ହାଇଦ୍ରାବାଦ: ସିରିଆ ରାଜନୈତିକ ସଙ୍କଟ ଓ କ୍ଷମତା ପରିବର୍ତ୍ତନ ଉପରେ ସାରା ବିଶ୍ବର ନଜର । ବିଦ୍ରୋହୀ ଗୋଷ୍ଠୀ ‘ହୟାତ ତହରିର ଅଲ ଶାମ’ ସିରିଆ ରାଜଧାନୀ ଡାମାସକସକୁ ଦଖଲ କରିବା ପରେ ଦେଶ ଛାଡି ପଳାଇଥିଲେ ରାଷ୍ଟ୍ରପତି ବଶର ଅଲ ଅସଦ । ଏବେ ରାଷ୍ଟ୍ରପତି କେଉଁ ଦେଶ ଗସ୍ତ କରିଛନ୍ତି ବୋଲି ଚର୍ଚ୍ଚା ଲାଗି ରହିଥିବା ବେଳେ ଅସଦ ସପରିବାର ମସ୍କୋରେ ଅବତରଣ କରିଛନ୍ତି । ଋଷ ମଧ୍ୟ ତାଙ୍କୁ ମାନବିକତା ଦୃଷ୍ଟିକୋଣରୁ ଶରଣାର୍ଥୀ ଭାବେ ଗ୍ରହଣ କରିଛି । ଏନେଇ କ୍ରେମଲିନ ପକ୍ଷରୁ ଜାତୀୟ ଗଣମାଧ୍ୟମରେ ଘୋଷଣା ମଧ୍ୟ କରାଯାଇଛି ।
- ଅସଦଙ୍କ ବିମାନ କ୍ରାସ ହୋଇଥିବା ଚର୍ଚ୍ଚା ଲାଗି ରହିଥିଲା :
ଗତକାଲି ରାଜଧାନୀ ଦମାସକସ ବିମାନ ବନ୍ଦରରୁ ଅସଦ ଓ ତାଙ୍କ ପରିବାର ସଦସ୍ୟଙ୍କୁ ନେଇ ଏକ ବିମାନ ଉଡାଣ ଭରିଥିଲା । ବିଦ୍ରୋହୀମାନେ ରାଷ୍ଟ୍ରପତି ଭବନକୁ ନିୟନ୍ତ୍ରଣକୁ ନେବାର କିଛି ଘଣ୍ଟା ପୂର୍ବରୁ ଅସଦଙ୍କ ବିମାନ ରାଜଧାନୀ ଛାଡିଥିଲା । କିଛି ସମୟର ଉଡାଣ ପରେ ତାଙ୍କ ବିମାନ କୌଣସି ରାଡାରରେ ନଜର ଆସିନଥିଲା । ବିଦ୍ରୋହୀଙ୍କ ରକେଟମାଡରେ ବିମାନଟି କ୍ରାସ ହୋଇଥିବା ମଧ୍ୟ ଚର୍ଚ୍ଚା ହୋଇଥିଲା । ମାତ୍ର ଏହାର କିଛି ଘଣ୍ଟା ପରେ ଅସଦ ସୁରକ୍ଷିତ ଥିବା ଋଷ ଅଭିମୁଖେ ଯାତ୍ରା କରିଥିବା ଅନ୍ତର୍ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହୋଇଥିଲା । ଶେଷରେ ଅସଦଙ୍କ ନିରାପଦ ଅବତରଣ ଓ ଶରଣାର୍ଥୀ ଭାବେ ତାଙ୍କୁ ସ୍ବୀକାର କରାଯାଇଥିବା ମସ୍କୋ ସ୍ପଷ୍ଟ କରିଛି ।

