ହାଇଦ୍ରାବାଦ:ଆଜି ଭୋଟ୍ ଦେବ ବ୍ରିଟେନ । ଜାତୀୟ ନିର୍ବାଚନ ପାଇଁ ବ୍ରିଟେନରେ ଆଜି ସଂଧ୍ୟାରେ ମତଦାନ ହେବାକୁ ଯାଉଛି । ନିର୍ଦ୍ଧାରିତ ସମୟ ସଂଧ୍ୟା 7ଟାରୁ 10ଟା ମଧ୍ୟରେ ବ୍ରିଟେନବାସୀ ସେମାନଙ୍କର ମତାଧିକାର ସାବ୍ୟସ୍ତ କରିବେ । ବ୍ରିଟିଶ ସର୍ବୋଚ୍ଚ ବ୍ଯବସ୍ଥାପିକା (ସଂସଦ)ର ନିମ୍ନସଦନ ‘ହାଉସ ଅଫ କମନ’ ବା ‘ସାଧାରଣ ସଭା’ର 650 ଆସନ ପାଇଁ ଭୋଟ ପଡିବ । ଶାସନରେ ଥିବା ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କ ‘କଞ୍ଜରଭେଟିଭ ପାର୍ଟି’ ଓ ବିରୋଧୀ ‘ଲେବର ପାର୍ଟି’ ମଧ୍ୟରେ ଲଢେଇ ହେଉଛି । ମାତ୍ର ସ୍ଥାନୀୟ ଗଣମାଧ୍ୟମର ପୂର୍ବାନୁମାନ ଅନୁସାରେ, ଦୀର୍ଘ 14ବର୍ଷ ପରେ ଏଥର ବ୍ରିଟେନ କ୍ଷମତା ପରିବର୍ତ୍ତନ ଦେଖିପାରେ । ସୁନକଙ୍କ ‘କଞ୍ଜରଭେଟିଭ୍ ପାର୍ଟି’ କ୍ଷମତାଚ୍ୟୁତ ହେବା ସହ ‘ଲେବର ପାର୍ଟି’ ସଂଖ୍ୟା ଗରିଷ୍ଠତା ହାତେଇବା ନେଇ ପୂର୍ବାନୁମାନ ପ୍ରକାଶ ପାଇଛି । ଅନୁମାନ ସତ୍ୟ ପ୍ରମାଣିତ ହେଲେ ବ୍ରିଟେନ ବାମପନ୍ଥୀ ବିଚାରଧାରା ସରକାର ସହ କେଇର ଷ୍ଟାରମରଙ୍କୁ ନୂଆ ପ୍ରଧାନମନ୍ତ୍ରୀ ଭାବେ ପାଇପାରେ ।
ସାଢ଼େ 4 ହଜାର ପ୍ରାର୍ଥୀଙ୍କୁ 40 ହଜାର ବୁଥ:-
ଶାସକ ଓ ବିରୋଧୀଦୁଇ ମୁଖ୍ୟ ଦଳ ବ୍ୟତୀତ ବ୍ରିଟେନରେ ଚଳିତଥର ପ୍ରାୟ 98 ଦଳ ଜାତୀୟ ନିର୍ବାଚନରେ ପ୍ରାର୍ଥୀ ଲଢାଇଛନ୍ତି । ମୈଦାନରେ ମୋଟ 4,515 ପ୍ରାର୍ଥୀ ଥିବା ବେଳେ ସେମାନଙ୍କ ମଧ୍ୟରେ 30 ପ୍ରତିଶତ ମହିଳା ରହିଛନ୍ତି । ସେହିପରି 459 ସ୍ବାଧୀନ ପ୍ରାର୍ଥୀ ମଧ୍ୟ ରହିଛନ୍ତି । 