ଓଡିଶା

odisha

ETV Bharat / opinion

ଭାରତରେ ଆସ୍ଥାଭୋଟ

TESTING THE FLOOR: ଭାରତରେ ଆସ୍ଥାଭୋଟର ପରମ୍ପରା କେବେ ଠାରୁ ଓ କାହିଁକି ଆରମ୍ଭ ହେଲା । ଏନେଇ ଅବସରପ୍ରାପ୍ତ ଭାରତୀୟ ପ୍ରଶାସନିକ ଅଧିକାରୀ ତଥା ପୂର୍ବତନ ରାଜ୍ୟସଭା ମହାସଚିବ ବିବେକ କେ. ଅଗ୍ନିହୋତ୍ରୀଙ୍କ ଆଲେଖ୍ୟ । ଅଧିକ ପଢନ୍ତୁ

ଭାରତରେ ଆସ୍ଥାଭୋଟ
ଭାରତରେ ଆସ୍ଥାଭୋଟ

By ETV Bharat Odisha Team

Published : Feb 13, 2024, 9:07 PM IST

ଲେଖକ:- ବିବେକ କେ.ଅଗ୍ନିହୋତ୍ରୀ

ଅବସରପ୍ରାପ୍ତ ଆଇଏଏସ

ପୂର୍ବତନ ମହାସଚିବ, ରାଜ୍ୟସଭା

ଇମେଲ- vkagnihotri25@gmail.com

ହାଇଦ୍ରାବାଦ: ଏବେ ଦେଶରେ ଜାରି ରହିଛି ଆସ୍ଥାଭୋଟର ଧାରା । ନିକଟରେ ଏକାଧିକ ରାଜ୍ୟରେ କ୍ଷମତା ପରିବର୍ତ୍ତନ ଓ ଏହାର ପରବର୍ତ୍ତୀ ପ୍ରକ୍ରିୟା ଭାବେ ଆସ୍ଥାଭୋଟ ମଧ୍ୟ ଶେଷ ହୋଇଛି । ଝାଡଖଣ୍ଡରେ ମୁଖ୍ୟମନ୍ତ୍ରୀ ପରିବର୍ତ୍ତନ ହୋଇଛନ୍ତି, ହେଲେ ଶାସକ ମେଣ୍ଟ କ୍ଷମତା ବଜାୟ ରଖିଛି । ମାତ୍ର ସାମାନ୍ୟ ଭିନ୍ନ ଘଟଣାକ୍ରମ ପଡୋଶୀ ବିହାରରେ ଦେଖିବାକୁ ମିଳିଛି । ସମାନ ନେତା କ୍ଷମତାକୁ ଫେରିଛନ୍ତି କିନ୍ତୁ ଶାସକ ମେଣ୍ଟର ନୂତନ ସମୀକରଣ ସହ । ଉଭୟ ମାମଲାରେ ନେତାମାନେ ପରିବର୍ତ୍ତିତ ସମୀକରଣରେ ସେମାନଙ୍କର ସଂଖ୍ୟା ବହୁମତ ପ୍ରମାଣିତ କରିବାରେ ସଫଳ ହୋଇଛନ୍ତି ।

ଝାଡଖଣ୍ଡରେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଜାନୁଆରୀ 31 ତାରିଖରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଦ୍ୱାରା ଗିରଫ ହେବା ପରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ । ଏହା ପରେ ଶାସକ ମେଣ୍ଟ ଚମ୍ପାଇ ସୋରେନଙ୍କୁ ବିଧାୟକ ଦଳ ନେତା ଭାବେ ଚୟନ କରିଥିଲା । ଚମ୍ପାଇ ମୁଖ୍ୟମନ୍ତ୍ରୀ ଭାବେ ସରକାର ଗଠନ କରିବା ଦାବି ସହ ରାଜ୍ୟପାଳଙ୍କୁ ଚିଠି ଲେଖିଥିଲେ । ଅବଶ୍ୟ କିଛି ସମୟର ବିଲମ୍ବ ମଧ୍ୟରେ ରାଜ୍ୟପାଳ ଚମ୍ପାଇଙ୍କୁ ସରକାର ଗଠନ କରିବାକୁ ଆମନ୍ତ୍ରଣ ମଧ୍ୟ କରିଥିଲେ । ଏହି ନାଟକୀୟ ଘଟଣାକ୍ରମ ପରେ, ଫେବୃଆରୀ 5 ତାରିଖରେ ଚମ୍ପାଇ ସରକାର ଗୃହରେ ଆସ୍ଥାଭୋଟର ସମ୍ମୁଖୀନ ହୋଇଥିଲା । 47 ଆସନ ବିଶିଷ୍ଟ ଝାଡଖଣ୍ଡ ବିଧାନସଭାରେ 29 ବିଧାୟକଙ୍କ ସମର୍ଥନ ସହ ଚମ୍ପାଇ ସରକାର ଆସ୍ଥାଭୋଟରେ ବହୁମତ ପ୍ରମାଣ କରିବାରେ ସଫଳ ମଧ୍ୟ ହୋଇଥିଲେ । ଭୋଟିଂ ହେବା ପୂର୍ବରୁ ଝାଡଖଣ୍ଡ ରାଜ୍ୟପାଳ ପଞ୍ଚମ ବିଧାନସଭାର 14ତମ ଅଧିବେଶନକୁ ସମ୍ବୋଧିତ କରିଥିଲେ ।

ପଡୋଶୀ ବିହାରରେ ମଧ୍ୟ ସମାନ ପ୍ରକାର ଘଟଣା ଘଟିଥିଲେ ସୁଦ୍ଧା ଏଥିରେ ସାମାନ୍ୟ ଭିନ୍ନତା ପରିଲକ୍ଷିତ ହୋଇଥିଲା । ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଆରଜେଡି ଓ କଂଗ୍ରେସ ସମର୍ଥନରେ ଚାଲିଥିବା ମହାମେଣ୍ଟ ସରକାର ଭଙ୍ଗ କରିଥିଲେ । 28 ଜାନୁଆରୀରେ ଇସ୍ତଫା ଦେଇ ପରଦିନ ପୁଣି ଭାରତୀୟ ଜନତା ପାର୍ଟି ଓ ‘ହାମ’ ସମର୍ଥନରେ ସରକାର ଗଠନ କରିଥିଲେ । 12 ତାରିଖରେ ନୀତିଶ ଫ୍ଲୋରଟେଷ୍ଟ ବା ଆସ୍ଥାଭୋଟରେ ସମ୍ମୁଖୀନ ହୋଇଥିଲେ । ଆସ୍ଥା ଭୋଟିଂ ହେବା ପୂର୍ବରୁ ପ୍ରଥମେ ବାଚସ୍ପତିଙ୍କୁ ହଟାଯାଇଥିଲା । ଭାରତୀୟ ସମ୍ବିଧାନର ଧାରା-179 (C) ଅନୁସାରେ, ବାଚସ୍ପତିଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଗତ ପୂର୍ବରୁ ସର୍ବନିମ୍ନ 14ଦିନ ପୂର୍ବରୁ ନୋଟିସ ଦେବା ଅନିବାର୍ଯ୍ୟ ହୋଇଥାଏ ।

