ହାଇଦ୍ରାବାଦ:ପାକିସ୍ତାନ ରାଜଧାନୀ ଇସଲାମାବାଦରେ ଆୟୋଜିତ 26ତମ ‘ଏସସିଓ’ ଶିଖର ସମ୍ମିଳନୀରେ ପହଞ୍ଚିଛନ୍ତି ବିଦେଶ ମନ୍ତ୍ରୀ ଏସ.ଜୟଶଙ୍କର । ତାଙ୍କୁ କାର୍ଯ୍ୟକ୍ରମକୁ ଔପଚାରିକ ଭାବେ ଆୟୋଜକ ରାଷ୍ଟ୍ରମୁଖ୍ୟ ତଥା ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହଓ୍ବାଜ ସରିଫ ସ୍ବାଗତ କରିଛନ୍ତି । ଗତକାଲି ଅପରାହ୍ନରେ ଜୟଶଙ୍କର ପାକିସ୍ତାନରେ ପହଞ୍ଚିଥିଲେ । ବିମାନ ବନ୍ଦରରେ ତାଙ୍କୁ ପାକିସ୍ତାନର ଉଚ୍ଚସ୍ତରୀୟ ପ୍ରତିନିଧି ମଣ୍ଡଳୀ ସ୍ବାଗତ କରିଥିବା ବେଳେ ମୁଖ୍ୟ କାର୍ଯ୍ୟକ୍ରମ ପୂର୍ବ-ସଂଧ୍ୟାରେ ଆୟୋଜିତ ନୈଶ୍ୟଭୋଜିରେ ସେ ପାକିସ୍ତାନ ପ୍ରଧାନମନ୍ତ୍ରୀ ସରିଫଙ୍କ ସହ ସାକ୍ଷାତ କରିଥିଲେ । ଉଭୟ କରମର୍ଦ୍ଦନ କରି ପରସ୍ପରକୁ ଅଭିବାଦନ ଜଣାଇବା ସହ ଏକ ସଂକ୍ଷିପ୍ତ ବାର୍ତ୍ତାଳାପ ମଧ୍ୟ କରିଥିଲେ ।
- କାଲି ପହଞ୍ଚିଥିଲେ ଜୟଶଙ୍କର
ଗତକାଲି (ମଙ୍ଗଳବାର) ଅପରାହ୍ନରେ ଜୟଶଙ୍କର ପାକିସ୍ତାନର ନୁର ଖାନ ଏୟାରବେସରେ ଭାରତୀୟ ବାୟୁସେନାର ଏକ ସ୍ବତନ୍ତ୍ର ବିମାନରେ ଅବତରଣ କରିଥିଲେ । ତାଙ୍କୁ ପାକିସ୍ତାନ ବିଦେଶ ବ୍ୟାପାର ମନ୍ତ୍ରଣାଳୟର ଦକ୍ଷିଣ-ଏସିଆ ବ୍ୟାପାର ମୁଖ୍ୟ ଇଲିଆସ ମେହେମ୍ମୁଦ ନିଜାମୀ ଓ ଅନ୍ୟ ଉଚ୍ଚସ୍ତରୀୟ ଅଧିକାରୀ ସ୍ବାଗତ କରିଥିଲେ । ଏହା ପରେ ସଂଧ୍ୟାରେ ଆୟୋଜିତ ନୈଶ୍ୟଭୋଜିରେ ସେ ସାମିଲ ହୋଇଥିଲେ । ପରେ ଇସଲାମାବାଦରେ ଥିବା ଭାରତୀୟ ଦୂତାବାସ କାର୍ଯ୍ୟାଳୟରେ ପହଞ୍ଚିଥିଲେ ଜୟଶଙ୍କର । ଆଜି ସକାଳେ ସେ ମୁଖ୍ୟ କାର୍ଯ୍ୟକ୍ରମ ରାଷ୍ଟ୍ରମୁଖ୍ୟ ସମ୍ମିଳନୀରେ ଅଂଶଗ୍ରହଣ କରିଛନ୍ତି ।
- ୯ ବର୍ଷ ପୂର୍ବେ ଯାଇଥିଲେ ସୁଷମା, ଏବେ ଗଲେ ଜୟଶଙ୍କର :-
ଏହି ଶିଖର ସମ୍ମିଳନୀରେ ‘ଏସସିଓ’ ରାଷ୍ଟ୍ରମୁଖ୍ୟମାନେ ଅଂଶଗ୍ରହଣ କରୁଥିବା ବେଳେ ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଂଶଗ୍ରହଣ କରିନାହାନ୍ତି । ବିଦେଶ ମନ୍ତ୍ରୀ ଏସ.ଜୟଶଙ୍କର ଭାରତ ପକ୍ଷରୁ ପ୍ରତିନିଧିତ୍ବ କରିବା ପାଇଁ ପାକିସ୍ତାନରେ ପହଞ୍ଚିଛନ୍ତି । ଦୀର୍ଘ ୯ ବର୍ଷ ବ୍ୟବଧାନରେ କୌଣସି ଭାରତୀୟ ବିଦେଶ ମନ୍ତ୍ରୀ ପାକିସ୍ତାନ ଗସ୍ତ କରିଛନ୍ତି । ଜୟଶଙ୍କରଙ୍କ ପୂର୍ବରୁ ଶେଷ ଥର ପାଇଁ ୨୦୧୫ ମସିହାରେ ତତ୍କାଳୀନ ବିଦେଶ ମନ୍ତ୍ରୀ ଭାବେ ସୁଷମା ସ୍ବରାଜ ପାକିସ୍ତାନ ଗସ୍ତ କରିଥିଲେ ।