Heart healthy foods: ହାର୍ଟହାଟାକ୍ ବା ହୃଦଘାତ ଆଜିକାଲି ଅତି ସାଧାରଣ ହୋଇଗଲାଣି । ଖାଇବା, ଖେଳିବା, ଚାଲିବା, ଅଫିସରେ କାମ କରିବା ସମୟରେ ଲୋକେ ହୃଦଘାତରେ ଟଳି ପଡୁଥିବାର ଅନେକ ଘଟଣା ଆପଣ ସୋସିଆଲ ମିଡିଆରେ ଦେଖୁଥିବେ । ସବୁଠୁ ଉଦବେଗଜନକ ବିଷୟ ହେଲା, କେବଳ ବୟସ୍କ ନୁହଁନ୍ତି ଏବେ ଯୁବାବସ୍ଥାରେ ଅଧିକ ସଂଖ୍ୟକ ଲୋକେ ହୃଦଘାତର ଶିକାର ହୋଇ ଜୀବନ ହରାଉଥିବା ଦେଖାଯାଉଛି । NCRB (National crime records bureau) ଅନୁସାରେ 2022ରେ ଭାରତରେ 32,457 ଲୋକଙ୍କ ହୃଦଘାତରେ ମୃତ୍ୟୁ ଘଟିଥିଲା। ଏହି ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ଏଥିପାଇଁ ଦାୟୀ- ଆମର ଜୀବନଶୈଳୀ, ଖାଦ୍ୟପେୟ ଓ ଶାରିରୀକ ଗତିବିଧିର ଅଭାବ । ସେହିପରି ହାଇ କୋଲେଷ୍ଟ୍ରଲ, ବ୍ଲଡପ୍ରେସର, ଡାଇବେଟିସ୍ ରୋଗ, ମେଦବହୁଳତା ଏବଂ ଧୂମ୍ରପାନ ଅଭ୍ୟାସ ରହିଥିଲେ ହାର୍ଟଆଟାକ୍ ଆଶଙ୍କା ଅଧିକ ଥାଏ । ତେବେ ଆପଣ ନିଜ ଖାଦ୍ୟପେୟ ଓ ଜୀବନଶୈଳୀରେ ପରିବର୍ତ୍ତନ କରି ହୃଦରୋଗ ଆଶଙ୍କା କମାଇପାରିବେ ।
ଆଜି ଆମେ ଆପଣଙ୍କ କହିବୁ ହୃଦୟକୁ ସୁସ୍ଥ ରଖିବା ଲାଗି କେଉଁ ଖାଦ୍ୟ ଖାଇବା ଉଚିତ୍ ।
ସବୁଜ ପନପରିବା:ଶରୀରକୁ ସୁସ୍ଥ ରଖିବା ପାଇଁ ନିଜ ଖାଦ୍ୟପେୟ ପ୍ରତି ଅଧିକ ଯତ୍ନବାନ ହେବା ଜରୁରୀ । ଏଥିପାଇଁ ସ୍ବାସ୍ଥ୍ୟ ବିଶେଷଜ୍ଞ ସବୁଜ ତଟକା ପନିପରିବା ଓ ଫଳମୂଳ ଖାଇବାକୁ ପରାମର୍ଶ ଦେଇଥାନ୍ତି । ତେବେ ହୃଦୟକୁ ସୁସ୍ଥ ରଖିବାକୁ ଚାହୁଁଥିଲେ ସବୁଜ ପତ୍ର ଭିତ୍ତିକ ପରିବା ଯେମିତିକି ପାଳଙ୍ଗ, ବ୍ରୋକଲି, ପତ୍ରକୋବି ଏବଂ ଗାଜର ଖାଇବା ଉଚିତ୍ ।
ଫଳ: ସାଧାରଣତଃ ଫଳରୁ ଅନେକ ଜରୁରୀ ପୋଷକ ତତ୍ତ୍ବ ମିଳିଥାଏ, ଯାହା ଆମ ଶରୀରକୁ ଫିଟ୍ ରଖେ ଏବଂ ବିଭିନ୍ନ ରୋଗରୁ ସୁରକ୍ଷା ଦିଏ । ହୃଦୟ ସ୍ବାସ୍ଥ୍ୟ ପାଇଁ ସେଓ, କଦଳୀ, କମଳା, ଅଙ୍ଗୁର ଆଦି ଫଳ ଖାଇବା ଉଚିତ୍ । ସକାଳେ ଓ ସନ୍ଧ୍ୟାରେ ଆପଣ ଏହି ଫଳ ଖାଇପାରିବେ ।
ହୋଲ୍ଗ୍ରେନ: ପୂର୍ଣ୍ଣରୂପେ ଥିବା ଶସ୍ୟ ବା ହୋଲଗ୍ରେନ ଯେପରିକି ଓଟସ୍, ବ୍ରାଉନ ରାଇସ୍, ମିଲେଟ୍, ହୋଲଗ୍ରେନ ବ୍ରେଡ ପ୍ରଭୃତି ଖାଦ୍ୟ ହୃଦୟ ପାଇଁ ଭଲ । ଏଥିରେ କାର୍ବୋହାଇଡ୍ରେଟ ସହ ଡାଏଟାରୀ ଫାଇବର, ବିଭିନ୍ନ ଭିଟାମିନ ଓ ଆଇରନ, ମ୍ୟାଗ୍ନେସିୟମ, ସେଲେନିୟମ ଭଳି ଖଣିଜ ସାର ରହିଥାଏ ।
ନନ୍ ଫ୍ୟାଟ୍ ଏବଂ ଲୋ ଫ୍ୟାଟ୍ ଡାଏରୀ: ଫ୍ୟାଟ ଫ୍ରି (ଚର୍ବି ମୁକ୍ତ ) କିମ୍ବା କମ୍ ଫ୍ୟାଟ୍ ଥିବା କ୍ଷୀର ଜାତୀୟ ଖାଦ୍ୟ ଖାଇବାକୁ ଡାକ୍ତର ପରାମର୍ଶ ଦିଅନ୍ତି । ଏଥିରେ ଆପଣ କ୍ଷୀର, ଦହି, ଚିଜ୍ ପ୍ରଭୃତି ଖାଇପାରିବେ ।