ଏହି ପରିପ୍ରେକ୍ଷୀରେ 28 ତାରିଖରେ ନୀତିଶ ଇସ୍ତଫା ଦେବା ସହ ତୁରନ୍ତ ବାଚସ୍ପତିଙ୍କୁ ହଟାଇବା ପାଇଁ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇସାରିଥିଲା । ସେହିଦିନ ବିଜେପିର ବରିଷ୍ଠ ନେତା ତଥା ପରେ ବାଟସ୍ପତି ହୋଇଥିବା ନନ୍ଦକିଶୋର ଯାଦବ ତତ୍କାଳୀନ ବାଚସ୍ପତିଙ୍କ ବିରୋଧରେ ବିଧାୟକଙ୍କ ସମର୍ଥନପତ୍ର ସହ ଅନାସ୍ଥା ପ୍ରସ୍ତାବ ବିଧାନସଭା ସଚିବଙ୍କୁ ହସ୍ତାନ୍ତର କରିଥିଲେ । 12 ତାରିଖରେ ନୀତିଶଙ୍କ ଆସ୍ଥାଭୋଟ ହେବା ବେଳକୁ ଏହି ଅବଧି 14ଦିନ ପୂରଣ କରିସାରିଥିଲା ଓ ବାଚସ୍ପତିଙ୍କୁ ଗାଦିଚ୍ୟୁତ କରିବାରେ କୌଣସି ସାମ୍ବାଧିନିକ ସଙ୍କଟର ପ୍ରଶ୍ନ ମଧ୍ୟ ନଥିଲା ।

ବାଚସ୍ପତି ପରିବର୍ତ୍ତନର ସମାନ ଘଟଣାକ୍ରମ ମଧ୍ୟ 2022 ରେ ବିହାରରେ ଦେଖିବାକୁ ମିଳିଥିଲା । ସେତେବେଳେ ନୀତିଶ ବିଜେପି ସମର୍ଥନରେ ସରକାର ଗଠନ କରିଥିଲେ । 2022 ଅଗଷ୍ଟରେ ନୀତିଶ ବିଜେପି ସମର୍ଥିତ ମେଣ୍ଟ ଭାଙ୍ଗି ଆରଜେଡି ଓ କଂଗ୍ରେସ ସମର୍ଥନରେ ମହାମେଣ୍ଟ ସରକାର ଗଠନ କରିଥିଲେ । ଏହି ସମୟରେ ବାଚସ୍ପତି ଦାୟିତ୍ବରେ ବର୍ତ୍ତମାନର ଉପମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ବିଜୟ ସିହ୍ନା ଥିଲେ । ସେ ମଧ୍ୟ ଦାୟିତ୍ବରୁ ଇସ୍ତଫା ଦେବା ପାଇଁ ମନା କରିଥିଲେ । ହେଲେ ଅନାସ୍ଥାରେ ପଦଚ୍ୟୁତ ହେବା ପୂର୍ବରୁ ସେ ଇସ୍ତଫା ଦେବାକୁ ବାଧ୍ୟ ହୋଇଥିଲେ ।

ବାଚସ୍ପତିଙ୍କ ବିରୋଧରେ ଆତ୍ମବିଶ୍ୱାସ ପ୍ରସ୍ତାବ ଆଗତ ହୋଇ ବିଚାର ପାଇଁ ନିଆଗଲେ, ସେତେବେଳେ ସେ ଗୃହକାର୍ଯ୍ୟରେ ଅଧ୍ୟକ୍ଷତା କରିପାରିବ ନାହିଁ । 12 ଫେବୃଆରୀରେ ବିହାର ବିଧାନସଭାର ଉଭୟ ଗୃହର ସଦସ୍ୟମାନଙ୍କୁ ନୂତନ ବର୍ଷ ଓ ବଜେଟ୍ ଅଧିବେଶନ ଆରମ୍ଭରେ ରାଜ୍ୟପାଳ ସମ୍ବୋଧିତ କରିଥିଲେ । ଏହା ପରେ ବାଚସ୍ପତିଙ୍କ ବିରୋଧରେ ଅନାସ୍ଥା ଆଗତ ହୋଇଥିଲା । 125 ବିଧାୟକଙ୍କ ଭୋଟରେ ବାଚସ୍ପତି ତଥା ଆରଜେଡିର ବରିଷ୍ଠ ନେତା ଅବୋଧ ବିହାରୀ ଚୌଧୁରୀଙ୍କୁ ପଦଚ୍ୟୁତ କରାଯାଇଥିଲା । ଏହା ପରେ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ନୂତନ ଭାବେ ଗଠିତ ‘ଏନଡିଏ’ ସରକାର ଆସ୍ଥାଭୋଟର ସମ୍ମୁଖୀନ ହୋଇଥିଲା । ଏଥିରେ ମୋଟ 129 ବିଧାୟକ ନୀତିଶଙ୍କ ସପକ୍ଷରେ ଭୋଟ ଦେଇଥିବା ବେଳେ ବିରୋଧୀମାନେ କକ୍ଷତ୍ୟାଗ କରିଥିଲେ । ତେଣୁ କୌଣସି ଭୋଟ ଆସ୍ଥା ପ୍ରସ୍ତାବ ବିରୋଧରେ ପଡିନଥିଲା ।

ପୂର୍ବରୁ ସମାନ ପରିସ୍ଥିତି ସୃଷ୍ଟି ହେଲେ ସରକାର ଗଠନ କରିବାକୁ ସଂଖ୍ୟାଗରିଷ୍ଠତା ଆଧାରରେ ନେତା ବାଛିବାରେ ରାଜ୍ୟପାଳମାନେ କିଛି ମାତ୍ରାରେ ଚତୁରତା ଓ ନିଜ ବିବେକ ଅନୁସାରେ ନିଷ୍ପତ୍ତି ଗ୍ରହଣ କରୁଥିଲେ । ବିଭିନ୍ନ ପଦ୍ଧତି ଗ୍ରହଣ କରାଯାଇଥିଲା । ବେଳେବେଳେ ସରକାର ଗଠନ ପାଇଁ ସଂଖ୍ୟା ଦାବି କରୁଥିବା ଆଶାୟୀ ନେତା ସେମାନଙ୍କ ସମର୍ଥକଙ୍କ ଏକ ଦସ୍ତଖତ ତାଲିକା ଦାଖଲ କରୁଥିଲେ । ଅନ୍ୟ କିଛି ସ୍ଥିତିରେ ରାଜ୍ଯପାଳ ବିଧାୟକମାନଙ୍କୁ ନିଜ ସାମ୍ନାରେ ପ୍ୟାରେଡ୍ କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଉଥିଲେ । ହେଲେ ଏହି ପ୍ରଣାଳୀ ବା ପ୍ରକ୍ରିୟା ସର୍ବଦା କ୍ରିୟାଶୀଳ ହୋଇପାରୁନଥିଲା ।

