ଓଡିଶା

odisha

ETV Bharat / health

ମୃତ୍ୟୁ ପରେ ବି ଦେଖିପାରିବେ ଦୁନିଆ, ରାଜଧାନୀରେ ଚକ୍ଷୁଦାନ ସଚେତନତା - Eye donation awareness - EYE DONATION AWARENESS

National eye donation fortnight 2024: 'ଜାତୀୟ ଚକ୍ଷୁଦାନ ପକ୍ଷ' ଅବସରରେ ଭୁବନେଶ୍ବର ସ୍ଥିତ ଏଲ୍ ଭି ପ୍ରସାଦ ଚକ୍ଷୁ ହସ୍ପିଟାଲ ଓ ଦୃଷ୍ଟି ଦାନ ଆଇ ବ୍ୟାଙ୍କ ପକ୍ଷରୁ ଚକ୍ଷୁଦାନ ନେଇ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ । 15 ଦିନ ଧରି ଜାରି ରହିବ ଏହି କାର୍ଯ୍ୟକ୍ରମ । ଅଧିକ ପଢନ୍ତୁ

ଭୁବନେଶ୍ବରରେ ଚକ୍ଷୁଦାନ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ
ଭୁବନେଶ୍ବରରେ ଚକ୍ଷୁଦାନ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ (ETV Bharat)

By ETV Bharat Health Team

Published : Aug 25, 2024, 5:14 PM IST

Updated : Aug 25, 2024, 5:27 PM IST

ଭୁବନେଶ୍ବର:ଏ ଦୁନିଆକୁ ଅଧିକ ସୁନ୍ଦର କରେ ଚକ୍ଷୁ । ବିନା ଚକ୍ଷୁରେ ସବୁକିଛି ଅନ୍ଧାର । ଜଣଙ୍କ ଚକ୍ଷୁଦାନ ଦ୍ବାରା ଦୁଇ ଜଣ ଦୃଷ୍ଟିହୀନଙ୍କୁ ଦୁନିଆ ଦେଖିବାର ସୁଯୋଗ ମିଳିଥାଏ । ଆମ ଦେଶରେ ଲକ୍ଷ ଲକ୍ଷ ଲୋକ ଦୃଷ୍ଟିହୀନତାର ଶିକାର ଥିବାବେଳେ ଏନେଇ ଚକ୍ଷୁଦାନ ପାଇଁ ଲୋକଙ୍କ ମଧ୍ୟରେ ବ୍ୟାପକ ସଚେତନତା ସୃଷ୍ଟି କରିବାକୁ 'ଜାତୀୟ ଚକ୍ଷୁଦାନ ପକ୍ଷ' ଅବସରରେ ଭୁବନେଶ୍ବର ସ୍ଥିତ ଏଲ୍ ଭି ପ୍ରସାଦ ଚକ୍ଷୁ ହସ୍ପିଟାଲ ଓ ଦୃଷ୍ଟି ଦାନ ଆଇ ବ୍ୟାଙ୍କ ପକ୍ଷରୁ ଆରମ୍ଭ ହୋଇଛି ଅଭିନବ ପ୍ରୟାସ । ରାଜ୍ୟରେ ଚକ୍ଷୁଦାନ ସମ୍ପର୍କରେ ଆହୁରି କିଭଳି ଭାବରେ ସଚେତନତା ବୃଦ୍ଧି କରାଯିବ ସେନେଇ ଆଜି କ୍ୟାପିଟାଲ ହସପିଟାଲରୁ ଆରମ୍ଭ ହୋଇଛି ସଚେତନତା ବାର୍ତ୍ତା । କେବଳ ଭୁବନେଶ୍ବର ନୁହେଁ, ଆସନ୍ତା 15 ଦିନ ପର୍ଯ୍ୟନ୍ତ ସବୁ ଜିଲ୍ଲାରେ ରାଲି ଓ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ସଚେତନତା ବାର୍ତ୍ତା ଦିଆଯିବାର ଯୋଜନା ରହିଛି । ଅଗଷ୍ଟ ୨୫ ତାରିଖ ଅର୍ଥାତ ଆଜିଠାରୁ ସେପ୍ଟେମ୍ବର ୮ ତାରିଖ ପର୍ଯ୍ୟନ୍ତ ଏହି ସଚେତନ କାର୍ଯ୍ୟକ୍ରମ ଜାରି ରହିବ ।

