ପୁରୀ: ଶ୍ରୀମନ୍ଦରିରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଶ୍ରୀଜିଉଙ୍କ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରିଛନ୍ତି ରାଷ୍ଟ୍ରପତି । ବଡ଼ଦାଣ୍ଡରେ ଚାଲି ଚାଲି ଯାଇ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି ମହାମହିମ । ରାଷ୍ଟ୍ରପତିଙ୍କ ସହ ଉପସ୍ଥିତ ଅଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ରାଷ୍ଟ୍ରପତିଙ୍କ ଶ୍ରୀମନ୍ଦିର ଗସ୍ତକୁ ନେଇ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ସେପଟେ ଶ୍ରୀମନ୍ଦିରରୁ ବାହାରି ଗୋପବନ୍ଧୁ ଆର୍ୟୁବୈଦିକ ମହାବିଦ୍ୟାଳୟର ୭୫ ତମ ବାର୍ଷିକୀ ଉତ୍ସବରେ ଯୋଗ ଦେଇଛନ୍ତି ରାଷ୍ଟ୍ରପତି ।
ବଡ଼ଦାଣ୍ଡରେ ଚାଲି ଚାଲି ଗଲେ..
୫ ଦିନିଆ ଓଡ଼ିଶା ଗସ୍ତରେ ଆସିଥିବା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ଦ୍ବିତୀୟ ଦିନରେ ପୁରୀରେ ପହଞ୍ଚିବା ପରେ ବଡ଼ଦାଣ୍ଡରେ ଚାଲିଚାଲି ଶ୍ରୀମନ୍ଦିର ଅଭିମୁଖେ ଯାଇଥିଲେ । ଶ୍ରୀମନ୍ଦିର ଯାଇ ରିତୀନୀତି ଅନୁସାରେ ଚତୁର୍ଦ୍ଧା ବିଗ୍ରହଙ୍କ ସହ ମାଆ ଲକ୍ଷ୍ମୀଙ୍କର ମଧ୍ୟ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରିଛନ୍ତି । ପରେ ମନ୍ଦିର ପ୍ରଶାସନ ପକ୍ଷରୁ ରାଷ୍ଟ୍ରପତିଙ୍କୁ ଉପହାର ସ୍ବରୁପ ପଟ୍ଟଚିତ୍ର ପ୍ରଦାନ କରାଯାଇଥିଲା । ରାଷ୍ଟ୍ରପତିଙ୍କ ଶ୍ରୀମନ୍ଦିର ଗସ୍ତ ସମୟରେ ସର୍ବସାଧାରଣ ଦର୍ଶନ ବନ୍ଦ ରହିଥିଲା । ପରେ ସେଠାରୁ ବାହାରି ଗୋପବନ୍ଧୁ ଆର୍ୟୁବୈଦିକ ମହାବିଦ୍ୟାଳୟରେ ୭୫ ତମ ବାର୍ଷିକୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ ।
ପରିବାର ସହ ମହାପ୍ରଭୁଙ୍କ ଦର୍ଶନ କଲେ ରାଷ୍ଟ୍ରପତି:
