ହାଇଦ୍ରାବାଦ:ଶେଖ୍ ହସିନାଙ୍କ ଅଚାନକ ଇସ୍ତଫା ସହିତ ବାଂଲାଦେଶରେ ଦୀର୍ଘ ୧୫ ବର୍ଷର ରାଜନୈତିକ ସ୍ଥିରତାର ଅନ୍ତ ଘଟିଛି । ପୁଣିଥରେ କଡ ଲେଉଟାଇଛି ଇତିହାସ । ପ୍ରାୟ ପାଞ୍ଚ ଦଶନ୍ଧି ପୂର୍ବେ ଅଗଷ୍ଟ ୧୫, ୧୯୭୫ରେ ସ୍ବାଧୀନ ବାଂଲାଦେଶର ପ୍ରଥମ ରାଷ୍ଟ୍ରପତି ଶେଖ୍ ମୁଜିବୁର ରେହମାନ (ହସିନାଙ୍କ ବାପା) ଓ ତାଙ୍କର ପରିବାରର ଅନ୍ୟ ସଦସ୍ୟଙ୍କୁ ଏକ ମିଲିଟାରୀ କୁପ୍ରେ ହତ୍ୟା କରାଯାଇଥିଲା । କେବଳ ଶେଖ୍ ହସିନା ଓ ତାଙ୍କ ଭଉଣୀ ବଞ୍ଚି ଯାଇଥିଲେ । ସେହି ସମୟରେ ସେ ଭାରତରେ ଆଶ୍ରୟ ନେଇଥିଲେ ।
ଏବେ ଶେଖ୍ ହସିନାଙ୍କ ଶାସନର ପତନ ହେବା ପରେ, ବାଂଲାଦେଶ ଦକ୍ଷିଣ ଏସିଆର ସେହି ରାଷ୍ଟ୍ରମାନଙ୍କ ତାଲିକାରେ ଯୋଡି ହୋଇଛି ଯାହା ହିଂସାତ୍ମକ ବିବାଦ ଯୋଗୁଁ ରାଜନୈତିକ ସଙ୍କଟ ଦେଇ ଗତି କରୁଛି । ହସିନାଙ୍କ ଆୱାମୀ ଲିଗ୍ ସରକାର ପତନର ପ୍ରମୁଖ କାରଣ ଭାବେ ଛାତ୍ର ଆନ୍ଦୋଳକୁ ଦେଖାଯାଉଛି । ଯଦିଓ ୧୯୭୧ ବାଂଲାଦେଶ ମୁକ୍ତି ସଂଗ୍ରାମୀଙ୍କ ବଂଶଧର ପାଇଁ ଚାକିରି କ୍ଷେତ୍ରରେ ୩୦ ପ୍ରତିଶତ ସଂରକ୍ଷଣ ନୀତିକୁ ବିରୋଧ କରି ଏହି ଛାତ୍ର ଆନ୍ଦୋଳନ ଆରମ୍ଭ ହୋଇଥିଲା, ମାତ୍ର ଆମେରିକା ଓ ଚୀନ ମଧ୍ୟରେ ଭୂ-ରାଜନୀତିକ ପ୍ରତିଯୋଗିତା, କଟ୍ଟରପନ୍ଥୀ ତତ୍ତ୍ବ ଗୁଡିକୁ ପାକିସ୍ତାନର ମୌନ ସମର୍ଥନ ଭଳି କିଛି ବାହ୍ୟ ପ୍ରଭାବ ବାଂଲାଦେଶର ଏହି ହିଂସାକୁ ତେଜିଥିଲା ।
ଛାତ୍ର ଆନ୍ଦୋଳନ କେବଳ ଏକ ଚିଙ୍ଗାରି ମାତ୍ର ଥିଲା, ବାହ୍ୟ ପ୍ରଭାବ ହସିନା ଶାସନ ହଟାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା । ଏହାସହିତ ଦେଶରେ ଦୀର୍ଘ ଦିନ ଧରି ଚାଲିଆସୁଥିବା ଦୁଇଟି ପ୍ରସଙ୍ଗ -ସୀମିତ ଗଣତନ୍ତ୍ର ଓ ଇସଲାମିକ ବଳର ପୁନରୁତ୍ଥାନ ବାଂଲାଦେଶର ସାମ୍ପ୍ରତିକ ରାଜନୈତିକ ଦୃଶ୍ୟପଟ୍ଟକୁ ଅଧିକ ରୂପ ଦେଇଛି, ଯାହାର ଗଭୀର ଅନୁଧ୍ୟାନ କରାଯିବାର ଆବଶ୍ୟକତା ରହିଛି ।