- ଶାନ୍ତିପୂର୍ଣ୍ଣ ଭାବେ କ୍ଷମତା ହସ୍ତାନ୍ତର କରିବାକୁ ପ୍ରସ୍ତୁତ ସିରିୟା ସରକାର
ଋଷର ନ୍ୟୁଜ୍ ଏଜେନ୍ସି ଅନୁଯାୟୀ, ଋଷ ସର୍ବଦା ସିରିଆର ସଙ୍କଟରେ ରାଜନୈତିକ ସମାଧାନ ସପକ୍ଷରେ ବିଚାର କରିଥାଏ । ମିଳିତ ଜାତିସଂଘର ହସ୍ତକ୍ଷେପ ଦ୍ବାରା ଋଷ ଶାନ୍ତି ଫେରାଇ ଆଣିବା ସପକ୍ଷରେ ଅଛି । ରିପୋର୍ଟ ଅନୁଯାୟୀ, ଋଷର ଅଧିକାରୀମାନେ ସଶସ୍ତ୍ର ସିରିଆ ବିରୋଧୀଙ୍କ ପ୍ରତିନିଧୀଙ୍କ ସହ ଯୋଗାଯୋଗରେ ଅଛନ୍ତି । ସେମାନଙ୍କର ନେତାମାନେ ସିରିଆ ଅଞ୍ଚଳରେ ଋଷର ମଲିଟାରୀ ବେସ ଏବଂ କୂଟନୈତିକ ମିଶନର ସୁରକ୍ଷା ନିଶ୍ଚିତ କରିଛନ୍ତି । ଅଶାନ୍ତ ସିରିଆକୁ ନେଇ ଚିନ୍ତାବ୍ୟକ୍ତ କରିଛି ଋଷର ବୈଦେଶୀକ ମନ୍ତ୍ରଣାଳୟ । ହିଂସା ଛାଡି ସମସ୍ତ ସମସ୍ୟାର ସମାଧାନ ପାଇଁ ଆଲୋଚନାରେ ସମସ୍ତ ଦଳକୁ ଏକାଠି ହେବାକୁ ଆହ୍ବାନ ଦେଇଛନ୍ତି । ଏହା ବ୍ୟତୀତ ମନ୍ତ୍ରଣାଳୟ କହିଛି ଯେ ବଶର ଅଲ-ଅସଦ ଇସ୍ତଫା ଦେଇଛନ୍ତି, ତେଣୁ ଶାନ୍ତିପୂର୍ଣ୍ଣ ଭାବରେ କ୍ଷମତା ହସ୍ତାନ୍ତର ପାଇଁ ସେ ନିର୍ଦ୍ଦେଶ ଦେଇ ଦେଶ ଛାଡିଛନ୍ତି ।

ଏହା ମଧ୍ୟ ପଢନ୍ତୁ-ସିରିଆ ସରକାର ପତନ: ଦେଶ ଛାଡିଲେ ରାଷ୍ଟ୍ରପତି, ଅସଦ ପରିବାରଙ୍କ ୫୦ ବର୍ଷର ଶାସନ ଅନ୍ତ !
