ରାୟଗଡ଼ା: ଗତବର୍ଷ ଡିସେମ୍ବର ମାସରେ ଅମ୍ବାଦଳା ଥାନା ଅଧୀନସ୍ଥ ଅମ୍ଳଭଟ୍ଟା ଗ୍ରାମର ଏକ ସୁନା ଦୋକନରୁ ବଡ଼ ଧରଣର ଡ଼କାୟତି କରିଥିବା ଗ୍ୟାଙ୍ଗକୁ କାବୁ କଲା ପୋଲିସ୍ । ଜଣେ ନାବାଳକ ସମେତ ମୋଟ୍ 3 ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିବା ସହ ପ୍ରାୟ ୪୩୧ ଗ୍ରାମର ବିଭିନ୍ନ ସୁନା ଅଳଙ୍କାର ସହ ଗୋଟିଏ ମୋଟରସାଇକେଲ୍ ଜବତ କରିଛି । ସମ୍ପୃକ୍ତ ନାବାଳକକୁ କୋର୍ଟରେ ହାଜର କରି ବାଳସୁଧାର ଗୃହକୁ ପଠାଇଛି ପୋଲିସ । ସେହିପରି ଅନ୍ୟ ଅଭିଯୁକ୍ତମାନେ ବିଚାର ବିଭାଗୀୟ ହାଜତକୁ ପଠାଯାଇଥିବା ନେଇ ରାୟଗଡା ଏସପି ସ୍ବାତୀ ଏସ.କୁମାର ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।
- କେବେ ଓ କେମିତି ହୋଇଥିଲା ଚୋରି:
ରାୟଗଡ଼ା ଏସପି ସ୍ବାତୀ ଏସ. କୁମାରଙ୍କ ସୂଚନା ଅନୁସାରେ, ଗତବର୍ଷ ଡିସେମ୍ବର ୯ ତାରିଖ ସକାଳ ୮ଟା ସମୟରେ ଅମ୍ବାଦଳା ଥାନା ଅଧୀନସ୍ଥ ଅମଳଭଟା ଗ୍ରାମର ସୁନା ଦୋକାନୀ ମହେଶ୍ବର ନାୟକ ଏକ ବ୍ୟାଗରେ ପ୍ରାୟ ୫ ଶହ ଗ୍ରାମ ସୁନା ଧରି ଦୋକାନ ଖୋଲିବାକୁ ଯାଉଥିଲେ । ଏହି ସମୟରେ ଜଣେ ଦୁର୍ବୃତ୍ତ ଏକ ବାଇକରେ ଆସି ଉକ୍ତ ବ୍ୟାଗକୁ ଝାମ୍ପି ନେଇ ଚମ୍ପଟ ମାରିଥିଲେ । ଏନେଇ ମହେଶ୍ବର ଅମ୍ବାଦଳା ଥାନାରେ ଲିଖିତ ଅଭିଯୋଗ କରିବା ଆଇଆଇସି କଳ୍ପନା ବେହେରା କେସ ନଂ-୨୮୪ରେ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲେ । ତେବେ ଏହି ଘଟଣାକୁ ଗୁରୁତ୍ବର ସହିତ ନେଇ ଏସ୍ପିଙ୍କ ନିର୍ଦ୍ଦେଶ କ୍ରମେ ରାୟଗଡ଼ା ଏସ୍ଡିପିଓ ରଶ୍ମିରଞ୍ଜନ ସେନାପତି, ମୁନିଗୁଡ଼ା ଏସ୍ଡିପିଓ ସନ୍ତୋଷୀ ଓରାମ୍, ଚାନ୍ଦିଲି ଆଇଆଇସି ପ୍ରସନ୍ନ କୁମାର ବେହେରା ଓ ଅନ୍ୟ ପୋଲିସ କର୍ମଚାରୀକୁ ନେଇ ଏକ ଟିମ୍ ଗଠନ କରାଯାଇ ଏହି ଘଟଣାର ତଦନ୍ତ ଆରମ୍ଭ ହୋଇଥିଲା ।
ସମ୍ପୃକ୍ତ ଥିଲା ନାବାଳକ :
ଏହି ଚୋରି ପଛରେ ଜଣେ ନାବାଳକର ସମ୍ପୃକ୍ତି ଥିବା ପୋଲିସ ଜାଣି ତାଙ୍କୁ ଠାବ କରିବା ସହିତ ମୋଟରସାଇକେଲ ଓ ସୁନାଗହଣା ଜବତ କରିଛି । ଜବତ ସୁନା ଗହଣା ଭିତରେ ୭ଟି ସୁନା ହାର, ୨୬ଟି ସୁନା ଲକେଟ୍, ୯ଟି ମଙ୍ଗଳସୂତ୍ର ଲକେଟ୍, ୪୮ଟି ସୁନା ମୁଦି, ୨ଟି ସୁନା ଚେନ୍, ୧୨ଟି ମଙ୍ଗଳସୂତ୍ର ପଦକ, ୨୭ ହଳ କାନଫୁଲ, କାନର ଟପ୍ ଓ ୬ ହଳ ରିଂ ରହିଛି । ଗତକାଲି ମୋଟ 3 ଜଣ ଗିରଫ ହୋଇଥିବା ବେଳେ ମୁଖ୍ୟ ଅଭିଯୁକ୍ତ ଏବେବି ଫେରାର ଅଛି । ତାକୁ ଚିହ୍ନଟ କରାଯାଇ ସାରିଛି ଓ ଖୁବଶୀଘ୍ର ଗିରଫ କରାଯିବ ବୋଲି ଏସପି କହିଛନ୍ତି ।
ଦେଢ ମାସ ପରେ ପୋଲିସକୁ ସଫଳତା:
ଏନେଇ ରାୟଗଡ଼ା ଏସପି ସ୍ବାତୀ ଏସ. କୁମାର କହିଛନ୍ତି, ଅମଳଭଟା ଗ୍ରାମର ସୁନା ଦୋକାନୀ ମହେଶ୍ବର ନାୟକ, ବ୍ୟାଗରେ ସୁନା ନେଇ ଦୋକାନ ଖୋଲବିକୁ ଯାଉଥିଲେ । ଏତିକିବେଳେ ୨ ଜଣ ବାଇକରେ ଆସି ତାଙ୍କଠାରୁ ସୁନା ବ୍ୟାଗ ଛଡ଼ାଇ ନେଇଥିଲେ । ଏନେଇ ଥାନାରେ ଅଭିଯୋଗ ପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା । ଦେଢ ମାସର ତଦନ୍ତ ପରେ ଆଜf ସଫଳତା ମିଳିଛି । ଏଥିରେ ଜଣେ ନାବାଳିକା ସମ୍ପୃକ୍ତ ଥିଲେ ତାଙ୍କୁ ସୁଧାର ଗୃହକୁ ପଠାଯାଇଛି । ଏଥିରେ ଅନ୍ୟ ଜଣେ ସମ୍ପୃକ୍ତ ରହିଛି । ଉକ୍ତ ଦୁର୍ବୃତ୍ତଙ୍କ ପରିଚୟ ମିଳିଛି । ଅଭିଯୁକ୍ତଙ୍କୁ ଠାବ କରିବା ପାଇଁ ପୋଲିସ ତଦନ୍ତ କରୁଛି ।"
ଇଟିଭି ଭାରତ, ରାୟଗଡ଼଼ା