ହାଇଦ୍ରାବାଦ:ଏଲଏସି ବା ବାସ୍ତବିକ ନିୟନ୍ତ୍ରଣ ରେଖାକୁ ନେଇ ଭାରତ ଓ ଚୀନ ମଧ୍ୟରେ ଜାରି ରହିଛି ତିକ୍ତତା । ଉଭୟ ଦେଶ ମଧ୍ୟରେ ସୁସମ୍ପର୍କ ସ୍ଥାପନ ଭୌଗୌଳିକ ଦୃଷ୍ଟିରୁ ବେଶ ଗୁରୁତ୍ବପୂର୍ଣ୍ଣ । ବେଜିଂ ମଧ୍ୟ ଭାରତ ସହିତ ସମ୍ପର୍କକୁ ସ୍ବାଭାବିକ କରିବାକୁ ଚାହୁଁଥିବା ବେଳେ ଅନ୍ୟପଟେ କିନ୍ତୁ ଏପ୍ରିଲ 2020 ସ୍ଥିତିକୁ ଫେରିବା ପାଇଁ ନାରାଜ । ପୂର୍ବରୁ ଭାରତର ବୈଦେଶିକ ମନ୍ତ୍ରୀ ଡଃ ଏସ ଜୟଶଙ୍କର ସ୍ପଷ୍ଟ କରିଦେଇଛନ୍ତି ଯେ ଉଭୟ ଦେଶର ସମ୍ପର୍କରେ ସୁଧାର ସେତେବେଳେ ଆସିବ, ଯେତେବେଳେ ଚୀନ ଏପ୍ରିଲ 2020 ସ୍ଥିତିକୁ ପ୍ରତ୍ୟାବର୍ତ୍ତନ କରିବ । ମାତ୍ର ଚୀନ ଏଥିପାଇଁ ରାଜି ନଥିବା ବେଳେ ଭାରତ ସହିତ ସମ୍ପର୍କକୁ ମଜଭୁତ କରିବାକୁ ଚାହୁଁଛି ।
ଗତ ସପ୍ତାହରେ କାଜଖସ୍ତାନର ଅସ୍ତାନାରେ ଅନୁଷ୍ଠିତ ଏସସିଓ (ସାଂଘାଇ ସହଯୋଗ ସଂଗଠନ) ଶିଖର ସମ୍ମିଳନୀରେ ଭାରତୀୟ ବୈଦେଶିକ ବ୍ୟାପାର ମନ୍ତ୍ରୀ ଡଃ ଏସ ଜୟଶଙ୍କର ଚୀନ ପ୍ରତିପକ୍ଷ ୱାଙ୍ଗ ୟିଙ୍କୁ ଭେଟିଥିଲେ । ଆଲୋଚନା ପରେ କୌଣସି ମିଳିତ ବିବୃତ୍ତି ଦିଆଯାଇ ନଥିଲା, ବରଂ ଏହା ପରିବର୍ତ୍ତେ ଉଭୟ ପକ୍ଷ ନିଜ ନିଜର ମୁଦ୍ଦା ମିଡିଆ ସାମ୍ନାରେ ରଖିଥିଲେ । ମୋଦି ସରକାରଙ୍କ ତୃତୀୟ ପାଳି ଆରମ୍ଭ ପରେ ଦୁଇ ଦେଶ ମଧ୍ୟରେ ଏହା ପ୍ରଥମ ଆଲୋଚନା ହୋଇଥିବାରୁ ଏହି ସଭାରେ କିଛି ସକାରାତ୍ମକ ଫଳାଫଳ ଆସିପାରେ ବୋଲି ଆଶା କରାଯାଉଥିଲା ।
ଜୟଶଙ୍କର X ସାଇଟ୍ରେ ଏକ ପୋଷ୍ଟ କରି ଉଲ୍ଲେଖ କରିଥିଲେ, "ସୀମାବର୍ତ୍ତୀ ଅଞ୍ଚଳରେ ରହିଥିବା ସମସ୍ୟାର ଶୀଘ୍ର ସମାଧାନ ଉପରେ ଆଲୋଚନା କରାଯାଇଥିଲା । କୂଟନୈତିକ ସ୍ତରରେ ଉକ୍ତ ପ୍ରୟାସକୁ ଦ୍ବିଗୁଣିତ କରିବାକୁ ରାଜି ହୋଇଛୁ । LACକୁ ସମ୍ମାନ କରିବା ଏବଂ ସୀମା ଅଞ୍ଚଳରେ ଶାନ୍ତି ସୁନିଶ୍ଚିତ କରିବା ଜରୁରୀ । ତିନୋଟି ପାରସ୍ପରିକ- ଯେପରିକି ପାରସ୍ପରିକ ସମ୍ମାନ, ପାରସ୍ପରିକ ସମ୍ବେଦନଶୀଳତା ଏବଂ ପାରସ୍ପରିକ ଆଗ୍ରହ ଆମର ଦ୍ବିପାକ୍ଷିକ ସମ୍ପର୍କକୁ ମାର୍ଗଦର୍ଶନ କରିବ ।"
ଅନ୍ୟପଟେ ଚୀନ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଥିଲା ଯେ ଉଭୟ ପକ୍ଷ ଦ୍ବିପାକ୍ଷିକ ସମ୍ପର୍କକୁ ରଣନୀତିକ ଦୃଷ୍ଟିକୋଣରୁ ଦେଖିବା ଉଚିତ । ଏହାସହ ଚୀନ-ଭାରତ ସମ୍ପର୍କର ସୁଦୃଢ ତଥା ସ୍ଥିର ବିକାଶକୁ ସୁନିଶ୍ଚିତ କରିବା ପାଇଁ ସଠିକ୍ ପରିଚାଳନା ଆବଶ୍ୟକ । ଉଭୟ ପକ୍ଷ ସକରାତ୍ମକ ଚିନ୍ତାଧାରା ସହ ସୀମା ଅଞ୍ଚଳରେ ପରିସ୍ଥିତିକୁ ସଠିକ ଭାବରେ ପରିଚାଳନା ଏବଂ ନିୟନ୍ତ୍ରଣ କରିବାବେଳେ ଏକତ୍ର ଆଗକୁ ବଢିବା ଦିଗରେ ଧ୍ୟାନ ଦେବା ଉଚିତ ।"
ଏହା ବି ପଢନ୍ତୁ- ଭାରତ-ଚୀନ ସୀମା ବିବାଦ, ମୋଦିଙ୍କ ମନ୍ତବ୍ୟରେ ଏମିତି କହିଲା ବେଜିଂ