ବାଂଲାଦେଶର ଗଣତାନ୍ତ୍ରିକ ଅନୁଭବ ଆହ୍ବାନ ଓ ସୀମିତ ସଫଳତାପୂର୍ଣ୍ଣ ରହିଆସିଛି । ଦେଶର ମୂଳ ବିଚାରଧାରା ରାଷ୍ଟ୍ରବାଦ, ଲୋକତନ୍ତ୍ର, ସମାଜବାଦ ଓ ଧର୍ମନିରପେକ୍ଷତା ଲଗାତାର ବାଧାର ସମ୍ମୁଖୀନ ହୋଇଛି । ବାଂଲାଦେଶର ସୀମିତ ଗଣତାନ୍ତ୍ରିକ ସଫଳତା ପାଇଁ ମୁଖ୍ୟତଃ ଦୁଇଟି କାରକ ଦାୟୀ, ପ୍ରଥମରେ- ରାଜନୈତିକ ଶାସନ ବିଶେଷକରି ଆୱାମୀ ଲିଗ୍ ନେତୃତ୍ବାଧୀନ ସରକାର ଓ ଦ୍ବିତୀୟରେ, ଗଣତାନ୍ତ୍ରିକ ସିଦ୍ଧାନ୍ତଗୁଡିକୁ ପୂର୍ଣ୍ଣ ଭାବରେ ଆପଣାଇବା ପାଇଁ ଇଚ୍ଛାଶକ୍ତିର ଅଭାବ ।
ସଦ୍ୟ ଜନ୍ମିତ ବାଂଲାଦେଶରେ ଶେଖ୍ ମୁଜିବୁର ରେହମାନଙ୍କ ଶାସନ ଓ ୧୫ ବର୍ଷର ହସିନା ସରକାର ମଧ୍ୟରେ କିଛି ସମାନତା ଦେଖାଯାଏ, ଯେମିତିକି- ବିରୋଧୀଙ୍କ ବହିଷ୍କାର, ବ୍ୟାପକ ଦୁର୍ନୀତି, ନିରଙ୍କୁଶ ନିଷ୍ପତ୍ତି ନେବାର କ୍ଷମତା ପ୍ରଭୃତି । ଏହିସବୁ ଉଭୟଙ୍କ ସରକାରର ପତନରେ ଯୋଗଦାନ ରହିଛି । ମୁଜିବୁର ଓ ହସିନାଙ୍କ ଆଭିମୁଖ୍ୟ ବାଂଲାଦେଶରେ ବିରୋଧୀଙ୍କ ପାଇଁ ସାମାନ୍ୟ ସ୍ଥାନ ଛାଡିଛି, ଯେଉଁଥିପାଇଁ ସେତେବେଳେ ଓ ଆଜି ଏଭଳି ସମ୍ବେଦନଶୀଳ ରାଜନୈତିକ ମାହୋଲ ସୃଷ୍ଟି କରିଛି ।
୨୦୦୯ ଜାନୁଆରୀରୁ ୨୦୨୪ ଅଗଷ୍ଟ ପର୍ଯ୍ୟନ୍ତ ଶେଖ ହସିନାଙ୍କ ଦ୍ବିତୀୟ ପାଳି ବାଂଲାଦେଶ ରାଜନୈତିକ ଇତିହାସରେ ବିଶେଷ ମହତ୍ତ୍ବପୂର୍ଣ୍ଣ । କାରଣ ବର୍ଷ ବର୍ଷ ଧରି ଅନିଶ୍ଚିତତା ଓ ସେନା ସମର୍ଥିତ କେୟାରଟେକର ସରକାର ସତ୍ତ୍ବେ ଡିସେମ୍ବର ୨୦୦୮ ନିର୍ବାଚନରେ ଶେଖ୍ ହସିନା ଏକ ବୃହତ୍ ବିଜୟ ହାସଲ କରିଥିଲେ ଏବଂ ୨୦୦୯ରେ ବାଂଲାଦେଶର ଶାସନ ଭାର ହାତକୁ ନେଇଥିଲ । ଏହି ଜନାଦେଶ ବାଂଲାବାସୀଙ୍କ ଆଶା ଓ ଆକାଂକ୍ଷାକୁ ପ୍ରତିଫଳିତ କରିଥିଲା । ହେଲେ ହସିନା ସରକାର ଗରିବୀ ମୂଳୋତ୍ପଟନ, ରୋଜଗାର ସୃଷ୍ଟି, ସ୍ଥିରତା ଏବଂ ଏକ ଭାଗିଦାରୀପୂର୍ଣ୍ଣ ରାଜନୈତିକ ବ୍ୟବସ୍ଥା ସୃଷ୍ଟି କରିବାରେ ବିଫଳ ରହିଥିଲେ । ଏହା ବିରୋଧୀଙ୍କ ୨୦୧୪, ୨୦୧୮ ଓ ୨୦୨୪ ନିର୍ବାଚନ ବୟକଟରୁ ସ୍ପଷ୍ଟ ଥିଲା ।
