ହାଇଦ୍ରାବାଦ:ବହୁ ପ୍ରତୀକ୍ଷିତ ଇରାନ ରାଷ୍ଟ୍ରପତି ନିର୍ବାଚନ ଶେଷ ହୋଇଛି । ପ୍ରଥମ ପର୍ଯ୍ୟାୟରେ କେହି ପୂର୍ଣ୍ଣ ବହୁମତ ଅର୍ଥାତ ୫୦ ପ୍ରତିଶତ ଭୋଟିଂ ପାଇନବାରୁ ଜୁଲାଇ ୬ରେ ଦ୍ୱିତୀୟ ପର୍ଯ୍ୟାୟ ରାଉଣ୍ଡ ଅଫରେ ଫଳ ପ୍ରକାଶ ପାଇଛି । ୬୯ ବର୍ଷୀୟ ମସୁଦ ପାଜେଶକିଅନ ନିଜର ନିକଟତମ ପ୍ରତିଦ୍ୱନ୍ଦ୍ବୀ କନଜର୍ଭେଟିଭ ସଇଦ ଜଲିଲଙ୍କୁ ହରାଇ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି । ରିଫର୍ମିଷ୍ଟ (ସଂସ୍କାରମୂଳକ) ଚିନ୍ତାଧାରା ପାଇଁ ଲୋକପ୍ରିୟ ମସୁଦ ପାଖାପାଖି ୫୩. ୭ପ୍ରତିଶତ ଭୋଟ ପାଇଥିବା ବେଳେ ସଇଦ ୪୪. ୩ ପ୍ରତିଶତ ଭୋଟ ପାଇଛନ୍ତି । ତେବେ ମସୁଦ ଇରାନର ସବୁଠୁ ବୟସ୍କ ରାଷ୍ଟ୍ରପତି ହୋଇଛନ୍ତି ।
ମସୁଦ ଇରାନର ଜଣେ ପେଶାଦାର ହାର୍ଟ ସର୍ଜନ । ସେ ୫ ଥର ଇରାନ ପାର୍ଲାମେଣ୍ଟର ସଦସ୍ୟ ରହିଛନ୍ତି । ଦୁଇଟି ପ୍ରଦେଶର ଗଭର୍ଣ୍ଣର ଓ ଇରାନର ସ୍ୱାସ୍ଥ୍ୟମନ୍ତ୍ରୀ ଭାବେ ମଧ୍ୟ ଦାୟିତ୍ୱ ତୁଲାଇଛନ୍ତି । ପୂର୍ବତନ ରିଫର୍ମିଷ୍ଟ ରାଷ୍ଟ୍ରପତି ରୌହାନିଙ୍କଠାରୁ ଅନୁପ୍ରାଣିତ ହୋଇ ସେ ୨୦୧୩ ଓ ୨୦୨୧ରେ ସେ ରାଷ୍ଟ୍ରପତି ପ୍ରାର୍ଥୀ ହେବାକୁ ଚେଷ୍ଟା କରିଥିଲେ କିନ୍ତୁ ଗାର୍ଡିଅନ କାଉନସିଲ ତାଙ୍କୁ ଅଯୋଗ୍ୟ ଘୋଷଣା କରିଥିଲା ।
ଚଳିତ ନିର୍ବାଚନ ପ୍ରଚାର ସମୟରେ ସେ ଘୋଷଣା କରିଥିଲେ ଯେ “ବଳ ପ୍ରୟୋଗ କରି ଧାର୍ମିକ ବିଶ୍ୱାସ ଜନ୍ମାଇବା ବିଜ୍ଞାନ ସମ୍ମତ ଭାବେ ଅସମ୍ଭବ । ଯାହାକୁ ନେଇ ବିରୋଧି ତାଙ୍କୁ କଡା ସମାଲୋଚନା କରିଥିଲେ । ଏହି ନିର୍ବାଚନ କେବଳ ପ୍ରମୁଖ ପ୍ରାର୍ଥୀମାନଙ୍କ ମଧ୍ୟରେ ଲଢେଇ ନଥିବା ବରଂ ପରମ୍ପରା ଓ ସଂସ୍କାର ମଧ୍ୟରେ ଥିଲା ।
