ନିମାପଡ଼ା(ପୁରୀ): ମାଘ ସପ୍ତମୀରେ ଚନ୍ଦ୍ରଭାଗା ତୀର୍ଥ ପୁଷ୍କରିଣୀରେ ବୁଡ଼ ପକାଇଲେ ଲକ୍ଷାଧିକ ଶ୍ରଦ୍ଧାଳୁ । ତିନି ଠାକୁରଙ୍କ ପୂଜା ସମାପନ ପରେ ରୀତିନୀତି ଅନୁସାରେ ତୀର୍ଥ ପୁଷ୍କରିଣୀରେ ବୁଡ଼ ପକାଇଛନ୍ତି ଶ୍ରଦ୍ଧାଳୁ । ସେପଟେ ଲକ୍ଷାଧିକ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ହୋଇଛି ।
- ମାଘ ସପ୍ତମୀରେ ଲୋକାରଣ୍ୟ କୋଣାର୍କ :
ଆଜି ହେଉଛି ପବିତ୍ର ମାଘ ମାସ ସପ୍ତମୀ ତିଥି । ଆଜିର ଦିନରେ ଚନ୍ଦ୍ରଭାଗା ଆସି ବୁଡ ପକାଇଥାଆନ୍ତି ଲୋକେ । ଏଥିପାଇଁ ଚଳଚଞ୍ଚଳ ଅର୍କକ୍ଷେତ୍ର କୋଣାର୍କର ଚନ୍ଦ୍ରଭାଗା କୂଳ । ଆଜିର ଦିନରେ ଏଠାରେ ବୁଡ ପକାଇଲେ ବିଭିନ୍ନ ରୋଗରୁ ଉପଶମ ସହ ମାନସିକ ଶାନ୍ତି ମିଳିଥାଏ ବୋଲି ବିଶ୍ଵାସ ରହିଛି । ଚନ୍ଦ୍ରଭାଗାରେ ସ୍ନାନ କରି ଉଦିତ ସୂର୍ଯ୍ୟଙ୍କୁ ଦର୍ଶନ କଲେ କୋଟିଜନ୍ମର ପୂଣ୍ୟ ମିଳିଥାଏ ବୋଲି ବିଶ୍ଵାସ ରହିଛି । ପୌରାଣିକ କଥାନୁସାରେ ଶ୍ରୀକୃଷ୍ଣଙ୍କ ପୁଅ ଶାମ୍ଵ କୁଷ୍ଠରୋଗରେ ପୀଡିତ ଥିବାବେଳେ ଚନ୍ଦ୍ରଭାଗାରେ ସ୍ନାନ କରି ଉଦିତ ସୂର୍ଯ୍ୟ ଦର୍ଶନ କରି କୁଷ୍ଠ ରୋଗରୁ ମୁକ୍ତି ପାଇଥିବାର ବିଶ୍ଵାସ ରହିଛି । ଏହି ବିଶ୍ଵାସ ଓ ପରମ୍ପରା ଅନୁସାରେ ଲକ୍ଷାଧିକ ଭକ୍ତ ଚନ୍ଦ୍ରଭାଗାରେ ବୁଡ଼ ପକାଇଛନ୍ତି ।
- କ'ଣ ରହିଛି ମାଘ ସପ୍ତମୀ ବୁ଼ଡ଼ ପରମ୍ପରା ?
