ନୂଆଦିଲ୍ଲୀ: ଆଜି ଭାରତ ୭୫ତମ ଗଣତନ୍ତ୍ର ଦିବସ ପାଳନ କରୁଛି । ଏହି ଅବସରରେ ବିଶ୍ବ ନେତାମାନେ ଭାରତ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ସମ୍ପ୍ରତି ଭାରତ ଓ ମାଳଦ୍ବୀପର ସମ୍ପର୍କ ଦୁର୍ବଳ ଥିବା ବେଳେ ୭୫ତମ ଗଣତନ୍ତ୍ର ଦିବସରେ ଭାରତକୁ ଶୁଭେଚ୍ଛା ଜଣାଇଛନ୍ତି ମାଳଦ୍ବୀପ ରାଷ୍ଟ୍ରପତି ମହମ୍ମଦ ମୁଇଜୁ । ଏ ନେଇ ମାଳଦ୍ବୀପ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ପକ୍ଷରୁ ପ୍ରେସ ବିଜ୍ଞପ୍ତି ଜାରି କରାଯାଇଛି ।
ମାଳଦ୍ବୀପ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ହୋଇଥିବା ପ୍ରେସ ବିଜ୍ଞପ୍ତିରେ କୁହାଯାଇଛି, "ଭାରତର ୭୫ତମ ଗଣତନ୍ତ୍ର ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଶୁଭେଚ୍ଛା ।" ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିକଟରେ ଲାକ୍ଷାଦ୍ବୀପ ଗସ୍ତ କରି ଏହାର ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିବା ପରେ ଚିନ୍ତାରେ ପଡ଼ିଥିଲା ମାଳଦ୍ବୀପ । ପ୍ରଧାନମନ୍ତ୍ରୀ ମୋଦିଙ୍କ ପୋଷ୍ଟରେ କିଛି ମାଳଦ୍ବୀପ ମନ୍ତ୍ରୀ ଆପତ୍ତିଜନକ ପୋଷ୍ଟ କରିଥିଲେ । ଯେଉଁଥିରେ ସେମାନେ ଲାକ୍ଷାଦ୍ବୀପର ସୌନ୍ଦର୍ଯ୍ୟକୁ ମାଳଦ୍ବୀପ ସହିତ ତୁଳନା କରି ତୁଚ୍ଛ ମନେ କରିଥିବା ବେଳେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଅପମାନିତ କରିଥିଲେ । ଏହାପରଠୁ ଦୁଇ ଦେଶ ମଧ୍ୟରେ ବିବାଦ ଘନେଇଥିଲା ।
ଏହା ବି ପଢନ୍ତୁ- ଭାରତକୁ ମାଳଦ୍ବୀପ ରାଷ୍ଟ୍ରପତିଙ୍କ ଟାର୍ଗେଟ; 'ଆମକୁ ଧମକାଇବା ଲାଇସେନ୍ସ କାହା ପାଖରେ ନାହିଁ'
ଭାରତ ଓ ମାଳଦ୍ବୀପ ମଧ୍ୟରେ ସମ୍ପର୍କ ବିଗିଡ଼ିବାର ଅନ୍ୟ ଏକ କାରଣ ହେଉଛନ୍ତି ନବ ନିର୍ବାଚିତ ରାଷ୍ଟ୍ରପତି ମହମ୍ମଦ ମୁଇଜୁ । ଯିଏକି ଜଣେ ଚୀନ ସମର୍ଥକ । ସେ ସର୍ବଦା ଭାରତ ବିରୋଧୀ ନୀତି ଅବଲମ୍ବନ କରିଆସିଛନ୍ତି । ସେ ରାଷ୍ଟ୍ରପତି ନିର୍ବାଚନରେ ମଧ୍ୟ ଭାରତ ବିରୋଧୀ ସ୍ଲୋଗାନର ବ୍ୟବହାର କରିଥିଲେ । ସେ 'ଇଣ୍ଡିଆ ଆଉଟ୍' କ୍ୟାମ୍ପେନ ଆରମ୍ଭ କରିଥିଲେ, ଯାହାର ଗୋଟିଏ ଉଦ୍ଦେଶ୍ୟ ଥିଲା ମାଳଦ୍ବୀପରେ ଭାରତର ପ୍ରଭାବକୁ ହ୍ରାସ କରିବା । ମୁଇଜୁଙ୍କୁ ଏହାର ଲାଭ ମଧ୍ୟ ମିଳିଥିଲା । ଭାରତ ବିରୋଧୀ ସ୍ଲୋଗାନ ବ୍ୟବହାର କରି ସେ ପୂର୍ବତନ ରାଷ୍ଟ୍ରପତି ଇବ୍ରାହିମ ସୋଲିହଙ୍କୁ ପରାସ୍ତ କରି ସହଜରେ ନିର୍ବାଚନ ଜିତିଥିଲେ । ଇବ୍ରାହିମ ସୋଲିହ ଭାରତ ସମର୍ଥକ ଭାବେ ବିବେଚନା କରାଯାଉଥିଲା । ମହମ୍ମଦ ମୁଇଜୁ ମାଳଦ୍ବୀପ ରାଷ୍ଟ୍ରପତି ଭାବେ ନିର୍ବାଚନ ଜିତିବା ପରେ ବହୁ ବର୍ଷର ପରମ୍ପରାକୁ ଭଙ୍ଗ କରି ପ୍ରଥମ ବିଦେଶ ଗସ୍ତ ଭାରତ ବଦଳରେ ଚୀନରୁ ଆରମ୍ଭ କରିଥିଲେ ।
ଏହା ବି ପଢନ୍ତୁ- ଭାରତର ବିମାନକୁ ଅନୁମତି ଦେଲେନି ମାଳଦ୍ବୀପ ରାଷ୍ଟ୍ରପତି, ଆଖି ବୁଜିଲା ଅସୁସ୍ଥ ବାଳକ
ଭାରତ ପ୍ରତି ମୁଇଜୁଙ୍କ ସକରାତ୍ମକ ବୟାନ:-ତେବେ ଏହା ପ୍ରଥମ ଥର ପାଇଁ ମୁଇଜୁ ଭାରତ ପ୍ରତି ସକରାତ୍ମକ ମନୋଭାବ ଦେଖାଇଛନ୍ତି । ଏହା ପଛରେ ଅନ୍ୟ କୌଣସି ଉଦ୍ଦେଶ୍ୟ ରହିଥାଏ ବୋଲି ଚର୍ଚ୍ଚା ହେଉଛି । କାରଣ ମାଳଦ୍ବୀପ ଭଲ ଭାବରେ ଜାଣିଛି ଯେ ବିଶ୍ବ ସ୍ତରରେ ଭାରତର ଦବଦବା ରହିଛି । ଲାକ୍ଷାଦ୍ବୀପ ପର୍ଯ୍ୟଟନକୁ ସମାଲୋଚନା କରିବା ପରେ ମାଳଦ୍ବୀପ ସାମ୍ନା କରିଥିବା ସ୍ଥିତିରୁ ଏହା ଏକପ୍ରକାର ପ୍ରମାଣିତ ହୋଇଛି । ଏଥିଲାଗି ୭୫ତମ ସାଧାରଣତନ୍ତ୍ର ଦିବସରେ ମୁଇଜୁ ଭାରତକୁ ଶୁଭେଚ୍ଛା ଜଣାଇଥାଇପାରନ୍ତି ବୋଲି କୂଟନୈତିକ ମହଲରେ ଚର୍ଚ୍ଚା ହୋଇଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