ଥିରୁଅନନ୍ତପୁରମ୍: କୋରୋନା ଡର ମନରୁ ନଲିଭୁଣୁ ପୁଣି ସାମ୍ନାକୁ ଆସିଲା ଆଉ ଏକ ଜ୍ବର । କେରଳରେ ଅନେକ ଲୋକ ଏହି ଜ୍ବରରେ ଆକ୍ରାନ୍ତ ହୋଇଥିବା ନେଇ ଖବର ସାମ୍ନାକୁ ଆସିଛି । ଏହାର ନାମ ଓ୍ବେଷ୍ଟ ନାଇଲ ଫିବର ରଖାଯାଇଛି । ବର୍ତ୍ତମାନ ସୁଦ୍ଧା ଏହି ଜ୍ବରର 5ଟି ମାମଲା ରୁଜୁ ହୋଇଛି । ଏହି ଘଟଣା ସାମ୍ନାକୁ ଆସିବା ପରେ ଆଲର୍ଟରେ ରହିଛି କେରଳ ସ୍ବାସ୍ଥ୍ୟ ବିଭାଗ । ମିଳିଥିବା ସୂଚନା ଅନୁସାରେ, ଭାଇରାଲ ସଂକ୍ରମଣ ହେତୁ ଓ୍ବେଷ୍ଟ ନାଇଲ ଫିବର ବ୍ୟାପିବାରେ ଲାଗିଛି ।
କେରଳର ତିନୋଟି ଜିଲ୍ଲାରେ ଏହି ଜ୍ବର ବ୍ୟାପିବାରେ ଲାଗିଛି । ମାଲାପୁରମ, କୋଜିକୋଡ, ତ୍ରିଶୁର ଜିଲ୍ଲାରୁ ଏହି ମାମଲା ସାମ୍ନାକୁ ଆସିଛି । ଏହାପରେ କେରଳରେ ହାଇଆଲର୍ଟ ଜାରି କରିବା ସହିତ ସତର୍କ ରହିବା ପାଇଁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଗତ ସପ୍ତାହରେ ସ୍ବାସ୍ଥ୍ୟ ବିଭାଗର ଉଚ୍ଚସ୍ତରୀୟ ବୈଠକ କରାଯାଇଥିଲା । ଏଥିରେ ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ଭିନା ଗର୍ଗ ମୌସୁମୀ ପୂର୍ବରୁ ସଫାସୁତରା ରହିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । କାର୍ଯ୍ୟକଳାପକୁ ଆହୁରି ଜୋରଦାର କରିବାକୁ ଜିଲ୍ଲା ଚିକିତ୍ସା ଅଧିକାରୀଙ୍କୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି । ମଶା ନିୟନ୍ତ୍ରଣ ଏବଂ ସେମାନଙ୍କ ବଂଶବୃଦ୍ଧି ରୋକିବା ଉପରେ ଗୁରୁତ୍ୱ ଦେଇଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ । ଏହି ଜ୍ବର ପ୍ରଥମେ 1937 ମସିହାରେ ଇଗାଣ୍ଡାରେ ଦେଖାଯାଇଥିଲା ।