ନିର୍ଦ୍ଧାରିତ ସମୟ ଅନୁସାରେ ତ୍ରିବେଣୀଶ୍ଵର, ଇଶାନେଶ୍ଵର, ଦକ୍ଷିଣେଶ୍ବରଙ୍କୁ ସେବାୟତମାନେ ଶୋଭାଯାତ୍ରାରେ ତୀର୍ଥ ପୁଷ୍କରିଣୀରେ ପହଞ୍ଚିଥିଲେ । ଏହାପରେ ପ୍ରଥମେ ଠାକୁର ସ୍ନାନ କରିବା ପରେ ବିଭିନ୍ନ ସ୍ଥାନରୁ ଆସିଥିବା ସାଧୁସନ୍ଥ ସ୍ନାନ କରିଥିଲେ । ଶ୍ରଦ୍ଧାଳୁମାନେ ମଧ୍ୟ ତୀର୍ଥ ପୁଷ୍କରିଣୀରେ ସ୍ନାନ କରିଥିଲେ । ଏହି ପରମ୍ପରା ବହୁପୁରାତନ କାଳରୁ ରହିଆସିଥିବାବେଳେ ବେଳାଭୂମିରେ ଆଜିର ଦିନରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥାଏ । ସଧବା ମହିଳାମାନେ ପରିବାରର ମଙ୍ଗଳକାମନା କରି ମାଘ ବ୍ରତ ପାଳିଥାନ୍ତି । ମାସତମାମ ଅତି ନିଷ୍ଠାର ସହିତ ବ୍ରତ ପାଳନ କରି ହବିଷାନ୍ନ ଭୋଜନ କରି ସକାଳୁ ବାଲୁକାରେ ଦେବାଦେବୀଙ୍କୁ ସ୍ମରଣ କରି ସୂର୍ଯ୍ୟ ପୂଜା କରିଥାନ୍ତି । ବିଶ୍ଵାସ ରହିଛି ଯେ, ସକଳ ସୃଷ୍ଟିର ଆଧାର ସୂର୍ଯ୍ୟ ପରିବାରର ସମସ୍ତଙ୍କୁ ବିଭିନ୍ନ ରୋଗରୁ ଉପଶମ ଦେବେ । ସେପଟେ ଲକ୍ଷାଧିକ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ପୋଲିସ ପ୍ରଶାସନ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିବା ନେଇ ସୂଚନା ଦେଇଛନ୍ତି ପୁରୀ ଏସପି ଓ ଜିଲ୍ଲାପାଳ ।
ଏହା ବି ପଢନ୍ତୁ...ଚନ୍ଦ୍ରଭାଗାରେ 'ମାଘ ସପ୍ତମୀ ବୁଡ଼', ଜଗିବେ ୩୩ ପ୍ଲାଟୁନ ଫୋର୍ସ ଏହା ବି ପଢନ୍ତୁ...ମହିମା ଆଶ୍ରମରେ ମାଘସପ୍ତମୀ, ଭକ୍ତ ଓ ସାଧୁସନ୍ଥଙ୍କ ସମାଗମ |
- 7 ଏସିପିଙ୍କ ସହ 33 ପ୍ଲାଟୁନ ଫୋର୍ସ ମୁତୟନ
ବୁଡ଼ ପକାଇବାକୁ ଭିଡ଼ ଜମୁଥିବାରୁ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ଏସପିଙ୍କ ନେତୃତ୍ୱରେ ୬ଜଣ ଅତିରିକ୍ତ ଏସପି, ୧୩ ଜଣ ଡିଏସପି, ୩୯ ଜଣ ଆଇଆଇସିଙ୍କ ସହିତ ୩୩ ପ୍ଲାଟୁନ ଫୋର୍ସ ବିଭିନ୍ନ ସ୍ଥାନରେ ନିୟୋଜିତ ହୋଇଛନ୍ତି । ଜିଲ୍ଲାପାଳ ମଧ୍ୟ ବେଳାଭୂମିରେ ପହଞ୍ଚିଛନ୍ତି । ବିଭିନ୍ନ ବିଭାଗ ପକ୍ଷରୁ ଶ୍ରଦ୍ଧାଳୁଙ୍କ ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି । ବିଶେଷ ଭାବେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କୁ ସହାୟତା ପାଇଁ ୩୫୦ ଜଣ ସ୍ବେଚ୍ଛାସେବା ମଧ୍ୟ ନିୟୋଜିତ ରହିଛନ୍ତି । ଚନ୍ଦ୍ରଭଗା ମାଘମେଳା ପଡିଆରେ ପାନୀୟ ଜଳର ବ୍ୟବସ୍ଥା ସହିତ ପର୍ଯ୍ୟାପ୍ତ ଆଲୋକ ବ୍ୟବସ୍ଥା, ଅସ୍ଥାୟୀ ଶୌଚାଳୟ ସମେତ ସ୍ୱାସ୍ଥ୍ୟ ସେବା ଶିବିର,ନିଖୋଜ ହୋଇଗଲେ ଖୋଜିବାକୁ ମଞ୍ଚ ଭଳି ବ୍ୟବସ୍ଥା କରାଯାଇଛି ।
ଇଟିଭି ଭାରତ, ନିମାପଡ଼ା