ମୃତ୍ୟୁ ପରେ ବି ଦେଖିପାରିବେ ଦୁନିଆ, ରାଜଧାନୀରେ ଚକ୍ଷୁଦାନ ସଚେତନତା (ETV Bharat Odisha)
ମୃତ୍ୟୁ ପରେ ଚକ୍ଷୁ (ସ୍ବଚ୍ଛପଟଳ) ଦାନ:
  • ଧର୍ମ, ବର୍ଣ୍ଣ, ଲିଙ୍ଗ, ବୟସ କିମ୍ବା ଯେକୌଣସି ରକ୍ତ ଗ୍ରୁପ୍ ନିର୍ବିଶେଷରେ ଯେ କେହି ଚକ୍ଷୁଦାନ କରିପାରିବେ ।
  • ଚଷମା ପିନ୍ଧିଥିବା, ଡାଇବେଟିସ, ଉଚ୍ଚ ରକ୍ତଚାପ ଥିବା କିମ୍ବା ମୋତିଆବିନ୍ଦୁ ଅସ୍ତ୍ରୋପଚାର କରାଯାଇଥିବା ବ୍ୟକ୍ତି ମଧ୍ୟ ଚକ୍ଷୁଦାନ କରିପାରିବେ ।
  • ଗୋଟିଏ ଚକ୍ଷୁଦାନ ଦୁଇ ବା ଅଧିକ କର୍ଣ୍ଣିଆଲ ବ୍ଲାଇଣ୍ଡ ବ୍ୟକ୍ତିଙ୍କ ଦୃଷ୍ଟିଶକ୍ତି ଫେରାଇ ଆଣିପାରିବେ ।
  • ମୃତ ବ୍ୟକ୍ତି ଜୀବନକାଳ ମଧ୍ୟରେ ବିଧିବଦ୍ଧ ଭାବରେ ଚକ୍ଷୁ ଦାନ କରିବା ପାଇଁ ଶପଥ କରିନଥିଲେ ମଧ୍ୟ ଚକ୍ଷୁଦାନ କରିପାରିବେ ।
  • ଆପଣଙ୍କର ଚକ୍ଷୁଦାନ ଇଚ୍ଛା ବିଷୟରେ ଆପଣଙ୍କ ପରିବାରକୁ ଜଣାଇବା ଆବଶ୍ୟକ ।

କିପରି କରିବା ଚକ୍ଷୁଦାନ:

ମୃତ୍ୟୁର ୬ ରୁ ୮ ଘଣ୍ଟା ଭିତରେ ଚକ୍ଷୁ ବାହାର କରାଯାଏ
ଚକ୍ଷୁଦାନ ପାଇଁ ତୁରନ୍ତ ନିକଟବର୍ତ୍ତୀ ଆଇ ବ୍ୟାଙ୍କ ସହିତ ଯୋଗାଯୋଗ କରନ୍ତୁ
କର୍ଣ୍ଣିଆ ବା ଚକ୍ଷୁ ବାହାର ପାଇଁ ୧୫ ରୁ ୨୦ ମିନିଟ ଲାଗିଥାଏ ଏବଂ ଏହା ହସ୍ପିଟାଲ କିମ୍ବା ଘରେ କରାଯାଇପାରିବ ।
ଏହାଦ୍ବାରା ମୃତ ବ୍ୟକ୍ତିର ମୁଖ ବିକୃତ ହୁଏ ନାହିଁ ।
ଉଭୟ ଦାତା ଓ ଅନ୍ୟମାନଙ୍କର ପରିଚୟ ଗୋପନ ରଖାଯିବାକୁ ମଧ୍ୟ ବ୍ୟବସ୍ଥା କରାଯାଇଛି ।

