ହାଇଦ୍ରାବାଦ: ଭାରତୀୟ ରାଜନୀତିରେ 'ମାଗଣା ଯୋଜନା' ଏକ ସାଧାରଣ ବିଷୟ ହୋଇଗଲାଣି । ସମସ୍ତ ରାଜନୈତିକ ଦଳ ଜନତାଙ୍କୁ ପ୍ରତିଶ୍ରୁତି ଦେଇ ସମର୍ଥନ ସାଉଣ୍ଟି ଥାଆନ୍ତି । ଏସବୁର ଆରମ୍ଭ ଆନ୍ଧ୍ରପ୍ରଦେଶ ଓ ତାମିଲନାଡୁ ଭଳି ଦକ୍ଷିଣ ରାଜ୍ୟମାନଙ୍କରୁ ହୋଇଥିଲା । ହେଲେ ବର୍ତ୍ତମାନ ଏହି ପନ୍ଥାକୁ ସମସ୍ତ ରାଜ୍ୟ ଆପଣାଇଛନ୍ତି । ମହାରାଷ୍ଟ୍ର 2024 ବିଧାନସଭା ନିର୍ବାଚନରୁ ନେଇ 2025 ଦିଲ୍ଲୀ ବିଧାନସଭା ନିର୍ବାଚନ ଯାଏଁ ସମସ୍ତ ରାଜନୈତିକ ଦଳ ଦୀର୍ଘକାଳିନ ଅର୍ଥ ବ୍ୟବସ୍ଥା ନେଇ ଅସଂଖ୍ୟ ପ୍ରତିଶ୍ରୁତି ଦେଇଛନ୍ତି ।
ମାଗଣା ଉପହାର ଟ୍ରେଣ୍ଡର ଆର୍ବିଭାବ ଓ ପ୍ରସାର:
ନଗଦ ଅନୁଦାନ ଏବଂ ମାଗଣା ବିଦ୍ୟୁତରୁ ଆରମ୍ଭ କରି ଘର ଉପକରଣ ଏବଂ ବେକାରୀ ଭତ୍ତା ପର୍ଯ୍ୟନ୍ତ ଜନସାଧାରଣଙ୍କୁ ଯୋଜନା ଭେଟି ଦେବାର ଅଭ୍ୟାସ ଏକ ପ୍ରମୁଖ ନିର୍ବାଚନ ରଣନୀତି ହୋଇଯାଇଛି । ମହାରାଷ୍ଟ୍ରରେ 2024 ନିର୍ବାଚନ ବେଳେ ବିଭିନ୍ନ ଦଳ କରିଥିବା ମାଗଣା ରାସନ ଯୋଜନା, ଋଣ ଛାଡ, ସବସିଡିଯୁକ୍ତ ଗ୍ୟାସ ସିଲିଣ୍ଡର ପ୍ରଦାନ ଏବଂ ଲୋକଙ୍କ ଆକାଉଣ୍ଟକୁ ସିଧାସଳଖ ଟଙ୍କା ଦେବା ଭଳି ପ୍ରତିଶ୍ରୁତି ଦିଆଯାଇଛି । ସେହିପରି ଦିଲ୍ଲୀ 2025 ନିର୍ବାଚନରେ ମାଗଣା ପରିବହନ ବ୍ୟବସ୍ଥା ଭଳି ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାର ପ୍ରତିଶ୍ରୁତି ଦେଇଥିଲେ ପ୍ରମୁଖ ରାଜନୈତିକ ଦଳ । ଏହି ଧାରା 2024 ସାଧାରଣ ନିର୍ବାଚନରେ ମଧ୍ୟ ଦେଖିବାକୁ ମିଳିଥିଲା । ଜାତୀୟରୁ ଆରମ୍ଭ କରି ଆଞ୍ଚଳିକ ଦଳ ସବୁ ଜନସାଧାରଣଙ୍କୁ ମାଳ ମାଳ ପ୍ରତିଶ୍ରୁତି ଦେଇଥିଲେ ।
ତିନି ବର୍ଷ ପୂର୍ବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି 'ମାଗଣା ବଣ୍ଟନ' ଟ୍ରେଣ୍ଡକୁ ନେଇ ତୀବ୍ର ସମାଲୋଚନା କରିଥିଲେ । ହେଲେ ଏହାର ବର୍ଷେ ଭିତରେ ବିଜେପି ନିଜେ ସମାନ ପ୍ରଣାଳୀ ଆପଣାଇଲା । ବିଶେଷକରି ଉତ୍ତରପ୍ରଦେଶ ଏବଂ ଅନ୍ୟାନ୍ୟ ରାଜ୍ୟରେ ନିର୍ବାଚନ ସମୟରେ ସବସିଡି ଏବଂ ପ୍ରତ୍ୟକ୍ଷ ନଗଦ ସୁବିଧା ପ୍ରଦାନ କରିଥିଲା । ନିର୍ବାଚନ ସମୟରେ ଅନ୍ୟ ଦଳମାନଙ୍କ ସହ ତାଳ ଦେବାକୁ ଏହି ରଣନୀତି ବାଧ୍ୟ କରିଥାଏ । ହେଲେ ରାଜନୈତିକ ଦଳମାନଙ୍କର ଏପରି ନୀତି ଦେଶ ପାଇଁ ବିପଦ ଆଣିପାରେ ।
ଆର୍ଥିକ ପରିଣାମ: ଋଣ ଏବଂ ଅସ୍ଥାୟୀ ଖର୍ଚ୍ଚ
ପଞ୍ଜାବ, ଆନ୍ଧ୍ରପ୍ରଦେଶ, ତାମିଲନାଡୁ ଏବଂ ପଶ୍ଚିମବଙ୍ଗ ପରି ରାଜ୍ୟ ଗୁଡିକ ବହୁ ଫ୍ରିବିଜ୍( Freebies) ପ୍ରଦାନ ପାଇଁ ଜଣାଶୁଣା । ଯେଉଁ ରାଜ୍ୟମାନେ ଏବେ ଆର୍ଥିକ ଅଭାବର ସାମନା କରୁଛନ୍ତି । ଗତ ଦଶନ୍ଧି ମଧ୍ୟରେ ଆର୍ଥିକ ଅବ୍ୟବସ୍ଥା ବିଷୟରେ ନେଇ ହୋଇଥିବା ଏକ ଅଧ୍ୟୟନରୁ ଜଣାପଡିଛି ଯେ କ୍ଷମତାରେ ଥିବା ରାଜନୈତିକ ଦଳ ଉପରେ ଆର୍ଥିକ ବୋଝ କ୍ରମାଗତ ଭାବରେ ବୃଦ୍ଧି ପାଉଛି । ନୀତି ଆୟୋଗଙ୍କ ଆର୍ଥିକ ସ୍ବାସ୍ଥ୍ୟ ସୂଚକାଙ୍କ (FHI) ଅନୁଯାୟୀ, ଅଧିକ ଫ୍ରିବିଜ୍ ବଣ୍ଟନ କରିବାରେ ଏକ ମାପଦଣ୍ଡ ରହିଛି । ଏହି ଖର୍ଚ୍ଚ ପାଇଁ ପାଣ୍ଠି ଯୋଗାଇବାକୁ ରାଜ୍ୟଗୁଡ଼ିକୁ ଋଣ ଜାଲରେ ଫସିବାକୁ ପଡୁଛି ।