ଆଲୋଚକଙ୍କ କହିବା କଥା, ବାଂଲାଦେଶରେ ଗଣତନ୍ତ୍ର ବିପର୍ଯ୍ୟସ୍ତ ହେଉଛି । ନିର୍ବାଚନୀ ପ୍ରକ୍ରିୟା ହିଂସା ଓ ଦୁର୍ନୀତି ପ୍ରଭାବିତ ହେଉଛି । ଏହାବ୍ୟତୀତ ଦେଶରେ ପ୍ରତିନିଧିତ୍ବ, ଅଧିକାର ଓ ଆଇନର ଶାସନ ଭଳି ଗଣତାନ୍ତ୍ରିକ ମୂଲ୍ୟବୋଧ କ୍ଷେତ୍ରରେ ସରକାରଙ୍କ ପ୍ରଦର୍ଶନ ନୈରାଶ୍ୟଜନକ ସହିତ ଦେଶର ଅର୍ଥନୈତିକ ବିକାଶରେ ଶେଖ ହସିନାଙ୍କ ଯୋଗଦାନକୁ ନେଇ ଲୋକଙ୍କ ମଧ୍ୟରେ ଧାରଣା ମଳିନ ହୋଇଛି । ଏକ ସୁସ୍ଥ ଗଣତନ୍ତ୍ର ପାଇଁ ଶକ୍ତିଶାଳୀ ବିରୋଧୀ ଦଳ ଅପରିହାର୍ଯ୍ୟ । ମଜଭୁତ ବିରୋଧୀ ଗଣତନ୍ତ୍ରରେ ସୁରକ୍ଷା ଜାଲ ଭଳି କାମ କରିଥାଏ । କିନ୍ତୁ ବାଂଲାଦେଶରେ ଏହାର ଅନୁପସ୍ଥିତ ଯୋଗୁଁ ଇସଲାମିଷ୍ଟ, ନାଗରିକ ସମାଜ ସଂଗଠନ ଓ ସାଧାରଣ ନାଗରିକ ସମର୍ଥିତ ହିଂସାତ୍ମକ ଛାତ୍ର ଆନ୍ଦୋଳନ ମଧ୍ୟରେ ଆୱାମୀ ଲିଗ୍ ସରକାରର ଅବସାନ ଘଟାଇଛି ।
ବାଂଲାଦେଶରେ ବାରମ୍ବାର ରାଜନୈତିକ ଅସ୍ଥିରତା ପଛରେ ଲଗାତାର ଇସଲାମିଷ୍ଟ ଶକ୍ତିର ପୁନରୁତ୍ଥାନକୁ ଦାୟୀ କରାଯାଇପାରେ । ଇସଲାମିଷ୍ଟ ଆନ୍ଦୋଳନ ଯାହା ଔପନିବେଶିକ କାଳରେ ହିନ୍ଦୁ ଜମିଦାର, ମଧବିତ୍ତ ବର୍ଗ, ବ୍ୟବସାୟୀଙ୍କ ବିରୋଧରେ ଆରମ୍ଭ ହୋଇଥିଲା, ଏବେ ପାକିସ୍ତାନ ସମର୍ଥନ ଓ ଭାରତ ବିରୋଧୀ ଧାରଣାରେ ପରିବର୍ତ୍ତିତ ହୋଇଛି ଯାହା ମହିଳାଙ୍କ ଅଧିକାରକୁ ବିରୋଧ କରିଥାଏ ।
