ଭୁବନେଶ୍ବର: ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଆଉ ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି ରାଜ୍ୟ ସରକାର । ଦୁର୍ଘଟଣାଗ୍ରସ୍ତଙ୍କ ଜୀବନ ବଞ୍ଚାଇବା ଲାଗି ନେଇଛନ୍ତି ପଦକ୍ଷେପ । ରାଜ୍ୟର ସର୍ବବୃହତ୍ତ ସରକାରୀ ହସ୍ପିଟାଲ, କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡ଼ିକାଲ କଲେଜ (ଏସସିବି)ରେ ପ୍ରତିଷ୍ଠା ହେବ ୫୦୦ ଶଯ୍ୟା ବିଶିଷ୍ଟ ଟ୍ରମା କେୟାର ସେଣ୍ଟର । ‘ପ୍ରଧାନମନ୍ତ୍ରୀ ସ୍ବାସ୍ଥ୍ୟ ସୁରକ୍ଷା ଯୋଜନା’ ଅଧୀନରେ ଏହି ଟ୍ରମା କେୟାର ସେଣ୍ଟର ପ୍ରତିଷ୍ଠା କରିବାକୁ ଯାଉଛନ୍ତି ରାଜ୍ୟ ସରକାର । କେନ୍ଦ୍ର ସରକାରଙ୍କ ଅନୁମତି ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ପ୍ରକଳ୍ପକୁ ଅନୁମୋଦନ ଦେଇଛନ୍ତି । ଏବେ ଏହି ପ୍ରକଳ୍ପ ପାଇଁ ରାଜ୍ୟ ସରକାର ବିସ୍ତୃତ ପ୍ରକଳ୍ପ ରିପୋର୍ଟ ପ୍ରସ୍ତୁତ କରିବେ ।
- କେନ୍ଦ୍ରର ରହିବ ବଡ ବିନିଯୋଗ
ଏହି ୫୦୦ ଶଯ୍ୟା ବିଶିଷ୍ଟ ଟ୍ରମା କେୟାର ସେଣ୍ଟର କାର୍ଯ୍ୟକ୍ଷମ ହେବା ପରେ ଏହା ଦ୍ବାରା ବିଭିନ୍ନ ଦୁର୍ଘଟଣାଗ୍ରସ୍ତ ଲୋକଙ୍କୁ ତୁରନ୍ତ ଉନ୍ନତ ଚିକିତ୍ସା ସୁବିଧା ମିଳିପାରିବ । ଏ ସମ୍ପର୍କିତ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗତକାଲି (ସୋମବାର) ଅନୁମୋଦନ ଦେଇଛନ୍ତି । ଏହି ଟ୍ରମା ସେଣ୍ଟରଟି କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ ସ୍ବାସ୍ଥ୍ୟ ସୁରକ୍ଷା ଯୋଜନାରେ କାର୍ଯ୍ୟକାରୀ କରାଯିବ । ଏଥିପାଇଁ କେନ୍ଦ୍ର ସରକାର ୬୦ ପ୍ରତିଶତ ଅର୍ଥ ବିନିଯୋଗ କରିବା ବେଳେ ରାଜ୍ୟ ସରକାର ୪୦ ପ୍ରତିଶତ ଅର୍ଥ ବିନିଯୋଗ କରିବେ ।
ଏହା ମଧ୍ୟ ପଢନ୍ତୁ : |
- କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ନଡ୍ଡାଙ୍କୁ ଚିଠି ଲେଖିଥିଲେ ମୁଖ୍ୟମନ୍ତ୍ରୀ
‘ଏସସିବି’ରେ ଏହି ଟ୍ରମା ସେଣ୍ଟର ପ୍ରତିଷ୍ଠା କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଗତବର୍ଷ (୨୦୨୪) ଜୁଲାଇ ୨ ତାରିଖରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଜେ.ପି ନଡ୍ଡାଙ୍କ ନିକଟକୁ ପତ୍ର ଲେଖି ଅନୁରୋଧ କରିଥିଲେ । କେନ୍ଦ୍ର ସରକାର ଏହାକୁ ନୀତିଗତ ଅନୁମୋଦନ ଦେବା ପରେ ଏବେ ଏହା ରାଜ୍ୟ ସରକାରଙ୍କ ଅନୁମୋଦନ ମଧ୍ୟ ହାସଲ କରିଛି । ଏହା ପରେ ଏହାର ବିସ୍ତୃତ ପ୍ରକଳ୍ପ ରିପୋର୍ଟ ପ୍ରସ୍ତୁତ କରାଯାଇ ପ୍ରକଳ୍ପ କାର୍ଯ୍ୟକ୍ଷମ କରିବା ପାଇଁ ପଦକ୍ଷେପ ନିଆଯିବ ।
ଇଟିଭି ଭାରତ, ଭୁବନେଶ୍ବର