ଚକ୍ଷୁର ଯତ୍ନ ନିଅନ୍ତୁ


ଦାତାଙ୍କର (ମୃତ ବ୍ୟକ୍ତିକର) ଆଖିପତା ମୁଜି ଦିଅନ୍ତୁ ।

ସ୍ୱଚ୍ଛ ପଟଳକୁ ଆଦ୍ର ରଖିବା ପାଇଁ ଆଖି ମୁଜି ପତା ଉପରେ ଓଦା ତୁଳା ରଖନ୍ତୁ ।

ମୁଣ୍ଡ ତଳେ ତକିଆ ରଖି ମୁଣ୍ଡକୁ ୬ ଇଞ୍ଚ ଉପରକୁ ଉଠାଇ ଦେଖନ୍ତୁ ।

ଫ୍ୟାନ୍ ବନ୍ଦ କରିଦିଅନ୍ତୁ, ଫଳରେ ମୃତ ବ୍ୟକ୍ତିଙ୍କର ଆଖି ଶୁଖିଯିବ ନାହିଁ । ଯଦି ସମ୍ଭବ ଘରକୁ ଯେତେ ପାରିବେ ଥଣ୍ଡା ତାପ ନିୟନ୍ତ୍ରଣ ଗୃହରେ ରଖିବା ପାଇଁ ଚେଷ୍ଟା କରନ୍ତୁ ।

ଡାକ୍ତରଙ୍କଠାରୁ ଏକ ମୃତ୍ୟୁ ସାର୍ଟିଫିକେଟ୍ ପ୍ରସ୍ତୁତ ରଖନ୍ତୁ ।

କାହିଁକି ଖରାପ ହୁଏ ଆଖି:


ବିଶେଷ ଭାବରେ ଆଖିରେ କେଞ୍ଚି ହେବା, ବିନ୍ଧାହେବା ଓ କିଛି ସମସ୍ୟା ରହିଥିଲେ ଅନେକ ମାଆମାନେ ମାଆ କ୍ଷୀର କିମ୍ବା ଅନ୍ୟାନ୍ୟ ଜିନିଷ ବ୍ୟବହାର କରିଥାନ୍ତି । ତାହାକୁ ସମ୍ପୂର୍ଣ୍ଣ ରୂପେ ବାରଣ କରାଯାଇଛି । ଯଦି ଆଖିରେ କିଛି ସମସ୍ୟା ଦେଖାଯାଉଛି ତେବେ ଉପଯୁକ୍ତ ଡାକ୍ତରଙ୍କ ପରାମର୍ଶ କରି ଔଷଧ ପକାନ୍ତୁ ଏବଂ ସେବନ କରନ୍ତୁ । ଛୋଟ ପିଲାମାନେ ଖେଳିବା ବେଳେ କିମ୍ବା ଗାଡ଼ିରେ ଯିବାବେଳେ ଅନେକ ସମୟରେ ଧୂଳି ଧୂଆଁ ଆଖିରେ ବାଜିଥାଏ । ଏମିତିରେ ବିନା ଡାକ୍ତରଙ୍କ ପରାମର୍ଶରେ କୌଣସି ଔଷଧ ନଖାଇବା ଉଚିତ୍ ବୋଲି କହିଛନ୍ତି ଦୃଷ୍ଟି ଦାନ ଆଇ ବ୍ୟାଙ୍କ ମ୍ୟାନେଜର ଜ୍ୟୋତିର୍ମୟୀ ମହାନ୍ତି ।

