ହାଇଦ୍ରାବାଦ: ଇରାନ ରାଷ୍ଟ୍ରପତି ଇବ୍ରାହିମ ରଇସିଙ୍କ ହେଲିକପ୍ଟର କ୍ରାସରେ ମୃତ୍ୟୁ ଘଟିଛି । ରଇସି ଇରାନ ବୈଦେଶିକ ମନ୍ତ୍ରୀ ହୁସେନ ଅମିର ଅବଦୁଲ୍ଲାହିନଙ୍କର ବି ମୃତ୍ୟୁ ଘଟିଛି । ଇସ୍ରାଏଲ ଓ ଗାଜାରେ ଯୁଦ୍ଧ ଜାରି ଥିବା ବେଳେ ଇରାନ ରାଷ୍ଟ୍ରପତିଙ୍କ ମୃତ୍ୟୁ ଘଟିଛି । ରିପୋର୍ଟ ଅନୁସାରେ ରାଷ୍ଟ୍ରପତି ରଇସିଙ୍କୁ ନେଇ ଯାଉଥିବା ହେଲିକପ୍ଟର ରବିବାର ଦ୍ବିପ୍ରହରରେ ଖରାପ ପାଗରେ ଫସି ଯାଇଥିଲା । ଜୋଲଫା ସହରରେ ହେଲିକପ୍ଟରଟି ହାର୍ଡ ଲ୍ୟାଣ୍ଡିଂ କରିବାରୁ କ୍ରାସ ହୋଇଥିଲା । ଏଥିରେ ତାଙ୍କର ଅକାଳ ବିୟୋଗ ହୋଇଛି । ହେଲେ ଆପଣ ଜାଣନ୍ତି କି ହେଲିକପ୍ଟର କ୍ରାସରେ କେବଳ ଇରାନ ରାଷ୍ଟ୍ରପତି ନୁହେଁ, ତାଙ୍କ ପୂର୍ବରୁ ଅନେକ ରାଷ୍ଟ୍ର ମୁଖ୍ୟଙ୍କ ଏପରି ଦୁର୍ଘଟଣାରେ ମୃତ୍ୟୁ ଘଟିଛି ।
ଇରାନ ରାଷ୍ଟ୍ରପତିଙ୍କ ପୂର୍ବରୁ ଅନେକ ରାଷ୍ଟ୍ର ମୁଖ୍ୟ ଏଭଳି ଦୁର୍ଘଟଣାରେ ଜୀବନ ହାରିଛନ୍ତି । ଏହି ରାଷ୍ଟ୍ରମୁଖ୍ୟଙ୍କ ମଧ୍ୟରେ ସ୍ବିଡେନ ପ୍ରଧାନମନ୍ତ୍ରୀ ଅରବିନ୍ଦ ଲିଣ୍ଡମ୍ୟାନଙ୍କଠୁ ଆରମ୍ଭ କରି ଚିଲି ରାଷ୍ଟ୍ରପତି ସେବେଷ୍ଟିୟନ ପିନେରା ମଧ୍ୟ ସାମିଲ ଅଛନ୍ତି । ଏହି ତଥ୍ୟ ଉପରେ ନଜର ପକାନ୍ତୁ:
ସ୍ବିଡେନ ପ୍ରଧାନମନ୍ତ୍ରୀ:-1936 ଡିସେମ୍ବର 9ରେ ସ୍ବିଡେନର ପ୍ରଧାନମନ୍ତ୍ରୀ ଅରବିନ୍ଦ ଲିଣ୍ଡମ୍ୟାନ ଡଗଲାସ ଡିସି-୨ ବିମାନରେ ଯାତ୍ରା କରୁଥିବା ସମୟରେ ମୃତ୍ୟୁ ଘଟିଥିଲା । ବିମାନ ଉଡ଼ାଣର କିଛି ସମୟ ପରେ ଘନ କୁହୁଡ଼ି ଯୋଗୁଁ ତାଙ୍କ ବିମାନ ପଥଭ୍ରଷ୍ଟ ହୋଇଥିଲା । ଏହାପରେ କ୍ରାୟଡନ୍ ବିମାନବନ୍ଦର ନିକଟରେ ଥିବା ଘରଗୁଡ଼ିକୁ ଧକ୍କା ଦେଇ ବିମାନଟି ଦୁର୍ଘଟଣାର ଶିକାର ହୋଇଥିଲା ।
