ହାଇଦ୍ରାବାଦ: କାଳିଆ ପ୍ରେମରେ ସଭିଏଁ । ପିଲା କି ବୁଢା, ଦେଶବାସୀ ହୁଅନ୍ତୁ କି ବିଦେଶୀ, କାଳିଆ ପାଇଁ ସଭିଙ୍କ ମନ ଆତୁର । କଳା ଠାକୁରର ଟିକିଏ ଝଲକ ପାଇଁ ସବୁକିଛି ଭୁଲିଯାଏ ଭକ୍ତଟିଏ । ଭକ୍ତି ସାଗରରେ ନିଜକୁ ହଜାଇ ଭାବଗ୍ରାହୀ ପାଇଁ ହୋଇଯାଏ ଏକାକାର । ଭକ୍ତି ରସ ଭାବର ଦରିଆରେ ନିଜକୁ ତଲ୍ଲୀନ କରିଦିଏ ଭକ୍ତଟିଏ । ଆଉ ଯେତେବେଳେ ବରଷକେ ଥରେ ଚର୍ମଚକ୍ଷୁରେ କାଳିଆକୁ ଦେଖିବା, କାଳିଆ ପାଇଁ ସେବା କରିବାର ସମୟ ଆସିଛି ନିଜକୁ କେମିତି ରୋକି ପାରିବ ଛାର ମଣିଷଟିଏ । ଆଉ ସେଥିପାଇଁ ତ ବିଶ୍ବର ଯେଉଁ କୋଣ ଅନୁକୋଣରେ ଥିଲେ ବି ରଥଯାତ୍ରାରେ ନିଜକୁ ସାମିଲ କରିବାକୁ ନିଜକୁ ହଜାଇବାକୁ ନିଜକୁ ଲୀନ କରିବାକୁ ପଛାଏ ନାହିଁ ଭାବର ଠାକୁରର ଶ୍ରଦ୍ଧାଳୁଟିଏ । ତେବେ ପୁରୀ ରଥଯାତ୍ରା ବିଶ୍ବ ପ୍ରସିଦ୍ଧ ହୋଇଥିବା ବେଳେ ଆସନ୍ତୁ ଜାଣିବା ବିଶ୍ବର କେଉଁ କେଉଁ ସ୍ଥାନରେ ଗଡିଥାଏ କାଳିଆ ରଥ...
ଓଡିଆ ଜାତିର ପରିଚୟ ତଥା ଓଡିଶାର ଗର୍ବ ଗୌରବ ସବୁକିଛି ହେଉଛନ୍ତି କାଳିଆ ଠାକୁର । ତାଙ୍କ ଆଜ୍ଞା ବିନା ପତ୍ରଟିଏ ବି ହଲେନି । ଯାହା କିଛି ଘଟୁଛି ବା ଘଟିଥାଏ ସବୁ ତାଙ୍କରି ଆଜ୍ଞାରେ । ଏପରିକି ଅତୀତରେ କାହିଁ କେତେ ଥର ଶ୍ରୀମନ୍ଦିର ଉପରେ ଆକ୍ରମଣ ପରେ ମଧ୍ୟ ଓଡିଆ ସଂସ୍କୃତି ଆଉ ପରମ୍ପରାର ପରିଚୟ କାଳିଆ ଠାକୁରର ମନ୍ଦିର ଆଜିବି ସେମିତି ବିଦ୍ୟମାନ । ଓଡିଆ ଜାତିର ଅସ୍ଥିତ୍ବ ଏବଂ ଆସ୍ଥାର କେନ୍ଦ୍ର ଆଜିବି ସଭିଙ୍କୁ କରୁଛି ଆକର୍ଷିତ । ଏପରିକି ଅତୀତରେ 18 ଥର ଆକ୍ରମଣକୁ ସହିଛି ଶ୍ରୀମନ୍ଦିର । ବଡଦେଉଳର ସୁରକ୍ଷା ପାଇଁ କାଳେ କାଳେ ଓଡିଆଟି ତାର ପ୍ରାଣ ଦେବାକୁ କି