ଓଡିଶା

odisha

ETV Bharat / opinion

ଇସ୍ରାଏଲ-ହାମାସ୍ ଯୁଦ୍ଧକୁ ବର୍ଷେ ପୂର୍ତ୍ତି: ଧ୍ବଂସଲୀଳା ଜାରି, ଏବେ ବି ବନ୍ଧକ ପଣବନ୍ଦୀ - Israel Hamas War

ଏବେ ମଧ୍ୟପ୍ରାଚ୍ୟରେ ଜାରି ରହିଛି ମୃତ୍ୟୁର ତାଣ୍ଡବ । ଗୋଟିଏ ପରେ ଗୋଟିଏ ଅଞ୍ଚଳକୁ ବ୍ୟାପୁଛି ଯୁଦ୍ଧ । ପଢନ୍ତୁ ‘ଇଟିଭି ଭାରତ’ ସମ୍ପାଦକ ବିଲାଲ ଭଟ୍ଟଙ୍କ ଆଲେଖ୍ୟ...

By Bilal Bhat

Published : 5 hours ago

Updated : 5 hours ago

ଇସ୍ରାଏଲ-ହାମାସ୍ ଯୁଦ୍ଧ: ଧ୍ବଂସଲୀଳା ଜାରି, ଏବେ ବି ବନ୍ଧକ ପଣବନ୍ଦୀ
ଇସ୍ରାଏଲ-ହାମାସ୍ ଯୁଦ୍ଧ: ଧ୍ବଂସଲୀଳା ଜାରି, ଏବେ ବି ବନ୍ଧକ ପଣବନ୍ଦୀ (ETV Bharat Odisha)

ହାଇଦ୍ରାବାଦ:ଯୁଦ୍ଧରେ ସର୍ବ ପ୍ରଥମେ ‘ସତ୍ୟ’ର ହିଁ ହତ୍ୟା ହୁଏ । ପରେ ଏହି କ୍ରମରେ ମହିଳା ଏବଂ ଶିଶୁଙ୍କ ପାଳି ଆସେ । ଇସ୍ରାଏଲ-ହାମାସ ମଧ୍ୟରେ, ରୁଷ- ୟୁକ୍ରେନ ମଧ୍ୟରେ ହେଉ କିମ୍ବା ପଶ୍ଚିମ-ଏସିଆର ଅନ୍ୟାନ୍ୟ ଅଞ୍ଚଳରେ ଜାରି ରହିଥିବା ପ୍ରତ୍ୟେକ ବିବାଦ ବା ଯୁଦ୍ଧର ଏହା ହିଁ ବାସ୍ତବତା । ଆଜିକୁ ଏକ ବର୍ଷ ପୂର୍ବେ, ପାଲେଷ୍ଟାଇନରୁ ସଞ୍ଚାଳିତ ହେଉଥିବା ‘ହାମାସ’ ଇସ୍ରାଏଲ ଉପରେ ଆକ୍ରମଣ କରିଥିଲା । ‘ହମାସ’ ଯୋଦ୍ଧାମାନେ ଇସ୍ରାଏଲ ଅଞ୍ଚଳରେ ପାରାଚ୍ୟୁଟ୍‌ ମାଧ୍ୟମରେ ଅପ୍ରତ୍ୟାଶିତ ଭାବେ ଲ୍ୟାଣ୍ଡିଂ କରି ଇସ୍ରାଏଲୀ ଗୁଇନ୍ଦା ସଂସ୍ଥା ‘ମୋସାଦ’କୁ ଆଶ୍ଚର୍ଯ୍ୟ ଚକିତ କରିଦେଇଥିଲେ । ଏହି ଆକ୍ରମଣରେ ପ୍ରାୟ 12ଶହ ଇସ୍ରାଏଲୀ ନାଗରିକଙ୍କୁ ହତ୍ୟା କରିବା ସହ ପ୍ରାୟ 250 ରୁ ଅଧିକ ଇସ୍ରାଏଲ ନାଗରିକଙ୍କୁ ଅପହରଣ କରିନେଇଥିଲା ‘ହମାସ’ । ସେମାନଙ୍କ ମଧ୍ୟରୁ ଶତାଧିକ ଏବେ ମଧ୍ୟ ମୁକ୍ତ ହୋଇପାରି ନାହାନ୍ତି । ସେମାନଙ୍କୁ ଗାଜାର କୌଣସି ସ୍ଥାନର ରଖାଯାଇଥିଲା । ହେଲେ ସେମାନଙ୍କ ମଧ୍ୟରୁ ଏବେ କେତେଜଣ ଜୀବିତ ଅଛନ୍ତି, ତାହା କାହାକୁ ଜଣାନାହିଁ ।

