ହାଇଦ୍ରାବାଦ:ଏକ ନୂଆ ଅଧ୍ୟୟନରୁ ଜଣାପଡିଛି ଯେ, କିଛି ଖାଦ୍ୟ ମଣିଷର ମୃତ୍ୟୁ ଆଶଙ୍କା ବଢାଏ । ଏଥିରେ ହୃଦରୋଗ, ଷ୍ଟ୍ରୋକ ଓ ଟାଇପ୍-2 ଡାଇବେଟିସ୍ ହେବାର ସମ୍ଭାବନା ଅଧିକ ଥାଏ । ତେଣୁ ନିଜକୁ ସୁସ୍ଥ ରଖିବାକୁ ହେଲେ କେମିତି ନିଜ ଖାଦ୍ୟ ଅଭ୍ୟାସରେ ପରିବର୍ତ୍ତନ କରିବେ, ସେନେଇ ବିଶେଷଜ୍ଞ ପରାମର୍ଶ ଦେଇଛନ୍ତି । ବିଶେଷଜ୍ଞଙ୍କ ଅନୁସାରେ, ନିଜ ଡାଏଟରେ ଫଳ, ପନିପରିବା, ଶସ୍ୟ, ଚର୍ବି ମୁକ୍ତ ଓ ଲୋ ଫ୍ୟାଟ ଥିବା ଦୁଗ୍ଧଜାତ ପଦାର୍ଥ ସାମିଲ କରନ୍ତୁ । ଏଥିସହ ପତାଳ ମାଂସ ଟୁକୁଡା (lean meats), ଚିକେନ, ମାଛ, ଅଣ୍ଡା ଓ ବାଦାମ ମଧ୍ୟ ଖାଇପାରିବେ ।
NIH ବୈଜ୍ଞାନିକମାନେ କହିଛନ୍ତି, ଭୋଜନ ସହ ଜଡିତ 10ଟି ଉପାଦାନ ହୃଦରୋଗ, ଷ୍ଟ୍ରୋକ ଓ ଟାଇପ-2 ଡାଇବେଟିସ୍ ଭଳି ରୋଗ ସୃଷ୍ଟି କରିଥାଏ, ଯାହା ଆପଣଙ୍କୁ ମୃତ୍ୟୁମୁଖରେ ପକାଏ । ଏହାକୁ କାର୍ଡିଓମେଟାବୋଲିକ ରୋଗ (cardiometabolic diseases) କହନ୍ତି । ଏହି ବୈଜ୍ଞାନିକ ଟିମ୍ CDCର ଜାତୀୟ ସ୍ବାସ୍ଥ୍ୟ ଓ ପୋଷଣ ପରୀକ୍ଷା ସର୍ବେକ୍ଷଣ (NHANES) ଓ ଜାତୀୟ ମୃତ୍ୟୁଦର (national mortality) ତଥ୍ୟ ଉପରେ ଆଧାର କରି ଏହି ବିଶ୍ଲେଷଣ କରିଥିଲେ ।
ଏଥିରୁ ବୈଜ୍ଞାନିକମାନେ ଜାଣିବାକୁ ପାଇଥିଲେ ଯେ, ସୋଡିୟମ, ପ୍ରୋସେସଡ ମାଂସ (ସସେଜେସ୍, ହଟ ଡଗ୍, ଚିକେନ ନଗେଟ୍ସ, ମାଂସ ଭିତ୍ତିକ ସସ୍ ପ୍ରଭୃତି), ଶର୍କରା ଯୁକ୍ତ ପାନୀୟ ପଦାର୍ଥ (ସୋଡା, ଫ୍ରୁଟ ଡ୍ରିଙ୍କ, ଏନର୍ଜି ଡ୍ରିଙ୍କ, କଫି, ଚା) ଓ ଅନପ୍ରୋସେସଡ ଲାଲ୍ ମାଂସ (ମଟନ, ପୋର୍କ, ଲ୍ୟାମ୍ବ) ଅତ୍ୟଧିକ ଖାଇବା ଦ୍ବାରା ଡାଇବେଟିସ, ଷ୍ଟ୍ରୋକ ଓ ହୃଦରୋଗ ଆଶଙ୍କା ଅଧିକ ଥାଏ ।
ସେହିପରି ବାଦାମ ଓ ମଞ୍ଜି (କଖାରୁ, ସୂର୍ଯ୍ୟମୁଖୀ, ସିସେମ ଇତ୍ୟାଦି), ସିଫୁଡ୍ ଓମେଗା-3 ଫ୍ୟାଟ୍ସ, ସବୁଜ ପନିପରିବା, ଫଳ, ପଲିଅନସାଚୁରେଟଡ ଫ୍ୟାଟ (polyunsaturated fats) ଭଳି ଖାଦ୍ୟ ଯଥେଷ୍ଟ ପରିମାଣରେ ଖାଉନଥିବା ଲୋକେ ମଧ୍ୟ ଏହିସବୁ ରୋଗରେ ପୀଡିତ ହୋଇ ମୃତ୍ୟୁମୁଖରେ ପଡିବାର ସମ୍ଭାବନା ଅଧିକ ରହିଛି ।