ପ୍ରତ୍ୟେକ ଓଡ଼ିଆ ଘରେ ସକାଳୁ ଭାତ ରନ୍ଧା ହୁଏ । ଭାତ ବସାଇବା ପୂର୍ବରୁ ଚାଉଳକୁ ଭଲ ଭାବେ ଧୁଆଯାଏ ଏବଂ ଏହି ଧୁଆ ପାଣିକୁ ପିଙ୍ଗି ଦିଆଯାଏ । କ'ଣ ଆପଣ ବି ଚାଉଳ ଧୋଇ ପାଣି ଫିଙ୍ଗି ଦେଉଛନ୍ତି ? ହୁଏତ ଆପଣ ଜାଣିନାହାନ୍ତି ଏହି ଚାଉଳ ପାଣି ଆମର ତ୍ବଚା ଓ ସ୍ବାସ୍ଥ୍ୟ ପାଇଁ କେତେ ଲାଭଦାୟକ । ଚାଉଳ ପାଣିରେ ଆଣ୍ଟି-ଅକ୍ସିଡାଣ୍ଟ ଓ ଆଣ୍ଟି-ଏଜିଂ ଗୁଣ ଭରପୂର ଥାଏ । ଏହା ଚେହେରାରେ ବୟସାଧିକ ଜନିତ ଲକ୍ଷଣ କମ୍ କରେ । ଦାଗ, ବ୍ରଣ କମାଇଥାଏ । ମୁହଁରୁ ଅତ୍ୟଧିକ ତୈଳ ଅବଶୋଷଣ କରିବା ସହ ସନବର୍ନ ସମସ୍ୟା ଦୂର କରିବାରେ ସାହାଯ୍ୟ କରେ । ଶୀତ ଦିନିଆ ସ୍କିନକେୟାରରେ ଏହି ଚାଉଳ ପାଣି ବ୍ୟବହାର କରାଯାଇପାରିବ । ଏହା ତ୍ବଚାକୁ କୋମଳ, ମୁଲାୟମ ତଥା ଚମକଦାର କରିଥାଏ । ଏହାସହିତ ବିଭିନ୍ନ ଚର୍ମ ଜନିତ ସମସ୍ୟାରୁ ମଧ୍ୟ ମୁକ୍ତି ଦେଇଥାଏ। ଏହି ଖବରରେ ଜାଣନ୍ତୁ ତ୍ବଚାରେ ଚାଉଳ ପାଣି ଲଗାଇଲେ ଆଉ କ'ଣ ଫାଇଦା ମିଳିଥାଏ ।
ଚାଉଳ ଧୁଆ ପାଣିରେ ମିଳେ ଏହି ପୋଷକ ତତ୍ତ୍ବ:
ଭିଟାମିନ ବି: ଏହି ଭିଟାମିନ ତ୍ବଚାକୁ ସୁସ୍ଥ ରଖିବାରେ ସାହାଯ୍ୟ କରେ । ସ୍କିନ ସେଲ୍ସ ଡ୍ୟାମେଜ ରୋକିଥାଏ ।
ଆଣ୍ଟି-ଅକ୍ସିଡାଣ୍ଟ: ଫ୍ରି ରାଡିକାଲ୍ସ ଜନିତ କ୍ଷତିକୁ ଆଣ୍ଟି-ଅକ୍ସିଡାଣ୍ଟ ରୋକିପାରେ । ନଚେତ୍ ଏହି ରାଡିକାଲ୍ସ ତ୍ବଚାକୁ କ୍ଷତି ପହଞ୍ଚାଇଥାଏ ।
ଏମିନୋ ଏସିଡ: ଏମିନୋ ଏସିଡ୍ ତ୍ବଚାକୁ ସୁସ୍ଥ ଓ ମଜଭୁତ ବନାଇଥାଏ ଏବଂ କୋଲେଜନ ଉତ୍ପାଦନ ବୃଦ୍ଧି କରିଥାଏ ।
ମିନେରାଲ: ଚାଉଳ ଧୁଆ ପାଣିରେ ଜିଙ୍କ, ମ୍ୟାଗ୍ନେସିୟମ ଓ ପୋଟାସିୟମ ଭଳି ଜରୁରୀ ଖଣିଜ ପଦାର୍ଥ ମିଳିଥାଏ । ଏହା ତ୍ବଚାକୁ ସୁସ୍ଥ ରଖିବାରେ ସାହାଯ୍ୟ କରେ ।
ତ୍ବଚା ପାଇଁ ଚାଉଳ ଧୁଆ ପାଣି ଫାଇଦା:
ଚାଉଳ ଧୁଆ ପାଣିରେ ଥିବା ଆଣ୍ଟି-ଅକ୍ସିଡାଣ୍ଟ ତ୍ବଚାରେ ଚମକ ପ୍ରଦାନ କରିଥାଏ । ପିଗ୍ମେଣ୍ଟସନ କମ୍ କରି ତ୍ବଚାର ରଙ୍ଗ ଉଜ୍ଜ୍ବଳ କରିଥାଏ । ଦାଗ ବ୍ରଣ ଦୂର କରିବାରେ ମଧ୍ୟ ସାହାଯ୍ୟ କରେ ।