ପରିସ୍ରା ଶରୀରର ଏକ ସ୍ବାଭାବିକ ପ୍ରକ୍ରିୟା । ଏହାଦ୍ବାରା ଆମ ଶରୀରରୁ ବିଷାକ୍ତ ପଦାର୍ଥ ବାହାରକୁ ବାହାରିଥାଏ । କିନ୍ତୁ ଏମିତି କିଛି ଲୋକ ଅଛନ୍ତି, ଯାହାଙ୍କୁ ବାରମ୍ବାର ପରିସ୍ରା ଲାଗିଥାଏ । ତେବେ ବାରମ୍ବାର ପରିସ୍ରା ଲାଗିବା ଆଦୌ ସ୍ବାଭାବିକ ହୋଇନପାରେ ବରଂ କିଛି ସ୍ବାସ୍ଥ୍ୟ ସମସ୍ୟାର ସଂକେତ ହୋଇପାରେ । ଦିନକୁ 8 ଥରରୁ ଅଧିକ ପରିସ୍ରା ହେବା କୌଣସି ସ୍ବାସ୍ଥ୍ୟ ସମସ୍ୟାର ଲକ୍ଷଣ ହୋଇଥାଏ ବୋଲି ବିଶେଷଜ୍ଞ ଅନୁମାନ କରନ୍ତି । ଏହା ଉଭୟ ଦିନ ଏବଂ ରାତିରେ ହୋଇଥାଏ । ଏହି ସମସ୍ୟାକୁ Urgent Urination କିମ୍ବା Overactive Bladder (ଅଭରଆକ୍ଟିଭ ବ୍ଲାଡର) କୁହାଯାଏ ।
ଆମ ମଧ୍ୟରୁ ଅନେକ ଲୋକ ସ୍ବାଭାବିକଠାରୁ ଅଧିକ ପରିସ୍ରା କରିଥାନ୍ତି । ବୃଦ୍ଧ ଲୋକଙ୍କଠାରେ ଏହି ସମସ୍ୟା ସାଧାରଣ ହୋଇଥାଏ । କିନ୍ତୁ ଏନେଇ ବିଶେଷଜ୍ଞଙ୍କ କହିବା କଥା, ଯଦି କମ୍ ବୟସରେ ଆପଣଙ୍କୁ ବାରମ୍ବାର ପରିସ୍ରା ଲାଗୁଛି କିମ୍ବା 8ରୁ ଅଧିକ ଥର ପରିସ୍ରା ହେଉଛି ତାହେଲେ ଏହାକୁ ଅଣଦେଖା କରିବା ଅନୁଚିତ୍ ।
NIH ୱେବସାଇଟରେ ପ୍ରକାଶିତ ରିସର୍ଚ୍ଚ ମୁତାବକ, ବାରମ୍ବାର କାହିଁକି ପରିସ୍ରା ହୁଏ ?
