ଓଡିଶା

odisha

ETV Bharat / international

ଦୁଇ ବର୍ଷ ପରେ ବି ଥମୁନି ରକ୍ତପାତ, ଋଷିଆ ଏୟାରଷ୍ଟ୍ରାଇକରେ ୟୁକ୍ରେନରେ ଆଉ ୮ ମୃତ - Russia Ukraine war

Russia Ukraine war: ବର୍ଷ ପରେ ବର୍ଷ ବିତୁଛି, ହେଲେ ୟୁକ୍ରେନ-ଋଷିଆ ଯୁଦ୍ଧରେ ଲାଗୁନି ବିରାମ । ଏହାରି ଭିତରେ ୟୁକ୍ରେନର ଦ୍ବିତୀୟ ସର୍ବବୃହତ ସହର ଉପରେ ପୁଣି ଋଷିଆ ଭୟଙ୍କର ଏୟାରଷ୍ଟ୍ରାଇକ କରିଛି । ଏଥିରେ ୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଛନ୍ତି । ଅଧିକ ପଢନ୍ତୁ

By ETV Bharat Odisha Team

Published : Apr 7, 2024, 8:05 AM IST

ଦୁଇ ବର୍ଷ ହେଲାଣି ଥମୁନି ରକ୍ତପାତ, ଋଷିଆ ଏୟାରଷ୍ଟ୍ରାଇକରେ ୟୁକ୍ରେନରେ ଆଉ ୮ ମୃତ
ଦୁଇ ବର୍ଷ ହେଲାଣି ଥମୁନି ରକ୍ତପାତ, ଋଷିଆ ଏୟାରଷ୍ଟ୍ରାଇକରେ ୟୁକ୍ରେନରେ ଆଉ ୮ ମୃତ

କିଭ୍:ଋଷିଆ ଓ ୟୁକ୍ରେନ ଯୁଦ୍ଧକୁ ୨ ବର୍ଷରୁ ଅଧିକ ସମୟ ବିତିଲାଣି, ତଥାପି ଥମୁନି ରକ୍ତପାତ । ଋଷିଆର ପ୍ରଚଣ୍ଡ ଆକ୍ରମଣରେ ୟୁକ୍ରେନ ପୁରାପୁରି ଛାରଖାର୍ ହୋଇଗଲାଣି । ଏହାରି ମଧ୍ୟରେ ଶନିବାର ଦିନ ପୁଣିଥରେ ଋଷ ୟୁକ୍ରେନର ଦ୍ବିତୀୟ ସର୍ବବୃହତ ସହର ଖାରକିଭ୍‌କୁ ଟାର୍ଗେଟ୍ କରିଛି । ଖାରକିଭ୍ ଉପରେ ଘନ ଘନ ମିସାଇଲ୍ ଓ ବୋମାମାଡ କରିଛି । ଏଥିରେ ଅତିକମରେ ୮ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୦ ଆହତ ହୋଇଛନ୍ତି । ଋଷିଆ ସେନା ଡ୍ରୋନ ଦ୍ବାରା ଏହି ଆକ୍ରମଣ କରିଥିବା ୟୁକ୍ରେନ ପୋଲିସ ଦାବି କରିଛି ।