ରାଜନୀତିକ ଇସଲାମିକ ବିଚାରଧାରା ଯାହା ବାଂଲାଦେଶର ଗଠନ ସହିତ ଶେଷ ହୋଇଯାଇଥିବାର ଧରାଯାଉଥିଲା, ତାହା ଏବେ ଏକ ସ୍ଥିର ଗଣତନ୍ତ୍ର ପ୍ରତିଷ୍ଠାରେ ବଡ଼ ଚ୍ୟାଲେଞ୍ଜ ହୋଇଛି । ରାଜନୀତିକ ଇସଲାମ କେବଳ ବାଂଲାଦେଶର ସବୁଠୁ ବଡ ଇସଲାମିଷ୍ଟ ଗୋଷ୍ଠୀ ଜମାତ୍-ଇ-ଇସଲାମି (JeI) ମଧ୍ୟରେ ସୀମିତ ରହିନି । ଶେଖ୍ ହସିନା ସରକାର ଯୁଦ୍ଧ ଅପରାଧୀଙ୍କ ବିରୋଧରେ ମାମଲା ଓ ଆତଙ୍କବାଦୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ସହିତ ଜମାତ୍-ଇ-ଇସଲାମ ଗୋଷ୍ଠୀ ଉପରେ ପ୍ରତିବନ୍ଧକ ଭଳି କଠୋର ପଦକ୍ଷେପ ଗ୍ରହଣ କରିଥିଲେ ଏବଂ ଏହି ଶକ୍ତିକୁ ନିୟନ୍ତ୍ରିତ କରିବାରେ ସଫଳ ମଧ୍ୟ ହୋଇଥିଲେ । ହେଲେ ଜମାତ୍-ଇ-ଇସଲାମୀ ପୁଣିଥରେ ମଜଭୁତ ହୋଇଥିଲା ।
ଜମାତ୍-ଇ-ଇସଲାମ ଗୋଷ୍ଠୀ ବାଂଲାଦେଶର ମୁଖ୍ୟ ବିରୋଧୀ ଦଳ ବାଂଲାଦେଶ ନ୍ୟାସନାଲ ପାର୍ଟି (ବିଏନପି)କୁ ସମର୍ଥନ କରିବା ଆୱାମୀ ଲିଗ୍ ସରକାର ପ୍ରତି ବଡ଼ ଚ୍ୟାଲେଞ୍ଜ ଭାବେ ରହିଥିଲା । ଗତ ୧୫ ବର୍ଷ ହେଲା ଇସଲାମିଷ୍ଟ ଗୋଷ୍ଠୀଗୁଡିକ ହସିନା ସରକାର ବିରୋଧରେ ଦେଶରେ ବାରମ୍ବାର ଆନ୍ଦୋଳନ ଓ ପ୍ରତିବାଦ ପ୍ରଦର୍ଶନ କରିଥିଲେ । ୨୦୦୯ ପିଲଖାନା ବିଦ୍ରୋହ, ହେଫାଜତ-ଇ-ଇସାଲମ ଆନ୍ଦୋଳନ, ଆଇଏସଆଇଏସ ଦ୍ବାରା ୨୦୧୬ ଆତଙ୍କୀ ହମଲା, ରୋହିଙ୍ଗ୍ୟା ସହିତ ମିଳିତ ଆନ୍ଦୋଳନ ଏବଂ ୨୦୨୪ ଛାତ୍ର ଆନ୍ଦୋଳନ ସହିତ JeI ଓ ଅନ୍ୟାନ୍ୟ ଇସଲାମିଷ୍ଟ ଗୋଷ୍ଠୀ ଜଡିତ । ଏହି ବିରୋଧ ପ୍ରଦର୍ଶନ ମୁଖ୍ୟ ଭାବେ ଆୱାମୀ ଲିଗ୍ ସରକାର ବିରୋଧି ରହିବା ସହିତ ଗଣତନ୍ତ୍ର ଓ ଭାରତ ବିରୋଧି ରହିଥିଲା ।
ବାଂଲାଦେଶ ସ୍ବାଧୀନତା ପରେ ଦେଶରେ ଉପଯୁକ୍ତ ଶାସନ ପ୍ରଣାଳୀ ଉପରେ ସହମତି ହାସଲ କରିବା ପାଇଁ ସଂଘର୍ଷ କରୁଛି । ଇସଲାମିକ ବିଚାର ଗଣତନ୍ତ୍ର, ରାଷ୍ଟ୍ରବାଦ ଓ ଧର୍ମନିରପେକ୍ଷତା ଓ ସମାଜବାଦ ବିଚାରଧାରାକୁ ବିରୋଧ କରେ । ଦେଶରେ ସୀମିତ ଗଣତନ୍ତ୍ର ସଫଳତା ପାଇଁ ନିର୍ବାଚିତ ଆୱାମୀ ଲିଗ୍ ସରକାରୀ ମୁଖ୍ୟ ରୂପେ ଦାୟୀ ।