ଭୁବନେଶ୍ବର: ଶିଶୁ ପାଇଁ ମାଆ କ୍ଷୀର ଅମୃତ ସମାନ । ଏହା ନବଜାତ ଶିଶୁକୁ ବଳିଷ୍ଠ କରିଥାଏ । ଶିଶୁଟିଏ ଜନ୍ମ ପରେ ପରେ ପ୍ରଥମେ ମାଆର ଛାତି ଉପରେ ଶିଶୁକୁ ପ୍ରସବ କକ୍ଷରେ ଶୁଆଇ ଦିଆଯାଏ । ଆଉ ଏହିଠାରୁ ହିଁ ଆରମ୍ଭ ହୋଇଥାଏ ସ୍ତନ୍ୟପାନ । ଏହା ଶିଶୁକୁ କେବଳ ଘାତକ ରୋଗରୁ ସୁରକ୍ଷା ଦିଏନାହିଁ ବରଂ ମାତୃ ଗର୍ଭର ସୁରକ୍ଷାଚକ୍ରରୁ ବାହ୍ୟ ପରିବେଶରେ ସୁସ୍ଥ ଭାବରେ ବଞ୍ଚି ରହିବା ପାଇଁ ଶିଶୁକୁ ସମସ୍ତ ପ୍ରକାର ଉପାଦାନ ଯୋଗାଇ ଦେଇଥାଏ । ଶିଶୁ ଜନ୍ମ ହେବା ମାତ୍ରେ ହିଁ ତାକୁ ମାଆ କ୍ଷୀର ଖୁଆଇବା ଉଚିତ । ମାଆ କ୍ଷୀରରେ ବିଭିନ୍ନ ପୋଷକତତ୍ୱ ସହିତ ବହୁ ପରିମାଣର କୋଲଷ୍ଟ୍ରମ୍ ରହିଥାଏ, ଯାହାକି ଶିଶୁକୁ ରୋଗମୁକ୍ତ କରିଥାଏ । ସ୍ବାସ୍ଥ୍ୟ ବିଶେଷଙ୍କଙ୍କ ଅନୁସାରେ, ୬ ମାସ ପର୍ଯ୍ୟନ୍ତ କେବଳ ମାଆ କ୍ଷୀର ପିଉଥିବା ଶିଶୁ ବାହାର ଖାଦ୍ୟ ଖାଉଥିବା ଶିଶୁଙ୍କ ଠାରୁ ଅଧିକ ସୁସ୍ଥ ଓ ନିରୋଗ ରହିଥାନ୍ତି ।
Benefits Of Breastmilk Feeding (ETV Bharat Odisha) ମାଆ କ୍ଷୀର ଛୋଟ ଛୁଆ ପାଇଁ କେତେ ଜରୁରୀ:
Breastmilk Feeding (getty) ଶିଶୁ ଜନ୍ମ ହେବା ପର ଠାରୁ ପ୍ରାୟ 2 ବର୍ଷ ପର୍ଯ୍ୟନ୍ତ ମାଆ କ୍ଷୀର ଖାଇପାରିବ । କାର୍ଯ୍ୟ ବ୍ୟସ୍ତତା ହେଉ କିମ୍ବା ଅନ୍ୟ କୌଣସି କାରଣ ପାଇଁ ବିଭିନ୍ନ ସମୟରେ ନବଜାତ ଶିଶୁ କାନ୍ଦିଲେ ତାକୁ ପରିବାର ଲୋକ ବାହାର କ୍ଷୀର ଦେଇଥାନ୍ତି । ବିଶେଷ ଭାବରେ ନବଜାତ ଶିଶୁକୁ ବାହାର କ୍ଷୀର ଦେବା ଆଦୌ ଠିକ ନୁହେଁ । ଯଥା ସମ୍ଭବ ବାହାର କ୍ଷୀର ଠାରୁ ଶିଶୁକୁ ଦୂରେଇ ରଖିବା ଆବଶ୍ୟକ । ମାଆ କ୍ଷୀର କେବଳ ଶିଶୁର ବିକାଶ କରିଥାଏ ତାହା ନୁହେଁ ବରଂ ଏହା ଶିଶୁଙ୍କୁ ବିଭିନ୍ନ ରୋଗରୁ ରକ୍ଷା କରିଥାଏ । ଏହା ସହ ମାଆ କ୍ଷୀର ଶିଶୁଙ୍କୁ ବିଭିନ୍ନ ସଂକ୍ରମଣରୁ ରକ୍ଷା କରିଥାଏ । ମାଆ କ୍ଷୀରରେ ଥିବା ଏକ ଉପାଦାନ ନବଜାତ ଶିଶୁଙ୍କୁ କ୍ଷତିକାରକ ବ୍ୟାକ୍ଟେରିଆ କବଳରୁ ରକ୍ଷା କରିଥାଏ ।