  • ପ୍ରଚଣ୍ଡ ପ୍ରତିଆକ୍ରମଣ କରିଥିଲା ଇସ୍ରାଏଲ

ହମାସ ଆକ୍ରମଣର ପ୍ରତିଶୋଧ ନେଇଥିଲା ଇସ୍ରାଏଲ । ଗାଜାରେ ଇସ୍ରାଏଲର ପ୍ରଚଣ୍ଡ ଆକ୍ରମଣରେ ପ୍ରାୟ 41 ହଜାର ପାଲେଷ୍ଚାନୀୟ ନାଗରିକଙ୍କ ମୃତ୍ୟୁ ହୋଇସାରିଛି । ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ମଧ୍ୟରେ ଶିଶୁ ଓ ମହିଳାଙ୍କ ସଂଖ୍ୟା ଅପେକ୍ଷାକୃତ ଅଧିକ । ମୃତକଙ୍କ ମଧ୍ୟରେ 16 ହଜାର ଶିଶୁ ଥିବା ବେଳେ ପ୍ରାୟ 19 ହଜାର ଶିଶୁ ସେମାନଙ୍କ ଅଭିଭାବକ ଓ ପରିବାରକୁ ହରାଇ ଅନାଥ ହୋଇଯାଇଥିଲେ । ହଜାରେରୁ ଅଧିକ ଶିଶୁଙ୍କର ଶାରୀରିକ ଭିନ୍ନକ୍ଷମ ମଧ୍ୟ ହୋଇଯାଇଛନ୍ତି । ପାଲେଷ୍ଟାଇନ ଅଧିକୃତ ଅଞ୍ଚଳ ଗାଜାର ମୋଟ ଜନସଂଖ୍ୟାର ପ୍ରାୟ 90 ପ୍ରତିଶତ ଲୋକଙ୍କୁ ବିସ୍ଥାପିତ ହେବାକୁ ପଡିଲା । ଇସ୍ରାଏଲ ସେନାର ସମ୍ପୂର୍ଣ୍ଣ ଅବରୋଧ କାରଣରୁ ଭୂମଧ୍ୟ-ସାଗର ଉପକୂଳରେ ଥିବା ଗାଜାପଟିରେ ଯୋଗାଣ ବ୍ୟବସ୍ଥା ଭୁଶୁଡି ପଡିଥିଲା । ଲକ୍ଷ ଲକ୍ଷ ଲୋକେ ଖାଦ୍ୟ ସଙ୍କଟର ସମ୍ମୁଖୀନ ହେଲେ । ଗାଜାରେ ହସ୍ପିଟାଲ ଓ ସ୍କୁଲ ସମେତ ବହୁ ଅଟ୍ଟାଳିକା ଧ୍ବଂସସ୍ତୂପରେ ପରିଣତ ହେଲା ।

ଇସ୍ରାଏଲ-ହାମାସ୍ ଯୁଦ୍ଧ: ଧ୍ବଂସଲୀଳା ଜାରି, ଏବେ ବି ବନ୍ଧକ ପଣବନ୍ଦୀ (ETV Bharat Odisha)
  • ପାଲେଷ୍ଟାଇନ ଏବେ ସମ୍ପୂର୍ଣ୍ଣ ଧ୍ୱଂସ