ପୁରୀ ଗସ୍ତରେ ଆସି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ନିଜ ଝିଅ, ଜ୍ବାଇଁ, ନାତୁଣୀଙ୍କ ସହ ଆସି ରାଷ୍ଟ୍ରପତି ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା, ପୁରୀ ସାଂସଦ ସମ୍ବିତ ପାତ୍ର ମଧ୍ୟ ରାଷ୍ଟ୍ରପତିଙ୍କ ସହ ଉପସ୍ଥିତ ଥିଲେ । ହେଲି କ୍ୟାପ୍ଟରରେ ରାଷ୍ଟ୍ରପତି ପୁରୀ ସମଙ୍ଗ ପାର୍କିଂରେ ହୋଇଥିବା ଅସ୍ଥାୟୀ ହେଲିପ୍ୟାଡରେ ହେଲିକପ୍ଟରରେ ପହଞ୍ଚିଥିଲେ । ପରେ ରାଷ୍ଟ୍ରପତି ଶ୍ରୀମାର୍ଗ ଦେଇ ବଡଦାଣ୍ଡରେ ୧୦ଟା ବେଳେ ପହଞ୍ଚିଥିଲେ । ଶ୍ରୀମନ୍ଦିର କାର୍ଯ୍ୟାଳୟ ନିକଟରେ ଗାଡିରୁ ଓହ୍ଲାଇ ବଡଦାଣ୍ଡରେ ଥିବା ଭକ୍ତ ଓ ଲୋକଙ୍କୁ ସିଧାସଳଖ ଭେଟିଥିଲେ । ପରେ ବଡ଼ଦାଣ୍ଡରେ ଚାଲିଚାଲି ଶ୍ରୀମନ୍ଦିରକୁ ଆସିଥିଲେ । ଶ୍ରୀମନ୍ଦିର ପ୍ରଶାସନ, କୌଳିକ ପଣ୍ଡା ରାଷ୍ଟ୍ରପତିଙ୍କୁ ସ୍ବାଗତ କରି ଶ୍ରୀମନ୍ଦିରକୁ ନେଇଥିଲେ । ଗର୍ଭଗୃହରେ ରାଷ୍ଟ୍ରପତି ମହାପ୍ରଭୁଙ୍କୁ ଦର୍ଶନ କରିବା ପରେ ଶ୍ରୀମନ୍ଦିର ଭିତରେ ଥିବା ପାର୍ଶ୍ୱ ଦେବାଦେବୀ ମନ୍ଦିରକୁ ଯାଇ ଦର୍ଶନ କରିଥିଲେ । ପରେ ରାଷ୍ଟ୍ରପତି ଶ୍ରୀମନ୍ଦିରରୁ ସିଧାସଳଖ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟ ହୀରକ ଜୟନ୍ତୀରେ ଯୋଗ ଦେବା ପାଇଁ ଗସ୍ତ କରିଥିଲେ । ଆଜି ଅପରାହ୍ନରେ ପୁରୀ ବ୍ଲୁ ଫ୍ଲାଗ ବିଚରେ ହେବାକୁ ଥିବା ନୌସେନା ଦିବସ ଉତ୍ସବରେ ଯୋଗ ଦେବେ ରାଷ୍ଟ୍ରପତି ।
ମହାପ୍ରଭୁଙ୍କୁ ଦର୍ଶନ କଲେ ରାଷ୍ଟ୍ରପତି:
ରାଷ୍ଟ୍ରପତିଙ୍କ କୌଳିକ ପଣ୍ଡା ରାଜରତନ ମହାପାତ୍ର କହିଛନ୍ତି, "ମହାମହିମ ରାଷ୍ଟ୍ରପତି ମହାପ୍ରଭୁଙ୍କ କୃପାରୁ ଶ୍ରୀମନ୍ଦିର ଆସି ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି । ରାଷ୍ଟ୍ରପତିଙ୍କୁ ନେଇ ମହାପ୍ରଭୁଙ୍କୁ ଦର୍ଶନ କରାଇ ଆମେ ବହୁତ ଖୁସି । ଶ୍ରୀମନ୍ଦିର ପ୍ରଶାସନ, ଜିଲ୍ଲା ପ୍ରଶାସନ ଓ ସେବାୟତ ସମାଜର ସହଯୋଗରେ ଶାନ୍ତି ଶୃଙ୍ଖଳାରେ ମହାମହିମ ରାଷ୍ଟ୍ରପତିଙ୍କ ଦର୍ଶନ ସୂଚାରରୂପେ ସମ୍ପାଦନ ହୋଇଛି । ରତ୍ନ ସିଂହାସନ ନିକଟକୁ ରାଷ୍ଟ୍ରପତି ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିଥିଲେ । ପରେ ଭିତର ବେଢ଼ା ପରିକ୍ରମା କରିଥିଲେ । ରାଷ୍ଟ୍ରପତି ନିଜେ ଦୀପ ଦାନ କରିବା ସହ ମହାପ୍ରଭୁଙ୍କୁ ଆଳତୀ କରିଥିଲେ । ମୁକ୍ତିମଣ୍ଡପକୁ ଯାଇ ବ୍ରାହ୍ମଣଙ୍କ ଆଶୀର୍ବାଦ ନେଇଥିଲେ । ପରେ ବିମଳା ମନ୍ଦିରକୁ ଯାଇ ସେଠାରେ ୧୫ ମିନିଟ ସମୟ ଅତିବାହିତ କରିଥିଲେ । ପରେ ଲକ୍ଷ୍ମୀ ମନ୍ଦିରରେ ମା' ଲକ୍ଷ୍ମୀଙ୍କୁ ଦର୍ଶନ କରିଥିଲେ । କୌଳିକ ପଣ୍ଡାଙ୍କ ନିକଟରେ ଥିବା ଯଜମାନଙ୍କ ପୁସ୍ତିକାରେ ଦସ୍ତଖତ କରିଥିଲେ ।
ରାଷ୍ଟ୍ରପତି ଭବନକୁ ନିମନ୍ତ୍ରଣ:
କୌଳିକ ପଣ୍ଡା ରାଜରତନ ମହାପାତ୍ର ଆହୁରି କହିଛନ୍ତି, "ରାଷ୍ଟ୍ରପତିଙ୍କୁ ଆମେ ମହାପ୍ରଭୁଙ୍କ ଏକ ପଟ୍ଟଚିତ୍ର, ଶୁଖିଲି ମହାପ୍ରସାଦ, ମହାପ୍ରଭୁଙ୍କ ଖଣ୍ଡୁଆ ବସ୍ତ୍ର ଉପହାର ସ୍ୱରୂପ ଦେଲୁ । ରାଷ୍ଟ୍ରପତି ଆମକୁ ରାଷ୍ଟ୍ରପତି ଭବନ ଯିବାକୁ ନିମନ୍ତ୍ରଣ କରିଛନ୍ତି । ମୁଁ ଶ୍ରୀମନ୍ଦିର ଆସିଲେ ଆପଣ ସବୁ ବ୍ୟବସ୍ଥା କରୁଛନ୍ତି । ଆପଣ ଆମ ନିକଟକୁ ଆସନ୍ତୁ । ଆମକୁ ବି ଆପଣଙ୍କ ସେବା କରିବାର ସୁଯୋଗ ମିଳୁ ବୋଲି ରାଷ୍ଟ୍ରପତି କହିଛନ୍ତି । ଆଜି ରାଷ୍ଟ୍ରପତି ବଡଦାଣ୍ଡରେ ମହାପ୍ରଭୁଙ୍କୁ ଦର୍ଶନ ପାଇଁ ଚାଲିକି ଆସିବା ପ୍ରମାଣିତ କରିଛନ୍ତି ମହାପ୍ରଭୁଙ୍କ ନିକଟରେ ପଦପଦବୀ ବଡ ନୁହେଁ । ମହାପ୍ରଭୁଙ୍କ ନିକଟରେ ଶରଣାପନ୍ନ ହେବା ସବୁଠୁ ବଡ କଥା । ବଡ଼ଦାଣ୍ଡରେ ଖାଲି ପାଦରେ ରାଷ୍ଟ୍ରପତି ଚାଲିଚାଲି