ପେଜେକଶିଅନ ହିଜାବ ପରିଧାନକୁ ନେଇ ଆଇନଗତଃ କାର୍ଯ୍ୟାନୁଷ୍ଠାନର ବିରୋଧି ଥିଲେ । ଆଉ ମଧ୍ୟ ଇଣ୍ଟରନେଟ କଟକଣାକୁ କୋହଳ କରିବା ପାଇଁ ମଧ୍ୟ ସେ ପ୍ରତିଶ୍ରୁତି ଦେଇଥିଲେ । ନିଜ କ୍ୟାବିନେଟରେ ମହିଳା ଓ ଆଦିବାସୀମାନଙ୍କୁ ସ୍ଥାନ ଦେବା ଓ ସର୍ବୋପରି ଦେଶର ଆଣବିକ ଲକ୍ଷ୍ୟକୁ ପୂରଣ ଦିଗରେ ଥିବା କଟକଣାକୁ କୋହଳ କରିବା ଓ JCPOA (ଜଏଣ୍ଟ କପ୍ରେହେନସିଭ ପ୍ଲାନ ଅଫ ଆକ୍ସନ)କୁ ପ୍ରଭାବୀ କରିବା ଦିଗରେ କାର୍ଯ୍ୟକରିବା ନେଇ ସେ ପ୍ରତିଶ୍ରୁତି ଦେଇ ଆସିଛନ୍ତି ।
ପଶ୍ଚିମ ସହ ଗଠନମୂଳକ ସମ୍ପର୍କ ରକ୍ଷା କରି ଇରାନକୁ ନିଜର ସଂଗରୋଧ (ଆଇସୋଲେସନ)ରୁ ବାହାର କରିବା ତାଙ୍କର ଉଦ୍ଦେଶ୍ୟ ବୋଲି ସେ ଘୋଷଣା କରିଥିଲେ । ନିର୍ବାଚନ ବିତର୍କ ସମୟରେ ନବନିର୍ବାଚିତ ରାଷ୍ଟ୍ରପତି ଦେଶର ମୁଦ୍ରାସ୍ପୀତି ପ୍ରସଙ୍ଗରେ କହିଛନ୍ତି ଯେ, ଦେଶର ବର୍ଦ୍ଧିତ ମୁଦ୍ରାସ୍ପୀତି (ବର୍ତ୍ତମାନ ପ୍ରାୟ ୪୦ ପ୍ରତିଶତ)କୁ କମାଇବାକୁ ହେଲେ ଏକମାତ୍ର ବାଟ ହେଉଛି ୨୦୦ ବିଲିୟନ ଡଲାରରୁ ଅଧିକ ବିଦେଶୀ ପୁଞ୍ଜି ବିନିଯୋଗ କରିବା ଏବଂ ବିଶ୍ୱ ସହ ସମ୍ପର୍କ ନସୁଧାରିଲେ ଏପରି କରିବା ଅସମ୍ଭବ । ତେବେ ନବ ନିର୍ବାଚିତ ରାଷ୍ଟ୍ରପତିଙ୍କ ଏହି ଭାଷଣରୁ ସହଜରେ ଅନୁମେୟ ଯେ, ଚୀନ, ଋଷ ଏବଂ କିଛି ପାରମ୍ପରିକ ସହଯୋଗୀ ଦେଶ ସହ ଦ୍ୱିପାକ୍ଷିକ ସମ୍ପର୍କକୁ ସୁଧାରିବା ନେଇ ସେ ଲକ୍ଷ୍ୟ ରଖିଛନ୍ତି ।
