ହାଇଦ୍ରାବାଦ:ଆଜି 'ବିଶ୍ବ ଗର୍ଭନିରୋଧକ' ଦିବସ । ଅବାଞ୍ଛିତ ଗର୍ଭଧାରଣ ରୋକିବା ଓ ଜନ୍ମହାର ନିୟନ୍ତ୍ରଣ ପାଇଁ ପ୍ରତିବର୍ଷ ସେପ୍ଟେମ୍ବର 26କୁ ଗର୍ଭନିରୋଧକ ଦିବସ ରୂପ ପାଳନ କରାଯାଉଛି । ଗର୍ଭନିରୋଧ ପଦ୍ଧତି ନେଇ ଜନସଚେତନତା ସୃଷ୍ଟି ସହ ଯୌନଗତ ଓ ପ୍ରଜନନ ସ୍ବାସ୍ଥ୍ୟ ସମ୍ପର୍କରେ ଅବଗତ କରାଇବା ଏହି ଦିବସ ମୂଳ ଉଦ୍ଦେଶ୍ୟ । ପ୍ରଥମେ 2007 ମସିହାରେ ଗର୍ଭନିରୋଧକ ଦିବସ ପାଳନ କରାଯାଇଥିଲା । ଯୌନ ସମ୍ପର୍କ ପ୍ରତ୍ୟେକ ମଣିଷ ଜୀବନରେ ଏକ ସ୍ବାଭାବିକ ପ୍ରକ୍ରିୟା । କିନ୍ତୁ ବେଳେବେଳେ ଏହା କାରଣରୁ ଅବଞ୍ଛିତ ଗର୍ଭଧାରଣ ମହିଳାଙ୍କ ଶାରିରୀକ, ମାନସିକ ସ୍ବାସ୍ଥ୍ୟ ସହ ସାମାଜିକ ଜୀବନ ପ୍ରଭାବିତ କରିଥାଏ । ଯେଉଁଥିପାଇଁ ଗର୍ଭନିରୋଧକ ବ୍ୟବହାର ଜରୁରୀ । ପରିବାର ନିୟୋଜନ ତଥା ଗର୍ଭନିରୋଧ ପାଇଁ ବ୍ୟବହୃତ ପଦ୍ଧତିକୁ ଗର୍ଭନିରୋଧକ କୁହନ୍ତି । ଆଜି ବି ବହୁସଂଖ୍ୟକ ଲୋକେ ଏହି ବିଷୟରେ ଅବଗତ ନାହାନ୍ତି ।
ଗର୍ଭନିରୋଧକ କ'ଣ ?
ଅବାଞ୍ଛିତ ଗର୍ଭଧାରଣ ରୋକିବା ପାଇଁ ଗର୍ଭନିରୋଧକ ବ୍ୟବହାର କରାଯାଏ । ଏହି ପଦ୍ଧତି ଏକ ଉପକରଣ, ମେଡିସିନ, ପ୍ରକ୍ରିୟା କିମ୍ବା ଆଚରଣ ହୋଇପାରେ । ଗର୍ଭନିରୋଧକ ଜଣେ ମହିଳାଙ୍କୁ ତାଙ୍କର ପ୍ରଜନନ ସ୍ବାସ୍ଥ୍ୟ (Reproductive health) ଉପରେ ନିୟନ୍ତ୍ରଣ ରଖିବାକୁ ଅନୁମତି ଦିଏ ଓ ପରିବାର ନିୟୋଜନରେ ସକ୍ରିୟ ଅଂଶଗ୍ରହଣ କରିବାର କ୍ଷମତା ପ୍ରଦାନ କରେ । କେତେକ ପ୍ରକାରର ଗର୍ଭନିରୋଧକ ଯୌନ ସମ୍ପର୍କ ଦ୍ବାରା ହେଉଥିବା ସଂକ୍ରମଣରୁ ସୁରକ୍ଷା ଦେଇଥାଏ । ଗର୍ଭଧାରଣ ଏଡାଇବା ପାଇଁ ପୁରୁଷ କଣ୍ଡୋମ ବ୍ୟବହାର କରିପାରିବେ । ମହିଳା ଗର୍ଭନିରୋଧ ଔଷଧ ସେବନ କରିପାରିବେ ନଚେତ୍ ବନ୍ଧ୍ୟାକରଣ କରିପାରିବେ ।
ଗର୍ଭନିରୋଧକ ଔଷଧ ସେବନ କେତେ ସୁରକ୍ଷିତ ?
ଡାକ୍ତରଙ୍କ ପରାମର୍ଶ ବିନା ଗର୍ଭନିରୋଧକ ଔଷଧ ସେବନ କରିବା ଘାତକ ହୋଇପାରେ । ତଥାପି ଅଧିକାଂଶ ମହିଳା ବିନା ଡାକ୍ତରୀ ପରାମର୍ଶରେ ଏହି ଔଷଧ ଖାଇଥାନ୍ତି । ଯେଉଁ କାରଣରୁ ଭବିଷ୍ୟତରେ କେବେ ବି ସେମାନେ ଗର୍ଭଧାରଣ କରିପାରି ନଥାନ୍ତି । ଏହାସହିତ ଅନ୍ୟାନ୍ୟ ସ୍ବାସ୍ଥ୍ୟ ସମସ୍ୟା ମଧ୍ୟ ଦେଖାଯାଏ । ସରକାରୀ ହସ୍ପିଟାଲଗୁଡିକରେ ଏମିତି ଅନେକ ମାମଲା ଆସେ, ଯେଉଁଥିରେ ଦେଖାଯାଏ ମହିଳାମାନେ ଡାକ୍ତରଙ୍କ ପରାମର୍ଶ ବିନା ଦୀର୍ଘ ଦିନ ଧରି ଗର୍ଭନିରୋଧକ ଔଷଧ ଖାଉଥିଲେ, ଦ୍ବିତୀୟ ଥର ଗର୍ଭଧାରଣ ସମ୍ଭବ ହୋଇପାରେନି । ତେଣୁ ବିଶେଷଜ୍ଞଙ୍କ ପରାମର୍ଶ ନେଇ ଔଷଧ ଗ୍ରହଣ କରିବା ନିରାପଦ ବୋଲି କୁହାଯାଏ ।
ଗର୍ଭନିରୋଧକ ନେଇ ଯୁବବର୍ଗ ମଧ୍ୟରେ କ୍ରମଶଃ ସଚେତନତା ବୃଦ୍ଧି ପାଉଥିଲେ ହେଁ ଏବେ ବି ଏକ ତୃତୀୟାଂଶ ପୁରୁଷ ଭାବନ୍ତି ଯେ, ଗର୍ଭନିରୋଧ ମହିଳାଙ୍କ ବ୍ୟାପାର । ନ୍ୟାସନାଲ ହେଲ୍ଥ ସର୍ଭେ (NFHS-5) ପରିବାର ନିୟୋଜନ ଓ ଗର୍ଭନିରୋଧକ ବ୍ୟବହାରକୁ ନେଇ କିଛି ରୋଚକ ତଥ୍ୟ ସାମ୍ନାକୁ ଆଣିଛି ।
ବର୍ତ୍ତମାନ ମହିଳା ବନ୍ଧ୍ୟାକରଣ (Female Sterilization) ସବୁଠୁ ଲୋକପ୍ରିୟ ଆଧୁନିକ ଗର୍ଭନିରୋଧକ ପଦ୍ଧତି ଭାବେ ରହିଆସିଛି । ଗର୍ଭଧାରଣ ଏଡାଇବା ପାଇଁ 15ରୁ 49 ବର୍ଷର ବିବାହିତା ମହିଳାଙ୍କ ମଧ୍ୟରେ 38 ପ୍ରତିଶତ ବନ୍ଧ୍ୟାକରଣ ଆପଣାଉଛନ୍ତି । 10 ପ୍ରତିଶତ ପୁରୁଷ କଣ୍ଡୋମ ବ୍ୟବହାର କରୁଥିବାବେଳେ 5 ପ୍ରତିଶତ ଗର୍ଭନିରୋଧ ଔଷଧ ସେବନ କରୁଛନ୍ତି । ସେହିପରି 10 ପ୍ରତିଶତ ଲୋକେ ପାରମ୍ପରିକ ପଦ୍ଧତି ବ୍ୟବହାର କରୁଛନ୍ତି । ବିବାହ ପୂର୍ବରୁ ଯୌନ ସମ୍ପର୍କ ରଖୁଥିଲେ ଗର୍ଭଧାରଣ ରୋକିବା ପାଇଁ କଣ୍ଡୋମ ସବୁଠୁ ଅଧିକ ବ୍ୟବହୃତ ହେଉଥିବା ପଦ୍ଧତି (27%) ଭାବେ ରହିଛି । 2015-16ରେ 15ରୁ 49 ବର୍ଷର ବିବାହିତା ମହିଳାଙ୍କ ମଧ୍ୟରେ ଗର୍ଭନିରୋଧକ ହାର 54 ପ୍ରତିଶତ ରହିଥିବାବେଳେ 2019-20ରେ ଏହା 67 ପ୍ରତିଶତକୁ ବୃଦ୍ଧି ପାଇଛି ।
ଗର୍ଭନିରୋଧ ପାଇଁ ଭାରତରେ ପ୍ରଚଳିତ ପଦ୍ଧତି ଓ ଆବଶ୍ୟକତା:
- ମହିଳା ବନ୍ଧ୍ୟାକରଣ
- କଣ୍ଡୋମ
- ଓରାଲ କଣ୍ଟ୍ରାସେପଟିଭ ପିଲ୍
- ସିଲିକନ ଭଜିନାଲ ରିଙ୍ଗ
- ଇଞ୍ଜେକ୍ଟିବୁଲ ହରମୋନାଲ କଣ୍ଟ୍ରାସେପଟିଭ
- କପର୍ ଟି ଇନଟ୍ରାୟୁଟେରିନ ଡିଭାଇସ