ଓଡିଶା

odisha

ପୁଅଙ୍କୁ ଗାଇନାକୋମାଷ୍ଟିଆ ବିପଦ; ଜାଣନ୍ତୁ କ'ଣ ଏହି ରୋଗ, କେମିତି ହୁଏ ଚିକିତ୍ସା ? - Gynecomastia disease

By ETV Bharat Health Team

Published : Aug 28, 2024, 11:07 AM IST

Updated : Aug 28, 2024, 5:04 PM IST

Gynecomastia disease: ଅନେକ ପୁଅଙ୍କ ଅସ୍ବାଭାବିକ ଭାବେ ସ୍ତନ ବୃଦ୍ଧି ପାଇଥାଏ । ତେବେ ଏହି ସ୍ତନ ବଢିବାର କାରଣ କେବଳ ମୋଟାପଣ ହୋଇନପାରେ । ଏହା ଏକ ରୋଗ, ଯାହାକୁ 'ଗାଇନାକୋମାଷ୍ଟିଆ' କୁହନ୍ତି । ଅନେକ ଲଜ୍ଜାବଶତଃ ଏ ସମ୍ପର୍କରେ କାହାକୁ କହିପାରନ୍ତିନି ତ ଆଉ କେହି ଚିକିତ୍ସା କରନ୍ତିନି । ତେବେ ପଢନ୍ତୁ କ'ଣ ଏହି ରୋଗ ? କାହିଁକି ହୁଏ ଓ କେମିତି କରିବେ ଚିକିତ୍ସା ?

ପୁଅଙ୍କୁ ଗାଇନାକୋମାଷ୍ଟିଆ ବିପଦ; ଜାଣନ୍ତୁ କ'ଣ ଏହି ରୋଗ, କେମିତି ହୁଏ ଚିକିତ୍ସା ?
ପୁଅଙ୍କୁ ଗାଇନାକୋମାଷ୍ଟିଆ ବିପଦ; ଜାଣନ୍ତୁ କ'ଣ ଏହି ରୋଗ, କେମିତି ହୁଏ ଚିକିତ୍ସା ? (ETV Bharat)


ଭୁବନେଶ୍ବର: ପୁରୁଷଙ୍କ ଅସ୍ବାଭାବିକ ସ୍ତନ ବୃଦ୍ଧିକୁ 'ଗାଇନାକୋମାଷ୍ଟିଆ' କୁହନ୍ତି । ଅନେକ ହୁଏତ ଏହି ରୋଗର ନାଁ ପୂର୍ବରୁ କେବେ ଶୁଣିନଥିବେ । ଆଜିର ପରିବର୍ତ୍ତିତ ଜୀବନଶୈଳୀ ଓ ଖରାପ ଖାଦ୍ୟାଭାସ ଯୋଗୁଁ ଅଧିକ ସଂଖ୍ୟାରେ କିଶୋର ଏହି ଗାଇନାକୋମାଷ୍ଟିଆ ରୋଗ କବଳରେ ପଡୁଛନ୍ତି । ମାତ୍ର ଅନେକ ପୁଅ ଲାଜବଶତଃ ଏହାର ଚିକିତ୍ସା କରିବା ପାଇଁ ସଙ୍କୋଚ କରୁଛନ୍ତି । ଯାହାକି ଭବିଷ୍ୟତରେ ସାଂଘାତିକ ହୋଇପାରେ । ଗାଇନାକୋମାଷ୍ଟିଆ ହେଉଛି ଗାଇନୋ ଅର୍ଥ ମହିଳା, ମାଷ୍ଟିଆ ଅର୍ଥ ବ୍ରେଷ୍ଟ । ଝିଅମାନଙ୍କ ଭଳି ପୁଅମାନଙ୍କ କ୍ଷେତ୍ରରେ ସ୍ତନର ବୃଦ୍ଧି ଘଟିବାକୁ ଗାଇନାକୋମାଷ୍ଟିଆ କୁହାଯାଏ । କେବଳ ସହରାଞ୍ଚଳ ପିଲା ନୁହନ୍ତି ଗାଁ ପିଲାଙ୍କ କ୍ଷେତ୍ରରେ ମଧ୍ୟ ଏହା ଦେଖିବାକୁ ମିଳୁଛି ।

ପୁଅଙ୍କୁ ଗାଇନାକୋମାଷ୍ଟିଆ ବିପଦ; ଜାଣନ୍ତୁ କ'ଣ ଏହି ରୋଗ, କେମିତି ହୁଏ ଚିକିତ୍ସା ? (ETV Bharat)
ଗାଇନାକୋମାଷ୍ଟିଆ କ'ଣ:

ଡାକ୍ତର ଅକ୍ଷୟ କୁମାର ରାଉତ, ''ଗାଇନାକୋମାଷ୍ଟିଆ ହେଉଛି ଏକ ରୋଗ, ଏଥିରେ ପୁରୁଷଙ୍କ ସ୍ତନ ଟିସୁରେ ଅସ୍ୱାଭାବିକ ବୃଦ୍ଧି ଘଟିଥାଏ । ଏହା ଗୋଟିଏ କିମ୍ବା ଉଭୟ ସ୍ତନରେ ଦେଖାଯାଇପାରେ । ମାତ୍ର ପୁଅମାନେ ଏହାର ଚିକିତ୍ସା ପାଇଁ ସଙ୍କୋଚ କରିବା ସହ ଅବହେଳା କରିଥାନ୍ତି । କିନ୍ତୁ ଏହି ରୋଗ ହେଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବା ଆବଶ୍ୟକ । ଗାଇନାକୋମାଷ୍ଟିଆ ଯେକୌଣସି ବୟସର ଲୋକଙ୍କ ଶରୀରରେ ଦେଖାଯାଇପାରେ । କିନ୍ତୁ ବିଶେଷଭାବେ କିଶୋରଙ୍କ ମଧ୍ୟରେ ଅଧିକ ଦେଖିବାକୁ ମିଳେ ।''

କେଉଁ ବୟସରେ ହୁଏ ଗାଇନାକୋମାଷ୍ଟିଆ:

ଗାଇନାକୋମାଷ୍ଟିଆରେ ଛୋଟ ବୟସରୁ କିଶୋର ଅବସ୍ଥାକୁ ଯିବା ସମୟରେ ପୁଅଙ୍କର ସ୍ତନରେ ପରିବର୍ତ୍ତନ ହୋଇଥାଏ । ଯୁବାବସ୍ଥାରେ ଏହି ରୋଗ ଅଧିକ ଦେଖାଯାଉଛି । ଯେଉଁଥିରେ ୧୨ରୁ ୧୮ ବର୍ଷ ବୟସର ପୁଅ ପିଲାଙ୍କ ସ୍ତନର ଆକାର ବଢ଼ିଥାଏ । ଏହା ଫୁଲିଯିବା ସହ ଦରଜ ହୋଇଥାଏ । ସ୍ତନ ଆକାର ବୃଦ୍ଧି ହେବାର ୬ ମାସରୁ ୧ ବର୍ଷ ମଧ୍ୟରେ ଔଷଧ ଦ୍ଵାରା ଏହାକୁ ଭଲ କରାଯାଇପାରିବ । ନଚେତ୍ ଅପରେସନ ଦ୍ଵାରା ଠିକ କରାଯାଇଥାଏ ବୋଲି କହିଛନ୍ତି ଡାକ୍ତର ଅକ୍ଷୟ କୁମାର ରାଉତ ।

ଗାଇନାକୋମାଷ୍ଟିଆ କାରଣ:

ଡାକ୍ତର ଅକ୍ଷୟ କୁମାର ରାଉତ କହିଛନ୍ତି, ଛୋଟ ପିଲାଟି ଯେତେବେଳେ ଯୁବାବସ୍ଥାକୁ ଗତି କରେ, ତା' ଶରୀରରେ ହରମୋନାଲ ପରିବର୍ତ୍ତନ ହୋଇଥାଏ । ପିଲାଟି ଯଦି ମେଦବହୁଳତା ଶିକାର ହୋଇଥାଏ, ତେବେ ଏଭଳି ପରିବର୍ତ୍ତନ ଦେଖାଯାଇଥାଏ । ମୋଟାପଣ ସୃଷ୍ଟି କରୁଥିବା ଖାଦ୍ୟ ଯଥା ଜଙ୍କଫୁଡ୍, ହୋଟେଲ କିମ୍ବା ରେସ୍ତୋରାଁର ମସଲା ଜାତୀୟ ଖାଦ୍ୟ ଖାଇବା, ଖେଳକୁଦ, ଶାରୀରିକ ବ୍ୟାୟାମ ନକରିବା ଓ ହରମୋନ ଅସନ୍ତୁଳନ ଆଦି ଅନେକ କାରଣ ଦ୍ବାରା ଗାଇନାକୋମାଷ୍ଟିଆ ହେବାର ଆଶଙ୍କା ରହିଥାଏ । ଏହି ରୋଗର ପ୍ରମୁଖ କାରଣ ହେଲା, ମେଦବହୁଳତା ଓ ଫାଷ୍ଟଫୁଡ ।

