କୁଏତ ସିଟି: କୁଏତର ମନଗଫ ସହରର ଭୟାବହ ଅଗ୍ନିକାଣ୍ଡ । ଏକ ବିଲଡିଂରେ ଭୀଷଣ ନିଆଁ ଲାଗିବାରୁ ପାଖାପାଖି 49 ଜଣ ଶ୍ରମିକଙ୍କ ଜୀବନ ଚାଲିଯାଇଛି । ଅନ୍ତର୍ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ, ମୃତକଙ୍କ ମଧ୍ୟରେ କେତେକ ଭାରତୀୟ କେତେକ ଭାରତୀୟ ମଧ୍ୟ ସାମିଲ ଥିବା ଆଶଙ୍କା କରାଯାଉଛି । ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର । ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ଭାରତୀୟ ଦୂତାବାସ ଆହତଙ୍କୁ ସହାୟତା କରିବା ପାଇଁ ସ୍ଥାନୀୟ ଅଧିକାରୀଙ୍କ ସହ ମିଶି ସମସ୍ତ ପ୍ରଚେଷ୍ଟା ଜାରି ରଖିଛି ।
ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ନିଜର ସୋସିଆଲ ମିଡିଆ (X) ହ୍ୟାଣ୍ଡେଲରେ ଉଲ୍ଲେଖ କରିଛନ୍ତି, "କୁଏତରେ ଘଟିଥିବା ଭୟାବହ ଅଗ୍ନିକାଣ୍ଡ ଘଟଣାକୁ ନେଇ ମୁଁ ବେଶ ମର୍ମାହତ । ଅଗ୍ନିକାଣ୍ଡରେ ୪୦ରୁ ଉର୍ଦ୍ଧ୍ବ ବ୍ୟକ୍ତିଙ୍କ ଜୀବନ ଯାଇଥିବା ଖବର ଆସିଛି । ଏହାସହ ୫୦ରୁ ଉର୍ଦ୍ଧ୍ବ ଆହତଙ୍କ ଚିକିତ୍ସା ଜାରି ରହିଛି । ଆଗକୁ କ'ଣ ସୂଚନା ଆସୁଛି ଆମେ ତାହାର ଅପେକ୍ଷାରେ ରହିଛୁ । ଭାରତୀୟ ଦୂତାବାସ ସ୍ଥିତି ଉପରେ ନଜର ରଖିଛି ।" ଏଭଳି ଏକ ଦୁଃଖଦ ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ଉଦ୍ଦେଶ୍ୟରେ ଶୋକ ପ୍ରକାଶ କରିବା ସହ ମୃତକଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି ଜୟଶଙ୍କର। ବିଜେପି ସାଂସଦ ବୈଜୟନ୍ତ ପଣ୍ଡା ମଧ୍ୟ କୁଏତରେ ପ୍ରାଣ ହରାଇଥିବା ଭାରତୀୟଙ୍କ ପାଇଁ ଶୋକ ପ୍ରକାଶ କରିବା ସହ ମୃତକଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି । ଏହାସହ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ।