ମାଲେ:ଭାରତ ପ୍ରତି କଠୋର ଆଭିମୁଖ୍ୟ ପୋଷଣ କରିଆସୁଥିବା ଚୀନ ସପକ୍ଷବାଦୀ ମାଳଦ୍ବୀପ ରାଷ୍ଟ୍ରପତି ମହମ୍ମଦ ମୁଇଜୁ ଏବେ ନରମ ଆଭିମୁଖ୍ୟ ଦେଖାଇଛନ୍ତି । ଭାରତର ଋଣ ଶୁଝିବାର କଥା ଆସିବାରୁ ଅଚାନକ ମୁଇଜୁଙ୍କ ସ୍ବର ବଦଳି ଯାଇଛି । ସେ ଏକ ବୟାନରେ ଭାରତକୁ ମାଳଦ୍ବୀପର ନିକଟତମ ବନ୍ଧୁ ବୋଲି କହିଛନ୍ତି । ଏଥିସହ ମାଳଦ୍ବୀପକୁ ଦେଇଥିବା ଋଣ ଛାଡ କରିବାକୁ ଭାରତକୁ ଅନୁରୋଧ କରିଛନ୍ତି । କହିରଖୁଛୁ କି, ଗତ ବର୍ଷ ଶେଷ ସୁଦ୍ଧା ମାଳଦ୍ବୀପ ଉପରେ ଭାରତର ପାଖାପାଖି ୪୦୦.୯ ମିଲିୟନ ଆମେରିକୀୟ ଡଲାର ଋଣ ରହିଥିଲା । ନିକଟରେ ଗଣମାଧ୍ୟମ ସହ ଏକ ସାକ୍ଷାତକାରରେ ମୁଇଜୁ, ଭାରତ ସବୁବେଳେ ଆମର ନିକଟତମ ସହଯୋଗୀ ହୋଇରହିବ ବୋଲି କହିଛନ୍ତି ।
ମହମ୍ମଦ ମୁଇଜୁ ଜଣେ ଚୀନ ସପକ୍ଷବାଦୀ ନେତା ଅଟନ୍ତି । ସେ ମାଳଦ୍ବୀପ ରାଷ୍ଟ୍ରପତି ନିର୍ବାଚିତ ହେବା ପରଠୁ ଭାରତ ବିରୋଧରେ ବୟାନବାଜି ସହ କଠୋର ଆଭିମୁଖ୍ୟ ଆପଣାଇ ଆସିଛନ୍ତି । ଏମିତିକି ରାଷ୍ଟ୍ରପତି ନିର୍ବାଚନ ସମୟରେ ସେ 'ଇଣ୍ଡିଆ ଆଉଟ୍' ନାରା ଦେଇଥିଲେ । ଗତ ବର୍ଷ ନଭେମ୍ବରରେ ରାଷ୍ଟ୍ରପତି ପଦର ଶପଥ ନେବା ପରଠୁ ଭାରତ ପ୍ରତି କଠୋର ଆଭିମୁଖ୍ୟ ଦେଖାଇଥିଲେ । ରାଷ୍ଟ୍ରପତି ପଦ ସମ୍ଭାଳିବାର କିଛି ଘଣ୍ଟା ଭିତରେ ଭାରତକୁ ମାଳଦ୍ବୀପରୁ ନିଜର ସୈନ୍ୟ ପ୍ରତ୍ୟାହାର କରିବାକୁ ଦାବି କରିଥିଲେ । ସେ କହିଥିଲେ ଯେ, ମେ' ୧୦ ସୁଦ୍ଧା ମାଳଦ୍ବୀପରୁ ଭାରତର ୮୮ ଜଣେ ସେନା କର୍ମଚାରୀଙ୍କୁ ବିଦା କରାଯିବ । ଏହି ଭାରତୀୟ ସେନା ମାଳଦ୍ବୀପର ତିନୋଟି ବିମାନ ପ୍ଲାଟଫର୍ମ ସଞ୍ଚାଳନ ପାଇଁ ସେଠାରେ ନିୟୋଜିତ ଥିଲେ ।