ଇରାନରେ ମସୁଦଙ୍କ ବିଜୟକୁ ନେଇ ମିଶ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । 2022 ମସିହାରେ ଦେଶବ୍ୟାପୀ ହିଜାବ ବିରୋଧୀ ବିରୋଧ ପରେ ଦୀର୍ଘ ଦିନର ଆଇନରେ ସଂସ୍କାର ଆସିପାରେ ବୋଲି ସେ କ୍ଷମତାକୁ ଆସିବା ପରେ କିଛି ଜନତା ଆଶା ରଖିଥିବା ବେଳେ ଅନ୍ୟ କିଛି ଜନତା ସେ ଆଣିଥିବା ସଂସ୍କାରରେ କୌଣସି ଉନ୍ନତି ହୋଇପାରିବ ନାହିଁ ବୋଲି କହିଛନ୍ତି । ଇରାନର ରାଜନୈତିକ ଭାଷ୍ୟକାର ମୋସାଦେଘଙ୍କ କହିବାନୁଯାୟୀ, କିଛି ଭଲ ପରିବର୍ତ୍ତନ ହେବା ସହ ବିବାଦଗୁଡିକର ସମାଧାନ ହୋଇପାରିବ ବୋଲି ଜନତା ଆଶା ବାନ୍ଧିଛନ୍ତି ।
ଏହା ବି ପଢନ୍ତୁ- ଇରାନ ରାଷ୍ଟ୍ରପତି ନିର୍ବାଚନ; ସଇଦି ଜଲିଲିଙ୍କୁ ହରାଇଲେ ମସୁଦ, ଜାଣନ୍ତୁ ଭାରତ ସମର୍ଥକ ନା ବିରୋଧୀ ?
କିନ୍ତୁ ଦେଶର ଅଖଣ୍ଡ କ୍ଷମତାର ଅଧିକାରୀ ଦେଶର ସର୍ବୋଚ୍ଚ ନେତା ଆୟାତୋଲ୍ଲାହ ଅଲ୍ଲି ଖେମେନେଇଙ୍କ ଉପସ୍ଥିତିରେ ଦେଶର ଆଭ୍ୟନ୍ତରୀଣ ନିୟମ ଯେଭଳି, ଇଣ୍ଟରନେଟ କଟକଣା କୋହଳ, କ୍ୟାବିନେଟରେ ମହିଳା ଓ ଆଦିବାସୀଙ୍କ ପ୍ରତିନିଧିତ୍ୱ ବୃଦ୍ଧି କରିବା ଭଳି କିଛି ସାମାଜିକ ପରିବର୍ତ୍ତନ ଆଶା କରାଯାଇପାରେ କିନ୍ତୁ ହିଜାବ ପରିଧାନ ଉପରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଓ ଅନ୍ୟାନ୍ୟ ଉଚ୍ଚ ବିବାଦୀୟ ପ୍ରସଙ୍ଗ ଉପରେ ଆଇନର କାର୍ଯ୍ୟାନୁଷ୍ଠାନ ରୋକିବା ସମ୍ଭବ ନୁହେଁ ବୋଲି ଚର୍ଚ୍ଚା କରାଯାଉଛି । ଏହା ଭୁଲିଯିବା ଉଚିତ ନୁହେଁ ଯେ ଇରାନ ରାଷ୍ଟ୍ରପତିଙ୍କ ହାତ ସର୍ବୋଚ୍ଚ ନେତା ଭାବେ ବନ୍ଧା ହୋଇଛି । ନିଜେ ତାଙ୍କ ଆଭିମୁଖ୍ୟରେ ରକ୍ଷଣଶୀଳ, ସଶସ୍ତ୍ର ବାହିନୀର ମୁଖ୍ୟ, ଗୁପ୍ତଚର, ପୋଲିସ, ନ୍ୟାୟପାଳିକା, ରେଡିଓ ଏବଂ ଟିଭି ତଥା ଗାର୍ଡିଅନ କାଉସିଲ ସଦସ୍ୟ ନିଯୁକ୍ତ କରିବାର ଏକମାତ୍ର ଅଧିକାର ରହିଛି ।
