ଚଣ୍ଡିଗଡ଼:ଆମେରିକାରୁ ଫେରିଛନ୍ତି 104 ପ୍ରବାସୀ ଭାରତୀୟ । ଆମେରିକୀୟ ଯୁଦ୍ଧ ବିମାନ C-17 ଯୁଦ୍ଧବିମାନ ଗତକାଲି 104 ପ୍ରବାସୀ ଭାରତୀୟଙ୍କୁ ନେଇ ଅମୃତସରରେ ପହଞ୍ଚିଥିଲା। ଏହାରି ଭିତରେ ନିଜର ଅନୁଭୂତି ବଖାଣିଛନ୍ତି କିଛି ନିର୍ବାସିତ ଭାରତୀୟ । ସେମାନଙ୍କ ମଧ୍ୟରେ ଯଶପାଲ ସିଂ ନାମକ ଜଣେ ବ୍ୟକ୍ତି ରହିଛନ୍ତି । ଯିଏକି ପଞ୍ଜାବ ଗୁରୁଦାସପୁର ଜିଲ୍ଲା ହରଦୋରୱାଲ ଗାଁର ମୂଳବାସିନ୍ଦା । ସେ କହିଛନ୍ତି, "ଜାନୁଆରୀ 24 ତାରିଖରେ ମୋତେ ଆମେରିକା ସୀମାରୁ ପାଟ୍ରୋଲିଂ ବେଳେ ଗିରଫ କରାଯାଇଥିଲା ।" ଡଙ୍କି ରୁଟ୍ ଦେଇ ଯାତ୍ରା କରିବାବେଳେ କିପରି ମୃତ୍ୟୁକୁ ନିକଟରୁ ଦେଖିଥିଲେ ସେ ବିଷୟରେ ମଧ୍ୟ କହିଛନ୍ତି ଯଶପାଲ ।
'ଠକିଦେଲେ ଟ୍ରାଭେଲ ଏଜେଣ୍ଟ'
ବୁଧବାର ରାତିରେ ନିଜ ଘରେ ପହଞ୍ଚିବା ପରେ ଯଶପାଲ କହିଛନ୍ତି ଯେ, ଜଣେ ଟ୍ରାଭେଲ ଏଜେଣ୍ଟଙ୍କ ଦ୍ବାରା ସେ ଠକେଇର ଶିକାର ହୋଇଛନ୍ତି । ତାଙ୍କୁ ପ୍ରତିଶ୍ରୁତି ଦିଆଯାଇଥିଲା ଯେ ତାଙ୍କୁ ଆଇନଗତ ଉପାୟରେ ଆମେରିକା ପଠାଯିବ । ହେଲେ ସେପରି ହୋଇନଥିଲା । ଏନେଇ ଯଶପାଲ କହିଛନ୍ତି,"ମୁଁ ଏଜେଣ୍ଟଙ୍କୁ ଏକ ଉପଯୁକ୍ତ ଭିସା ମାଧ୍ୟମରେ ପଠାଇବାକୁ କହିଥିଲି । ଏହି ଚୁକ୍ତି 30 ଲକ୍ଷ ଟଙ୍କାରେ ହୋଇଥିଲା । କିନ୍ତୁ ସେ ମୋତେ ଠକି ଦେଇଥିଲେ ।
ସବୁ ସ୍ବପ୍ନ ଭାଙ୍ଗି ଗଲା:
ଯଶପାଲ ଆହୁରି କହିଛନ୍ତି, "ଗତବର୍ଷ ଜୁଲାଇରେ ବିମାନ ଯୋଗେ ବ୍ରାଜିଲ ପହଞ୍ଚିଥିଲି। ମୋତେ ପ୍ରତିଶ୍ରୁତି ଦିଆଯାଇଥିଲା ପରବର୍ତ୍ତୀ ପର୍ଯ୍ୟାୟ ମଧ୍ୟ ବିମାନ ଯୋଗେ ହେବ। ତଥାପି, ଏଜେଣ୍ଟ ପ୍ରତାରଣା କରିଥିଲେ, ସେହି ଏଜେଣ୍ଟ ବେଆଇନ ଭାବରେ ସୀମା ପାର କରିବାକୁ ବାଧ୍ୟ କରିଥିଲେ ।" ଯଶପାଲଙ୍କ କହିବା ଅନୁସାରେ ବ୍ରାଜିଲରେ ଛଅ ମାସ ରହିବା ପରେ ସେ ଆମେରିକା ସୀମା ପାର କରିଥିଲେ । କିନ୍ତୁ ଆମେରିକା ସୀମାରୁ ତାଙ୍କୁ ଗିରଫ କରାଯାଇଥିଲା। "11 ଦିନ ଅଟକ ରଖାଯିବା ପରେ ଘରକୁ ଫେରାଇ ଦିଆଯାଇଥିଲା । ଭାରତକୁ ନିର୍ବାସନ କରାଯାଉଛି ବୋଲି ଆମେ ଜାଣି ନଥିଲୁ। ଆମେ ଭାବିଥିଲୁ ଯେ ଆମକୁ ଅନ୍ୟ ଏକ ଶିବିରକୁ ନିଆଯାଉଛି । ପରେ ଜଣେ ପୋଲିସ ଅଧିକାରୀ ଆମକୁ କହିଲେ ଯେ ଭାରତ ନିଆଯାଉଛି" ବୋଲି କହିଛନ୍ତି ଯଶପାଲ । ନିର୍ବାସନକୁ ନେଇ ସେ କହିଛନ୍ତି, "ଏଗୁଡ଼ିକ ସରକାରଙ୍କର ପ୍ରସଙ୍ଗ। ଯେତେବେଳେ ଆମେ କାମ ପାଇଁ ବିଦେଶକୁ ଯାଉ, ଆମ ପରିବାର ପ୍ରତିପୋଷଣ ଓ ଉତ୍ତମ ଭବିଷ୍ୟତ ପାଇଁ ବଡ଼ ସ୍ୱପ୍ନ ଥାଏ । ସେଗୁଡ଼ିକ ବର୍ତ୍ତମାନ ଭାଙ୍ଗି ଯାଇଛି।" ଯଶପାଲ ସିଂହ କହିଛନ୍ତି ଯେ, ତାଙ୍କ ଟ୍ରାଭେଲ ଏଜେଣ୍ଟ ପ୍ରତିଶ୍ରୁତି ଦେଇଥିଲେ ପ୍ରଥମେ ୟୁରୋପ ଏବଂ ତା'ପରେ ମେକ୍ସିକୋ ନିଆଯିବ । ଆମେରିକା ଯାତ୍ରାରେ 42 ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି । ହେଲେ କେତେବେଳେ ଆମେ ଭାତ, ବିସ୍କୁଟ ପାଉଥିଲୁ ତ ଆଉ କେତେବେଳେ ଖାଇବାକୁ କିଛି ପାଉ ନଥିଲୁ ।