ପଛାଇ ନାହିଁ । ଯେଉଁଥିପାଇଁ ଆଜି କେବଳ ସମଗ୍ର ଦେଶ କାହିଁକି ସାରା ଦୁନିଆରେ ନିଜର ସ୍ବତନ୍ତ୍ର ପାଇଛି ଶ୍ରୀମନ୍ଦିର । ଆଉ କାଳିଆ ପାଲଟି ଯାଇଛି ପୂରା ବିଶ୍ବବାସୀଙ୍କ ଠାକୁର । ଆଉ ଯେତେବେଳେ କାଳିଆର ରଥଯାତ୍ରା ସମୟ ଆସିଛି ଭକ୍ତଟିଏ ତାକୁ କେମିତି ସୀମା ସରଦହରେ ନିଜକୁ ବାନ୍ଧି ପାରିବ ।
କାଲିଠୁ ଆରମ୍ଭ ହେବ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା । ଘୋଷଯାତ୍ରାରେ 9 ଦିନ ପାଇଁ ଭାଇ ଭଉଣୀଙ୍କୁ ସାଙ୍ଗରେ ଧରି ରତ୍ନବେଦୀରୁ ଜନ୍ମବେଦୀକୁ ଯିବେ ଶ୍ରୀକ୍ଷେତ୍ର ସାଆନ୍ତେ । ଏହି ଅବସରରେ ଆସନ୍ତୁ ଜାଣିବା ଦେଶ ବାହାରେ କେଉଁ କେଉଁ ସ୍ଥାନରେ ପାଳିତ ହୁଏ କାଳିଆର ରଥଯାତ୍ରା । ପୁରୀ ବ୍ୟତୀତ ରଥଯାତ୍ରା ପ୍ରାୟ ୬୦ରୁ ଅଧିକ ସ୍ଥାନରେ ପାଳିତ ହେଉଛି ।
ଆମେରିକାରେ ରଥଯାତ୍ରା:ବିଶ୍ବର ସର୍ବ ଶକ୍ତିମାନ ତଥା ସବୁଠୁ ଧନୀ ରାଷ୍ଟ୍ର ହେଉଛି ଆମେରିକା । ଏହି ଦେଶର ବିଭିନ୍ନ ଧର୍ମର ଏବଂ ସଂପ୍ରଦାୟର ଲୋକ ବସବାସ କରିଥାନ୍ତି । ଏହା ସହିତ ଆମ ଭାରତୀୟ ମାନେ ମଧ୍ୟ ଲକ୍ଷାଧିକ ସଂଖ୍ୟାରେ ବସବାସ କରିଥାନ୍ତି । ତେବେ ଆମେରିକାର ନର୍ଥ କରୋଲିନା ପ୍ରଦେଶରେ ଅନୁଷ୍ଠିତ ହୋଇଥାଏ ରଥଯାତ୍ରା । ନର୍ଥ କରୋଲିନା ହିନ୍ଦୁ ସମାଜ (ଏଚଏସଏନସି) ପକ୍ଷରୁ ଆମେରିକାର ସଡକରେ ଗଡିଥାଏ ଜଗା ରଥ । 26 ଫୁଲ ଲମ୍ବ ଏବଂ 13 ଫୁଟ ଓସାରର ରଥରେ ବିରାଜିତ ହୋଇଥାନ୍ତି ତିନି ଠାକୁର । ଏହା ଆମେରିକାର ସବୁଠୁ ବଡ ରଥ ଭାବେ ପରିଚିତ । ଏହା ସହିତ ଆମେରିକାର ଜର୍ଜିଆ, ଆଲଫାରେଟିଆ ପ୍ରାନ୍ତର ଜଗନ୍ନାଥ ଶ୍ରଳାଳୁମାନେ ରଥଯାତ୍ରା ସମ୍ପାଦନ କରିଥାନ୍ତି । ପୁରୀରେ ରଥ ଗଡିବାର ଦିନକ ପରେ ଏଠାରେ ଗଡିଥାଏ ରଥ । ଏହାସହିତ ଅନ୍ୟାନ୍ୟ ସାମାଜିକ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇଥାଏ ।