ପାରାଗୁଏ ରାଷ୍ଟ୍ରପତି ଓ ତାଙ୍କ ପତ୍ନୀଙ୍କ ମୃତ୍ୟୁ:- 1940 ସେପ୍ଟେମ୍ବର 7ରେ ପାରାଗୁଏର ରାଷ୍ଟ୍ରପତି ଜେନେରାଲ ଜୋସ ଫେଲିକ୍ସ ଏଷ୍ଟିଗାରିବିୟା ଏବଂ ତାଙ୍କ ପତ୍ନୀ ଏକ ବିମାନ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିଲେ । କୁହାଯାଏ ଯେ ତାଙ୍କ ବିମାନ ମଧ୍ୟ ଘନ ବାଦଲ ମଧ୍ୟରେ ଫସି ଯାଇଥିଲା ଏବଂ ପାଇଲଟ ବାଟବଣା ହୋଇଥିଲେ । ଏହି ଦୁର୍ଘଟଣାରେ ପାଇଲଟଙ୍କ ମଧ୍ୟ ମୃତ୍ୟୁ ଘଟିଥିଲା ।
ପୋଲାଣ୍ଡ ରାଜନେତା ବ୍ଲାଦିସ୍ଲାବ ସିକୋରସ୍କି:- 1943 ଅଗଷ୍ଟ 4ରେ ଦ୍ବିତୀୟ ବିଶ୍ବଯୁଦ୍ଧ ସମୟରେ ପୋଲାଣ୍ଡ ସରକାରଙ୍କ ନେତୃତ୍ବ ନେଇଥିବା ପୋଲାଣ୍ଡର ସେନାଧିକାରୀ ତଥା ରାଜନେତା ବ୍ଲାଦିସ୍ଲାବ ସିକୋରସ୍କି ଜିବ୍ରାଲଟରରେ ଏକ ବିମାନ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିଲେ । ଏଥି ସହିତ 1958 ଜୁନ 16ରେ ବ୍ରାଜିଲର ତତ୍କାଳୀନ ମଧ୍ୟବର୍ତ୍ତୀକାଳୀନ ରାଷ୍ଟ୍ରପତି ନେରେଓ ରାମୋସ କ୍ରୁଜିଇରୋ ଏୟାରଲାଇନ୍ସର ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଥିଲେ ।
ବର୍ଥଲେମି ବୋଗାଣ୍ଡାଙ୍କ ମୃତ୍ୟୁ:- 1959 ମାର୍ଚ୍ଚ 29ରେ ମଧ୍ୟ ଆଫ୍ରିକୀୟ ରାଷ୍ଟ୍ରପତି ତଥା ସ୍ବାଧୀନତା ସଂଗ୍ରାମୀ ବର୍ଥଲେମି ବୋଗାଣ୍ଡାଙ୍କ ମଧ୍ୟ ବିମାନ ଦୁର୍ଘଟଣାରେ ମୃତ୍ୟୁ ଘଟିଥିଲା । ଏହା ପରେ 18 ସେପ୍ଟେମ୍ବର 1961ରେ ତତ୍କାଳୀନ ମିଳିତ ଜାତିସଂଘର ସେକ୍ରେଟେରୀ ଜେନେରାଲ ଡଗ ହେମରସ୍କଜୋଲ୍ଡଙ୍କ ବିମାନ ଜାମ୍ବିଆରେ ଖସିପଡିଥିଲା । ଏହି ଦୁର୍ଘଟଣାରେ ହେମରସ୍କଜୋଲ୍ଡଙ୍କ ସମେତ 16 ଜଣଙ୍କର ମୃତ୍ୟୁ ଘଟିଥିଲା ।
ଇରାକ ରାଷ୍ଟ୍ରପତିଙ୍କ ମୃତ୍ୟୁ:- 1966 ଏପ୍ରିଲ 13ରେ ଇରାକର ରାଷ୍ଟ୍ରପତି ଅବଦୁଲ ସଲାମ ଆରିଫ ମଧ୍ୟ ହେଲିକପ୍ଟର ଦୁର୍ଘଟଣାରେ ପ୍ରାଣ ହରାଇଥିଲେ । ଫେବୃଆରୀ 1963ରେ ଆରିଫ କ୍ଷମତାକୁ ଆସିଥିଲେ ।
ବୋଲିଭିୟା ରାଷ୍ଟ୍ରପତିଙ୍କ ମୃତ୍ୟୁ:-1969 ଏପ୍ରିଲ 27ରେ, ବୋଲିଭିଯାର ରାଷ୍ଟ୍ରପତି ରେନେ ବାରିଏଣ୍ଟୋସଙ୍କର ମଧ୍ୟ ସମାନ ଦୁର୍ଘଟଣାରେ ମୃତ୍ୟୁ ଘଟିଥିଲା । ତାଙ୍କ ହେଲିକପ୍ଟରଟି କୋଚାବମ୍ବା ସହରରେ ଦୁର୍ଘଟଣାଗ୍ରସ୍ତ ହୋଇଛି।