ଏହା ମଧ୍ୟ ପଢନ୍ତୁ: 40 ପରେ ବି ଦେଖାଯିବେ ପୁରା ଫିଟ୍; ମାନନ୍ତୁ ଏହି ଟିପ୍ସ, ଯିବାକୁ ପଡିବନି ଜିମ୍ - Tips for weight loss

ଯେଉଁ ଯୁବପିଢି ଅତ୍ୟଧିକ ଭାବେ ବିଭିନ୍ନ ପ୍ରକାରର ଔଷଧ ଖାଉଥାନ୍ତି । ଲିଭରର କୌଣସି ସମସ୍ୟା ହୁଏ । ଅଣ୍ଡକୋଷରେ କୌଣସି ରୋଗ ରହିଥିଲେ ଅଥବା ଅଧିକ ଆଣ୍ଟାସିଡ ନେଉଥାନ୍ତି, ସେମାନଙ୍କ କ୍ଷେତ୍ରରେ ମଧ୍ୟ ଏହି ରୋଗ ହୋଇଥାଏ । ଏହାବ୍ୟତୀତ ଅନେକ କାରଣ ଯୋଗୁଁ ଗାଇନାକୋମାଷ୍ଟିଆ ହୋଇଥାଏ ବୋଲି ସେ କହିଛନ୍ତି । ଅନେକ ମାମଲାରେ ଗାଇନାକୋମାଷ୍ଟିଆ ରୋଗ ଜନ୍ମରୁ ଦେଖାଯାଏ । ହେଲେ କିଶୋର ଅବସ୍ଥାରେ ବିଶେଷ ଦେଖିବାକୁ ମିଳେ ।


ଗାଇନାକୋମାଷ୍ଟିଆର ଚିକିତ୍ସା:

ସ୍ତନର ଆକାର ବୃଦ୍ଧି ଆରମ୍ଭ ହେବାର 6 ମାସରୁ 1 ବର୍ଷ ଭିତରେ ଯେଉଁ ସମୟରେ ଦରଜ ଥାଏ, ସେହି ସମୟରେ ଔଷଧ ଦ୍ବାରା ଏହାକୁ ଭଲ କରାଯାଇପାରେ । ନଚେତ୍ ଅଧିକ ସମୟ ହେଲେ ସର୍ଜରୀର ଆବଶ୍ୟକତା ପଡିଥାଏ । ତେବେ ଡାକ୍ତରଙ୍କ କହିବା ଅନୁସାରେ, ପ୍ରଥମ ଚିକିତ୍ସା ହେଉଛି ପୁଅମାନଙ୍କୁ ପୁନଃବିଶ୍ୱାସ ଯୋଗାଇବା ଯେ ସେମାନେ ସାଧାରଣ ପୁଅଙ୍କ ଭଳି ରହିପାରିବେ । ମେଡିସିନ ଦ୍ଵାରା ଏହାର ଚିକିତ୍ସା ହୋଇପାରିବ । ହେଲେ ଅଧିକ ସର୍ଜିକାଲ ଚିକିତ୍ସା କରାଯାଇଥାଏ ।

ଲିପୋ ସେକ୍ସନ ମାଧ୍ୟମରେ ଏକ ଛୋଟ ଛୋଟ ଛିଦ୍ର କରି ଗାଇନାକୋମାଷ୍ଟିଆକୁ ବାହାରକୁ ବାହାର କରିଦିଆଯାଏ । ଏହା ମାତ୍ର 1ରୁ 2 ଘଣ୍ଟାର ସର୍ଜରୀ । ଏହାଦ୍ବାରା ଛାତି ଫ୍ଲାଟ ହୋଇଯାଏ । ସର୍ଜରୀ ପରେ ଏକ ପ୍ରେସର ଗାରମେଣ୍ଟ ଦିଆଯାଇଥାଏ ଯାହାକୁ ମାସେ ପର୍ଯ୍ୟନ୍ତ ପିନ୍ଧିବାକୁ ହୁଏ । ପରବର୍ତ୍ତୀ ସମୟରେ ସାଧାରଣ ପୁଅଙ୍କ ଭଳି ଛାତି ହୋଇଯାଏ ବୋଲି କହିଛନ୍ତି ଡାକ୍ତର ଅକ୍ଷୟ କୁମାର ରାଉତ ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Aug 28, 2024, 5:04 PM IST

ABOUT THE AUTHOR

...view details