ଏକ ବର୍ଷର ସଂଘର୍ଷ ପରେ ପାଲେଷ୍ଟାଇନ ସମ୍ପୂର୍ଣ୍ଣ ଧ୍ୱଂସ ହୋଇସାରିଛି । ଏବେବି କିଛି ଇସ୍ରାଏଲୀ ବନ୍ଧକମାନେ ହାମାସ ନିକଟରେ ପଣବନ୍ଦୀ ଅଛନ୍ତି । ଏହି ବର୍ଷେ ମଧ୍ୟରେ ଇସ୍ରାଏଲରେ ସାଧାରଣ ଜୀବନଯାତ୍ରା ସ୍ୱାଭାବିକ ହୋଇଥିବା ମନେ ହେଉଥିଲେ ସୁଦ୍ଧା ଦ୍ୱନ୍ଦ୍ୱର କେନ୍ଦ୍ରସ୍ଥଳ ଗାଜାପଟିରେ ସାଧାରଣ ଜୀବନ ବିପର୍ଯ୍ୟସ୍ତ ହୋଇପଡିଛି । ଆଶ୍ରୟ ନେବା ପାଇଁ ଆଶ୍ରୟସ୍ଥଳୀ ମଧ୍ୟ ନାହିଁ ।

  • ଧ୍ବଂସସ୍ତୂପ ଗାଜାପଟି

ଗାଜାରେ ମୌଳିକ ଜୀବନଧାରଣ ଏବଂ ଅସ୍ଥିତ୍ବ ବିପଦରେ ଥିବାବେଳେ ସ୍ୱାସ୍ଥ୍ୟ ଏବଂ ପରିମଳ କଥା ନକହିବା ଭଲ । ଯେତେବେଳେ କୌଣସି ବୋମା ଏକ ନିଷ୍ପାପ ଶିଶୁର ଶରୀରକୁ କେଇ ଖଣ୍ଡରେ ବର୍ବରତାର ସହ ବିକ୍ଷିପ୍ତ କରେ, ସେତେବେଳେ ମାନବିକତା ମରିଗଲା ବୋଲି କହିହେବ । ଯେଉଁ ଶିଶୁଟି ଆକ୍ରମଣରୁ ନିଜକୁ ରକ୍ଷା କରିବା ପାଇଁ ଧାଇଁ ପାରିବ ନାହିଁ, ସେ ନୀରିହ ଶିଶୁଟି ହିଁ ଏହି ଆକ୍ରମଣରେ ପ୍ରାଣ ହରାଏ । ଯେତେବେଳେ ବିଶ୍ବ ‘ବାଳ ଅଧିକାର’ (ଶିଶୁ ସୁରକ୍ଷା) ସମ୍ପର୍କରେ ଚର୍ଚ୍ଚା କରୁଛି, ସମ୍ମିଳନୀ ଆୟୋଜନ କରୁଛି, ସେତେବେଳେ ହିଁ ବିଶ୍ବ ଏହି ବର୍ବରତାର ସାକ୍ଷୀ ହୋଇଛି । ଲେବନନରେ ମଧ୍ୟ ସମାନ ସ୍ଥିତି । ଦକ୍ଷିଣ ଲେବନନରେ ଏବେ ବିନାଶ ଜାରି ରହିଛି । ଗାଜା ପରେ ଇସ୍ରାଏଲ ଏବେ ଲେବନନରେ ଆକ୍ରମଣ ଜାରି ରଖିଛି ।

ଇସ୍ରାଏଲ-ହାମାସ୍ ଯୁଦ୍ଧ: ଧ୍ବଂସଲୀଳା ଜାରି, ଏବେ ବି ବନ୍ଧକ ପଣବନ୍ଦୀ (ETV Bharat Odisha)

ଏହା ମଧ୍ୟ ପଢନ୍ତୁ :- ଜାମ୍ମୁ କାଶ୍ମୀର ବିଧାନସଭା ନିର୍ବାଚନ: ଲିଗାସି ଲଢେଇ ଓ ପିଢିଗତ ପରିବର୍ତ୍ତନ - Jammu Kashmir Elections

ଏହା ମଧ୍ୟ ପଢନ୍ତୁ :- ଇସ୍ରାଏଲ ଆକ୍ରମଣ ଜବାବ ଦେଲା ଇରାନ: ବଢିପାରେ ଆଞ୍ଚଳିକ ବିବାଦ, କିନ୍ତୁ.. - Iran Response To Israel

ଏହା ମଧ୍ୟ ପଢନ୍ତୁ :- ଚରମ ସୀମାରେ ହାଇବ୍ରିଡ ଯୁଦ୍ଧ କୌଶଳ - ISRAEL ATTACK ON HEZBOLLAH

  • ‘ହୁତି’ ଏବେ ନୀରବ:

