ହାଇଦ୍ରାବାଦ: ଭୂ-ରାଜନୈତିକ ଦୃଷ୍ଟିରୁ ବେଶ ଚର୍ଚ୍ଚିତ ଥିଲା ବିଦାୟୀ ବର୍ଷ-2024 । ଏକାଧିକ ରାଷ୍ଟ୍ର ଯୁଦ୍ଧଗ୍ରସ୍ତ ହେବା ସହ ଏକାଧିକ ରାଷ୍ଟ୍ରରେ ମଧ୍ୟ କ୍ଷମତା ପରିବର୍ତ୍ତନ ଦେଖିବାକୁ ମିଳିଥିଲା । ଏହା ମଧ୍ୟରେ ସର୍ବାଧିକ ଚର୍ଚ୍ଚାରେ ଥିଲା ବିଶ୍ବର ସର୍ବ-ଶକ୍ତିଶାଳୀ ରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ନିର୍ବାଚନ । ବର୍ଷ ଶେଷ ଭାଗ (ନଭେମ୍ବର)ରେ ହୋଇଥିବା ଏହି ନିର୍ବାଚନରେ ଆମେରିକାରେ କ୍ଷମତା ପରିବର୍ତ୍ତନ ଘଟିଛି । ବିଶ୍ବର ସାମରିକ, ସ୍ଥିରତା, ଅର୍ଥନୀତି ଓ କୂଟନୈତିକ ଦୃଶ୍ୟପଟ୍ଟକୁ ପରୋକ୍ଷରେ ନିୟନ୍ତ୍ରଣ କରୁଥିବା ଆମେରିକାର ଶାସନ ପରିବର୍ତ୍ତନ ପରେ ହେବାକୁ ଥିବା ନୀତିଗତ ପରିବର୍ତ୍ତନର ପ୍ରଭାବ ବିଶ୍ବବ୍ୟାପୀ ଅନୁଭୂତ ହେବାକୁ ଥିବାରୁ ଏହି ନିର୍ବାଚନୀ ଫଳାଫଳ ଥିଲା ବେଶ ପ୍ରାସଙ୍ଗିକ ।
- ନୂଆବର୍ଷ ସହ ଟ୍ରମ୍ପ ଶାସନ :-
ଆମେରିକାରେ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ 47ତମ ରାଷ୍ଟ୍ରପତି ଭାବେ ନିର୍ବାଚନ ଜିତି ପୁଣି ଥରେ ହ୍ବାଇଟ ହାଉସକୁ ଫେରିଛନ୍ତି । ରିପବ୍ଲିକାନ ପାର୍ଟିରୁ ପ୍ରାର୍ଥୀ ହୋଇଥିବା ଟ୍ରମ୍ପ ଏଥର ଡେମୋକ୍ରାଟିକ ପାର୍ଟି ପ୍ରାର୍ଥୀ ତଥା ଉପ-ରାଷ୍ଟ୍ରପତି କମଲା ହାରିସଙ୍କୁ ପରାସ୍ତ କରି ଆମେରିକା ସର୍ବୋଚ୍ଚ ସାମ୍ବିଧାନିକ ସ୍ଥାନ ଅଧିକାର କରିଛନ୍ତି । ବର୍ଷ 2025 ଆରମ୍ଭ ସହ ଆମେରିକାରେ ଟ୍ରମ୍ପ ଶାସନ ଆରମ୍ଭ ହୋଇଯିବ । ବିଦାୟୀ ରାଷ୍ଟ୍ରପତି ବାଇଡେନ ଓ ତାଙ୍କ ଦଳଠାରୁ ଟ୍ରମ୍ପ ଓ ତାଙ୍କ ଦଳର ନୀତି ପୃଥକ ହୋଇଥିବାରୁ ପୂର୍ବ ଶାସନ କାଳରେ କାର୍ଯ୍ୟକାରୀ ହୋଇଥିବା ଏକାଧିକ ନୀତି ଓ ନିଷ୍ପତ୍ତିରେ ଟ୍ରମ୍ପ ପ୍ରଶାସନ ପରିବର୍ତ୍ତନ କରିବା ପ୍ରାୟତଃ ସ୍ପଷ୍ଟ । ତେଣୁ ଏହି ପରିବର୍ତ୍ତିତ ନୀତି ବିଶ୍ବର ବିଭିନ୍ନ ପ୍ରଗତିଶୀଳ ରାଷ୍ଟ୍ରର ଅର୍ଥନୀତିକୁ ସିଧା ପ୍ରଭାବିତ କରିବ ବୋଲି କୁହାଯାଉଛି ।
- ଭୂ-ରାଜନୈତିକ ସ୍ଥିତିରେ ସୁଦୃଢ଼ ହେଉଛି ଭାରତ
ଏକବିଂଶ ଶତାବ୍ଦୀର ତୃତୀୟ ଦଶନ୍ଧିରେ ବିଶ୍ବର ଅନ୍ୟତମ ପ୍ରମୁଖ ରାଷ୍ଟ୍ର ଭାବେ ଭାରତ ଆତ୍ମପ୍ରକାଶ କରିବାରେ ଲାଗିଛି । ବିଶ୍ବର ତୃତୀୟ ବୃହତ୍ତମ ଅର୍ଥବ୍ୟବସ୍ଥା ସହ ବିକାଶିତ ଦେଶର ସମସ୍ତ ମାପଦଣ୍ଡ ଅତିକ୍ରମ କରିବା ପାଇଁ ଭାରତ ଏକ ସ୍ପଷ୍ଟ ରୋଡ-ମ୍ୟାପ ସହ ଆଗକୁ ବଢୁଛି । ଦକ୍ଷିଣ-ଏସିଆ ଓ ଭାରତ-ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରର ଏକ ସ୍ଥିର ତଥା ଦୃଢ ରାଷ୍ଟ୍ର ଭାବେ ସାମ୍ନାକୁ ଆସୁଥିବା ଭାରତକୁ ମଧ୍ୟରେ ଟ୍ରମ୍ପ ପ୍ରଶାସନର ପରିବର୍ତ୍ତିତ ନୀତି କିଛି ମାତ୍ରାରେ ପ୍ରଭାବିତ କରିପାରେ ।
- ଭାରତ ଉପରେ ଟ୍ରମ୍ପ ଶାସନର ସମ୍ଭାବ୍ୟ ପ୍ରଭାବ
ନିର୍ବାଚନ ସମୟରେ ଟ୍ରମ୍ପ ଯେଉଁ ନାରା ଦେଇଥିଲେ, ତାହା ତାଙ୍କ ପାଇଁ ନିର୍ବାଚନୀ ସଫଳତା ପାଲଟିଥିଲା ବୋଲି ଚର୍ଚ୍ଚା ହେଉଛି । ତାହା ଥିଲା "ଆମେରିକା ପ୍ରଥମ" । ଏହାର ଅର୍ଥ ହେଉଛି ପ୍ରତ୍ୟେକ କ୍ଷେତ୍ର ବିଶେଷ ଭାବେ ବିଶ୍ବ ଅର୍ଥନୀତିରେ ଆମେରିକାର ଅଧିକାର ଓ ସ୍ବାର୍ଥକୁ ସର୍ବୋଚ୍ଚ ପ୍ରାଥମିକତା ଦେବା । ବିଶ୍ବ ବଜାରକୁ ‘ଆମେରିକୀୟ ଡଲାର’ ହିଁ ନିୟନ୍ତ୍ରଣ କରୁଛି । ତେଣୁ ଟ୍ରମ୍ପଙ୍କ ଏହି ନାରା ଆର୍ଥିକ ନିଷ୍ପତ୍ତିରେ ପରିବର୍ତ୍ତନ ହୋଇପାରେ । ଫଳରେ ଆମେରିକାର ପୁଞ୍ଜି ନିବେଶ ପାଇଁ ଲକ୍ଷ୍ୟ ଧାର୍ଯ୍ୟ ଶୁଳ୍କକୁ ବୃଦ୍ଧି କରିବ ବୋଲି ଆଶା କରାଯାଉଛି । ଯାହା ଭାରତ ପରି ଉଦୀୟମାନ ତଥା ପ୍ରଗତିଶୀଳ ଅର୍ଥନୀତି ଉପରେ ପ୍ରତିକୂଳ ପ୍ରଭାବ ପକାଇପାରେ ।
- ଭାରତ-ଆମେରିକା ବାଣିଜ୍ୟ ଗୁରୁତ୍ବପୂର୍ଣ୍ଣ ସ୍ଥିତିରେ
ଆମେରିକା ସହିତ ଭାରତର ବାଣିଜ୍ୟ ସମ୍ପର୍କ ଗୁରୁତ୍ୱପୂର୍ଣ୍ଣ ସ୍ଥିତିରେ ରହିଛି । ଆମେରିକା ଭାରତର ବୃହତ୍ତମ ବାଣିଜ୍ୟ ଭାଗୀଦାର ତାଲିକାରେ ରହିଛି । ଆର୍ଥିକବର୍ଷ 2024ରେ ଦୁଇ ଦେଶ ମଧ୍ୟରେ ବାଣିଜ୍ୟ କାରବାର ପ୍ରାୟ 120 ବିଲିୟନ ଡ଼ଲାରରେ ପହଞ୍ଚିଛି । ଯାହା ବିଶ୍ବ ବାଣିଜ୍ୟର ଏକ ମାଇଲଖୁଣ୍ଟ । ଟ୍ରମ୍ପଙ୍କ କ୍ଷମତାକୁ ଫେରିବା ଭାରତ ଆଡକୁ ଏକ ନୂତନ ଆହ୍ବାନ ଆଣିପାରେ । 2025 ଜାନୁଆରୀରେ ଟ୍ରମ୍ପ ଆମେରିକାର ରାଷ୍ଟ୍ରପତି ଭାବେ ବିଧିବଦ୍ଧ ଦାୟିତ୍ବ ଗ୍ରହଣ କରିବା ସହ ବୟନଶିଳ୍ପ, ରାସାୟନିକ ପଦାର୍ଥ ଏବଂ ଅଟୋମୋବାଇଲ୍ କ୍ଷେତ୍ରରେ ରପ୍ତାନି ପ୍ରଭାବିତ ହୋଇପାରେ । ପାର୍ଟନର-ଟ୍ୟାକ୍ସ ଏବଂ ଅନ୍ତର୍ଜାତୀୟ ବାଣିଜ୍ୟ ଅର୍ଥନୈତିକ ନୀତି ଭାରତୀୟ ଅର୍ଥନୀତିକୁ ମଧ୍ୟ ପ୍ରଭାବିତ କରିପାରେ ।
|
- ଆମଦାନୀ ଶୁଳ୍କ ବୃଦ୍ଧି କରିପାରନ୍ତି ଟ୍ରମ୍ପ
ଟ୍ରମ୍ପ ସମସ୍ତ ଆମଦାନୀ ଉପରେ 10-20 ପ୍ରତିଶତ ଶୁଳ୍କ ଲାଗୁ କରିବାକୁ ନିର୍ବାଚନୀ କ୍ୟାମ୍ପନିଂରେ ପ୍ରସ୍ତାବ ଦେଇଥିଲେ । ବିଶେଷ କରି ଚୀନର ସାମଗ୍ରୀ ଉପରେ ବିଶେଷ ଭାବେ 60 ପ୍ରତିଶତ ଶୁଳ୍କ ଲାଗୁ କରାଯିବା ନେଇ ଟ୍ରମ୍ପଙ୍କ ସଙ୍କେତ ପୁରା ବିଶ୍ବରେ ଚହଳ ସୃଷ୍ଟି କରିଥିଲା । ଯଦି ଟ୍ରମ୍ପ ଟ୍ୟାକ୍ସ ପରିମାଣକୁ ପୁନଃ ସ୍ଥିର କରନ୍ତି କିମ୍ବା ଆମଦାନୀ କର ବୃଦ୍ଧି କରନ୍ତି, ତେବେ ଅଟୋ ମୋବାଇଲ ସେକ୍ଟର ଆହ୍ବାନର ସମ୍ମୁଖୀନ ହେବାର ଯଥେଷ୍ଟ ଆଶଙ୍କା ରହିଛି । ବିଶେଷ ଭାବରେ ରପ୍ତାନି କ୍ଷେତ୍ରରେ ଭଲ ସ୍ଥିତିରେ ଥିବା ଭାରତୀୟ ଉତ୍ପାଦନକାରୀଙ୍କୁ ଏହି ନୀତି ଗମ୍ଭୀର ଭାବେ ପ୍ରଭାବିତ କରିପାରେ ।
ଏହା ମଧ୍ୟ ପଢ଼ନ୍ତୁ- 2024ରେ ମୋଦିଙ୍କ ହ୍ୟାଟ୍ରିକ୍, ଅସ୍ଥିତ୍ବକୁ ଫେରିଲେ ରାହୁଲ, ଓଡ଼ିଶା ସମେତ ବଦଳିଲା ବିଭିନ୍ନ ରାଜ୍ୟର କ୍ଷମତା ସମୀକରଣ - YEARENDER 2024 |
- ନବୀକରଣଯୋଗ୍ୟ ଶକ୍ତି ମିଶନ ପ୍ରଭାବିତ ହୋଇପାରେ :
ପାରମ୍ପରିକ ଜୀବାଶ୍ମ ଇନ୍ଧନ କ୍ଷେତ୍ରରେ ଟ୍ରମ୍ପଙ୍କ ଅଧିକ ଆଗ୍ରହ ରହିଥିବା କୁହାଯାଏ । ଏହି ଆଭିମୁଖ୍ୟ ଅକ୍ଷୟ ଶକ୍ତି ପ୍ରଯୁକ୍ତିବିଦ୍ୟାର ଚାହିଦା ହ୍ରାସ ହୋଇପାରେ । ଅକ୍ଷୟ ଶକ୍ତି କ୍ଷେତ୍ରରେ ବିଶ୍ବର ପୁଞ୍ଜି ବିନିଯୋଗକୁ ମନ୍ଥର କରିପାରେ । ଯଦି ଜୀବାଶ୍ମ ଇନ୍ଧନ ବିନିଯୋଗ ସର୍ବଭାରତୀୟ ସ୍ତରରେ ବୃଦ୍ଧି ପାଏ, ତେବେ ଅକ୍ଷୟ ଶକ୍ତି ସହିତ ଅନ୍ତର୍ଜାତୀୟ ସମ୍ପର୍କ ଥିବା ଭାରତୀୟ ସଂସ୍ଥାଗୁଡ଼ିକର ଗତି ଓ ସ୍ଥିତି ଦୁର୍ବଳ ହୋଇପାରେ । ଯାହା ଭାରତର ଅକ୍ଷୟ ଶକ୍ତି ଭିଜନ ଉପରେ ବିଶେଷ ପ୍ରଭାବ ପକାଇପାରେ ବୋଲି ଆକଳନ କରାଯାଉଛି ।
- ଡଲାର-ଟଙ୍କା (USD-INR) ବିନିମୟ ମୂଲ୍ୟରେ ପରିବର୍ତ୍ତନ :
ପୂର୍ବ କାର୍ଯ୍ୟକାଳରେ ଏହା ସ୍ପଷ୍ଟ ଯେ, ଟ୍ରମ୍ପ ରାଷ୍ଟ୍ରପତି ଭାବେ ବାଣିଜ୍ୟ ଅଭିବୃଦ୍ଧିକୁ ସମର୍ଥନ କରୁଥିବା ନୀତି ଉପରେ ଧ୍ୟାନ ଦେଇଆସିଛନ୍ତି । ଯଦି ଆମେ ଏହି ଆଭିମୁଖ୍ୟ ଏଥର କାର୍ଯ୍ୟକାଳରେ ସମାନ ରହେ, ତେବେ କର୍ପୋରେଟ୍ ଟିକସ ହ୍ରାସ ଏବଂ ବାଣିଜ୍ୟ ସଂରକ୍ଷଣବାଦ ଆମେରିକୀୟ ଡଲାରକୁ ଅଧିକ ପ୍ରଭାବଶାଳୀ କରିପାରେ । ବିଶ୍ବ ବଜାରରେ ଏକ ଶକ୍ତିଶାଳୀ ଆମେରିକୀୟ ଡଲାରର ଅର୍ଥ ହେଉଛି ଭାରତ ପାଇଁ ଆମଦାନୀ ଅଧିକ ମହଙ୍ଗା ହୋଇପାରେ । ଯାହା ସିଧାସଳଖ ଦେଶର ମୁଦ୍ରାସ୍ଫୀତିକୁ ପ୍ରଭାବିତ କରିବ । ତଥାପି, ଭାରତୀୟ ରପ୍ତାନିକାରୀଙ୍କ ପାଇଁ ଏହା ମଧ୍ୟ ଏକ ସମ୍ଭାବ୍ୟ ସକରାତ୍ମକ ଦିଗ ସାବ୍ୟସ୍ତ ହୋଇପାରେ । ନିବେଶକମାନଙ୍କୁ ମଧ୍ୟ ଡଲାର- ରୁପିଆ ବିନିମୟ ମୂଲ୍ୟ ଉପରେ ତୀକ୍ଷ୍ଣ ନଜର ରଖିବାକୁ ହେବ ।
ଏହା ମଧ୍ୟ ପଢ଼ନ୍ତୁ- ଆକାଶରେ ଦ୍ବିତୀୟ ଜହ୍ନଠୁ କାଠ ସାଟେଲାଇଟ ଲଞ୍ଚ୍ ପର୍ଯ୍ୟନ୍ତ; ବିଦାୟୀ ବର୍ଷ ଫର୍ଦ୍ଦରେ ମହାକାଶ ବିଜ୍ଞାନ - YEARENDER 2024 |
- ନୂଆ ଇମିଗ୍ରେସନ ନୀତି
ଏହି କ୍ଷେତ୍ରରେ ପରିବର୍ତ୍ତନ ଭାରତର କର୍ମଜୀବୀ କ୍ଷେତ୍ର ଉପରେ ସିଧା ପ୍ରଭାବ ପକାଇବ । ବିଶେଷ କରି ଆମେରିକାରେ ବୈଷୟିକ କ୍ଷେତ୍ରରେ କାର୍ଯ୍ୟରତ ଥିବା ଭାରତ ପାଇଁ ଟ୍ରମ୍ପଙ୍କ ଇମିଗ୍ରେସନ ନୀତି ଆହ୍ବାନ ସାବ୍ୟସ୍ତ ହୋଇପାରେ । ତାଙ୍କର ପ୍ରଥମ କାର୍ଯ୍ୟକାଳ ମଧ୍ୟରେ, ‘ଏଚ-ଓ୍ବାନ ବି ଭିସା’ କାର୍ଯ୍ୟକ୍ରମ ଉପରେ ପ୍ରତିବନ୍ଧକ ବୃଦ୍ଧି କରାଯାଇଥିଲା । ଏହି ନିଷ୍ପତ୍ତି କୁଶଳୀ ଭାରତୀୟଙ୍କୁ କର୍ମନିଯୁକ୍ତି ଦେବା ଦିଗରେ ପ୍ରଭାବିତ କରିଥିଲା । ଆମେରିକୀୟ ଶ୍ରମିକଙ୍କ ବିସ୍ଥାପନକୁ ରୋକିବା ପାଇଁ ଟ୍ରମ୍ପଙ୍କ "ଆମେରିକୀୟ ନାଗରିକଙ୍କୁ ନିଯୁକ୍ତି" ଆଭିମୁଖ୍ୟ ସେଠାରେ ଥିବା ଭାରତୀୟ କର୍ମଜୀବୀଙ୍କ ପାଇଁ ମଧ୍ୟ ଆହ୍ବାନ ସୃଷ୍ଟି କରିପାରେ । ଏହି ପରିବର୍ତ୍ତିତ ନିଷ୍ପତ୍ତି ଭିସାଧାରୀଙ୍କ ପାଇଁ କଠୋର ଯୋଗ୍ୟତା ମାପଦଣ୍ଡ ଆଣିପାରେ ।
