ବଞ୍ଚିବା ପାଇଁ ଶରୀରକୁ ଖାଦ୍ୟ ଯେତିକି ଜରୁରୀ, ପାଣି ବି ସେତିକି ଜରୁରୀ । ମଣିଷ ଶରୀରରେ 50ରୁ 70 ପ୍ରତିଶତ କେବଳ ପାଣି ଥାଏ । ସାଧାରଣତଃ ଶୀତ ଦିନେ ଲୋକମାନେ କମ୍ ପାଣି ପିଇଥାନ୍ତି । ଥଣ୍ଡା ପବନ ଯୋଗୁଁ ବେଶୀ ଶୋଷ ଲାଗେ ନାହିଁ । ଅନେକ ଲୋକ ଭାବନ୍ତି କେବଳ ଖରା ଦିନେ ଶରୀରରେ ଜଳ ଅଭାବ ବା ଡିହାଇଡ୍ରେସନ ହୋଇଥାଏ । ଏହା ସମ୍ପୂର୍ଣ୍ଣ ଭୁଲ୍ । ଖରା ହେଉ କି ଶୀତ ଋତୁ, ପ୍ରତିଦିନ ପର୍ଯ୍ୟାପ୍ତ ପରିମାଣରେ ପାଣି କିମ୍ବା ତରଳ ପଦାର୍ଥ ସେବନ କରିବା ନିହାତି ଆବଶ୍ୟକ । ଯେକୌଣସି ଋତୁରେ ଶରୀରରେ ଜଳାଭାବ ଦେଖାଦେଇପାରେ । ଯେଉଁଥିପାଇଁ ବିଭିନ୍ନ ପ୍ରକାର ସ୍ବାସ୍ଥ୍ୟ ସମସ୍ୟା ସୃଷ୍ଟି ହୋଇଥାଏ । ଡାକ୍ତରଙ୍କ କହିବା କଥା, ଥଣ୍ଡା ଦିନେ ଆମେ ଖାଦ୍ୟ ଖାଇବା ଅପେକ୍ଷା ପ୍ରଚୁର ମାତ୍ରାରେ ପାଣି ପିଇବା ଉପରେ ଧ୍ୟାନ ଦେବା ଆବଶ୍ୟକ ।
ଶୀତ ଦିନେ ଜଣେ ବ୍ୟକ୍ତି କେତେ ପାଣି ପିଇବେ ?
ଶୀତ ଦିନେ ସକାଳଠୁ ରାତି ପର୍ଯ୍ୟନ୍ତ ପର୍ଯ୍ୟାପ୍ତ ପରିମାଣର ପାଣି ପିଇବା ଅଭ୍ୟାସ କରନ୍ତୁ । ଏହି ଦିନରେ ଯଦିଓ ବେଶି ଶୋଷ ଲାଗେ ନାହିଁ ତଥାପି ଦିନକୁ ଅତିକମରେ 8ରୁ 10 ଗ୍ଲାସ ପାଣି ପିଅନ୍ତୁ । ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁସାରେ, ଶାରିରୀକ ଭାବେ ସକ୍ରିୟ ଥିବା ପୁରୁଷମାନେ ଦିନକୁ 10ରୁ 14 ଗ୍ଲାସ ପାଣିପିଇବା ଉଚିତ୍ । ମହିଳାମାନେ 8ରୁ 12 ଗ୍ଲାସ ପିଅନ୍ତୁ । ଆପଣ ପାଣି ବଦଳରେ ଜୁସ୍, କ୍ଷୀର ଓ ନଡିଆ ପାଣି ପିଇପାରିବେ । ଏହା ଶରୀରରେ ଜଳାଭାବ ଦୂର କରି ହାଇଡ୍ରେଟ ରଖିବାରେ ସାହାଯ୍ୟ କରେ ।
ନ୍ୟାସନାଲ ଲାଇବ୍ରେରୀ ଅଫ ମେଡିସିନ ଆଣ୍ଡ ସେଣ୍ଟର ଫର ଡିଜିଜ୍ କଣ୍ଟ୍ରୋଲ ଆଣ୍ଡ ପ୍ରିଭେନ୍ସନ ୱେବସାଇଟରେ ପ୍ରକାଶିତ ରିପୋର୍ଟ ଅନୁସାରେ, ଶୀତ ଦିନେ କମ୍ ପାଣି ପିଇଲେ ହୋଇପାରେ ଏହି ସମସ୍ୟା:
ମୋଟାପା ସମସ୍ୟା
କମ୍ ପାଣି ପିଇବା ଦ୍ବାରା ମୋଟାପା ଆଶଙ୍କା ରହିଥାଏ । ଗୋଟିଏ ଦିନରେ ଆମେ କେତେ ଖାଦ୍ୟ ଖାଉ ତା' ଉପରେ ନିର୍ଭର କରି ଶରୀର ପାଇଁ ଆବଶ୍ୟକ ପାଣି ପିଇବା ଉଚିତ୍ । ନହେଲେ ଖାଦ୍ୟ ଭଲରେ ହଜମ ହୋଇପାରେ ନାହିଁ । ଏହା ଓଜନ ବୃଦ୍ଧିର କାରଣ ହୁଏ ।
ମୁଖ ଦୁର୍ଗନ୍ଧ:
କମ୍ ମାତ୍ରାରେ ପାଣି ପିଇଲେ ଗଳା ଓ ପାଟି ଶୁଖିଯାଏ । ଏହାଯୋଗୁଁ ପାଟିରେ ବ୍ୟାକ୍ଟେରିଆ ଜମା ହୋଇ ମୁଖ ଦୁର୍ଗନ୍ଧ ହୋଇଥାଏ । ସେହିପରି ଶରୀରରେ ଜଳ ଅଭାବ ହେଲେ ଝାଳ ବୋହିବା ଓ ପରିସ୍ରା କମ୍ ହୋଇଥାଏ । ଫଳରେ ଶରୀରରୁ ବିଷାକ୍ତ ପଦାର୍ଥ ବାହାରିପାରେ ନାହିଁ ଏବଂ ବିଭିନ୍ନ ପ୍ରକାର ସ୍ବାସ୍ଥ୍ୟ ସମସ୍ୟା ସୃଷ୍ଟି ହୋଇଥାଏ ।