ୟେମେନରୁ ସଞ୍ଚାଳିତ ହେଉଥିବା ‘ହୁତି’ ସଂଗଠନ ଏବେ କିଛି ଦିନ ହେବ ନୀରବ ରହିଛି । ‘ହିଜବୁଲ୍ଲା’ ପରି ସେମାନେ ଇସ୍ରାଏଲର ପରବର୍ତ୍ତୀ ଟାର୍ଗେଟ ହୋଇପାରନ୍ତି ଆଶଙ୍କା କରି ହୁତି ନିଜ କାର୍ଯ୍ୟକଳାପ ବନ୍ଦ ରଖିଥିବା ଅନୁମାନ ହୁଏ । ‘ହୁତି’ ଓ ‘ହିଜବୁଲ୍ଲା’ ଉଭୟ ଇରାନ ସମର୍ଥିତ ସଂଗଠନ । ଏମାନେ ଇସ୍ରାଏଲ ବିରୋଧରେ ଆକ୍ରମଣ ଜାରି ରଖିଥିଲେ । ଏହାରି ମଧ୍ୟରେ ଇରାନ ମଧ୍ୟ ଇସ୍ରାଏଲ ଉପରେ ରକେଟ ମାଡ କରି ଏକ ବଡ ରିସ୍କ ନେବାକୁ ଆହ୍ବାନ କରିଛି । ଏପରି ସ୍ଥଳେ ଇସ୍ରାଏଲର ପ୍ରତିକ୍ରିୟା କଣ ହେବ, ତାହା ଜାଣିବା ପାଇଁ ଇରାନ ଏହି ଆକ୍ରମଣ କରିଥାଇପାରେ ବୋଲି ଚର୍ଚ୍ଚା ହେଉଛି ।

  • ଅନ୍ୟ ଆରବ ଦେଶଙ୍କ ଆଭିମୁଖ୍ୟ:-

‘ହିଜବୁଲ୍ଲା’ ଓ ‘ହାମାସ’ ବିରୋଧରେ ଇସ୍ରାଏଲର ପ୍ରତିକ୍ରିୟା କଠୋର ଓ ନିଷ୍ଠୁର ବୋଲି କୁହାଯାଇପାରେ । ୟେମେନ, ଲେବନନ ଓ ଇରାନ ପରି କେତେକ ‘ଶିଆ-ଇସଲାମିକ’ ଦେଶ ଇସ୍ରାଏଲକୁ ଖୋଲାଖୋଲି ବିରୋଧ କରୁଛନ୍ତି । ସାଉଦି ଆରବ ଏବଂ ଅନ୍ୟାନ୍ୟ ‘ସୁନ୍ନି ଇସଲାମିକ’ ଦେଶମାନେ ଏହି ତାଲିକାରେ ନାହାନ୍ତି । ସେମାନେ ଏହି ପ୍ରସଙ୍ଗରେ କେବଳ ନରମ କୂଟନୈତିକ ପନ୍ଥାକୁ ଗ୍ରହଣ କରିଛନ୍ତି । ନିଜର ଭୂମିକାକୁ ନିନ୍ଦା କରିବାରେ ସୀମିତ ରଖିବା ସହ କଥାବାର୍ତ୍ତା ମାଧ୍ୟମରେ ଏହି ସମସ୍ୟାର ସମାଧାନ ହେବା ଉପରେ ନିଜର ଆଭିମୁଖ୍ୟ ରଖିଆସିଛନ୍ତି । ଆରବର ଅନ୍ୟ ଇସଲାମିକ ଦେଶମାନେ ଏହି ପ୍ରସଙ୍ଗରେ ସତର୍କ ଅଛନ୍ତି । ଇସ୍ରାଏଲ-ହାମାସ ମଧ୍ୟରେ ବିବାଦରେ ମଧ୍ୟସ୍ଥତା କରି ତିକ୍ତତା ହ୍ରାସ କରିବାକୁ ଚେଷ୍ଟା କରୁଛନ୍ତି । ଇଜିପ୍ଟ ଓ କାତାର ଅସ୍ତ୍ରବିରତି ପାଇଁ କାର୍ଯ୍ୟ କରୁଥିବା ବେଳେ ବିଶ୍ବର ଶକ୍ତିଶାଳୀ ରାଷ୍ଟ୍ର ଆମେରିକା ଇସ୍ରାଏଲକୁ ସମର୍ଥନ ଜାରି ରଖିଛି । ଆମେରିକା ଇସ୍ରାଏଲକୁ ଅସ୍ତ୍ରଶସ୍ତ୍ର ଯୋଗାଣ ସହ ଅନ୍ୟ ସାହାଯ୍ୟ ମଧ୍ୟ ଜାରି ରଖିଛି । ଇସ୍ରାଏଲକୁ ଅସ୍ତ୍ରବିରତି ପାଇଁ ରାଜି କରିବା ଦିଗରେ ଆମେରିକା ଏକ ବିଫଳ ଉଦ୍ୟମ ମଧ୍ୟ କରିଥିଲା ।