ଗର୍ଭବତୀ ମହିଳାଙ୍କ ଠାରେ ଦେଖାଦେଉଥିବା ଏକ ପ୍ରକାର ବ୍ୟାକ୍ଟେରିଆ ନବଜାତ ଶିଶୁମାନଙ୍କ ଦେହରେ ବିଶେଷ ଭାବରେ ସଂକ୍ରମଣ ସୃଷ୍ଟି କରିଥାଏ । ଯାହା ଦ୍ଵାରା କି ନବଜାତ ଶିଶୁଙ୍କ ମଧ୍ୟରେ ନିମୋନିଆ ଭଳି ଗୁରୁତର ରୋଗ ହେବାର ସମ୍ଭାବନା ଦେଖିବାକୁ ମିଳିଥାଏ । ତେବେ ଏହି ସଂକ୍ରମଣ ଦିନକୁ ଦିନ ବଢିବା କାରଣରୁ ଏଥିରେ ଅନେକ ଶିଶୁଙ୍କର ମଧ୍ୟ ମୃତ୍ୟୁ ହେବାର ସମ୍ଭାବନା ଦେଖାଯାଏ । ଏହି ସମୟରେ ବିଶେଷ ଭାବରେ ନବଜାତ ଶିଶୁଙ୍କ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି କମ ଥାଏ ।
Breastmilk Feeding (getty) ମାଆ କ୍ଷୀରର ଫାଇଦା: ମାଆ କ୍ଷୀରରେ ସମସ୍ତ ପ୍ରକାର ନ୍ୟୁଟ୍ରିସନ ରହିଥାଏ । ଗୋଟିଏ ଶିଶୁ ପାଇଁ ଆବଶ୍ୟକ ପୋଷକ ତତ୍ତ୍ଵ ମାଆ କ୍ଷୀରରେ ଥାଏ । ଯାହାକି ଶିଶୁର ମାନସିକ ଓ ଶାରୀରିକ ବିକାଶ ଏବଂ ବୁଦ୍ଧିର ବିକାଶ କ୍ଷେତ୍ରରେ ସାହାଯ୍ୟ କରିଥାଏ । ୬ ମାସ ମଧ୍ୟରେ ଗୋଟିଏ ଶିଶୁକୁ ଆବଶ୍ୟକ ଥିବା କାର୍ବୋ ହାଇଡ୍ରେଟ, ଫ୍ୟାଟ, ପ୍ରୋଟିନ ଓ ମାଇକ୍ରୋ ନ୍ୟୁଟ୍ରିଏଣ୍ଟ ମାଆ କ୍ଷୀରରେ ରହିଥାଏ । ଶିଶୁଟି ନିୟମିତ ମାଆ କ୍ଷୀର ଖାଉଥିଲେ ତା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଏ । ଯାହାକି ବିଭିନ୍ନ ପ୍ରକାର ସଂକ୍ରମଣରୁ ତାକୁ ରକ୍ଷା କରିଥାଏ । ବିଶେଷକରି ମାଆ କ୍ଷୀରରେ ଥିବା ଇମ୍ୟୁନୋ ଗ୍ଲୋବିନ, ଲାକ୍ଟୋଫେରିନ, ମାକ୍ରୋ ପେଜେସ୍ ଶିଶୁକୁ ସଂକ୍ରମଣରୁ ଫାଇଟ୍ କରିବାରେ ସାହାଯ୍ୟ କରିଥାଏ । ପିଲାର ଜନ୍ମ ପରେ ଯେଉଁ ସବୁ ବିକାଶ ହେବା କଥା ତାହା ମାଆ କ୍ଷୀରରୁ ହିଁ ହୋଇଥାଏ ।
