ଓଡିଶା

odisha

ETV Bharat / health

ଏମିତି ଇୟରଫୋନ ଲଗାଉଛନ୍ତି ? ହରାଇପାରନ୍ତି ଶ୍ରବଣ ଶକ୍ତି, ଚେତାଇଲେ ଡାକ୍ତର

ଅଧିକ ଇୟରଫୋନ ବ୍ୟବହାର କରୁଥିଲେ ଚାଲି ଯାଇପାରେ ଶ୍ରବଣ ଶକ୍ତି । ବେଳ ହୁଁ ହୁଅନ୍ତୁ ସାବଧାନ । ଚେତାଇଲେ ଡାକ୍ତର ।

By ETV Bharat Health Team

Published : 4 hours ago

Etv Bharat
Etv Bharat (Etv Bharat)

ବାଲେଶ୍ବର: ଛୋଟଠାରୁ ବୟସ୍କ ଯାଏ, ଆଜିକାଲି ଯାହା ହାତରେ ଦେଖିବେ ମୋବାଇଲ ଫୋନ ଏବଂ କାନରେ ଇୟରଫୋନ କିମ୍ବା ବ୍ଲୁଟୁଥ । ଯେମିତି ଏହି ଇଲେକ୍ଟ୍ରୋନିକ ଡିଭାଇସ୍ ଏକ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ପାଲଟି ଯାଇଛି । କିନ୍ତୁ ଜାଣିଛନ୍ତି କି, ଆପଣ ବ୍ୟବହାର କରୁଥିବା ଏହି ଇୟରଫୋନ କେତେ ମାରାତ୍ମକ ? ଅଧିକ ସମୟ ପର୍ଯ୍ୟନ୍ତ କାନରେ ଇୟରଫୋନ ତଥା ବ୍ଲୁଟୁଥ୍ ଲଗାଇବା ଦ୍ବାରା ଆପଣ ନିଜର ଶ୍ରବଣ ଶକ୍ତି ବି ହରାଇ ପାରନ୍ତି । ହଁ ଆଜ୍ଞା ! ଏକଥା ଆମେ କହୁଛନ୍ତି, ଏମିତି ଚେତାବନୀ ଦେଇଛନ୍ତି ଖୋଦ୍ ଡାକ୍ତର। ସବୁ ସମୟରେ ବ୍ଲୁ ଟୁଥ କିମ୍ବା ଇୟରଫୋନ ବ୍ୟବହାର ପାଇଁ ଡାକ୍ତରମାନେ ବାରଣ କରୁଛନ୍ତି । ଏହାଦ୍ୱାରା କ'ଣ ସବୁ କ୍ଷତି ହୁଏ ଏବଂ ଏଥିରୁ କେମିତି ଦୂରେଇ ରହିବେ ସେନେଇ ବାଲେଶ୍ଵର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର କର୍ଣ୍ଣ ନାସା ଗଳା ବିଭାଗର (ENT) ସ୍ପେଶାଲିଟି ଡାକ୍ତର ଗିରିଜା ଶଙ୍କର ମହାନ୍ତ ସୂଚନା ଦେଇଛନ୍ତି ।

ଉଚ୍ଚ ସ୍ବରରେ ଶୁଣିବା ଦ୍ବାରା ସୃଷ୍ଟି ହେଉଥିବା କମ୍ପନ କାନର ସ୍ନାୟୁ ଉପରେ ଚାପ ପକାଇଥାଏ । ଯେଉଁ କାରଣରୁ କାନର ଶିରାଗୁଡିକ ଫୁଲିପାରେ । ଫଳରେ ଧୀରେ ଧୀରେ ଶୁଣିବାର କ୍ଷମତା ହ୍ରାସ ପାଇବା ଆରମ୍ଭ କରେ ।

ଡାକ୍ତର କହିଛନ୍ତି, " ଏବେ WHO ବି କହିଲାଣି ଯେ ବର୍ତ୍ତମାନ ସବୁଠୁ ବଡ଼ ରୋଗ ହେଉଛି ଶବ୍ଦ ପ୍ରଦୂଷଣ (Sound Pollution), ବିଶେଷକରି ଯୁବକ ଏବଂ ବୟସ୍କମାନଙ୍କ ପାଇଁ । ଯେଉଁ ଯୁବକ ଯୁବତୀମାନେ ଅଧିକାଂଶ ସମୟରେ ଇୟରଫୋନ ଲଗାଇ ଅଧିକ ଭଲ୍ୟୁମରେ ଗୀତ ଶୁଣିବା, ଫିଲ୍ମ ଦେଖିବା କିମ୍ବା ଅନଲାଇନ କ୍ଳାସ କରୁଛନ୍ତି, ଏହା କ୍ଷତିକାରକ ହୋଇପାରେ । ବେଶୀ ସମୟ ଇୟରଫୋନ କିମ୍ବା ହେଡଫୋନ ବ୍ୟବହାର ନ କରିବା ନେଇ ଲୋକେ ସଚେତନ ହେବା ଆବଶ୍ୟକ । ଆମର ପରମିସେବୁଲ ରେଞ୍ଜ ସାଇଲେଣ୍ଟ ଜୋନରେ 55 ଡେସିବିଲ । ଆବାସିକ ଅଞ୍ଚଳରେ ଆପଣ 8 ଘଣ୍ଟା ପର୍ଯ୍ୟନ୍ତ 60 ଡେସିବିଲ ପର୍ଯ୍ୟନ୍ତ ସାଉଣ୍ଡ ଶୁଣିପାରିବେ । ଶିଳ୍ପାଞ୍ଚଳରେ ଏହି ରେଞ୍ଜ 80 ଡେସିବିଲ । ଯଦି ଏହାଠାରୁ ଅଧିକ ସାଉଣ୍ଡ ହେଉଛି, ତାହେଲେ ଏହାକୁ ଶବ୍ଦ ପ୍ରଦୂଷଣ କୁହାଯିବ ।''

ଶବ୍ଦ ପ୍ରଦୂଷଣ ଯୋଗୁଁ ଏକ ନଏଜ ଟ୍ରମା (Noise Trauma) ହୁଏ । କିଛି ଟ୍ରମା ଚିକିତ୍ସା ପରେ 3ରୁ 7 ମଧ୍ୟରେ ଭଲ ହୋଇଯାଏ । ହେଲେ ଆଉ କିଛି 7 ଦିନ ପରେ କାନର ସ୍ନାୟୁ ସବୁଦିନ ପାଇଁ ନଷ୍ଟ ହୋଇଯାଏ । କୌଣସି ମେଡିସିନ ଖାଇଲେ ଠିକ୍ ହୁଏନି କି ଏହାର ସର୍ଜରୀ ମଧ୍ୟ ନାହିଁ । ଫଳରେ କାନ ସବୁଦିନ ପାଇଁ ସେମିତି ଖରାପ ହୋଇରହିବ । ଏପରି ସ୍ଥଳେ ଶୁଣିବା ପାଇଁ ଶ୍ରବଣ ଯନ୍ତ୍ର କେବଳ ଏକମାତ୍ର ବିକଳ୍ପ । ତେଣୁ ସାବଧାନତାର ସହ କମ୍ ସାଉଣ୍ଡରେ ସୀମିତ ସମୟ ଯାଏ ବ୍ଲୁଟୁଥ୍ ଓ ଇୟରଫୋନ ବ୍ୟବହାର କରିବା ପାଇଁ ଯୁବଗୋଷ୍ଠୀଙ୍କୁ ନିବେଦନ କରିଛନ୍ତି ଡାକ୍ତର ।

କାନ ଖରାପ ହୋଇଛି ବୋଲି କେମିତି ଜାଣିବେ ଉତ୍ତର ଦେଇ ଡାକ୍ତର ଗିରିଜା ଶଙ୍କର ମହାନ୍ତ କହିଥିଲେ ଯେ, ଆଗରୁ ଯେତିକି ସାଉଣ୍ଡ ଦେଇକି ଶୁଣୁଥିଲେ ସେହି ସାଉଣ୍ଡ କମ୍ ଲାଗିଲେ ଜାଣିବେ କାନ ଖରାପ ହେଉଛି । ଘରେ କିମ୍ବା କେଉଁଠି ଯଦି ଟିଭି ଦେଖୁଛନ୍ତି ଏବଂ ଘର ଲୋକ ସମସ୍ତେ ସେହି ସାଉଣ୍ଡରେ ଶୁଣି ପାରୁଛନ୍ତି କିନ୍ତୁ ପିଲାଟି ଶୁଣିପାରୁନି ତାହେଲେ ତାକୁ କମ୍ ଶୁଭୁଛି ବୋଲି ଜାଣିବେ । ସେତେବେଳେ ତୁରନ୍ତ ଯାଇ ଶ୍ରବଣ ଟେଷ୍ଟ କରାଇବା ଆବଶ୍ୟକ । ଏହାର ଚିକିତ୍ସା ନେଇ ଡାକ୍ତର କହିଛନ୍ତି, ପ୍ରଥମେ ଧ୍ବନି ପ୍ରଦୂଷଣରୁ ଦୂରେଇ ରହିବା ଜରୁରୀ । ଶୁଣିବାରେ ସମସ୍ୟା ହେଲେ ବିଳମ୍ବ ନକରି ବିଭାଗୀୟ ଡାକ୍ତରଙ୍କୁ ଦେଖାଇବା ଉଚିତ୍ ।

ଏହା ମଧ୍ୟ ପଢନ୍ତୁ:ଦାନ୍ତରେ କ୍ଲିପ୍ ଲଗାଉଛନ୍ତି କି ? ହୋଇପାରେ ଅନେକ ସମସ୍ୟା, ଏମିତି କହିଲେ ଡାକ୍ତର

ଏହା ମଧ୍ୟ ପଢନ୍ତୁ:ଅଧିକ ସମୟ ବସି ରହୁଥିଲେ ସାବଧାନ ! ହୃଦରୋଗଠୁ କ୍ୟାନ୍ସର ଯାଏ ହୋଇପାରେ ମାରାତ୍ମକ ରୋଗ - Sitting risks

ଇଟିଭି ଭାରତ, ବାଲେଶ୍ବର

ABOUT THE AUTHOR

...view details