ବାରମ୍ବାର ପରିସ୍ରା ଆସିବାର ଅନେକ କାରଣ ହୋଇପାରେ, ଯେପରିକି ମୂତ୍ରନଳୀ ସଂକ୍ରମଣ, ପ୍ରୋଷ୍ଟେଟ ଗ୍ଲାଣ୍ଡ ବୃଦ୍ଧି, ଗର୍ଭାବସ୍ଥା, ମଧୁମେହ କିମ୍ବା ଓଭରଆକ୍ଟିଭ ବ୍ଲାଡର । ବୟସ୍କ ଲୋକମାନଙ୍କୁ ଓଭରଆକ୍ଟିଭ ବ୍ଲାଡର ବା ଅତିସକ୍ରିୟ ମୂତ୍ରାଶୟ ହେବାର ସମ୍ଭାବନା ଅଧିକ ଥାଏ । ପ୍ରୋଷ୍ଟେଟ ବୃଦ୍ଧି, ମୂତ୍ରନଳୀ ଉପରେ ଚାପ ପକାଇ ଏବଂ ଏହାକୁ ଅବରୋଧ କରି ମୂତ୍ର ସମ୍ବନ୍ଧୀୟ ସମସ୍ୟା ସୃଷ୍ଟି କରିପାରେ । ଯଦି ଆପଣ ଦିନକୁ 8ରୁ ଅଧିକ ଥର ପରିସ୍ରା କରୁଛନ୍ତି ତେବେ ଡାକ୍ତରଙ୍କ ପରାମର୍ଶ କରନ୍ତୁ ।
ମୂତ୍ରାଶୟରେ ପ୍ରଦାହ: ବିଶେଷଜ୍ଞଙ୍କ କହିବା କଥା, ମୂତ୍ରାଶୟରେ ପ୍ରଦାହ ଭଳି ସମସ୍ୟା ଥିବା ଲୋକଙ୍କୁ ପରିସ୍ରା କରିବାରେ ସମସ୍ୟା ହୋଇଥାଏ । ସେଥିପାଇଁ ବାରମ୍ବାର ପରିସ୍ରା ଲାଗୁଥିବା ଦେଖାଯାଏ । ଏହାବ୍ୟତୀତ ଯଦି ମୂତ୍ରର ରଙ୍ଗ ଗାଢ ଓ ଦୁର୍ଗନ୍ଧଯୁକ୍ତ ହୋଇଥାଏ ତେବେ ଏହା ସଂକ୍ରମଣର ଲକ୍ଷଣ ହୋଇପାରେ । କିଛି ଲୋକଙ୍କଠାରେ ଏହି ଲକ୍ଷଣ କିଛି ଦିନ ପରେ ଆପେ ଆପେ କମିଯାଏ । ତେବେ ପରିସ୍ରା ସମୟରେ ଜୋରରେ ପୋଡାଜଳା ହେଉଥିଲେ ବିଶେଷଜ୍ଞ ଡାକ୍ତରଙ୍କ ପରାମର୍ଶ ନେବା ଉଚିତ୍ ।
ହାଇ ବ୍ଲଡପ୍ରେସର:ହାଇ ବ୍ଲଡପ୍ରେସର ଥିବା ଲୋକଙ୍କୁ ବାରମ୍ବାର ପରିସ୍ରା ଲାଗିଥାଏ । 2016ରେ ହାଇପରଟେନସନ ପତ୍ରିକାରେ ପ୍ରକାଶିତ ଏକ ଅଧ୍ୟୟନରୁ ଜଣାପଡିଥିଲା ଯେ, ହାଇ ବ୍ଲଡପ୍ରେସର ଥିବା ଲୋକଙ୍କୁ ରାତିରେ ବାରମ୍ବାର ପରିସ୍ରା ଲାଗିବାର ସମ୍ଭାବନା ଅଧିକ ରହିଥାଏ ।
ପ୍ରୋଷ୍ଟେଟ ଗ୍ରନ୍ଥି ବୃଦ୍ଧି: 50 ବର୍ଷରୁ ଅଧିକ ବୟସର ପୁରୁଷଙ୍କ ମଧ୍ୟରେ ପ୍ରୋଷ୍ଟେଟ ଗ୍ରନ୍ଥି ବଢିବା ସାଧାରଣ କଥା । କିଛି କାରଣରୁ କମ୍ ବୟସରୁ କେତେକ ପୁରୁଷଙ୍କଠାରେ ଏହି ସମସ୍ୟା ହୋଇଥାଏ । ପ୍ରୋଷ୍ଟେଟ ଗ୍ରନ୍ଥି ମୂତ୍ରଦ୍ବାର ନିକଟରେ ରହିଥାଏ । ଏହା ମଧ୍ୟ ବାରମ୍ବାର ପରିସ୍ରା ଲାଗିବାର କାରଣ ହୋଇପାରେ ।