ୟୁକ୍ରେନ ପୋଲିସ ଓ ସ୍ଥାନୀୟ ଅଧିକାରୀଙ୍କ ପକ୍ଷରୁ ଆକ୍ରମଣ ବେଳର ଦୃଶ୍ୟ ଜାରି କରାଯାଇଛି, ଯେଉଁଥିରେ ସହରର ରାସ୍ତାଘାଟ ଓ ବିଲ୍ଡିଂ ପାଖରେ ନିଆଁ ଜଳୁଥିବାର ଦେଖିବାକୁ ମିଳୁଛି । ଖାରକିଭ୍ ଗଭର୍ଣ୍ଣର ଓଲେ ସିନିଏହୁବୋଭ କହିଛନ୍ତି ଯେ, ଖାରକିଭ୍ ସହରରେ ରାତି ସାରା ମିସାଇଲ ଆକ୍ରମଣରେ ୬ ଜଣଙ୍କର ମୃତ୍ୟୁ ହୋଇଥିଲା । ପରେ ମୃତ୍ୟୁସଂଖ୍ୟା ୮କୁ ବୃଦ୍ଧି ପାଇଥିଲା । ସେହିପରି ଆକ୍ରମଣରେ ୧୦ ଜଣ ଆହତ ହୋଇଥିବାର ସ୍ଥାନୀୟ ମେୟର ସୂଚନା ଦେଇଛନ୍ତି । ସେ କହିଛନ୍ତି, ଆବାସିକ ଅଞ୍ଚଳରେ ଆକ୍ରମଣ କରାଯାଇଥିଲା । ଏଥିରେ ୯ଟି ଉଚ୍ଚ ଅଟ୍ଟାଳିକା, ୩ଟି ଛାତ୍ରାବାସ, ଗୋଟିଏ ପ୍ରଶାସନିକ ବିଲ୍ଡିଂ, ଦୋକାନ, ପେଟ୍ରୋଲ ପମ୍ପ ଏବଂ ସର୍ଭିସ ଷ୍ଟେସନ ସହ ଅନେକଗୁଡିକ କାର୍ କ୍ଷତିଗ୍ରସ୍ତ ହୋଇଛି ।

ଏହା ମଧ୍ୟ ପଢନ୍ତୁ: 'ୟୁକ୍ରେନ ଉପରେ ଋଷ ପରମାଣୁ ଆକ୍ରମଣ ରୋକିବାରେ ମୋଦିଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ'

ସେପଟେ ୟୁକ୍ରେନ ସେନା ଫେସବୁକରେ କହିଛି, ଆକ୍ରମଣର ଜବାବୀ କାର୍ଯ୍ୟାନୁଷ୍ଠାନ ପୂର୍ବକ ଏହାର ବାୟୁସେନା ପକ୍ଷରୁ ୬ଟି ଋଷିଆ ମିସାଇଲ ସହ ୩୨ରୁ ୨୮ଟି ଡ୍ରୋନକୁ ଗୁଳି କରି ଖସାଯାଇଛି । ଋଷିଆ ଏୟାରଷ୍ଟ୍ରାଇକ ପରେ ଖାରକିଭ୍, କିଭ୍ ଏବଂ ଅନ୍ୟାନ୍ୟ ଗୁରୁତ୍ବପୂର୍ଣ୍ଣ ଅଞ୍ଚଳରେ କିଛି ଘଣ୍ଟା ପାଇଁ ଏୟାର ରେଡ୍ ଆଲର୍ଟ ଜାରି ହୋଇଛି ।

ତେବେ କିଛି ସପ୍ତାହ ହେବ ଋଷିଆ ପୁଣିଥରେ ୟୁକ୍ରେନ ଉପରେ ଜୋରଦାର ଆକ୍ରମଣ କରୁଛି । ଏହାପୂର୍ବରୁ ବୁଧବାର ଦିନ ଋଷିଆର ଡ୍ରୋନ ଆକ୍ରମଣରେ ୪ ଜଣଙ୍କର ମୃତ୍ୟୁ ହେବା ସହ ଅନେକ ଆପାର୍ଟମେଣ୍ଟ ବିଲ୍ଡିଂ ନଷ୍ଟ ହୋଇଯାଇଥିଲା ।

ଏହା ମଧ୍ୟ ପଢନ୍ତୁ: ଚାକିରି ପାଇଁ ଫସିଥିଲେ, ବଳି ପଡିଲେ ଋଷ ସେନା ପାଇଁ ଲଢୁଥିବା ହାଇଦ୍ରାବାଦ ଯୁବକ

ABOUT THE AUTHOR

...view details