ଫ୍ଲୋରଟେଷ୍ଟର ସିଦ୍ଧାନ୍ତ କ’ଣ ଓ ଏହାର ଉତ୍ପତି-ଦେଶରେ ଫ୍ଲୋରଟେଷ୍ଟ ବା ଗୃହରେ ଆସ୍ଥାଭୋଟ ମାଧ୍ୟମରେ ସଂଖ୍ୟାବହୁମତର ପ୍ରମାଣ ପରମ୍ପରା, 1994 ମହିହାରେ ଏସ.ଆର ବୋମ୍ମାଇ ଓ କେନ୍ଦ୍ର ସରକାର ମଧ୍ୟରେ ହୋଇଥିବା ମାମଲାରୁ ସୃଷ୍ଟି ହୋଇଥିବା ଜଣାପଡେ । ଏସ.ଆର ବୋମ୍ମାଇ 1988 ମସିହା ଅଗଷ୍ଟ 13ରୁ 1989 ମସିହା ଏପ୍ରିଲ 21 ତାରିଖ ମଧ୍ୟରେ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ଥିଲେ । ସେତେବେଳେ ତାଙ୍କ ସରକାରକୁ 1989 ମସିହା ଏପ୍ରିଲ 21 ତାରିଖରେ ରାଷ୍ଟ୍ରପତି ଭଙ୍ଗ କରିଦେଇଥିଲେ । ରାଜ୍ୟରେ ରାଷ୍ଟ୍ରପତି ଶାସନ ଲାଗୁ ହୋଇଥିଲା । ତାଙ୍କ ନିକଟରେ ସରକାର ଗଠନ ପାଇଁ ଆବଶ୍ୟକ ବିଧାୟକଙ୍କ ସଂଖ୍ୟା ଥିବା ଦର୍ଶାଇ ବୋମ୍ମାଇ ଗୃହରେ ତାଙ୍କୁ ସୁଯୋଗ ଦେବା ପାଇଁ ନିବେଦନ କରିଥିଲେ । ହେଲେ ତତ୍କାଳୀନ ରାଜ୍ୟପାଳ ଏହି ପ୍ରସ୍ତାବକୁ ଗ୍ରହଣ କରିନଥିଲେ । ପରେ ବିଭିନ୍ନ କାରଣରୁ ନାଗାଲାଣ୍ଡ, ମେଘାଳୟ, ରାଜସ୍ଥାନ, ମଧ୍ୟ ପ୍ରଦେଶ ଓ ହିମାଚଳ ପ୍ରଦେଶରେ ମଧ୍ୟ ରାଜ୍ୟ ସରକାରଙ୍କୁ ବରଖାସ୍ତ ଏବଂ ବିଧାନସଭା ଭଙ୍ଗ ହେବାର ଅନ୍ୟାନ୍ୟ ମାମଲା ସାମ୍ନାକୁ ଆସିଥିଲା । ଯାହା ରାଜନୈତିକ ଅସନ୍ତୋଷକୁ ବୃଦ୍ଧି କରିଥିଲା ।

ନିର୍ବାଚିତ ରାଜ୍ୟ ସରକାରଙ୍କୁ ମନଇଚ୍ଛା ବରଖାସ୍ତ କରିବା ଓ ରାଜ୍ୟରେ ରାଷ୍ଟ୍ରପତିଙ୍କ ଶାସନ ଲାଗୁ କରିବା ମାମଲାରେ ସର୍ବୋଚ୍ଚ କୋର୍ଟ ବୋମ୍ମାଇଙ୍କ ଦ୍ବାରା କରାଯାଇଥିବା ମାମଲାରେ ଗୁରୁତ୍ବପୂର୍ଣ୍ଣ ରାୟ ଦେଇଥିଲେ । ଏହି ମାମଲାର ଶୁଣାଣି ସୁପ୍ରିମକୋର୍ଟର ନଅ ଜଣ ବିଚାରପତିଙ୍କ ଦ୍ବାରା ଗଠିତ ସାମ୍ବିଧାନିକ ଖଣ୍ଡପୀଠରେ ହୋଇଥିଲା । ସଂଖ୍ୟା ବହୁମତର ପ୍ରମାଣ ପାଇଁ ବିଧାନସଭା ଗୃହ ଏକମାତ୍ର ଫୋରମ ଓ ଏହା ରାଜ୍ୟପାଳଙ୍କ ନିର୍ଣ୍ଣୟ ନୁହେଁ ବୋଲି ସେତେବେଳେ ସର୍ବୋଚ୍ଚ କୋର୍ଟ ରାୟ ଦେଇଥିଲେ । ସେବେଠାରୁ ଏହି ଫ୍ଲୋରଟେଷ୍ଟ ପରମ୍ପରା ଭାରତୀୟ ଶାସନ ବ୍ୟବସ୍ଥାରେ ଯୋଡି ହୋଇଛି ।

(ଏହି ଆଲେଖ୍ୟ ଲେଖକଙ୍କ ସମ୍ପୂର୍ଣ୍ଣ ନିଜସ୍ବ ମତ)

ABOUT THE AUTHOR

...view details