ହାଇଦ୍ରାବାଦ:ଭାରତୀୟ ବାୟୋଟେକ୍ କମ୍ପାନୀ ବାୟୋଭେଟ୍ ଦେଲା ଖୁସି ଖବର । ମାଲୁର, କର୍ଣ୍ଣାଟକ ସ୍ଥିତ ବାୟୋଭେଟ୍ କମ୍ପାନୀ ଲମ୍ପି ରୋଗର ମୁକାବିଲା ପାଇଁ ପ୍ରଥମ ଟିକା ପ୍ରସ୍ତୁତ କରିଥିବା ଦାବି କରିଛି । ଯାହାକୁ ଲାଇସେନ୍ସ ମଧ୍ୟ ମିଳିଛି । ଗାଇ ଓ ମଇଁଷିଙ୍କୁ ହେଉଥିବା ଲମ୍ପି (LSD) ରୋଗ ପାଇଁ BIOLUMPIVAXIN®ଟିକାକୁ ସେଣ୍ଟ୍ରାଲ ଡ୍ରଗ ଷ୍ଟାଣ୍ଡାର୍ଡସ କଣ୍ଟ୍ରୋଲ ଅର୍ଗାନାଇଜେସନ (CDSCO) ତରଫରୁ ମିଳିଛି ଗ୍ରୀନ ସିଗନାଲ ।
ଲମ୍ପି ରୋଗ କ'ଣ ?
ଏହା ଏକ ପ୍ରକାରର ଚର୍ମ ଜନିତ ରୋଗ ଅଟେ । ଏହାର ଲକ୍ଷଣ ସାଧାରଣ ଭାବରେ ଦେହରେ ଫୋଟକା ଭଳି ଫଳିଯିବ । ପରେ ପରେ ଏହା ବଡ ବଡ ଘା' ଭଳି ହୋଇଯାଏ । ଏହା ଦ୍ବାରା ଗାଈଗୋରୁମାନଙ୍କର ରୋଗ ପ୍ରତିରୋଧକ ଶକ୍ତି କମିଯାଏ ।
ପ୍ରାଣୀଙ୍କ ଚିକିତ୍ସା ପାଇଁ ଗେମଚେଞ୍ଜର:
ବାୟୋବେଟ୍ ପ୍ରତିଷ୍ଠାତା ଡକ୍ଟର କୃଷ୍ଣା ଏଲକହିଛନ୍ତି, "ଏହି DIVA ମାର୍କର ରୋଗର ମୂଳପୋଚ୍ଛ କରିବା ଦିଗରେ ସହାୟକ ହେବ । ଏହା ପଶୁମାନଙ୍କ ଚିକିତ୍ସା ପାଇଁ ଗେମଚେଞ୍ଜର ସାବ୍ୟସ୍ତ ହେବ । ମହାମାରୀକୁ ନେଇ ରିସର୍ଚ୍ଚ କରୁଥିବା ବୈଜ୍ଞାନିକ ଓ ବା ଫିଲ୍ଡରେ ସର୍ଭେ କରୁଥିବା କର୍ମୀମାନେ ସହଜରେ ଜାଣିପାରିବେ ଯେ ପଶୁଟି ପୂର୍ବରୁ LSDରେ ସଂକ୍ରମିତ ଥିଲା କି ନାହିଁ ।
ଖୁବଶୀଘ୍ର ବଜାରରେ ହେବ ଉପଲବ୍ଧ:
କମ୍ପାନୀ ପକ୍ଷରୁ କୁହାଯାଇଛି ଯେ, ବାୟୋଲମ୍ପିଭାକ୍ସିନ ଖୁବଶୀଘ୍ର ବଜାରରେ ଉପଲବ୍ଧ ହେବ । ବାୟୋଭେଟର ବାର୍ଷିକ 500 ମିଲିୟନ ବାୟୋଲମ୍ପିଭାକ୍ସିନ ଉତ୍ପାଦନ କରିବାର କ୍ଷମତା ରହିଛି ।
ବାୟୋଲମ୍ପିଭାକ୍ସିନକୁ କିପରି ରଖାଯାଏ:
ଏହି ଭାକ୍ସିନକୁ ଅଧିକ ଦିନ ଯାଏଁ ରଖିବା ପାଇଁ ଶୁଖିଲା ଓ ଫ୍ରିଜଡ ଫର୍ମରେ ଷ୍ଟୋର୍ କରାଯାଏ । ଏହି ଟିକାକୁ ରଖିବା ପାଇଁ 2-80 ° C ସଂରକ୍ଷଣ ତାପମାତ୍ରାରେ ବ୍ୟବହାର କରାଯାଏ ।
ଏହା ବି ପଢନ୍ତୁ...ଉପକୂଳରେ ବୃଦ୍ଧି ପାଉଛି ଲମ୍ପି ମାମଲା, ସତର୍କ ନରହିଲେ ଘାତକ ହେବ କହିଲେ ପ୍ରାଣୀ ଚିକିତ୍ସକ
ଏହା ବି ପଢନ୍ତୁ...ଭଦ୍ରକରେ ଗୋରୁଙ୍କ ଜୀବନ ନେଉଛି ଲମ୍ପି ଭାଇରସ, ଚିନ୍ତାରେ ଗୋପାଳକ
LSD ପ୍ରଥମେ କେବେ ଚିହ୍ନଟ ହୋଇଥିଲା ?
