ହାଇଦ୍ରାବାଦ: ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ହେଉଛି ଗଣମାଧ୍ୟମ । ଏଥିରୁ ବୁଝିବା ଉଚିତ ଯେ, ଗଣମାଧ୍ୟମ କେତେ ଗୁରୁତ୍ବପୂର୍ଣ୍ଣ । ପ୍ରଗତିଶୀଳ ବିଶ୍ବର ସାମାଜିକ, ସାଂସ୍କୃତିକ, ରାଜନୈତିକ, ଅର୍ଥନୈତିକ ତଥା ବୈଜ୍ଞାନିକ ସ୍ଥିତି ସମ୍ପର୍କରେ ଜ୍ଞାତ ପାଇଁ ଗଣମାଧ୍ୟମ ହିଁ ସର୍ବଶ୍ରେଷ୍ଠ । କିନ୍ତୁ ସାମ୍ବାଦିକତା ଏକ ବିପଦପୂର୍ଣ୍ଣ ବୃତ୍ତି ବୋଲି ବିବେଚନା କରାଯାଇଥାଏ । ସାରା ବିଶ୍ବରେ ପ୍ରତିଦିନ ସାମ୍ବାଦିକଙ୍କ ଉପରେ ଆକ୍ରମଣ ହେଉଥିବା ଖବର ସାମ୍ନାକୁ ଆସୁଛି ।
ବାକ୍ ସ୍ବାଧିନତା ଅଧିକାରର ରକ୍ଷା ଏବଂ ସମ୍ମାନ ସରକାରଙ୍କ କର୍ତ୍ତବ୍ୟ । ଏହାକୁ ଆଧାର କରି ପ୍ରତିବର୍ଷ ମେ 3 ତାରିଖରେ ପାଳିତ ହୁଏ ବିଶ୍ବ ପ୍ରେସ ସ୍ବାଧୀନତା ଦିବସ । ଏହି ଦିନର ଉଦ୍ଦେଶ୍ୟ ହେଉଛି ଗଣମାଧ୍ୟମର ସ୍ୱାଧୀନତାର ନୀତି ପାଳନ କରିବା, ଗଣମାଧ୍ୟମର ମୂଲ୍ୟାଙ୍କନ କରିବା ଏବଂ ଆକ୍ରମଣରୁ ରକ୍ଷା କରିବା ଏବଂ କାର୍ଯ୍ୟ କରିବା ସମୟରେ ଜୀବନ ହରାଇଥିବା ସାମ୍ବାଦିକମାନଙ୍କୁ ମଧ୍ୟ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା। ସତ୍ୟତାର ପରିବେଷଣ ବେଳେ ହିଂସା, ବର୍ବରୋଚିତ କାଣ୍ଡରେ ନିଷ୍ପେଷିତର ଶିକାର ହେବାକୁ ପଡୁଛି । ବାରମ୍ବାର ଚତୁର୍ଥସ୍ତମ୍ଭର ସ୍ବାଧୀନତା ଉପରେ ଆକ୍ରମଣ ହେଉଛି । ଗଣମାଧ୍ୟମ ଓ ସାମ୍ବାଦିକଙ୍କ ସୁରକ୍ଷାକୁ ନେଇ ଅନେକ ନିୟମ ପ୍ରଣୟନ ହୋଇଥିଲେ ମଧ୍ୟ ଆଜି ମଧ୍ୟ ଆକ୍ରମଣର ଶୀକାର ହେଉଛନ୍ତି ସାମ୍ବାଦିକ ।
ବିଶ୍ବ ପ୍ରେସ ସ୍ବାଧୀନତା ଦିବସର ଥିମ:ପ୍ରତିବର୍ଷ ଏକ ଥିମ୍କୁ ନେଇ ବିଶ୍ବ ପ୍ରେସ ସ୍ବାଧୀନତା ଦିବସ ପାଳନ କରାଯାଇଥାଏ । ଚଳିତ ବର୍ଷର ଥିମ ରହିଛି ଗ୍ରହ ପାଇଁ ପ୍ରେସ(A Press for the Planet): ପରିବେଶ ସଙ୍କଟ ସାମ୍ନାରେ ସାମ୍ବାଦିକତା ।