ଏହା ମଧ୍ୟ ପଢନ୍ତୁ: ଜାତୀୟ ଚକ୍ଷୁଦାନ ପକ୍ଷ 2024; ଜଣଙ୍କ ଆଖି ଦୁଇ ଜଣଙ୍କୁ ଦିଏ ନୂଆ ଜୀବନ - National Eye Donation Fortnight

ଦୃଷ୍ଟି ଦାନର ସେକ୍ରେଟାରୀ ନଳିନୀ ଶର୍ମା କହିଛନ୍ତି, "ଗୋଟେ ଛୋଟ ପିଲାଠାରୁ ଆରମ୍ଭ କରି ମୃତ୍ୟୁ ପର୍ଯ୍ୟନ୍ତ ଆଖି ଗୁରୁତ୍ବପୂର୍ଣ୍ଣ । ଦେଶରେ ପ୍ରତ୍ୟେକ ଦିନ ଲକ୍ଷ ଲକ୍ଷ ଲୋକଙ୍କ ଆଖି ଚାଲିଯାଉଛି । ଚକ୍ଷୁ ପାଇଁ ଲୋକମାନେ ଡହଳ ବିକଳ ହେଉଛନ୍ତି । କିନ୍ତୁ ଯେତିକି ଚକ୍ଷୁ ଆବଶ୍ୟକତା ରହିଛି, ତାହା ରାଜ୍ୟ କିମ୍ବା ଦେଶରେ ସଂଗ୍ରହ ହୋଇପାରୁନାହିଁ । ତେଣୁ ଲୋକମାନଙ୍କ ମଧ୍ୟରେ ଅଧିକରୁ ଅଧିକ ସଚେତନତା ପ୍ରସାର କରିବା ଆବଶ୍ୟକ ।''

ଏନେଇ ଜ୍ୟୋତିର୍ମୟୀ ମହାନ୍ତି କହିଛନ୍ତି ଯେ, ଅଙ୍ଗଦାନ ଓ ଚକ୍ଷୁଦାନ ମଧ୍ୟରେ ବହୁତ ତଫାତ୍ । ଜଣେ ବ୍ୟକ୍ତି ବ୍ରେନଷ୍ଟ୍ରୋକ ବା ବ୍ରେନ୍ ଡେଡ୍ ହୋଇଗଲେ ତାଙ୍କର ପରିବାରର ଇଚ୍ଛା ମୁତାବକ ସେମାନେ ଅଙ୍ଗଦାନ କରିପାରିବେ । ଅନେକ ଅଙ୍ଗ ରହିଛି ଯାହା ମୃତ୍ୟୁ ପରେ ମଧ୍ୟ ଅଧିକ ସମୟ ଧରି ସୁରକ୍ଷିତ ଭାବରେ ରହିପାରିବ । କିନ୍ତୁ ଚକ୍ଷୁଦାନ ତାହା ନୁହେଁ ଯାହା ଲୋକମାନେ ଭାବୁଛନ୍ତି । ଲୋକମାନଙ୍କ ମଧ୍ୟରେ ଏକ ଭ୍ରାନ୍ତ ଧାରଣା ରହିଛି ଯେ ସମ୍ପୂର୍ଣ୍ଣ ଭାବରେ ଆଖିକୁ ବାହାର କରାଯିବ । କିନ୍ତୁ ସମ୍ପୂର୍ଣ୍ଣ ଆଖି ନୁହେଁ ଆଖି ଉପରେ ଥିବା ଏକ ପତଳା ସ୍ତରକୁ ବାହାର କରାଯିବ । ଯାହା ମାଧ୍ୟମରେ ଅନ୍ୟ ଜଣେ ବ୍ୟକ୍ତି ଦୁନିଆକୁ ଦେଖିପାରିବ ।''


ଇଟିଭି ଭାରତ, ଭୁବନେଶ୍ବର

Last Updated : Aug 25, 2024, 5:27 PM IST

ABOUT THE AUTHOR

...view details