ଲଣ୍ଡନ:ଜୁଲାଇ ୪ ତାରିଖରେ ବ୍ରିଟେନରେ ହେବ ସାଧାରଣ ନିର୍ବାଚନ । ଦେଶରେ ନୂଆ ସରକାର ବାଛିବେ ବ୍ରିଟିଶବାସୀ (UK) । ୬୫୦ ଆସନ ବିଶିଷ୍ଟ ବ୍ରିଟେନ ସଂସଦ ନିର୍ବାଚନ ଉପରେ ଏବେ ସାରା ଦେଶର ନଜର । ବର୍ତ୍ତମାନ ଏଠି ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କ କଞ୍ଜରଭେଟିଭ ପାର୍ଟି କ୍ଷମତାରେ ରହିଛି । ତେବେ କ'ଣ ପୁଣିଥରେ କ୍ଷମତା ବଜାୟ ରଖିପାରିବେ କି ସୁନକ ? ନା ମୁଖ୍ୟ ବିରୋଧୀ ଦଳ ଲେବର ପାର୍ଟିକୁ ମିଳିବ ବହୁମତ ? ଏହାକୁ ନେଇ ଏବେ କଳ୍ପନଜଳ୍ପନା ଜାରି ରହିଛି । ଏହାରି ମଧ୍ୟରେ ଦୀର୍ଘ ୧୪ ବର୍ଷ ଧରି ସତ୍ତାରୁଢ଼ ଥିବା କଞ୍ଜରଭେଟିଭ ପାର୍ଟି ଏଥର ଲେବର ପାର୍ଟିଠାରୁ ପରାଜିତ ହୋଇପାରେ ବୋଲି ଅନେକ ସର୍ଭେରେ କୁହାଯାଇଛି । ତେଣୁ ଏଥର ସୁନକଙ୍କ ପାଇଁ ବିଜୟର ବାଟ ଏତେଟା ସହଜ ହେବନି ।
ଗତ ୧୪ ବର୍ଷରେ କଞ୍ଜରଭେଟିଭ ପାର୍ଟି ୫ ଭିନ୍ନ ପ୍ରଧାନମନ୍ତ୍ରୀ ଅଧିନରେ କ୍ଷମତାରେ ରହିଆସିଛି । ବ୍ରିଟେନର 'ଫାଷ୍ଟ ପାଷ୍ଟ ଦ ପୋଷ୍ଟ' ନିର୍ବାଚନ ପ୍ରଣାଳୀ ଅଧିନରେ କଞ୍ଜରଭେଟିଭ ଏବଂ ଲେବର ପାର୍ଟି ପାରମ୍ପରିକ ପ୍ରତିଦ୍ବନ୍ଦୀ ରୂପେ ବ୍ରିଟିଶ ରାଜନୀତିକୁ ନିୟନ୍ତ୍ରଣ କରିଆସିଛନ୍ତି । ଯେଉଁ କାରଣରୁ ଏହି ଦେଶରେ ଛୋଟ ଛୋଟ ଦଳଗୁଡିକ ନିର୍ବାଚନ ଜିତିବା ବା ସଂସଦକୁ (ହାଉସ୍ ଅଫ କମନ୍ସ) ନିର୍ବାଚିତ ହେବା ସାଧାରଣତଃ କଷ୍ଟସାଧ୍ୟ ଦେଖାଯାଏ । ତଥାପି ସେହି ଦୁଇ ପାରମ୍ପରିକ ଦଳ ବ୍ୟତୀତ ଲିବେରାଲ ଡେମୋକ୍ରାଟ୍ସ, ରିଫର୍ମ ୟୁକେ, ଦ ସ୍କଟିସ୍ ନ୍ୟାସନାଲ ପାର୍ଟି ଏବଂ ଦ ଗ୍ରୀନ୍ସ ଭଳି କେତେକ ପାର୍ଟି ଚଳିତ ନିର୍ବାଚନରେ ଟକ୍କର ଦେଉଛନ୍ତି । ଏହିସବୁ ଦଳର ଅନେକ ପ୍ରଭାବଶାଳୀ ନେତା ଏମିତି ଅଛନ୍ତି, ଯିଏକି ପ୍ରଧାନମନ୍ତ୍ରୀ ରେସରେ ରହିପାରନ୍ତି । ପଢନ୍ତୁ ସେମାନଙ୍କ ସମ୍ପର୍କରେ:-
କଞ୍ଜରଭେଟିଭ ପାର୍ଟି