ଇସ୍ରାଏଲ-ହାମାସ୍ ଯୁଦ୍ଧକୁ ବର୍ଷେ ପୂର୍ତ୍ତି: ଧ୍ବଂସଲୀଳା ଜାରି, ଏବେ ବି ବନ୍ଧକ ପଣବନ୍ଦୀ (ETV Bharat Odisha)
  • ଭାରତର ଆଭିମୁଖ୍ୟ :-

ସବୁ ଭିତରେ ଭାରତର ସ୍ଥିତି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । କାରଣ ଇସ୍ରାଏଲ ସହିତ ଭାରତର ଘନିଷ୍ଠ ସମ୍ପର୍କ ରହିଛି । କେବଳ ଇସ୍ରାଏଲ ନୁହେଁ ପାଲେଷ୍ଟାଇନ ନେତାଙ୍କ ସହିତ ମଧ୍ୟ ନୂଆଦିଲ୍ଲୀର ଭଲ ସମ୍ପର୍କ ରହିଛି । ସମଗ୍ର ପଶ୍ଚିମ-ଏସିଆର ସ୍ଥିରତା ଓ ସ୍ଥିତିକୁ ଦେଖି ଭାରତ ମାପିଚୁପି କୌଣସି ଆଭିମୁଖ୍ୟ ଗ୍ରହଣ କରିଆସୁଛି । ବହୁଚର୍ଚ୍ଚିତ ‘IMEEC’(ଇଣ୍ଡିଆ ମିଡିଲ-ଇଷ୍ଟ ଇକୋନୋମିକ୍ କରିଡର) ପ୍ରକଳ୍ପର ସଫଳତା ମୁଖ୍ୟତଃ ସାଉଦି ଆରବ ଉପରେ ନିର୍ଭର କରୁଛି । କେବଳ ସାଉଦି ନୁହେଁ ଇରାନ ମଧ୍ୟ ଭାରତ ପାଇଁ ଗୁରୁତ୍ୱପୂର୍ଣ୍ଣ । ଇରାନରେ ଭାରତର ଚାବାହାର ବନ୍ଦର ରଣନୀତି ଅର୍ଥନୈତିକ ଦୃଷ୍ଟିରୁ ବେଶ ଗୁରୁତ୍ୱପୂର୍ଣ୍ଣ । ବର୍ତ୍ତମାନ ପରିସ୍ଥିତିରେ ଭାରତର ବିକାଶ ପାଇଁ ଉଭୟ ଇରାନ ଏବଂ ସାଉଦି ଗୁରୁତ୍ୱପୂର୍ଣ୍ଣ ।

