ୱାଶିଂଟନ:ବିଶ୍ବରେ ପ୍ରଥମ ଥର ମୃତ୍ୟୁଦଣ୍ଡ ପାଇଁ ନାଇଟ୍ରୋଜେନ(ୟବକ୍ଷାରଜାନ) ଗ୍ୟାସର ବ୍ୟବହାର ହୋଇଛି । ଆମେରିକାର ଆଲବାମାରେ ଜଣେ ଦୋଷୀକୁ ନାଇଟ୍ରୋଜେନ ଗ୍ୟାସ ଦ୍ବାରା ମୃତ୍ୟୁଦଣ୍ଡ ଦିଆଯାଇଛି । ମୃତକଙ୍କ ନାମ କେନେଥ୍ ଇଉଜିନ ସ୍ମିଥ ଏବଂ ୩୫ ବର୍ଷ ତଳେ ଜଣେ ମହିଳାଙ୍କୁ ହତ୍ୟା କରିବା ମାମଲାରେ ସେ ଦୋଷୀ ସାବ୍ୟସ୍ତ ହୋଇଥିଲେ । ଗତ ଗୁରୁବାର ରାତିରେ ସ୍ମିଥଙ୍କୁ ଫେସ୍ ମାସ୍କ ଜରିଆରେ ନାଇଟ୍ରୋଜେନ ଗ୍ୟାସ ଦେଇ ମୃତ୍ୟୁଦଣ୍ଡ ଦିଆଯାଇଛି । ଯାହାକି ଆମେରିକାରେ ପ୍ରଥମ ଘଟଣା ।
ଦୀର୍ଘ ତିନି ଦଶନ୍ଧି ତଳେ ୫୮ ବର୍ଷୀୟ କେନେଥ୍ ଇଉଜିନ ସ୍ମିଥ ଓ ତାଙ୍କର ସହଯୋଗୀ ଜନ୍ ପାର୍କେର ମିଶି ଏଲିଜାବେଥ ସେନେଟ୍ଟା ନାମକ ମହିଳାଙ୍କୁ ହତ୍ୟା କରିଥିଲେ । ଦୁହିଁଙ୍କୁ ଏଥିପାଇଁ ସୁପାରୀ ମିଳିଥିଲା । ଏହି ହତ୍ୟା ମାମଲାରେ ୧୯୮୮ ମସିହାରେ ସ୍ମିଥ ଓ ପାର୍କେରଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇ ମୃତ୍ୟୁଦଣ୍ଡ ଦିଆଯାଇଥିଲା । ପରେ ୨୦୧୦ ମସିହାରେ ପାର୍କେରକୁ ବିଷାକ୍ତ ଇଞ୍ଜେକ୍ସନ ଜରିଆରେ ମୃତ୍ୟୁଦଣ୍ଡ ଦିଆଯାଇଥିଲା । ସେହିପରି ୨୦୨୨ ନଭେମ୍ବରରେ ସ୍ମିଥଙ୍କୁ ମୃତ୍ୟୁଦଣ୍ଡ ଦିଆଯିବାକୁ ଥିଲା । କିନ୍ତୁ ସେତେବେଳେ ଏହା ସମ୍ଭବ ହୋଇପାରି ନଥିଲା ।
ଏହା ମଧ୍ୟ ପଢନ୍ତୁ:ଉତ୍ତର କୋରିଆର ବର୍ବରତା: ଫିଲ୍ମ ଦେଖିବାରୁ ଦୁଇ ସ୍କୁଲ ଛାତ୍ରଙ୍କୁ ମୃତ୍ୟୁଦଣ୍ଡ