ହାଇଦ୍ରାବାଦ: କିର୍ଗିଜସ୍ତାନରେ ଅଣସ୍ଥାନୀୟ ତଥା ବିଦେଶୀ ଛାତ୍ରଙ୍କ ବିରୋଧରେ ହିଂସା ଦେଖାଯାଇଛି । ଗତକାଲି ହିଂସାରେ ପାକିସ୍ତାନର 4 ଛାତ୍ରଙ୍କୁ ହତ୍ୟା କରିଛନ୍ତି ଦଙ୍ଗାକାରୀ । ସମଗ୍ର କିର୍ଗିଜସ୍ତାନ ରାଜଧାନୀରେ ହାଇଆଲର୍ଟ ଜାରି କରାଯାଇଛି । ଏପରି ସ୍ଥିତିରେ ଭାରତୀୟ ଛାତ୍ର ଓ ନାଗରିକଙ୍କ ସୁରକ୍ଷା ନେଇ ମଧ୍ୟ ଚିନ୍ତା ବଢିଛି । ସେମାନଙ୍କ ପାଇଁ ଗାଇଡଲାଇନ ଜାରି କରିଛି ଭାରତୀୟ ଦୂତାବାସ । ସମସ୍ତ ଭାରତୀୟଙ୍କୁ ନିରାପଦ ସ୍ଥାନରେ ରହିବା ଓ ବାହାରକୁ ନବାହାରିବା ପାଇଁ ଗାଇଡଲାଇନରେ କୁହାଯାଇଛି । କୌଣସି ସହାୟତା ପାଇଁ ଦୂତାବାସ ସହ ଯୋଗାଯୋଗରେ ରହିବାକୁ ମଧ୍ୟ କୁହାଯାଇଛି ।
ଘଟଣା ସମ୍ପର୍କରେ କିର୍ଗିଜସ୍ତାନରେ ଥିବା ଭାରତୀୟ ଦୂତାବାସ ଟ୍ବିଟ୍ କରି କହିଛି,‘‘ଘଟଣା ସମ୍ପର୍କରେ ଆମେ ଅବଗତ ହେବା ପରେ ଭାରତୀୟ ଛାତ୍ର ଓ ଅନ୍ୟ ନାଗରିକଙ୍କ ସହ ଯୋଗାଯୋଗରେ ରହିଛୁ । ଏବେ ସ୍ଥିତି ସ୍ଥିର ରହିଛି । ଭାରତୀୟଙ୍କୁ ସୁରକ୍ଷିତ ସ୍ଥାନରେ ରହିବା ସହ କୌଣସି ସହାୟତା ପାଇଁ ଦୂତାବାସ ସହ ଯୋଗାଯୋଗ କରିବାକୁ କୁହାଯାଇଛି । ଅନ୍ୟପଟେ ଦୂତାବାସର ଗାଇଡଲାଇନ ଓ ସ୍ଥିତି ସମ୍ପର୍କରେ ବିଦେଶ ବ୍ୟାପାର ମନ୍ତ୍ରୀ ଜୟଶଙ୍କର ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି । କହିଛନ୍ତି, ସ୍ଥିତି ଉପରେ ନୂଆଦିଲ୍ଲୀ ତୀକ୍ଷ୍ଣ ନଜର ରଖିଛି । ଦୂତାବାସ ଘଟଣା ସମ୍ପର୍କରେ ନଜର ରଖିଛି । ଭାରତୀୟଙ୍କୁ ସୁରକ୍ଷିତ ସ୍ଥାନରେ ରହିବାକୁ ପରାମର୍ଶ ଦିଆଯାଇଛି ।