ଏହା ମଧ୍ୟ ପଢନ୍ତୁ-ଅଶାନ୍ତ ବିଶ୍ୱ ! ସିରିଆ ଉପରେ ଆମେରିକାର ଏୟାରଷ୍ଟ୍ରାଇକ୍, "ଆତ୍ମରକ୍ଷା ପାଇଁ ଆକ୍ରମଣ"
- ବିଦ୍ରୋହୀ ଗୋଷ୍ଠୀଙ୍କ ନିୟନ୍ତ୍ରଣରେ ପ୍ରମୁଖ ସହର:
ଅସଦଙ୍କ ବିରୋଧରେ 13 ବର୍ଷ ହେଲା ବିଦ୍ରୋହ ଜାରି ରଖିଛନ୍ତି ବିଦ୍ରୋହୀ ଗୋଷ୍ଠୀ । ଗତ 11ଦିନ ହେଲା ଏହା ତୀବ୍ରତର ହୋଇଥିଲା । ଶନିବାର ସିରିଆର ବିଦ୍ରୋହୀ ଫୋର୍ସ ଚାରି ପ୍ରମୁଖ ସହର, ଦାରା, କୁନେତ୍ରା, ସୁୱେଡା ଏବଂ ହୋମ୍ସକୁ ନିଜ ଦଖଲକୁ ନେଇଥିଲେ । ଦେଶର ପ୍ରମୁଖ ସହରଗୁଡ଼ିକୁ ନିଜ ନିୟନ୍ତ୍ରଣକୁ ଆଣିବା ପରେ ସିରିଆ ବିଦ୍ରୋହୀମାନେ ରାଜଧାନୀ ଡାମାସକସକୁ ପ୍ରବେଶ କରିଥିବା ଏନେଇ ବିଦ୍ରୋହୀ ଗୋଷ୍ଠୀର ମୁଖ୍ୟ ସୂଚନା ଦେଇଥିଲେ । ଏବେ ରାଜଧାନୀ ସମେତ ସମସ୍ତ ସହର ବିଦ୍ରୋହୀଙ୍କ କବଜାରେ ରହିଛି । ଲାକ୍ଷ ଲକ୍ଷ ସାଧାରଣ ସିରିୟା ନାଗରିକ ମଧ୍ୟ ବିଦ୍ରୋହୀ ସେନାକୁ ସମର୍ଥନ କରୁଛନ୍ତି ।
- ସିରିଆ ବିଦ୍ରୋହୀ ଗୋଷ୍ଠୀ କିଏ ?
ସିରିଆର ସବୁଠାରୁ ଶକ୍ତିଶାଳୀ ବିଦ୍ରୋହୀ ଗୋଷ୍ଠୀ ହେଉଛି ‘ହାୟାତ୍ ତହରିର ଅଲ-ଶାମ (HTS) । ନଭେମ୍ବର 27 ରେ ରାଷ୍ଟ୍ରପତି ଆସାଦଙ୍କ ଶାସନ ବିରୁଦ୍ଧରେ ରଣହୁଙ୍କାର ଦେଇଥିଲେ। HTS ତୁର୍କୀ ସମର୍ଥିତ ସିରିଆ ମିଲିସିଆ ଅଧୀନରେ ଘନିଷ୍ଠ ଭାବରେ କାର୍ଯ୍ୟ କରୁଛି । ଯାହାକୁ ସିରିଆର ଜାତୀୟ ସେନା ଭାବରେ ଜଣାଶୁଣା । ଗତ 11 ଦିନ ମଧ୍ୟରେ ବିଦ୍ରୋହୀ ଗୋଷ୍ଠୀ 24 ବର୍ଷ ଧରି ଚାଲିଥିବା ଅସହ ଶାସନକୁ କଡା ଚ୍ୟାଲେଞ୍ଜ ଦେଇଛି । ଏଚଟିଏସ୍ ଅଲ-କାଏଦା ସହ ଜଡିତ ଥିବାରୁ ଏହାକୁ ଆମେରିକା ଏବଂ ମିଳିତ ଜାତିସଂଘ ଦ୍ୱାରା ଆତଙ୍କବାଦୀ ଗୋଷ୍ଠୀ ତାଲିକାଭୁକ୍ତ କରିଛି । ନିକଟ ଏହି ଗୋଷ୍ଠୀ ‘ଅଲ-କାଏଦା’ ସହ ସମ୍ପର୍କ ଶେଷ କରିଥିବା କହିଛି । ସିରିଆରେ ଅସଦ ଶାସନକୁ ଶେଷ କରିବା ଏହି ଗୋଷ୍ଠୀର ମୁଖ୍ୟ ଲକ୍ଷ୍ୟ ଥିଲା ।

