ଓଡିଶା

odisha

ETV Bharat / international

ଦକ୍ଷିଣ ପୂର୍ବ ଇରାନରେ ଆଖିବୁଜା ଗୁଳିମାଡ଼, 9 ପାକିସ୍ତାନୀ ମୃତ - ଦକ୍ଷିଣ ପୂର୍ବ ଇରାନରେ ଗୁଳିମାଡ଼

Gunmen kill several Pakistanis: ଇରାନରେ ଗୁଳିମାଡରେ 9 ଜଣ ପାକିସ୍ତାନ ନାଗରିକଙ୍କ ମୃତ୍ୟୁ । ଦକ୍ଷିଣ ପୂର୍ବ ଇରାନ ସୀମାରେ ଗୁଳିମାଡ ହୋଇଥିବା ସୂଚନା । ଅଧିକ ପଢନ୍ତୁ

ଇରାନରେ ଆଖିବୁଜା ଗୁଳିମାଡ଼
Gunmen kill several Pakistanis

By ETV Bharat Odisha Team

Published : Jan 28, 2024, 9:07 AM IST

ତେହେରାନ:ଦକ୍ଷିଣ ପୂର୍ବ ଇରାନ ସୀମାରେ ଆତତାୟୀଙ୍କ ଆଖିବୁଜା ଗୁଳିମାଡ଼ । 9 ଜଣ ପାକିସ୍ତାନ ନାଗରିକଙ୍କୁ ଗୁଳି କରି ହତ୍ୟା କରାଯାଇଥିବା ସୂଚନା ମିଳିଛି । ଏନେଇ ଇରାନର ରାଜଧାନୀ ତେହେରାନରେ ଥିବା ପାକିସ୍ତାନୀ ରାଷ୍ଟ୍ରଦୂତ ମହମ୍ମଦ ମୁଦାସିର ଟିପୁ କହିଛନ୍ତି, "ସରାଭନରେ ନଅ ଜଣ ପାକିସ୍ତାନୀଙ୍କୁ ଗୁଳି କରି ହତ୍ୟା କରାଯାଇଛି । ଯାହା ଅତ୍ୟନ୍ତ ଦୁଃଖଦାୟକ । ଦୂତାବାସ ତରଫରୁ ସମସ୍ତ ମୃତକଙ୍କ ପରିବାରକୁ ସମସ୍ତ ପ୍ରକାର ସହାୟତା ପ୍ରଦାନ କରାଯିବ । ଏହି ପ୍ରସଙ୍ଗରେ ସମ୍ପୂର୍ଣ୍ଣ ସହଯୋଗ କରିବାକୁ ଆମେ ଇରାନକୁ ଆହ୍ବାନ କରୁଛୁ ।

ଏହା ମଧ୍ୟ ପଢନ୍ତୁ-ପାକିସ୍ତାନର ପାଲଟା ଜବାବ, ଇରାନର ଆତଙ୍କୀ ଠିକଣା ଉପରେ ଏୟାର ଷ୍ଟ୍ରାଇକରେ 9 ମୃତ

ଶନିବାର ଦିନ ସିଷ୍ଟାନ-ବେଲୁଚିସ୍ତାନ ପ୍ରୋଭିନ୍ସର ସରାଭନରେ ଆତତାୟୀ ଗୁଳିମାଡ ହୋଇଥିବା ଇରାନର ଏକ ଗଣମାଧ୍ୟମ ରିପୋର୍ଟ କରିଥିଲା । ଗୁଳିମାଡରେ ପାକିସ୍ତାନର 9ଜଣ ନାଗରିକଙ୍କର ମୃତ୍ୟୁ ହୋଇଥିବା ଚିହ୍ନଟ କରାଯାଇଥିବା ରିପୋର୍ଟରେ ପ୍ରକାଶ ପାଇଥିଲା । ଏହି ଗୁଳିକାଣ୍ଡ ପାଇଁ କୌଣସି ବ୍ୟକ୍ତି କିମ୍ବା ଗୋଷ୍ଠୀଙ୍କୁ ବର୍ତ୍ତମାନ ସୁଦ୍ଧା ଦାୟୀ କରାଯାଇନାହିଁ । ସିଷ୍ଟାନ-ବେଲୁଚିସ୍ତାନ ପ୍ରୋଭିନ୍ସର ଡେପୁଟି ଗଭର୍ଣ୍ଣର ଆଲିରେଜା ମାରହମତି କହିଛନ୍ତି ଯେ, ଗୁଳିକାଣ୍ଡରୁ ଯେଉଁ ମାନେ ଅଳ୍ପକେ ବର୍ତ୍ତିଯାଇଛନ୍ତି ସେମାନେ କହିଛନ୍ତି, ତିନି ଜଣ ଦୁର୍ବୃତ୍ତ ହାତରେ ବନ୍ଧୁକ ଧରି ଘରେ ପ୍ରବେଶ କରିବା ପରେ ବିଦେଶୀମାନଙ୍କ ଉପରକୁ ଗୁଳି ଚଳାଇଥିଲେ । ଗୁଳିକାଣ୍ଡ ଘଟାଇବାର କିଛି ସମୟ ପରେ ସେମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ । 9 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 3 ଜଣ ଆହତ ହୋଇଛନ୍ତି । ସମସ୍ତ ମୃତକ ପାକିସ୍ତାନର ହୋଇଥିବା ବେଳେ ଏକ କାର ମରାମତି ଦୋକାନରେ ଶ୍ରମିକ ଭାବେ କାମ କରୁଥିଲେ ।

ପାକିସ୍ତାନ ବୈଦେଶିକ ମନ୍ତ୍ରଣାଳୟ କହିଛି ଯେ, ଗୁଳିମାଡ ଘଟଣାକୁ ଆମେ ନିନ୍ଦା କରୁଛି । ଏହା ଅତ୍ୟନ୍ତ ଘୃଣ୍ୟ ଘଟଣା । ଏହା ଆତଙ୍କବାଦୀ ଆକ୍ରମଣ ହୋଇଥାଇପାରେ । ଘଟଣାକୁ ନେଇ ଆମେ ଇରାନ କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗରେ ଅଛୁ । ଏନେଇ ତଦନ୍ତ ନିର୍ଦ୍ଦେଶ ମଧ୍ୟ ଦିଆଯାଇଛି । ଏପରି ଜଘନ୍ୟ ଅପରାଧରେ ସମ୍ପୃକ୍ତ ଥିବା ବ୍ୟକ୍ତିଙ୍କ ବିରୋଧରେଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

କିଛି ଦିନ ପୂର୍ବେ ପାକିସ୍ତାନର ବେଲୁଚିସ୍ତାନରେ ଇରାନ ମିସାଇଲ ମାଡ଼ କରିଥିଲା । ଏହାପରେ ପ୍ରତିଆକ୍ରମଣ କରି ଇରାନକୁ ଜବାବ ଦେଇଥିଲା ପାକିସ୍ତାନ । ଇରାନରେ ଥିବା ଆତଙ୍କବାଦୀ ଠିକଣା ଉପରେ ପାକିସ୍ତାନ ଏୟାର ଷ୍ଟ୍ରାଇକ କରିଥିଲା । ଯାହାକୁ ନେଇ ଦୁଇ ଦେଶ ମଧ୍ୟରେ ବିବାଦ ଦେଖାଦେଇଥିଲା ।

ABOUT THE AUTHOR

...view details