  • ପଶ୍ଚିମ-ଏସିଆ ଭାରତ ପାଇଁ ଗୁରୁତ୍ବପୂର୍ଣ୍ଣ

ସମଗ୍ର ପଶ୍ଚିମ-ଏସିଆ ଭାରତ ପାଇଁ ରଣନୈତିକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ । କାରଣ ବହୁ ପ୍ରତିରକ୍ଷା ସାମଗ୍ରୀ ଇସ୍ରାଏଲରୁ ଆମଦାନୀ ହେଉଛି । ଏଥି ସହିତ ଇରାନ ଭାରତକୁ ଅଶୋଧିତ ତୈଳ ମଧ୍ୟ ରପ୍ତାନି କରୁଛି । 80 ପ୍ରତିଶତ ତୈଳ ସମ୍ବଳ କେବଳ ପଶ୍ଚିମ-ଏସିଆରୁ ଆସିଛି । ଯଦି କୌଣସି ପରିସ୍ଥିତିରେ ଏହି ଯୋଗାଣ ଶୃଙ୍ଖଳାରେ ବ୍ୟାଘାତ ସୃଷ୍ଟି ହେବ, ତେବେ ତାହା ଭାରତ ପାଇଁ ନାନା ସମସ୍ୟା ସୃଷ୍ଟି କରିବାର ଆଶଙ୍କା ମଧ୍ୟ ସ୍ପଷ୍ଟ । ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଯୁଦ୍ଧ ଭାରତର ସ୍ୱାର୍ଥ ବିରୁଦ୍ଧରେ ହେବ । ବିବାଦର ଅନ୍ତ ଘଟାଇବା ପାଇଁ ଭାରତ ଆଲୋଚନା ପାଇଁ ଆହ୍ବାନ କରିଛି । ଚୀନ୍ ଏବଂ ଭାରତ ପଶ୍ଚିମ-ଏସିଆରେ ସମ୍ବଳ ଏବଂ ସୁଯୋଗ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି । ଏବଂ ଏହି କ୍ଷେତ୍ରରେ ଭାରତର ପ୍ରାଧାନ୍ୟ ମଧ୍ୟ ରହିଛି ।

ଇସ୍ରାଏଲ-ହାମାସ୍ ଯୁଦ୍ଧ: ଧ୍ବଂସଲୀଳା ଜାରି, ଏବେ ବି ବନ୍ଧକ ପଣବନ୍ଦୀ (ETV Bharat Odisha)
  • ଯଦି ‘ହମାସ’ ଆକ୍ରମଣ କରିନଥାନ୍ତା... !

ଯଦି 2023 ମସିହା ଅକ୍ଟୋବର 7 ତାରିଖରେ ‘ହାମାସ’ ଇସ୍ରାଏଲ ଉପରେ ଆକ୍ରମଣ କରିନଥାନ୍ତା, ତେବେ ଚୀନ୍‌ର ମଧ୍ୟସ୍ଥତାର ଫଳାଫଳ କିଛି ଭିନ୍ନ ହୋଇଥାନ୍ତା । ଚୀନ୍, ହାମାସ, ଅଲ-ଫତେହ, ସାଉଦି ଆରବ ଏବଂ ଇରାନ ମଧ୍ୟରେ ଏକ ଚୁକ୍ତିନାମା କରିବାକୁ ଚେଷ୍ଟା କରିଥିଲା । ଚୁକ୍ତିନାମା ସୁନ୍ନି ଏବଂ ଶିଆ ମୁସଲିମ୍‌ ଦେଶକୁ ଏକଜୁଟ କରିବା ପୂର୍ବରୁ ଏହି ବଡ଼ ସଂଘର୍ଷ ଆରମ୍ଭ ହୋଇଥିଲା । ସାଉଦି ଏବଂ ଇରାନୀୟମାନଙ୍କ ମଧ୍ୟରେ ତିକ୍ତତା ଦୂର କରିବା ପ୍ରୟାସକୁ ଏହା ସେହିଠାରେ ହିଁ ପୂର୍ଣ୍ଣଚ୍ଛେଦ ପକାଇବାକୁ ବାଧ୍ୟ ହେଲା । ଏହା ସହ ଇସ୍ରାଏଲ ହମାସ ବିରୋଧରେ ଯୁଦ୍ଧ ଆରମ୍ଭ କଲା । ଏହି ଆକ୍ରମଣ ଇସ୍ରାଏଲ ଓ ସାଉଦିକୁ ଲାଭ ପହଞ୍ଚାଇ ପାରେ । କାରଣ ‘ହୁତି’ ସଂଗଠନ ଦ୍ବାରା ଉଭୟ ଦେଶ ପ୍ରଭାବିତ ଥିଲେ । ଏବେ ଇରାନର ରକେଟମାଡର ଜବାବ ଇସ୍ରାଏଲ କିପରି ଦେଉଛି, ତାହା ଦେଖିବାକୁ ବାକି ରହିଲା ।

ସମ୍ପାଦକୀୟ...

Last Updated : 5 hours ago

ABOUT THE AUTHOR

...view details