ଆସି ସୂଚେଇ ଦେଇଛନ୍ତି ଯେ, ମହାପ୍ରଭୁଙ୍କ ଆଗେରେ କେହି ଉଚ୍ଚନୀଚ୍ଚ ନୁହେଁ । ସମସ୍ତେ ସମ୍ମାନ । ଭାରତ, ଓଡ଼ିଶା ଓ ମୟୂରଭଞ୍ଜ ମାଟିର ଉନ୍ନତି ପାଇଁ ସେ ମହାପ୍ରଭୁଙ୍କୁ ପ୍ରାର୍ଥନା କରିଛନ୍ତି । ମହାମହିମ ରାଷ୍ଟ୍ରପତି ମହାପ୍ରଭୁଙ୍କୁ ଦର୍ଶନ କରି ବେଶ୍ ଭାବ ବିହ୍ଵଳିତ ହୋଇଥିଲେ । ନିଜ ଝିଅ, ଜ୍ବାଇଁ ଓ ଦୁଇ ଜଣ ନାତୁଣୀଙ୍କ ସହ ମହାପ୍ରଭୁଙ୍କୁ ଦର୍ଶନ କରିଥିଲେ ।"
ଶ୍ରୀମନ୍ଦିରରେ ବ୍ରାହ୍ମଣଙ୍କ ଦ୍ଵାରା ବେଦ ପଠନ:
ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ କହିଛନ୍ତି, "ମହାମହିମ ରାଷ୍ଟ୍ରପତି ଶ୍ରୀମନ୍ଦିର ନାଟ ମଣ୍ଡପକୁ ପ୍ରବେଶ ସମୟରେ ବ୍ରାହ୍ମଣଙ୍କ ଦ୍ଵାରା ବେଦ ପାଠ କରଯାଇଥିଲା । ରାଷ୍ଟ୍ରପତି ମହୋଦୟା ଗର୍ଭଗୃହରେ ମହାପ୍ରଭୁଙ୍କୁ ଦର୍ଶନ କରିଥିଲେ । ତାଙ୍କ ସହିତ ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ, ପୁରୀ ସାଂସଦ ମଧ୍ୟ ଉପସ୍ଥିତ ଥିଲେ । ରାଷ୍ଟ୍ରପତିଙ୍କ ଗସ୍ତକୁ ସଫଳ କରିବାରେ ସେବାୟତ, ଭକ୍ତ, ପୋଲିସ ଓ ପ୍ରଶାସନ ଆମକୁ ସହଯୋଗ କରିଥିବାରୁ ସମସ୍ତଙ୍କୁ ମୁଁ ଗଭୀର କୃତଜ୍ଞତା ପ୍ରକାଶ କରୁଛି ।"
ଲୋକଙ୍କ ସେବା ପାଇଁ ଅସାଧାରଣ ସ୍ଥାନରେ ଆମକୁ ମହାପ୍ରଭୁ ବସାଇଛନ୍ତି :
ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ପ୍ରତିକ୍ରିୟାରେ କହିଛନ୍ତି, "ଆଜି ନୌସେନା ଦିବସରେ ଯୋଗ ଦେବା ପାଇଁ ରାଷ୍ଟ୍ରପତି ଆସିଛନ୍ତି । ମହାପ୍ରଭୁଙ୍କ ଆଶୀର୍ବାଦରୁ ଏହା ଉଚ୍ଚ କୋଟିର ହେଉ । ଏହାକୁ ଦେଖିବା ପାଇଁ ସାରା ବିଶ୍ବବାସୀ ଅପେକ୍ଷା କରିଛନ୍ତି । ବିଶ୍ଵରେ ଆମେ ଏକ ନମ୍ୱର୍ ହେବା ପାଇଁ ଆମେ ମହାପ୍ରଭୁଙ୍କୁ ପ୍ରାର୍ଥନା କରୁଛୁ ।" ତେବେ ବଡ ଦାଣ୍ଡରେ ରାଷ୍ଟ୍ରପତି ଚାଲିଚାଲି ଆସିବା ପ୍ରସଙ୍ଗରେ ଉପମୁଖ୍ୟମନ୍ତ୍ରୀ କହିଛନ୍ତି, "ଆମେ ସାଧାରଣ ଲୋକ । ମହାପ୍ରଭୁଙ୍କ ଆଶୀର୍ବାଦରୁ ଲୋକଙ୍କ ସେବା ପାଇଁ ଆମେ ଅସାଧାରଣ ସ୍ଥାନରେ ଅଛୁ।"