ସ୍ତନପାନ କରିବାର ଠିକ୍ ସମୟ:ଶିଶୁ ଜନ୍ମ ହେବାର ୬ ମାସ ଯାଏଁ କେବଳ ମାଆ କ୍ଷୀର ଖାଇବା ଆବଶ୍ୟକ । ମାଆ କ୍ଷୀର ବ୍ୟତୀତ ପାଣି ମଧ୍ୟ ଦିଆଯିବା ଅନୁଚିତ । ପରବର୍ତ୍ତୀ ସମୟରେ ୨ରୁ ଅଢ଼େଇ ବର୍ଷ ପର୍ଯ୍ୟନ୍ତ ଶିଶୁକୁ ମାଆ କ୍ଷୀର ଦେଇହେବ । ୬ ମାସ ପରେ ଶିଶୁକୁ କାର୍ବୋହାଇଡ୍ରେଟ ଥିବା ଖାଦ୍ୟ ଦେବା ଆରମ୍ଭ କରାଯାଇଥାଏ । ଶିଶୁକୁ ଧାନରୁ ହେଉଥିବା ଖାଦ୍ୟ କିଛି ପରିମାଣରେ ଦିଆଯାଇଥାଏ । ସବୁ ପ୍ରକାର ପନିପରିବା, ଫଳ ସହ ଡାଲି, ଚାଉଳ ମିଶାଇ ଖେଚୁଡ଼ି ପ୍ରସ୍ତୁତ ଜରି ଶିଶୁକୁ ଦିଆଯାଇ ପାରିବ ।
ମାଆ କ୍ଷୀର କମ କିମ୍ବା ବିଲ୍କୁଲ୍ ଖାଉନଥିଲେ:
ଯେଉଁ ଶିଶୁ ମାଆ କ୍ଷୀର କମ୍ ପରିମାଣର ଖାଇ ବାହାର ଖାଦ୍ୟ ଅଧିକା ଖାଇଥାନ୍ତି ସେମାନଙ୍କ ଶୀଘ୍ର ଓଜନ ବଢ଼ିଥାଏ । କାରଣ ବାହାର ଖାଦ୍ୟରେ ସୁଗାର ପରିମାଣ ଅଧିକ ଥାଏ । ପରବର୍ତ୍ତୀ ସମୟରେ ଶିଶୁଟି ମୋଟପଣ (ଓବେସିଟି)ର ଶିକାର ହେବାର ସମ୍ଭାବନା ଅଧିକ ରହିଥାଏ । ସେହିପରି ଏହି ଶିଶୁମାନଙ୍କର ଆଲର୍ଜି ବହୁତ ହୋଇଥାଏ । ଶ୍ଵାସରୋଗ ହେବାର ମଧ୍ୟ ସମ୍ଭାବନା ଅଧିକ ରହିଥାଏ । ଏହା ବ୍ୟତୀତ ଥଣ୍ଡା, ଜ୍ଵର, କାଶ, ଖଡ଼ାବାନ୍ତି ଆଦି ହେବାର ମଧ୍ୟ ଅଧିକ ସମ୍ଭାବନା ରହିଥାଏ ।
ଏହା ମଧ୍ୟ ପଢ଼ନ୍ତୁ...ସାନିଟାରୀ ପ୍ୟାଡକୁ ବାଏ ବାଏ, ଏବେଠୁ ମେନଷ୍ଟ୍ରୁରାଲ କପ୍, ଥରେ କିଣିଲେ ୧୦ ବର୍ଷ ଯାଏଁ ନାହଁ ଟେନସନ୍ - Menstrual Cups use and Benefit
ମାଆ ଦେହରେ ରୋଗ ଥିଲେ ପିଲାଙ୍କ ଉପରେ କଣ ପ୍ରଭାବ ପଡ଼ିବ ?
ମାଆ କୌଣସି ରୋଗରେ ପୀଡିତ ହେଲେ ବା ଔଷଧ ଖାଇଲେ ଏହାର ପ୍ରଭାବ ମାଆ କ୍ଷୀରରେ ଆସେ ନାହିଁ । ନବଜାତ ଶିଶୁ ଜନ୍ମ ହେବା ମାତ୍ରେ ମାଆମାନେ ଭଲ ଭାବରେ ପ୍ରୋଟିନ ଓ ସୁଷମା ଜାତୀୟ ଖାଦ୍ୟ ଖାଇବା ଆବଶ୍ୟକ । ଶିଶୁଟି ଜନ୍ମ ପରେ ମାଆ ଅଧିକ ଖାଇବା ଆବଶ୍ୟକ । ଯାହା ନିଜ ପାଇଁ ଆଉ ଶିଶୁ ପାଇଁ ମଧ୍ୟ ଗୁରୁତ୍ବ । ମାଆ କ୍ଷୀର ବଦଳରେ ଡବା କ୍ଷୀର ବା ଅନ୍ୟ କ୍ଷୀର ଦେଲେ ଶିଶୁଙ୍କ ଦେହରେ ଇନ୍ଫେକ୍ସନ ହେବାର ଆଶଙ୍କା ଅଧିକ ରହିଛି । ଗୋଟିଏ ମାଆ ଶିଶୁଟିକୁ କ୍ଷୀର ଦେଲା ସମୟରେ ସ୍ବଚ୍ଛ ଭାବରେ ରହିବା ସହ ପରିଷ୍କାର ପରିଚ୍ଛନତା ପ୍ରତି ଧ୍ୟାନ ଦେବା ଆବଶ୍ୟକ ।
ଇଟିଭି ଭାରତ, ଭୁବନେଶ୍ବର