ଢାକା: ବ୍ୟବସାୟିକ ପ୍ରତିଷ୍ଠାନରେ ଲାଗିଲା ନିଆଁ । ହୁତୁ ହୁତୁ ହୋଇ ଜଳିଗଲା ସାତ ମହଲା କୋଠା । ଗତ (ଗୁରୁବାର) ରାତିରେ ବାଂଲାଦେଶର ଢାକାରେ ଏଭଳି ଭୟାବହ ଅଗ୍ନିକାଣ୍ଡ ଘଟିଛି । ଢାକା ବେଲି ରୋଡ ସ୍ଥିତ ସାତ ମହଲା ବିଶିଷ୍ଟ ଏକ ବ୍ୟବସାୟିକ ପ୍ରତିଷ୍ଠାନରେ ନିଆଁ ଲାଗି ଏଥିରେ ୪୪ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ୨୦ ଜଣ ଗୁରୁତର ଅଛନ୍ତି । ନିଆଁ ଲାଗିବା ବେଳେ ଏହି ବିଲ୍ଡିଂରେ ଶତାଧିକ ଲୋକ ଉପସ୍ଥିତ ଥିଲେ । ଅଗ୍ନିଶମ କର୍ମଚାରୀମାନେ ପ୍ରାୟ ୭୫ ଜଣଙ୍କୁ ଉଦ୍ଧାର କରିଛନ୍ତି । ସେଥିମଧ୍ୟରୁ ୪୨ ଜଣ ଅଚେତ ଅବସ୍ଥାରେ ଉଦ୍ଧାର ହୋଇଛନ୍ତି । ସମସ୍ତ ଅସୁସ୍ଥଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ସୂଚନା ଅନୁଯାୟୀ, ଗତକାଲି ରାତି ପ୍ରାୟ ୯ଟା ୪୫ ସମୟରେ ଏହି ଅଗ୍ନିକାଣ୍ଡ ଘଟିଥିଲା । ବିଲ୍ଡିଂର ପ୍ରଥମ ମହଲାରେ ଥିବା 'କଚ୍ଚି ଭାଇ' ରେସ୍ତୋରାଁରେ ପ୍ରଥମେ ନିଆଁ ଲାଗିଥିଲା । ନିମିଷକରେ ନିଆଁ ଚାରିଆଡେ ବ୍ୟାପୀ ଯାଇଥିଲା । ଅଗ୍ନିକାଣ୍ଡର ପ୍ରକୋପ ଏତେ ଅଧିକ ଥିଲା ଯେ, ସେହି ବିଲ୍ଡିଂରେ ଥିବା ଲୋକମାନେ ପ୍ରାଣ ବିକଳରେ ବିଲ୍ଡିଂ ଉପରୁ ଡେଇଁ ପଡିଥିଲେ । ଯେଉଁଥିପାଇଁ ଅନେକ ଲୋକଙ୍କ ମୃତ୍ୟୁ ହୋଇଥିଲା । ସେପଟେ ଏହି ଅଗ୍ନିକାଣ୍ଡ ଖବର ପାଇ ଅଗ୍ନିଶମ ବାହାନୀ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇବାକୁ ଚେଷ୍ଟା କରିଥିଲେ । ନିଆଁ ଲିଭା କାର୍ଯ୍ୟରେ ୧୩ଟି ଅଗ୍ନିଶମ ସେବା ୟୁନିଟ ସମେତ ବର୍ଡର ଗାର୍ଡ ବାଂଲାଦେଶ(BGB), ରାପିଡ ଆକ୍ସନ ବାଟାଲିୟନ(RAB) ଓ ଅନସର ଗାର୍ଡ ବାଟାଲିୟନ(AGB) ନିୟୋଜିତ ହୋଇଥିଲେ । ଶେଷରେ ବହୁ କସରତ ପରେ ପରେ ବିଳମ୍ବିତ ରାତି ପାଖପାଖି ସାଢେ ୧୨ଟା ବେଳେ ନିଆଁକୁ ଆୟତ୍ତ ହୋଇଥିଲା ।