କୁନି ଝିଅ ଠାରୁ ମହାପ୍ରଭୁଙ୍କ ଫଟୋ ନେଲେ ରାଷ୍ଟ୍ରପତି:
ଶ୍ରୀମନ୍ଦିର ବାହାରକୁ ଆସିବା ପରେ ରାଷ୍ଟ୍ରପତି ପ୍ରେସ ଗ୍ୟାଲେରୀ ପାଖକୁ ଆସି ଠିଆ ହେଇଥିବା କୁନି ଝିଅ ଠାରୁ ଜଗନ୍ନାଥ ମହାପ୍ରଭୁଙ୍କ ଏକ ନାଗାର୍ଜୁନ ବେଶ ଫଟୋ ନେଇଥିଲେ । ପୁରୀର କୁନି ଝିଅ ପ୍ରିୟାସିଂ ପ୍ରିୟଦର୍ଶିନୀ ଦାସମହାପାତ୍ରଙ୍କ ଠାରୁ ରାଷ୍ଟ୍ରପତି ଫଟୋ ନେଇଥିଲେ । ପ୍ରିୟାସିଂଙ୍କ ମାଆ ରଶ୍ମି ଦାସମହାପାତ୍ର କହିଛନ୍ତି, "ଆମେ ରାଷ୍ଟ୍ରପତିଙ୍କୁ ଦେଖିବାକୁ ଆସିଥିଲୁ । ରାଷ୍ଟ୍ରପତି ଆମ ଓଡିଆଙ୍କ ଗର୍ବ ଓ ଗୌରବ । ନାରୀମାନଙ୍କ ପାଇଁ ସେ ଜଣେ ବଡ ପ୍ରେରଣା ଉତ୍ସ । ମୋ ଝିଅ ସବୁବେଳେ ବଡ଼ ବଡ଼ ଲୋକ ତଥା ପ୍ରଧାନମନ୍ତ୍ରୀ, ରାଷ୍ଟ୍ରପତିଙ୍କୁ ଭେଟିବାକୁ ଇଚ୍ଛା କରେ । ଛୋଟ ପିଲାଙ୍କ ଡାକ ମହାପ୍ରଭୁ ଶୀଘ୍ର ଶୁଣନ୍ତି । ଆଉ ତାହା ଆଜି ପ୍ରମାଣିତ ହେଇଛି । ରାଷ୍ଟ୍ରପତି ମୋ ଝିଅ ପାଖକୁ ଆସି ମହାପ୍ରଭୁଙ୍କ ଫଟୋ ନେଇଥିଲେ । ଭଲ ପାଠ ପଢିବାକୁ ସେ ଝିଅକୁ ପରାମର୍ଶ ଦେଇଛନ୍ତି ।"
ଏହା ମଧ୍ୟ ପଢ଼ନ୍ତୁ...ଆଜି ନୌସେନା ଦିବସ: ପୁରୀରେ ପରାକ୍ରମ ଦେଖାଇବେ ନୌବୀର, ସାମିଲ ହେବେ ରାଷ୍ଟ୍ରପତି ଏହା ମଧ୍ୟ ପଢ଼ନ୍ତୁ...ଆଜି ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି, ଆସନ୍ତାକାଲି ନୌସେନା ଦିବସ କାର୍ଯ୍ୟକ୍ରମରେ ହେବେ ସାମିଲ |