ଋଷି ସୁନକ:ଭାରତୀୟ ବଂଶୋଦ୍ଭବ ୪୪ ବର୍ଷୀୟ ଋଷି ସୁନକ ୨୦୨୨ ଅକ୍ଟୋବରରେ କ୍ଷମତାକୁ ଆସିଥିଲେ । ଦେଶର ଅର୍ଥନୈତିକ ସଙ୍କଟ ମଧ୍ୟରେ ଯେତେବେଳେ କଞ୍ଜରଭେଟିଭ ପାର୍ଟି ନେତା ଲିଜ୍ ଟ୍ରସ ପ୍ରଧାନମନ୍ତ୍ରୀ ହେବାର ୪୫ ଦିନ ମଧ୍ୟରେ ଇସ୍ତଫା ଦେଲେ, ସେହି ସମୟରେ ପ୍ରଧାନମନ୍ତ୍ରୀ ଗାଦିରେ ବସିଥିଲେ ସୁନକ । ଏହି ଅକ୍ସଫୋର୍ଡ ଗ୍ରାଜୁଏଟ ଥିଲେ ବ୍ରିଟେନର ପ୍ରଥମ ହିନ୍ଦୁ ପ୍ରଧାନମନ୍ତ୍ରୀ । ସୁନକ ପ୍ରତିଷ୍ଠିତ ଓ୍ବନିଚେଷ୍ଟର କଲେଜରୁ ଉଚ୍ଚଶିକ୍ଷା ଲାଭ କରିଥିଲେ। ପରେ ସେ ଅକ୍ସଫୋର୍ଡର ଲିଙ୍କନ୍ କଲେଜରୁ ଦର୍ଶନ ଶାସ୍ତ୍ର, ରାଜନୀତି ଏବଂ ଅର୍ଥନୀତି ମଧ୍ୟ ଅଧ୍ୟୟନ କରିଥିଲେ। ପରେ ଫୁଲବ୍ରାଇଟ୍ ସ୍କଲାର୍ ଭାବରେ କାଲିଫର୍ନିଆର ଷ୍ଟାନଫୋର୍ଡ ୟୁନିଭରସିଟିରୁ ଏମବିଏ ଡିଗ୍ରୀ ମଧ୍ୟ ହାସଲ କରିଥିଲେ । ଗତ ନିର୍ବାଚନରେ ତାଙ୍କ ଦଳ ୩୬୫ ଆସନ ଜିତି ସରକାର ଗଢିଥିଲା ।
ସୁନକ ଦେଶର ଆର୍ଥିକ ସ୍ଥିତିରେ ସୁଧାର ଆଣିଥିବା ଏବଂ ଅର୍ଥବ୍ୟବସ୍ଥାକୁ ସ୍ଥିର ରଖିଥିବା ନେଇ ଜୋର୍ ଦେଉଛନ୍ତି । କିନ୍ତୁ ତାଙ୍କର ସମାଲୋଚନକଙ୍କ କହିବା କଥା, ସୁନକ ନିକଟରେ ରାଜନୈତିକ ନିର୍ଣ୍ଣୟ ନେବାର କ୍ଷମତା କମ୍ ଏବଂ ସେ ଜନସାଧାରଣଙ୍କ ସହ ସମ୍ପର୍କରେ ରହୁନାହାନ୍ତି । ଚଳିତ ନିର୍ବାଚନରେ କଞ୍ଜରଭେଟିଭ ପାର୍ଟି ଅନେକ ପ୍ରତିଶ୍ରୁତି ଦେଇଛି । ଯେମିତିକି, ଦେଶର ଅର୍ଥନୈତିକ ବ୍ୟବସ୍ଥା ସୁଦୃଢ କରିବା, ପ୍ରତିବର୍ଷ ପ୍ରାୟ ୧୭ ବିଲିୟନ ପାଉଣ୍ଡ କର ହ୍ରାସ କରିବା, ସାର୍ବଜନିକ ସ୍ବାସ୍ଥ୍ୟସେବା ବ୍ୟୟ ବୃଦ୍ଧି ଏବଂ ୨୦୨୩ ସୁଦ୍ଧ ଦେଶର ପ୍ରତିରକ୍ଷା ବ୍ୟୟ ଜିଡିପିର ୨.୫ ପ୍ରତିଶତକୁ ବୃଦ୍ଧି କରିବା ଇତ୍ୟାଦି । ଏହାବ୍ୟତୀତ ଏହି ପାର୍ଟି ଦେଶରେ ଶରଣାର୍ଥୀଙ୍କ ସଂଖ୍ୟା ହ୍ରାସ କରିବା ଏବଂ ସେମାନଙ୍କୁ ରାୱାଣ୍ଡା ସ୍ଥାନାନ୍ତରଣ ପାଇଁ ମଧ୍ୟ ପ୍ରତିଶ୍ରୁତିରେ କହିଛି ।
ଲେବର ପାର୍ଟି: