ଭୁବନେଶ୍ବର:ଶରୀର ସବୁଠାରୁ ସମ୍ବେଦନଶୀଳ ଅଙ୍ଗ ହେଉଛି ଆଖି । ଶରୀରର ସମସ୍ତ ଅଙ୍ଗ ମଧ୍ୟରୁ ଆଖି ହେଉଛି ମୂଲ୍ୟବାନ୍ ଅଙ୍ଗ । ଦୁନିଆକୁ ରଙ୍ଗୀନ କରେ ଆଖି । ଥରେ ଦୃଷ୍ଟିଶକ୍ତି ହରାଇଲେ ମଣିଷ ଦୃଷ୍ଟିହୀନ ହୋଇଯାଏ ତେଣୁ ଆଖିର ଯତ୍ନ ନେଇ ତାକୁ ସୁସ୍ଥ ରଖିବା ପାଇଁ ପ୍ରତ୍ୟେକ ବ୍ୟକ୍ତି ସଚେତନ ହେବା ଜରୁରୀ ।ଚକ୍ଷୁର ଉତ୍ତମ ଯତ୍ନ ନ ନେଲେ ବିଭିନ୍ନ ପ୍ରକାରର ରୋଗ ହୋଇପାରେ । ଏପଟେ ଖରା ଦିନ ଆସିଲେ ଲୋକମାନେ ରାସ୍ତାକଡ଼ରେ ସନ୍ ଗ୍ଲାସ ବ୍ୟବହାର କରିଥାନ୍ତି । ତେବେ ଏହି ସନ୍ ଗ୍ଲାସ ଜଣେ ମଣିଷର ଆଖି ପ୍ରତି କେତେ ଉପକାର, ଏହାର କୁପ୍ରଭାବ କ'ଣ ରହିଛି ସେନେଇ କହିଛନ୍ତି ଚକ୍ଷୁ ଡାକ୍ତର ଚନ୍ଦ୍ରଶେଖର ଓଝା ।
ରାସ୍ତାକଡ଼ର ସନଗ୍ଲାସ କେତେ ସୁରକ୍ଷିତ:
ଚକ୍ଷୁ ଡାକ୍ତର ଚନ୍ଦ୍ର ଶେଖର ଓଝାକହିଛନ୍ତି, "ରାସ୍ତାକଡରେ ବିକ୍ରି ହେଉଥିବା ସନ୍ଗ୍ଲାସ ଆଖି ପାଇଁ ବହୁ ମାତ୍ରାରେ ଅସୁରକ୍ଷିତ ଅଟେ । ଏହାଦ୍ବାରା ଆଖି ଉପରେ ପ୍ରଭାବ ପଡିବା ସହିତ ଆଖି ମଧ୍ୟ ନଷ୍ଟ ହେବାରେ ଲାଗିଥାଏ । ରାସ୍ତାକଡ଼ରେ ବିକ୍ରି ହେଉଥିବା ସନ୍ଗ୍ଲାସ କେବଳ ଖରାଦିନ ପାଇଁ ଯେତିକି ଉପଯୋଗୀ ଅଟେ ସେତିକି ମଧ୍ୟ ଅସୁରକ୍ଷିତ । ବିଶେଷ ଭାବରେ ଖରା ସମୟରେ ଶସ୍ତା ସନ୍ଗ୍ଲାସ ବ୍ୟବହାର ଦ୍ଵାରା ଅନେକ ପ୍ରଭାବ ପଡିଥାଏ । ଯେପରିକି ଆଖିରୁ ଲୁହ ବାହାରିବା, ମୁଣ୍ଡବିନ୍ଧା ହେବା, ଅଧିକ ସମୟ ଧରି ଚଷମା ବ୍ୟବହାର କଲେ ଦୃଷ୍ଟିଶକ୍ତି କମିଯିବା ସହ ଆଖି ଖେଞ୍ଚି ହେବା ଭଳି ଲକ୍ଷଣ ଦେଖାଯାଇଥାଏ ।"
Eye Care (ETV Bharat Odisha) ଖରା ପାଇଁ ସତର୍କ: ଅଧିକ ଖରାରେ ସତର୍କ ନ ରହିଲେ ଆଖି ଲାଲ ପଡିବା, କୁଣ୍ଡେଇ ହେବା ସହ ଖରାରେ ଦେଖିବାକୁ ସମସ୍ୟା ହୋଇଥାଏ । ଲୁହର ମାତ୍ରା କମିଯାଇ ଚକ୍ଷୁ ଶୁଷ୍କ ହୋଇଯାଏ । ଏହାଦ୍ଵାରା ଆଖିରେ କିଛି ଜନିଷ ପଡିବା ପରି ଲାଗେ । ଖରାର ପ୍ରଭାବରେ ଆଖିରେ ଆଲର୍ଜି ହୁଏ । ଖରା ପ୍ରଭାବରୁ ଆଖିକୁ ରକ୍ଷା କରିବା ପାଇଁ ବାହାରକୁ କଳା ଚଷମା ପିନ୍ଧିବା, ଅତିବାଇଗେଣି ରଶ୍ମୀରୁ ବଞ୍ଚାଇପାରିବା ଭଳି ଚଷମା ଲଗାଇଲେ ଅତି ଭଲ ଅଟେ । ଚଷମା ପିନ୍ଧିବା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ନେବା ପାଇଁ କହିଛନ୍ତି ଚକ୍ଷୁ ଡାକ୍ତର ଚନ୍ଦ୍ର ଶେଖର ଓଝା ।
କେତେ ଉପକାରୀ ଅମୃତଭଣ୍ଡା, ଉଚ୍ଚ ରକ୍ତଚାପ ଓ ଡାଇବେଟିସ ରୋଗୀ ଖାଇବେ ନା ନାହିଁ ?
