଳନ କରିବାର ଆବଶ୍ୟକତା ରହିଛି ।
- ଆତ୍ମ-ସମ୍ମାନ ଆନ୍ଦୋଳନର ଉତ୍ପତ୍ତି ଏବଂ ପ୍ରଭାବ
‘ଆତ୍ମ-ସମ୍ମାନ ଆନ୍ଦୋଳନ’ ତତ୍କାଳୀନ ଭାରତୀୟ ସମାଜର କେତକ ବିକୃତି କାରଣରୁ ହିଁ ଜନ୍ମନେଲା ବୋଲି କୁହାଯାଏ । ନିଚ୍ଚଜାତି ଉପରେ ଅତ୍ୟାଚାର ଏବଂ ଲିଙ୍ଗଗତ ଅସମାନତା ଦ୍ୱାରା ସୃଷ୍ଟି ହୋଇଥିବା ସାମାଜିକ, ଧାର୍ମିକ ଏବଂ ରାଜନୈତିକ ଜୀବନରେ ପ୍ରାଧାନ୍ୟ ବିସ୍ତାର କରୁଥିବା ବ୍ରାହ୍ମଣୀୟ ଆଧିପତ୍ୟ (ବ୍ରାହ୍ମଣବାଦ)କୁ ଶେଷ କରିବା ପାଇଁ ପେରିୟାରର ଏହି ଆନ୍ଦୋଳନର ଡାକରା ଦେଇଥିଲେ । ଏହି ଆନ୍ଦୋଳନ ପ୍ରାସଙ୍ଗିକ ତର୍କକୁ ପ୍ରୋତ୍ସାହିତ କରିବା ସହ ଅନ୍ଧବିଶ୍ୱାସକୁ ପ୍ରତ୍ୟାଖ୍ୟାନ ଓ ବିରୋଧ କରିଥିଲା । ସମାଜରେ ଜାତିପ୍ରଥା ନାମରେ ଅସମାନତା ଓ ଭେଦଭାବକୁ ଏହା ସମୂଳେ ନାଶ କରିବା ଉଦ୍ଦେଶ୍ୟରେ ଏହି ଆନ୍ଦୋଳନ ଜନସମର୍ଥନ ହାସଲ କରିବା ସହ ବ୍ୟାପକ ହୋଇଥିଲା । ସମଗ୍ର ଦ୍ରାବିଡ ରାଜ୍ୟରେ ଏହାର ସଦୃଶ ପ୍ରଭାବ ସୃଷ୍ଟି କରିବାରେ ପେରିୟାର ସଫଳ ମଧ୍ୟ ହୋଇଥିଲେ ।
- ଜ୍ୟୋତିବା ଫୁଲେ ଓ ଆମ୍ବେଦକରଙ୍କ ବିଚାରରେ ପ୍ରଭାବିତ ଥିଲେ ପିରେୟର
ପ୍ରଖ୍ୟାତ ସମାଜ ସଂସ୍କାରକ ତଥା ଦାର୍ଶନିକ ଜ୍ୟୋତିରାଓ ଫୁଲେ (ଜ୍ୟୋତିବା ଫୁଲେ) ଏବଂ ସମ୍ବିଧାନ ପ୍ରଣେତା ବି.ଆର ଆମ୍ବେଦକରଙ୍କ ଭଳି ମହାନ ଜାତିପ୍ରଥା ବିରୋଧୀ ସଂସ୍କାରକମାନଙ୍କ ବିଚାର ଓ କାର୍ଯ୍ୟାବଳିରେ ପେରିୟାର ଖୁବ ପ୍ରଭାବିତ ହୋଇଥିଲେ । ପରବର୍ତ୍ତୀ ସମୟରେ ଏହି ଧାରଣା ହିଁ ସାମାଜିକ ପରିବର୍ତ୍ତନ ଏବଂ ସମାନତାର ଆବଶ୍ୟକତାକୁ ପ୍ରତିଫଳିତ କରି ଏହି ବିଶାଳ ଆନ୍ଦୋଳନର ଆଧାର ପ୍ରସ୍ତୁତ କରିଥିଲା ।
- ଆର୍ଯ୍ୟ-ପ୍ରାଧ୍ୟାନ୍ୟତାକୁ ବିରୋଧ କରିଥିଲେ ପେରିୟାର
‘ଆତ୍ମ-ସମ୍ମାନ ଆନ୍ଦୋଳନ’ର ଚାବିକାଠି ଥିଲା ଏକ ଆର୍ଯ୍ୟ-ପ୍ରାଧାନ୍ୟ ପ୍ରଭାବ ଉପରେ ଦ୍ରାବିଡ଼ୀୟଙ୍କୁ ଏକ ନୂତନ ପରିଚୟ ଦେବା । ପେରିୟାର ଏବଂ ତାଙ୍କ ଅନୁଗାମୀମାନେ ଉତ୍ତରର ସାଂସ୍କୃତିକ ତଥା ରାଜନୈତିକ ପ୍ରାଧାନ୍ୟକୁ ଚ୍ୟାଲେଞ୍ଜ କରିବା ସହ ପୃଥକ ଦ୍ରାବିଡ଼ ପରିଚୟକୁ ପ୍ରାଧାନ୍ୟ ଦେବା ଉପରେ ଗୁରୁତ୍ବାରୋପ କରିଥିଲେ । ଏହି ଆନ୍ଦୋଳନ ପ୍ରାରମ୍ଭିକ ସମୟରେ ଏକ କ୍ରାନ୍ତିକାରୀ ଅଭିଯାନ ଭାବେ ସାମ୍ନାକୁ ଆସିଥିଲା । ପ୍ରାଥମିକ ଭାବେ ଆନ୍ତଃଜାତି ବିବାହ, ମହିଳାଙ୍କ ସାମାଜିକ ଅଧିକାର ଏବଂ ଭେଦଭାବକୁ ପ୍ରସୟ ଦେଉଥିବା ଋଢିବାଦୀ ପରମ୍ପରାକୁ ଏହି ଆନ୍ଦୋଳନ କଡା ବିରୋଧ କରିଥିଲା । ପରବର୍ତ୍ତୀ ସମୟରେ ଏକ ସଂଗଠିତ ଆଦର୍ଶଗତ ଆନ୍ଦୋଳନ ଭାବରେ ଏହା ସମାଜରେ ବୈଚାରିକ ବିପ୍ଲବ ଆଣିବାରେ ଏକ ସଫଳ ଆନ୍ଦୋଳନର ପରିଚୟ ପାଇଥିଲା ।