- ସମ୍ଭାବ୍ୟ ଲାଭାନ୍ବିତ ହେବାକୁ ଥିବା ବ୍ୟବସାୟିକ କ୍ଷେତ୍ର:-
ସୂଚନା ପ୍ରଯୁକ୍ତିବିଦ୍ୟା ସେବା:
ଟ୍ରମ୍ପଙ୍କ 'ଆମେରିକା ପ୍ରଥମ' ନୀତି ବାଣିଜ୍ୟରେ ଭାରତ ପାଇଁ କେତେକାଂଶରେ ଲାଭାଦାୟକ ସାବ୍ୟସ୍ତ ହୋଇପାରେ । ବିଶେଷ କରି ଚୀନର ପ୍ରଭାବ ହ୍ରାସ ସହ ଭାରତକୁ ଆଉଟସୋର୍ସିଂ ସେବାର ଅନ୍ୟତମ ବିକଳ୍ପ ଭାବେ ସୁଯୋଗ ମିଳିପାରେ । ଭାରତରେ ଆଇଟି ସେବା କମ୍ପାନୀଗୁଡିକ ଆଉଟସୋର୍ସିଂର ଚାହିଦା ଦ୍ୱାରା ଉପକୃତ ହୋଇପାରିବେ । ବିଶେଷ କରି ଆମେରିକା ଭିତ୍ତିକ ଗ୍ରାହକଙ୍କ ଉପରେ ସେମାନଙ୍କର ନିର୍ଭରଶୀଳତା ବୃଦ୍ଧି ହେବାର ସମ୍ଭାବନା ରହିବ ।
ଏହା ମଧ୍ୟ ପଢ଼ନ୍ତୁ- ସମ୍ପର୍କରେ ଫାଟ, ଅଲଗା ହେଲେ ଏହି ସେଲିବ୍ରିଟି - CELEBRITY DIVORCE IN 2024 |
- ଫାର୍ମାସ୍ୟୁଟିକାଲ୍ସ କ୍ଷେତ୍ର ପ୍ରଭାବିତ ହେବ ନାହିଁ
ଟ୍ରମ୍ପଙ୍କ ନେତୃତ୍ବାଧୀନ ନୂତନ ପ୍ରଶାସନ ଅତ୍ୟାବଶ୍ୟକ ତଥା ଅଧିକ ଚାହିଦା ଥିବା ଔଷଧର ମୂଲ୍ୟକୁ ବୃଦ୍ଧି କରିବାର ସମ୍ଭାବନା ରହିଛି । ଯାହା ଏହି କ୍ଷେତ୍ରର ସମ୍ଭାବ୍ୟ ଲାଭ ପରିମାଣକୁ ହ୍ରାସ କରିପାରେ । ଅବଶ୍ୟ, ଏହି ପଦକ୍ଷେପ ଫାର୍ମାସ୍ୟୁଟିକାଲ୍ସ କ୍ଷେତ୍ରରେ ସାମଗ୍ରିକ ଚାହିଦା କିମ୍ବା ଯୋଗାଣ ଶୃଙ୍ଖଳା ଉପରେ କୌଣସି ପ୍ରଭାବ ପକାଇବ ବୋଲି ଆଶା କରାଯାଉ ନାହିଁ । ଫଳସ୍ୱରୂପ କେବଳ ସାମାନ୍ୟ ମନ୍ଥରତା ବା କ୍ଷତି ସାମ୍ନାକୁ ଆସିପାରେ । ଯାହା କୌଣସି ଭାରତୀୟ ଫାର୍ମାସ୍ୟୁଟିକାଲ୍ସ କ୍ଷେତ୍ରକୁ ପ୍ରଭାବିତ କରିବନାହିଁ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