ମାସ ସାରା ଚା' ପିଇବା ବନ୍ଦ କଲେ କଣ ହେବ ? ଶରୀରକୁ କେତେ ଫାଇଦା ଜାଣନ୍ତୁ ...
ଆଖିକୁ ପରିଷ୍କାର ରଖିବା ପାଇଁ କ'ଣ କରିବା:
- ଆଖିକୁ ସ୍ଵଚ୍ଛ ପାଣିରେ ଧୋଇ ସଫା ରଖିବା ।
- ରାତିରେ ଶୋଇବା ପୂର୍ବରୁ ଆଖିକୁ ଭଲ ଭାବରେ ଧୋଇବା ଆବଶ୍ୟକ । ଫଳରେ ଦିନସାରା ଆଖିରେ ପଡିଥିବା ଧୂଳି ମଇଳା ଆଦି ସଫା ହୋଇଯାଏ
- ଆଖିକୁ ପୋଛିବା ପାଇଁ ସବୁବେଳେ ସଫା କପଡ଼ା ବ୍ୟବହାର କରିବା ଆବଶ୍ୟକ ।
- ଶାଢୀ, ଧୋତି ବା ଗାମୁଛା ଆଦିରେ ଆଖି ଆଦୌ ପୋଛନ୍ତୁ ନାହିଁ । ଏହାଦ୍ବାରା ଆଖିରେ ଶୀଘ୍ର ସଂକ୍ରମଣ ହୋଇଥାଏ ।
- ପ୍ରତ୍ୟେକ ବ୍ୟକ୍ତି ଅଲଗା ଅଲଗା କପଡ଼ା ନିଜ ନିଜର ଆଖି ପୋଛିବା ଆବଶ୍ୟକ । ଯଦି ଜଣଙ୍କର ଗୋଟିଏ ଆଖି ରୋଗାକ୍ରାନ୍ତ ହୋଇଥାଏ ବା ସଂକ୍ରମିତ ହୋଇଥାଏ ତେବେ ସେହି ବ୍ୟକ୍ତି ନିଜର ୨ଟି ଆଖିକୁ ଅଲଗା ଅଲଗା କପଡ଼ା ଦ୍ଵାରା ସଫା କରିବା ଆବଶ୍ୟକ ।
- ଆଖିରେ କଜଳ ଲଗାଇଲା ବେଳେ ପ୍ରତି ବ୍ୟକ୍ତିଙ୍କ ପାଇଁ ଅଲଗା ଆଙ୍ଗୁଠି ବା ପ୍ରୟୋଗକ ସାହାଯ୍ୟରେ ଲଗାଇବା ଆବଶ୍ୟକ ।
- ରାସ୍ତା କଡରେ ବୁଲା ବିକାଳିମାନଙ୍କ ଠାରୁ ଚକ୍ଷୁ ଔଷଧ, ଅଞ୍ଜନ ଆଦି ବିକ୍ରି କରନ୍ତି ସେଗୁଡିକ କିଣନ୍ତୁ ନାହିଁ । କିମ୍ବା ତାହାକୁ ଆଖିରେ ଲଗାନ୍ତୁ ନାହିଁ ।
ଆଖିକୁ ସୁସ୍ଥ ରଖିବା ପାଇଁ କଣ ଖାଦ୍ୟପେୟ:
ବିଶେଷ ଭାବରେ ପାଳଙ୍ଗ ଶାଗ, ସଜନା ଶାଗ ଇତ୍ୟାଦି ସବୁଜ ପତ୍ର ଥିବା ପରିବା, ଅମୃତଭଣ୍ଡା, ଆମ୍ବ ଇତ୍ୟାଦି ଖାଦ୍ୟ ଆବଶ୍ୟକ । ଏହାସହ ଫଳ ଓ ଗାଜର ପ୍ରଭୃତି ମଧ୍ୟ ଆବଶ୍ୟକତା ରହିଛି । ଏହି ସମସ୍ତ ଖାଦ୍ୟ ଖାଇଲେ ଆଖି ସୁସ୍ଥ ରହିଥାଏ ।
ଇଟିଭି ଭାରତ, ଭୁବନେଶ୍ବର