LSD ରୋଗ ପଶୁପାଳକଙ୍କ ପାଇଁ ବିଶେଷ ଭାବେ କ୍ଷତି ପହଞ୍ଚାଇଥାଏ । ଏହାଦ୍ବାରା ଲକ୍ଷ ଳକ୍ଷ ପଶୁପାଳକ ପ୍ରଭାବିତ ହେଉଛନ୍ତି । 1929ରେ ପ୍ରଥମ କରି ଆଫ୍ରିକାର ଜାମ୍ବିଆରେ ଚିହ୍ନଟ ହୋଇଥିଲା LSD । କିଛି ବର୍ଷ ଯାଏଁ ଏହା ଆଫ୍ରିକା ମହାଦେଶରେ ହିଁ ସୀମିତ ରହିଲା । ହେଲେ ପରେ ମିଶର(ବର୍ତ୍ତମାନ ଇଜିପ୍ଟ) ଓ 1989ରେ ଇଜ୍ରାଏଲକୁ ବ୍ୟାପିଲା । ବର୍ତ୍ତମାନ କିଛି ବର୍ଷ ଧରି ଭାରତର ବିଭିନ୍ନ ରାଜ୍ୟରେ ଏହା ପଶୁମାନଙ୍କୁ ବ୍ୟାପୁଥିବା ଦେଖିବାକୁ ମିଳିଛି । ପ୍ରଥମ ଥର ପାଇଁ ଭାରତରେ 2019ରେ ଚିହ୍ନଟ ହୋଇଥିଲା LSD । 2022ରେ LSD ପ୍ରକୋପରେ ଗୁଜରାଟ, ରାଜସ୍ଥାନ, ମହାରାଷ୍ଟ୍ର, ପଞ୍ଜାବ ଓ ଜମ୍ମୁକାଶ୍ମୀର ଭଳି ରାଜ୍ୟରେ ପଶୁମାନଙ୍କ ମୃତ୍ୟୁ 67କୁ ପହଞ୍ଚିଥିଲା । ଆଉ ରୁଗ୍ଣତା 80 ପ୍ରତିଶତରେ ପହଞ୍ଚିଥିଲା । ତେବେ LSD ଭାଇରସକୁ ନିୟନ୍ତ୍ରିତ କରିବାକୁ ଟିକାକରଣ ଗୁରୁତ୍ବପୂର୍ଣ୍ଣ ଭୂମିକା ନେବ । ପଶୁଙ୍କୁ ଏହି ଟିକା ଦେବା ପରେ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାକୁ ଏହା 3-4 ଦିନ ସମୟ ନେବ । ତେଣୁ ସମସ୍ତ ବୟସର ପଶୁଙ୍କୁ LSD ଟିକା ଦେବା ଜରୁରୀ ।
(Disclaimer: ଏହି ସୂଚନା କେବଳ ଆପଣଙ୍କର ସମ୍ୟକ ସୂଚନା ପାଇଁ । ଏହି ବୈଜ୍ଞାନିକ ଅନୁସନ୍ଧାନ ସହ ଇଟିଭି ଭାରତର କୌଣସି ସମ୍ପୃକ୍ତି ନାହିଁ । ଅଧିକ ତଥ୍ୟ ପାଇଁ ବିଶେଷଜ୍ଞଙ୍କ ସହ ପରାମର୍ଶ କରନ୍ତୁ ।)