ଚଳିତ ବର୍ଷ ମାର୍ଚ୍ଚ ମାସରେ ଅନୁଷ୍ଠିତ ପାର୍ଲାମେଣ୍ଟ ନିର୍ବାଚନ ସମୟରେ କଠୋରପନ୍ଥୀ ସଦସ୍ୟଙ୍କ ସଂଖ୍ୟା ଗରିଷ୍ଠତା ରହିଥିବା ବେଳେ ମସୁଦଙ୍କ ପାଇଁ ଏହା କଷ୍ଟସାଧ୍ୟ ହୋଇପାରେ । ତେବେ, ଇରାନ ଉପରେ ପାଶ୍ଚାତ୍ୟ ଦେଶ ତଥା ଆର୍ଥିକ ପ୍ରତିଷ୍ଠାନ ଦ୍ବାରା ଲାଗୁ କରାଯାଇଥିବା ପ୍ରତିବନ୍ଧକର ବିପର୍ଯ୍ୟସ୍ତ ପ୍ରଭାବକୁ ଦୃଷ୍ଟିରେ ରଖି ଖାମେନେଇ ନୂତନ ରାଷ୍ଟ୍ରପତିଙ୍କୁ JCPOAର ପୁନରୁତ୍ଥାନ ପାଇଁ ବୁଝାମଣା କରିବାକୁ ଏକ ଛୋଟ ଅନୁମତି ଦେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି ।
ଯେଉଁଠି ଚୀନ, ଋଷ, ସାଉଦୀ ଆରବ, ୟୁଏଇ ଭଳି ଅନେକ ଦେଶ ଏହାକୁ ବହୁ ପାର୍ଟିର ବିଜୟ ବୋଲି କହିଛନ୍ତି । ଇରାକ ଭଳି କେତେକ ଦେଶ କେବଳ ଅଭିନନ୍ଦନ ବାର୍ତ୍ତା ମଧ୍ୟରେ ସୀମିତ ଏହି ନିର୍ବାଚନକୁ ନେଇ ଅତି ସତର୍କତାର ସହ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ଇଜିପ୍ଟ ଏବଂ ଜୋର୍ଡାନ ପରି ମଧ୍ୟ ପ୍ରାଚୀର ଦେଶମାନେ ଏପର୍ଯ୍ୟନ୍ତ ନିର୍ବାଚନ ନେଇ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି । ଆମେରିକାର ବୈଦେଶିକ ମନ୍ତ୍ରାଳୟ ଏହି ନିର୍ବାଚନକୁ ମୁକ୍ତ ଓ ନ୍ୟାୟ ସଂଗତ ନୁହେଁ ବୋଲି ଘୋଷଣା କରିଥିବା ବେଳେ ଆମ ଦେଶର ପ୍ରଧାନମନ୍ତ୍ରୀ ମୋଦି ନିର୍ବାଚନ ପରେ ତୁରନ୍ତ ନବ ନିର୍ବାଚିତ ରାଷ୍ଟ୍ରପତି ମସୁଦଙ୍କୁ ଅଭିନନ୍ଦନ ଜଣାଇଥିଲେ ଓ ଦେଶ ତଥା ଲୋକମାନଙ୍କ ହିତ ଦୃଷ୍ଟିରୁ ୨ ଦେଶ ମଧ୍ୟରେ ଦ୍ୱିପାକ୍ଷୀକ ସମ୍ପର୍କ ସୁଦୃଢ କରିବା ଦିଗରେ କାର୍ଯ୍ୟ କରିବା ନେଇ ଆହ୍ୱାନ ଦେଇଥିଲେ ।
ପେଜେଶକିଅନଙ୍କ ନିର୍ବାଚନ ଭାରତ-ଇରାନ ସମ୍ପର୍କକୁ କିପରି ପ୍ରଭାବିତ କରିବ ?