- ରାଷ୍ଟ୍ରପତି ଭବନରେ ଲୁଟପାଟ:
ବଶର ଅଲ ଅସଦ ବିଦ୍ରୋହୀ ଗୋଷ୍ଠୀ ଭୟରେ ଦେଶଛାଡି ପଳାଇବା ପରେ ଦେଶରେ 54 ବର୍ଷ ଧିର ଚାଲିଥିବା ପରିବାରବାଦ ରାଜନୀତିର ଅନ୍ତ ଘଟିଛି । ଅସଦ ଦେଶ ଛାଡିବା ପରେ ରାଷ୍ଟ୍ରପତି ଭବନରେ ବିଦ୍ରୋହୀ ଓ ସାଧାରଣ ଲୋକେ ପଶି ଲୁଟପାଟ ଆରମ୍ଭ କରିଦେଇଛନ୍ତି । ସରିଆ ଲେକେ ଅସଦଙ୍କ ବ୍ୟକ୍ତିଗତ ଜିନିଷ, ଆସବାବପତ୍ର, ଅଳଙ୍କାର, ବିଳାସପୂର୍ଣ୍ଣ କାର ଏବଂ ଅନ୍ୟାନ୍ୟ ମୂଲ୍ୟବାନ ସାମଗ୍ରୀ ଲୁଟି ନେଇଛନ୍ତି । ଭାଇରାଲ ହେଉଥିବା ଫଟୋ ଏବଂ ଭିଡିଓରେ ଦେଖିବାକୁ ମିଳୁଛି ଯେ, ରାଷ୍ଟ୍ରପତି ଭବନରେ ବସି ସମସ୍ତେ ସେଲଫି ନେଉଛନ୍ତି । ପୁରା ଭବନକୁ ସମସ୍ତେ ବୁଲି ବୁଲି ଦେଖୁଛନ୍ତି । ସେଠାରେ ଦାମୀ କାରକୁ ବିଦ୍ରୋହୀ ମାନେ ନେଇଯାଇଛନ୍ତି । ଯିଏ ଯାହା ପରିଲା ଲୁଟ ପାଟ କରିନେଇଛନ୍ତି ।
- ବିଦ୍ରୋହୀଙ୍କ ନିକଟରେ ହାତ ଟେକିଦେଲେ ସିରିୟା ପ୍ରଧାନମନ୍ତ୍ରୀ
ସିରିଆ ପ୍ରଧାନମନ୍ତ୍ରୀ ମହମ୍ମଦ ଅଲ-ଜଲାଲୀ କହିଛନ୍ତି, ରାଷ୍ଟ୍ରପତି ଅସଦଙ୍କ ଶାସନ ଶେଷ ହେବା ପରେ ଶାସନ ହସ୍ତାନ୍ତର କରିବାକୁ ସେ ପ୍ରସ୍ତୁତ ଅଛନ୍ତି । କାହିଁକିନା ସିରିଆ ସେନା ପକ୍ଷରୁ ଜଣାଇ ଦିଆଯାଇଛି ଯେ, ଅସଦଙ୍କ ଯୁଗର ଅନ୍ତ ଘଟିଛି । ସାଧାରଣ ଲୋକ ଯାହାକୁ ବାଛିବେ ଆମେ ତାଙ୍କ ସହ କାମ କରିବୁ । ଏହି ଦେଶ ଏକ ସାଧାରଣ ଦେଶ ହୋଇପାରେ ଯାହା ପଡୋଶୀ ତଥା ବିଶ୍ବ ସହିତ ଭଲ ସମ୍ପର୍କ ସ୍ଥାପନ କରେ । କିନ୍ତୁ ଏହି ପ୍ରସଙ୍ଗ ସିରିଆର ଲୋକମାନଙ୍କ ଦ୍ୱାରା ବାଛିଥିବା କୌଣସି ନେତୃତ୍ୱ ଉପରେ ନିର୍ଭର କରେ । ଆମେ ସେହି ନେତୃତ୍ୱକୁ ସହଯୋଗ କରିବାକୁ ଏବଂ ସମସ୍ତ ସମ୍ଭାବ୍ୟ ସୁବିଧା ପ୍ରଦାନ କରିବାକୁ ପ୍ରସ୍ତୁତ ବୋଲି ବିବୃତ୍ତିରେ କହିଛନ୍ତି ପ୍ରଧାନମନ୍ତ୍ରୀ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