ନୂଆଦିଲ୍ଲୀ:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାରଠୁ ଦୁଇ ଦିନିଆ ଋଷ୍ ଗସ୍ତରେ ଅଛନ୍ତି । ସେଠାରେ ଆଜି (ମଙ୍ଗଳବାର) ଅନୁଷ୍ଠିତ ହେବାକୁ ଥିବା ଭାରତ-ଋଷ୍ ବାର୍ଷିକ ସମ୍ମିଳନୀରେ ସେ ଯୋଗ ଦେବେ । ଏହି ସମ୍ମିଳନୀରେ ଦୁଇ ଦେଶ ମଧ୍ୟରେ ଦ୍ବିପାକ୍ଷିକ ବାଣିଜ୍ୟ ଆଲୋଚନା ହେବ । ଏହାପୂର୍ବରୁ ଗତକାଲି ମସ୍କୋ ସ୍ଥିତ ରାଷ୍ଟ୍ରପତିଙ୍କ ନୋଭୋ-ଓଗାରୟୁଭୋ ବାସଭବନରେ ମୋଦି ଏବଂ ରାଷ୍ଟ୍ରପତି ଭ୍ଲାଦମିର ପୁଟିନଙ୍କ ମଧ୍ୟରେ ଏକ ଅନୌପଚାରିକ ବୈଠକ ହୋଇଛି । ଏଥିରେ ଉଭୟ ନେତା ବନ୍ଧୁତ୍ବପୂର୍ଣ୍ଣ ଆଲୋଚନା କରିଛନ୍ତି ।
ଋଷିଆ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଏହି ସମୟର ଭିଡିଓ 'ଏକ୍ସ'ରେ ପୋଷ୍ଟ କରାଯାଇଛି । ଭିଡିଓରେ ଦେଖାଯାଇଛି, ପ୍ରଧାମନ୍ତ୍ରୀ ମୋଦି ରାଷ୍ଟ୍ରପତିଙ୍କ ବାସଭବନରେ ପହଞ୍ଚିବା ଥିବାବେଳେ ଭ୍ଲାଦମିର ପୁଟିନ ତାଙ୍କୁ ଆଲିଙ୍ଗନ କରି ସ୍ବାଗତ କରୁଛନ୍ତି । ପୁଟିନ ମୋଦିଙ୍କୁ କହୁଛନ୍ତି, ''ଋଷ୍କୁ ସ୍ବାଗତ ବନ୍ଧୁ । ଏଠାରେ ଆପଣଙ୍କୁ ଦେଖି ମୁଁ ବହୁତ ଖୁସି ।'' ଏହାପରେ ପୁଟିନ ଏକ ଇଲେକ୍ଟ୍ରିକ କାର୍ରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ନିଜ ବାସଭବନ ପରିସରରେ ବୁଲାଉଛନ୍ତି ।
ଭାରତରେ ଅବସ୍ଥାପିତ ଋଷ୍ ଦୂତାବାସ ପକ୍ଷରୁ ଦୁଇ ନେତାଙ୍କ ମଧ୍ୟରେ ଆଲୋଚନା ସମୟର ଭିଡିଓ ସେୟାର କରାଯାଇଛି, ଏଥିରେ ଦୁଇ ବିଶ୍ବନେତା ଇଲେକ୍ଟ୍ରିକ କାର୍ ବୁଲିବାର ମଜା ନେଉଥିବା ଦେଖିବାକୁ ମିଳୁଛି । ଏହା ସହିତ ଦୁଇ ବିଶ୍ବନେତା ଏକାଠି ଡିନର କରିବା ସହିତ ମୋଦିଙ୍କ ତାଙ୍କ ଘୋଡାଶାଳ ବୁଲାଇ ଦେଖାଇଛନ୍ତି ପୁଟିନ୍ ।