ଇରାନ ସହ ଭାରତର ଦୀର୍ଘ ବର୍ଷ ହେଲା ଭଲ ସମ୍ପର୍କ ରହିଆସିଛି । ଚାବାହର ପୋର୍ଟ ନେଇ ୨ ଦେଶ ମଧ୍ୟରେ ଯେଉଁ ବିବାଦ ରହିଥିଲା ତାହା ମଧ୍ୟ ସମାଧାନ ହୋଇସାରିଛି । ଭାରତ ବିଳମ୍ବରେ ପୁଣିଥରେ ଚାବାହାର-ଜାହେଦାନ ରେଳ ପ୍ରକଳ୍ପରେ ଭାଗ ନେବାକୁ ଆଗ୍ରହ ଦେଖାଇଛି । JCPOAକୁ ପୁଣି ଥରେ କାର୍ଯ୍ୟକ୍ଷମ କରି ଯଦି ଇରାନ ରାଷ୍ଟ୍ରପତି ନିଜ ଦେଶକୁ ବିଚ୍ଛିନ୍ନତାବାଦୀରୁ ମୁକ୍ତ କରି ପାରିବ ତେବେ ଇରାନରୁ ଅଶୋଧିତ ତୈଳ ଭାରତରୁ ରପ୍ତାନୀ ହୋଇପାରେ । ସୂଚନାଯୋଗ୍ୟ ଯେ ଇରାନ ଉପରେ ପାଶ୍ଚାତ୍ୟ କଟକଣା ପୂର୍ବରୁ ଏହା ଭାରତ ପାଇଁ ଏକ ପ୍ରମୁଖ ତଥା ସର୍ବ ବୃହତ ଅଶୋଧିତ ତୈଳ ଉତ୍ସ ହୋଇଆସୁଥିଲା । ଇରାନ ସହ ସମ୍ପର୍କ ସୁଦୃଢ ହେଲେ ଆଫଗାନସ୍ତାନ ଓ ମଧ୍ୟ ଏସୀୟ ଦେଶଗୁଡିକ ସହ ବାଣିଜ୍ୟିକ ସମ୍ପର୍କ ସୁଦୃଢ ହେବ । ଇରାନ-ପାକିସ୍ତାନ-ଇଣ୍ଡିଆ ପ୍ରାକୃତିକ ଗ୍ୟାସ ପାଇପ ଲାଇନ ପ୍ରକଳ୍ପକୁ ପୁନଃରୁଦ୍ଧାର କରିବାକୁ ଆମକୁ ସୁଯୋଗ ପ୍ରଦାନ କରିବ । ଏହାଦ୍ୱାରା ଆମ ଶକ୍ତି ସମସ୍ୟା ଦୂର ହୋଇପାରିବ ।
ପରିଶେଷରେ ଆମେ ଏହା କହିପାରିବା ଯେ, ଏହା ସମସ୍ତଙ୍କ ଉପରେ ନିର୍ଭର କରେ ଯେ ଇରାନର ନୂତନ ପ୍ରଶାସନ ପାଶ୍ଚାତ୍ୟ ଦେଶକୁ କେତେ ଦୂର ସ୍ୱୀକାର କରିବାକୁ ଇଚ୍ଛୁକ ଏବଂ ଇରାନ ଦ୍ୱାରା ହୋଇଥିବା ଅପମାନ ଉପରେ ପରବର୍ତ୍ତୀ ପ୍ରତିକ୍ରିୟା କିପରି ହେବ। ସାଉଦି ଆରବ ରାଜ୍ୟର ଏହାର ନୂତନ ବନ୍ଧୁ ଇରାନ ଏବଂ ପୁରୁଣା ସହଯୋଗୀ ଆମେରିକା ମଧ୍ୟରେ ବୁଝାମଣା ପାଇଁ ମଧ୍ୟସ୍ଥି ସାଜିବାର ଆବଶ୍ୟକ ରହିଛି ।