ଭବାନୀପାଟଣା: ଭିଜିଲାନ୍ସ ଜାଲରେ ମେଡିକାଲ ସୁପରଭାଇଜର । ଜନ୍ମ ପ୍ରମାଣପତ୍ର କରାଇଦେବା ପାଇଁ ମାଗୁଥିଲେ ଲାଞ୍ଚ । ଅନଲାଇନ ମାଧ୍ୟମରେ ୪ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ମାଡିବସିଲା ଭିଜିଲାନ୍ସ ଟିମ । ମେଡିକାଲ ସୁପରଭାଇଜରଙ୍କୁ ଗିରଫ କରି ତାଙ୍କ ବାସଭବନରେ ଯାଞ୍ଚ କରିବା ସହ ମୋବାଇଲ ଜବତ କରିଛି ଭିଜିଲାନ୍ସ ।
ଜନ୍ମ ପ୍ରମାଣପତ୍ର ପାଇଁ ନେଉଥିଲେ ଲାଞ୍ଚ:
ସୂଚନା ଅନୁସାରେ, କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ମହୁଲପାଟଣା ସ୍ବାସ୍ଥ୍ୟ ଉପକେନ୍ଦ୍ର ସୁପଭାଇଜର ଓ ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଭାଇଟାଲ ଷ୍ଟାର୍ଟସ୍ଟିକ କ୍ଲର୍କ ଭାବେ ଦାୟିତ୍ୱରେ ଥିବା ଅଧିକାରୀ ଲକ୍ଷ୍ମୀ ନାରାୟଣ ମହାରଣା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି । ନିକେସଜୋର ଗ୍ରାମର ବବ୍ଲୁ ନାଏକ, ଅର୍ଜୁନ ନାଏକ, ଘାସିରାମ ନାଏକ ଜନ୍ମ ପ୍ରମାଣପତ୍ର ପାଇଁ ଆବେଦନ କରିଥିଲେ । ଏଥିପାଇଁ ଲକ୍ଷ୍ମୀ ନାରାୟଣ ସେମାନଙ୍କୁ ୪ ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ଏନେଇ ସେମାନେ ଜିଲ୍ଲା ଭିଜିଲାନ୍ସ ବିଭାଗର ଦ୍ବାରସ୍ଥ ହୋଇ ଅଭିଯୋଗ କରିଥିଲେ। ଅଭିଯୋଗକୁ ନେଇ ଭିଜିଲାନ୍ସ ବିଭାଗ ଏହି ସରକାରୀ ଅଧିକାରୀଙ୍କୁ ଧରିବା ପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଥିଲା ।
ମାଡିବସିଲା ଭିଜିଲାନ୍ସ:
ଜନ୍ମ ପ୍ରମାଣପତ୍ର ପାଇଁ ଆବେଦନ କରିଥିବା ୩ ଜଣ ବ୍ୟକ୍ତି ଅନ୍ଲାଇନ UPI ମାଧ୍ୟମରେ ଲକ୍ଷ୍ମୀ ନାରାୟଣଙ୍କୁ ଟଙ୍କା ଦେବା ପରେ ଏନେଇ ଭିଜିଲାନ୍ସ ବିଭାଗକୁ ଜଣାଇଥିଲେ । ସେପଟେ ପୂର୍ବ ଯୋଜନା ମୁତାବକ ଛକି ରହିଥିବା ଭିଜିଲାନ୍ସ ବିଭାଗ ଲକ୍ଷ୍ମୀ ମହାରଣାକୁ ହାତାହାତି ମାଡିବସିଥିଲା । ତାଙ୍କୁ ମେଡିକାଲ ପରିସରରୁ ଗିରଫ କରି ଭବାନୀପାଟଣା ଭିଜିଲାନ୍ସ କାର୍ଯ୍ୟାଳୟକୁ ଆଣି ଅଧିକ ପଚରାଉଚୁରା କରିବା ସହ ତାଙ୍କୁ ଫୋନକୁ ଜବତ କରିଛି । ଏହି ମାମଲାରେ କୋରାପୁଟ ଭିଜିଲାନ୍ସ କେସ ନମ୍ବର ୧/୦୧.୦୧.୨୦୨୫ରେ ଏକ ମାମଲା ରୁଜୁ କରିଛି । ଏହାସହ ଲକ୍ଷ୍ନୀ ନାରାୟଣଙ୍କ ଚିଲିଗୁଡ଼ା, ଇନ୍ଦ୍ରାବତୀ କଲୋନୀ ସ୍ଥିତ ସରକାରୀ କ୍ବାର୍ଟର ଓ ଜୁନାଗଡ଼ରେ ଥିବା ଘରେ ଯାଞ୍ଚ କରୁଛି ଭିଜିଲାନ୍ସ । ଏନେଇ ଓଡ଼ିଶା ଭିଜିଲାନ୍ସ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇ ସୂଚନା ଦିଆଯାଇଛି ।
ଏହା ମଧ୍ୟ ପଢ଼ନ୍ତୁ...ଲିଟର ୭୭ ଟଙ୍କା ମଶା ତେଲକୁ ୭୪୦ରେ କିଣିଥିଲେ, ୪ ଜଣଙ୍କୁ ବାନ୍ଧିଲା ଭିଜିଲାନ୍ସ ଏହା ମଧ୍ୟ ପଢ଼ନ୍ତୁ...ଦୁର୍ନୀତି ରୋକିବାକୁ ମୋହନ ମାଝୀ ସରକାରଙ୍କ ବଡ଼ ପଦକ୍ଷେପ, ଭିଜିଲାନ୍ସ ବିଭାଗରେ ୪୮ ନୂଆ ପଦବୀ |
ପ୍ରକାଶଯୋଗ୍ୟ ଯେ, ପୂର୍ବରୁ ମଧ୍ୟ ଏହି ବିଭାଗର ଦାୟିତ୍ୱରେ ଥିବା ଜଣେ ଅଧିକାରୀ ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ଜାଲରେ ପଡ଼ି ବର୍ତ୍ତମାନ ସେ ଆଇନ ଅନୁଯାୟୀ ଦଣ୍ଡିତ ହୋଇଥିବାବେଳେ ଲକ୍ଷ୍ନୀ ନାରାୟଣ ମହାରଣାଙ୍କୁ ଏହି ଦାୟିତ୍ଵ ଦିଆଯାଇଥିଲା ।
ଇଟିଭି ଭାରତ, କଳାହାଣ୍ଡି