ୱାଶିଂଟନରେ ରଥଯାତ୍ରା: ବଡଦାଣ୍ଡ ନୁହେଁ ଆମେରିକାର ଚକଚକିଆ ବିସ୍ତୃତ ଓସରିଆ ରାସ୍ତାରେ ଗଡିଲା ଜଗାରଥ । ତିନି ରଥ ନୁହେଁ, ଗୋଟିଏ ରଥରେ ରଥାରୂଢ ହେଲେ ଚତୁର୍ଦ୍ଧାମୂର୍ତ୍ତି । ଘଣ୍ଟ, ଘଣ୍ଟି, ଢେଲ ନାଦରେ ଭକ୍ତିମୟ ପରିବେଶରେ ଜଗା ପ୍ରେମରେ ତଲ୍ଲୀନ ସଭିଏଁ । ରଥଯାତ୍ରା ଅବସରରେ ପ୍ରବାସୀ ଓଡିଆ ସୁଦୂର ଆମେରିକାରେ ରହି କାଳିଆ ଠାକୁରର ରଥଯାତ୍ରା ପାଳନ କରିଛନ୍ତି । ଆମେରିକା ଓ୍ବାଶିଂଟନ (ଷ୍ଟେଟ୍) ବୋଥେଲ୍ ଠାରେ କିଛି ପ୍ରବାସୀ ଓଡିଆ ଘଣ୍ଟି, ଢୋଲ ଆଦି ବଜାଇ ରଥ ଟାଣୁଥିବାର ଦୃଶ୍ୟ ଦେଖିବାକୁ ମିଳିଛି । ଏଠାରେ ୩ ରଥ ନଥିଲେ ମଧ୍ୟ ଗୋଟିଏ ରଥରେ ୩ ଠାକରଙ୍କୁ ରଥାରୂଢ କରି ଅତି ଆନନ୍ଦର ସହିତ ରଥ ଟାଣୁଛନ୍ତି କିଛି ଓଡିଆ । ଜଗନ୍ନାଥ ନାମରେ କମ୍ପୁଛି ଚତୁର୍ଦ୍ଦିଗ । ଏହି ରଥଟଣା ସମୟରେ ଅନ୍ୟ କିଛି ବିଦେଶୀ ଭକ୍ତ ମଧ୍ୟ ସାମିଲ ହୋଇଥିବାର ଦୃଶ୍ୟ ଦେଖିବାକୁ ମିଳିଛି । ଆମ ରାଜ୍ୟରେ ବିନା ଭକ୍ତରେ ଚଳିତ ବର୍ଷ ରଥଯାତ୍ରା ଅନୁଷ୍ଠିତ ହୋଇଛି । ସୁପ୍ରିମକୋର୍ଟ ପୁରୀ ବ୍ୟତୀତ ଅନ୍ୟ ସ୍ଥାନରେ ରଥ ଟାଣିବାକୁ ମଧ୍ୟ ବାରଣ କରିଛନ୍ତି । ତେବେ ଏଠାରେ ଆନନ୍ଦ ଉଲ୍ଲାସର ସହକାରେ କୁନି ରଥଟାଣି ରଥଯାତ୍ରା ପାଳନ କରିଛନ୍ତି ପ୍ରବାସୀ ଓଡିଆ । ପ୍ରଭୁ ଜଗନ୍ନାଥଙ୍କ ରଥଯାତ୍ରା ଆମ ରାଜ୍ୟ ସହିତ ବିଦେଶରେ ମଧ୍ୟ ପାଳନ କରୁଥିବାର ଅନେକ ଦୃଶ୍ୟ ଦେଖିବାକୁ ମିଳେ । ବିଦେଶରେ ଘଣ୍ଟ, ଢୋଲ ସହିତ ରଥ ଟାଣିଥାନ୍ତି ଅନେକ ବିଦେଶୀ ଭକ୍ତ ।