ହାଇଦ୍ରାବାଦ:କିଛି ଦିନର ବ୍ୟବଧାନ ମଧ୍ୟରେ ପୁଣିଥରେ ପାଲେଷ୍ଟାଇନ ଅଧିକୃତ ଅଞ୍ଚଳରେ ସାମରିକ ଅପରେସନକୁ ଜୋରଦାର କରିଛି ଇସ୍ରାଏଲ ସେନା (ଆଇଡିଏଫ) । ଗାଜାରେ ପ୍ରଚଣ୍ଡ ଆକ୍ରମଣ ପରେ ଏବେ ପାଲେଷ୍ଟାଇନ ଅଧିକୃତ ଓ୍ବେଷ୍ଟବ୍ୟାଙ୍କରେ ମଧ୍ୟ ଆକ୍ରମଣ ଜାରି ରଖିଛି ଇସ୍ରାଏଲ । ଗତକାଲି (ଶନିବାର) ଓ୍ବେଷ୍ଟବ୍ୟାଙ୍କର ଏକ ଶରଣାର୍ଥୀ କ୍ୟାମ୍ପରେ ଇସ୍ରାଏଲ ଫୋର୍ସ ଆକ୍ରମଣ କରିବା ଫଳରେ 14ଜଣ ଶରଣାର୍ଥୀଙ୍କର ମୃତ୍ୟୁ ହୋଇଛି । ଏକାଧିକ ଆହତ ହୋଇଥିବା ପାଲେଷ୍ଟାଇନ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ।
ପାଲେଷ୍ଟାଇନ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଜାରି କରାଯାଇଥବା ବୁଲେଟିନରେ କୁହାଯାଇଛି, ଗତକାଲି ଇସ୍ରାଏଲ ସେନା ଓ୍ବେଷ୍ଟବ୍ୟାଙ୍କର ତୁଲକାରମ ସହରର ଉତ୍ତରରେ ଥିବା ଏକ ଶରଣାର୍ଥୀ ଶିବିରରେ ଅତର୍କିତ ଆକ୍ରମଣ କରିଛି । ଏହି ଏରିଆରେ ଇସ୍ରାଏଲ ଡିଫେନ୍ସ ଫୋର୍ସ ଗତ ତିନିଦିନ ଧରି କ୍ରମାଗତ ଆକ୍ରମଣ ଜାରି ରଖିଛି । ଗତକାଲି ହୋଇଥିବା ଆକ୍ରମଣରେ ପ୍ରାୟ 14ଜଣ ସାଧାରଣ ନାଗରିକ ପ୍ରାଣ ହରାଇଛନ୍ତି । ଘଟଣାସ୍ଥଳରେ ଉଦ୍ଧାର ଅପରେସନ କରାଯାଇଥିଲା । ସମସ୍ତ ମୃତଦେହକୁ ଶିବିରରୁ ନିଆଯାଇ ହସ୍ପିଟାଲରେ ରଖାଯାଇଛି । ଏହି ଶିବିରରେ ଯୁଦ୍ଧ ପ୍ରଭାବିତମାନେ ଶରଣରେ ଥିଲେ ବୋଲି ପାଲେଷ୍ଟାଇନ କର୍ତ୍ତୃପକ୍ଷ କହିଛନ୍ତି ।
ଗତବର୍ଷ (2023) ଅକ୍ଟୋବର 7ତାରିଖରେ ‘ହମାସ’ ଆତଙ୍କବାଦୀ ଗୋଷ୍ଠୀ ଇସ୍ରାଏଲ ଉପରେ ଆକ୍ରମଣ କରିବା ପରେ ଇସ୍ରାଏଲ ସେନା ସ୍ବତନ୍ତ୍ର ସାମରିକ ଅପରେସନ ଆରମ୍ଭ କରିଥିଲା । ଆତଙ୍କୀ ଗୋଷ୍ଠୀ ‘ହମାସ’ ନିୟନ୍ତ୍ରଣରେ ଥିବା ଗାଜା ପଟ୍ଟିରେ ଇସ୍ରାଏଲ ପ୍ରଚଣ୍ଡ ଆକ୍ରମଣ କରି ଏହାକୁ ଧ୍ବଂସସ୍ତୂପରେ ପରିଣତ କରିସାରିଛି । ଏବେ ଉତ୍ତର-ଗାଜା ପୂରା ନଷ୍ଟ ହୋଇସାରିଥିବା ବେଳେ ଦକ୍ଷିଣ ଗାଜା ଏବେ ଶରଣାର୍ଥୀ ଶିବିରରେ ପରିଣତ ହୋଇଛି । ହେଲେ ଜାତିସଂଘ ସମେତ ଏକାଧିକ ଦେଶର ଚେତାବନୀ ସତ୍ତ୍ବେ ମଧ୍ୟ ଇସ୍ରାଏଲ ସାମରିକ ଅପରେସନ ବନ୍ଦ କରିବ ନାହିଁ ବୋଲି ସ୍ପଷ୍ଟ କରିସାରିଛି । ପ୍ରଥମେ ଇସ୍ରାଏଲ ବାୟୁସେନାର ଏୟାରଷ୍ଟ୍ରାଇକ ଓ ପରେ ଗ୍ରାଉଣ୍ଡ ଅପରେସନରେ ଏକାଧିକ ପ୍ରମୁଖ ହମାସ କମାଣ୍ଡରଙ୍କୁ ନିପାତ କରିସାରିଲାଣି ଇସ୍ରାଏଲ ।