40 ହଜାର ମତଦାନ କେନ୍ଦ୍ରରେ 46 ମିଲିୟନ ବ୍ରିଟିଶ୍ ନାଗରିକ ସେମାନଙ୍କର ମତାଧିକାର ସାବ୍ୟସ୍ତ କରିବେ । ଆଜି ମତଦାନ ଶେଷ ହେବା ପରେ ଆସନ୍ତାକାଲି (ଶୁକ୍ରବାର) ପୂର୍ବାହ୍ନରେ ଗଣତି ଓ ଫଳାଫଳ ପ୍ରକାଶ ପାଇବ । ଉଭୟ ଦଳ ବିଜୟ ନେଇ ଦମ୍ଭୋକ୍ତି ଦେଖାଇଛନ୍ତି । ମାତ୍ର ରାଜନୀତି ସମୀକ୍ଷକ ଓ ସ୍ଥାନୀୟ ଗଣମାଧ୍ୟମ ଅନୁସାରେ ‘ଲେବର ପାର୍ଟି’ ପ୍ରାୟ 4ଶହ ଆସନରେ ବିଜୟୀ ହେବାର ସମ୍ଭାବନା ରହିଛି ।
ବ୍ରିିଟିଶ ସଂସଦ ବହୁମତ:-
ମୋଟ 650 ଆସନରୁ ସରକାର ଗଠନ କରିବା ପାଇଁ 326 ଆସନର ଆବଶ୍ୟକତା ରହିଛି । ଶାସନରେ ଥିବା ଦଳ କଞ୍ଜରବେଟିଭ ପାର୍ଟି ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କୁ ପ୍ରାର୍ଥୀ କରିଥିବା ବେଳେ ପ୍ରତିପକ୍ଷ ‘ଲେବର ପାର୍ଟି’ର ନେତୃତ୍ବ ନେଉଛନ୍ତି କେଇର ଷ୍ଟାରମର । ଦୀର୍ଘ 14 ବର୍ଷ ହେବ କଞ୍ଜରଭେଟିଭ ପାର୍ଟି ବ୍ରିଟଶ ଶାସନରେ ରହିଛି । ଏହା ଏକ ଦକ୍ଷିଣପନ୍ଥୀ ବିଚାରାଧାରର ଦଳ ।
ଗତ ନିର୍ବାଚନ ଫଳାଫଳ
2019 ନିର୍ବାଚନରେ ବୋରିସ ଜନସନଙ୍କ ନେତୃତ୍ବରେ ‘ରଞ୍ଜରଭେଟିଭ ପାର୍ଟି’ 365 ଆସନ ଜିତି ଶାସନ କ୍ଷମତା ହାସଲ କରିବାରେ ସଫଳ ହୋଇଥିଲା । ‘ଲେବର ପାର୍ଟି’ 202 ଆସନ ସହ ବିରୋଧୀ ଦଳ ଭୂମିକାରେ ରହିଥିଲା । ବୋରିସ ଜନସନ ମହାରାଣୀ ଏଲିଜାବେଥଙ୍କ ଦ୍ବାରା ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଥିଲେ । ହେଲେ ପରେ ରାଜନୈତିକ ଅସ୍ଥିରତା କାରଣରୁ ସେ ଇସ୍ତଫା ଦେବାକୁ ବାଧ୍ୟ ହୋଇଥିଲେ । ଶାସକ ଦଳର ମହିଳା ସାଂସଦ ଲିଜ୍ ଟ୍ରସ ପ୍ରଧାନମନ୍ତ୍ରୀ ଭାବେ ନିଯୁକ୍ତ ହୋଇଥିଲେ । ହେଲେ ତାଙ୍କ ପଦବୀ ମଧ୍ୟ ଦୀର୍ଘସ୍ଥାୟୀ ହୋଇପାରି ନଥିଲା । ଏହା ପରେ ଶାସକ ଦଳର ଅନ୍ୟତମ ଚର୍ଚ୍ଚିତ ସାଂସଦ ତଥା ଭାରତୀୟ ବଂଶଜ ଋଷି ସୁନକ ବ୍ରିଟେନ ପ୍ରଧାନମନ୍ତ୍ରୀ ହୋଇଥିଲେ । ଏଥର ମଧ୍ୟ ତାଙ୍କ ନେତୃତ୍ବରେ ଦଳ ନିର୍ବାଚନ ଲଢୁଛି ।