ହାଇଦ୍ରାବାଦ:ବିଭିନ୍ନ ଦେଶ ମଧ୍ୟରେ ଦ୍ରବ୍ୟ, ସେବା ଓ ପୁଞ୍ଜିର ଆଦାନ ପ୍ରଦାନ ପ୍ରକ୍ରିୟାକୁ ବ୍ୟବସ୍ଥିତ ଓ ସରଳ କରିବା ଅନ୍ତର୍ଜାତୀୟ ବାଣିଜ୍ୟ ପ୍ରକ୍ରିୟାର ଏକ ବଡ ଆହ୍ବାନ ଭାବେ ସାମ୍ନାକୁ ଆସିଛି । ମିଳିତ ଜାତିସଂଘର ବାଣିଜ୍ୟ ଏବଂ ବିକାଶ ସମ୍ମିଳନୀ (UNCTAD) ଏହି ବ୍ୟବସ୍ଥା ଏହି କ୍ଷେତ୍ରରେ ଏକ ସ୍ଥାୟୀ ବ୍ୟବସ୍ଥାଗତ ଭିତ୍ତିଭୂମିକୁ ପ୍ରୋତ୍ସାହିତ କରିବା ପାଇଁ ଉଦ୍ଦିଷ୍ଟ । ଯାହା ଚଳିତବର୍ଷ ଡାଇମଣ୍ଡ ଜୁବଲି ପାଳନ କରିଛି ।
ଏହି ବୈଶ୍ବିକ ସଂସ୍ଥା ଦେଶଗୁଡିକୁ ଅନ୍ତର୍ଜାତୀୟ ବାଣିଜ୍ୟ ବ୍ୟବସ୍ଥାକୁ ସଶକ୍ତ କରିବା ଉଦ୍ଦେଶ୍ୟରେ କାର୍ଯ୍ୟ କରେ । UNCTAD ମିଳିତ ଜାତିସଂଘର ଅର୍ଥନୈତିକ ନେଟୱାର୍କର ଏକ ପ୍ରଭାବୀ ସଂଗଠନ । ଏହି ସଂସ୍ଥା ଅନ୍ତର୍ଜାତୀୟ ବାଣିଜ୍ୟ କ୍ଷେତ୍ରରେ ଅନୁସନ୍ଧାନ ଏବଂ ବିଶ୍ଳେଷଣରେ ସହଯୋଗ କରିବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଆସିଛି । ସ୍ୱିଜରଲ୍ୟାଣ୍ଡର ଜେନେଭାରେ ଏହାର ମୁଖ୍ୟାଳୟ ରହିଥିବା ବେଳେ ଆମେରିକୀୟ ସହର ନ୍ୟୁୟର୍କ ଏବଂ ଇଥିଓପିଆର ଆଡିସ-ଆବାବା ସହରରେ ଏହାର ଶାଖା କାର୍ଯ୍ୟାଳୟ ମଧ୍ୟ କାର୍ଯ୍ୟ କରୁଛି । 1960 ଦଶକର ପ୍ରାରମ୍ଭରେ, ଅନ୍ତର୍ଜାତୀୟ ବାଣିଜ୍ୟ ବ୍ୟବସ୍ଥାରେ ବିକାଶଶୀଳ ଦେଶଗୁଡିକର ଭୂମିକା ଓ ପ୍ରଭାବ ସମ୍ପର୍କରେ ଚିନ୍ତା କରିବା ଓ ସେମାନଙ୍କ ପାଇଁ ଏକ ଉପଯୁକ୍ତ ତଥା ବ୍ୟବସ୍ଥିତ ମାର୍ଗ ପ୍ରଦାନ କରିବା ପାଇଁ ଏହି ସମ୍ମିଳନୀ ଆତ୍ମପ୍ରକାଶ କରିଥିଲା । ନୂତନ ସ୍ଥାୟୀ ବିକାଶ ଲକ୍ଷ୍ୟ ପ୍ରସଙ୍ଗରେ UNCTAD ହେଉଛି ଜାତିସଂଘର ଏକମାତ୍ର ସଂସ୍ଥା । ଏହା ଗ୍ଲୋବାଲ -17 ଗୋଲ୍ ପାଇଁ ପାର୍ଟନରସିପ୍ ମଧ୍ୟରେ ଥିବା ସମସ୍ତ ଲକ୍ଷ୍ୟ ସହିତ ସିଧାସଳଖ ଲିଙ୍କ ଅଛି ।
ପ୍ରଥମ ସମ୍ମିଳନୀ:
1964 ମସିହାରେ ଜେନେଭା ସ୍ଥିତ ମୁଖ୍ୟାଳୟରେ ମିଳିତ ଜାତିସଂଘର ବାଣିଜ୍ୟ ଏବଂ ବିକାଶ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ବିଭିନ୍ନ ବୈଶ୍ବିକ ବାଣିଜ୍ୟିକ ସମସ୍ୟା, ଆହ୍ବାନର ପରିସର ଓ ଏହାର ସମାଧାନର ଆବଶ୍ୟକତାକୁ ଦୃଷ୍ଟିରେ ରଖି ପ୍ରତି ଚାରି ବର୍ଷରେ ଥରେ ଏହି ସମ୍ମିଳନୀ ଅନୁଷ୍ଠାନିକ ଭାବେ ଆୟୋଜିତ ହୋଇଆସୁଛି । କିନ୍ତୁ ଅଧିବେଶନ ବ୍ୟତୀତ ମଧ୍ୟ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥାଏ । ବିଭିନ୍ନ ରାଷ୍ଟ୍ରମାନେ ବିଭିନ୍ନ ସମୟରେ ଆୟୋଜିତ ସମ୍ମିଳନୀରେ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରନ୍ତି । ଜେନେଭାରେ ଏହାର ମୁଖ୍ୟକାର୍ଯ୍ୟାଳୟ ଏକ ସ୍ଥାୟୀ ସଚିବାଳୟ ଭାବେ ପ୍ରାଶାସନିକ କାର୍ଯ୍ୟ ଜାରି ରଖିଛି । ଚଳିତ ବର୍ଷ ଏହି ସମ୍ମିଳନୀର ହୀରକ ଜୟନ୍ତୀରେ ପଦାର୍ପଣ କରିଛି । ଚଳିତବର୍ଷ ଜୁନ୍ 12 ରୁ 14 ତାରିଖ ପର୍ଯ୍ୟନ୍ତ ଏହି ସମ୍ମିଳନୀ ଆୟୋଜିତ କରାଯାଇଥିଲା । ଏହି ତିନିଦିନିଆ ସମ୍ମିଳନୀରେ ବିଶ୍ବ ବାଣିଜ୍ୟରେ ବ୍ୟାଘାତ, ଋଣ ବୃଦ୍ଧି, ଜଳବାୟୁ ପରିବର୍ତ୍ତନ, ଅନ୍ତର୍ଜାତୀୟ ଅର୍ଥ ଏବଂ ବିନିଯୋଗରେ ପ୍ରଣାଳୀରେ ବର୍ତ୍ତମାନ ସମୟରେ ସୃଷ୍ଟି ହୋଇଥିବା ଆହ୍ବାନ ସମ୍ପର୍କରେ ଆଲୋଚନା ହୋଇଥିଲା । ଏହାକୁ ଅତିକ୍ରମ କରି ବୈଶ୍ବିକ ତଥା ଅନ୍ତର୍ଜାତୀୟ ବାଣିଜ୍ୟ ପ୍ରକ୍ରିୟାକୁ ସୁଗମ କରିବା ପାଇଁ ବିଚାର ବିମର୍ଶ ହୋଇଥିଲା ।
ବିଶ୍ବ ବାଣିଜ୍ୟ ସଂଗଠନ (WTO) ମୁଖ୍ୟତଃ ବିଶ୍ବ ବାଣିଜ୍ୟ ନିୟମ ଏବଂ ବିଚାରକୁ ନିୟନ୍ତ୍ରିତ କରୁଥିବା ବେଳେ ଅନ୍ତର୍ଜାତୀୟ ବାଣିଜ୍ୟ କେନ୍ଦ୍ର (ITC) ସ୍ବତନ୍ତ୍ର ଭାବେ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗଗୁଡ଼ିକୁ (MSME) କ୍ଷେତ୍ରକୁ ବିଶ୍ୱ ବଜାର ସହିତ ଯୋଡିବା ପ୍ରକ୍ରିୟା ଉପରେ ଧ୍ୟାନ ଦେଇଥାଏ । ଏହି କ୍ରମରେ UNCTAD ବିକାଶ ଦୃଷ୍ଟିକୋଣରୁ ଜାତୀୟ, ଆଞ୍ଚଳିକ ଏବଂ ଅନ୍ତର୍ଜାତୀୟ ସ୍ତରରେ ବାଣିଜ୍ୟ ନୀତି, ନିୟମ ଏବଂ ଅନୁଷ୍ଠାନଗୁଡ଼ିକ ସହିତ ସମନ୍ବୟ ରକ୍ଷା କରି ବୈଶ୍ବିକ କାରବାରକୁ ସୁଗମ ଓ ସରଳ କରେ । ଏହି ସଂସ୍ଥା 15ଟି ଅନ୍ତର୍ଜାତୀୟ ସଂଗଠନର ମିଳିତ ସହଯୋଗରେ, ମିଳିତ ଜାତିସଂଘର କାର୍ଯ୍ୟପ୍ରଣାଳୀଗତ ବ୍ୟବସ୍ଥା ମଧ୍ୟରେ ଜାତୀୟ ତଥା ଆଞ୍ଚଳିକ ସ୍ତରରେ ବାଣିଜ୍ୟ ଏବଂ ବିକାଶ କାର୍ଯ୍ୟକୁ ସମନ୍ୱିତ କରିବା ପାଇଁ ଏକ ପ୍ରଣାଳୀ ଭାବେ ସାମ୍ନାକୁ ଆସିଛି । ଏହି କାରଣରୁ ଏହା ଅନ୍ୟ ଅନ୍ତର୍ଜାତୀୟ ସଂଗଠନ, ସରକାର, ବ୍ୟବସାୟ, ସିଭିଲ ସୋସାଇଟି, ଯୁବପିଢି ଏବଂ ଶିକ୍ଷାବିତ ବର୍ଗ ପରି ଏକାଧିକ ବର୍ଗର ସହ ଗଭୀର ବିଚାର ବିମର୍ଶ କରି ନୀତି ପ୍ରସ୍ତୁତ କରିଥାଏ ।