ଶ୍ରୀମନ୍ଦିରର ବରିଷ୍ଠ ସେବାୟତ ଗୌରହରି ପ୍ରଧାନ କହିଛନ୍ତି,"ମହାମହିମ ରାଷ୍ଟ୍ରପତି ଆଜି ପ୍ରୋଟକଲ ଭାଙ୍ଗି ଯେଉଁଭଳି ବଡଦାଣ୍ଡରେ ଲୋକଙ୍କୁ ଭେଟିଲେ ଓ ଚାଲିଚାଲି ଶ୍ରୀମନ୍ଦିରକୁ ଆସିଲେ ଏହା ହେଉଛି ବହୁତ୍ ବଡ କଥା । ଏହା ଏକ ଅପୂର୍ବ ଦୃଶ୍ୟ ଥିଲା । ସେ କେତେ ଉଦାର ତାହା ପ୍ରମାଣିତ ହୋଇଛି । ମହାପ୍ରଭୁଙ୍କୁ ଦର୍ଶନ କରିବା ପରେ ସେ ବିମଳାଙ୍କ ମନ୍ଦିର ହୁଣ୍ଡିରେ ସେ ଏକ ଖାମରେ ଦାନ ଦେଇଥିଲେ । ମହାପ୍ରଭୁଙ୍କ ଦର୍ଶନ ପାଇଁ ସେ ବହୁତ୍ ଖୁସି ଥିଲେ । ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ଶ୍ରୀମନ୍ଦିରରେ ନୀତିକୁ ଶୃଙ୍ଖଳିତ କରିବା ପାଇଁ ସେବାୟତମାନେ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ । ରାଷ୍ଟ୍ରପତିଙ୍କ କାର୍ଯକ୍ରମ ସଫଳ ହୋଇଛି । ସାରା ବିଶ୍ଵର ମଙ୍ଗଳ କାମନା କରିଛନ୍ତି ।"
ନୌସେନା ଦିବସରେ ହେବେ ସାମିଲ:
ତେବେ ଗୋପବନ୍ଧୁ ଆର୍ୟୁବୈଦିକ ମହାବିଦ୍ୟାଳୟରେ କାର୍ଯ୍ୟକ୍ରମ ସରିବା ପରେ ରାଷ୍ଟ୍ରପତି ପୁରୀ ରାଜଭବନ ଯିବେ । ସେଠାରେ ମଧ୍ୟାହ୍ନ ଭୋଜନ କରିବା ସହ କିଛି ସମୟ ବିଶ୍ରମ ନେବା ପରେ ଅପରାହ୍ନ ୩.୫୫ରେ ପୁରୀ ବ୍ଲୁ-ଫ୍ଲାଗ ବିଚରେ ପହଞ୍ଚିବେ । ୦୪.୦୭ରେ ନୌସେନା ଦିବସ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଯୋଗଦେବେ । ସେଠାରେ ପାଖାପାଖି ଦେଢ଼ଘଣ୍ଟା ରହି ନୌସେନାର ଦୁଃସାହାସିକ ଯୁଦ୍ଧକୌଶଳ ଦେଖିବେ । ସେଠାରୁ ୦୫.୪୫ରେ କାର୍ଯ୍ୟକ୍ରମ ସାରି ୦୫.୫୫ପୁରୀ ରାଜଭବନକୁ ଫେରି ସେଠାରେ ରାତ୍ରୀଯାପନ କରିବେ । ଆସନ୍ତାକାଲି ସକାଳ ୦୯.୫୫ରେ ପୁରୀରୁ ବାହାରି ୧୦.୩୦ରେ ଭୁବନେଶ୍ବରରେ ପହଞ୍ଚିବେ । ତେବେ ରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମ ପାଇଁ ପୁରୀରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡି କରାଯାଇଛି । ଟ୍ରାଫିକ କଟକକଣା ମଧ୍ୟ ଜାରି କରାଯାଇଛି ।
ଇଟିଭି ଭାରତ, ପୁରୀ