କୋରାପୁଟ: ନିଜ ପେଟ ଚିରି ବାହାରି ନାହାନ୍ତି ସତ, ହେଲେ ନିଜ ସନ୍ତାନଙ୍କଠୁ ଅଧିକ ଆପଣାର । ବଡ଼ ଭାଇଙ୍କ ତିନି ପୁଅ-ଝିଅଙ୍କୁ ଲାଳନ ପାଳନ କରୁଛନ୍ତି । ଜନ୍ମ କଲା ସନ୍ତାନଙ୍କଠାରୁ ମଧ୍ୟ ଅଧିକ ଭଲ ପାଇବା ଦେଉଛନ୍ତି । ତିନି ପିଲାଙ୍କର ସମସ୍ତ ଖର୍ଚ୍ଚ ବହନ କରୁଛନ୍ତି । କିଏ ଏହି ଦମ୍ପତି ? କାହିଁକି ଚର୍ଚ୍ଚାରେ ଏହି ସ୍ବାମୀ-ସ୍ତ୍ରୀ ? କେମିତି ଚଳାନ୍ତି ପରିବାର ? ଘର ଚଳାଇବାଠାରୁ ପିଲାଙ୍କ ପାଠପଢ଼ା ଏବଂ ଅନ୍ୟାନ୍ୟ ଖର୍ଚ୍ଚ ମେଣ୍ଟାଇବା ପାଇଁ ଏହି ଦମ୍ପତି ଆପଣେଇଛନ୍ତି ସମନ୍ବିତ କୃଷି । କେମିତି କରୁଛନ୍ତି ସମନ୍ବିତ କୃଷି ଏବଂ ଏଥିରେ କିଏ ବଢ଼ାଇଛି ସହାୟତାର ହାତ ଆସନ୍ତୁ ଜାଣିବା ।...
ଉପାନ୍ତ ଇଲାକା ନରସି କାଇପଦର :
କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ ଉପାନ୍ତ ଅଞ୍ଚଳର 'ନରସି କାଇପଦର' ଗାଁ । ଗାଁରେ ଏକ ନୂଆଣିଆ କୁଡ଼ିଆରେ ରୁହନ୍ତି ମୁଗୁରୀ ମୁସୁରୀ ଏବଂ ବିମଳା ମିଣିଆକା । କଷ୍ଟ ମଷ୍ଟେ ମେଣ୍ଟାଉଥିଲେ ଗୁଜୁରାଣ । ବୋଝ ଉପରେ ନଳିତା ବିଡ଼ା ସଦୃଶ, ପରିବାରରେ ଯୋଡ଼ି ହୋଇଗଲେ ବଡ଼ ଭାଇ-ଭାଉଜ ଏବଂ ସେମାନଙ୍କ ତିନି ପୁଅ-ଝିଅ । ବଢ଼ିଲା ପରିବାରର ଖର୍ଚ୍ଚ । ହାତ ଗଣତି ଦେଶୀ କୁକୁଡ଼ା ସାଙ୍ଗକୁ କୁଡ଼ିଆ କଡରେ ଥିବା ୧ ଏକର ଜମିରେ ଧାନ, ମାଣ୍ଡିଆ ଓ ହଳଦୀ ଚାଷ କରି ଜୀବନ ବିତାଇ ଚାଲିଥିଲେ । ହେଲେ ମୁସୁରୀଙ୍କ ପରିବାର ଉପରେ ହଠାତ ଘୋଟିଗଲା କଳା ବାଦଲ । ୩ ବର୍ଷ ପୂର୍ବେ ମୁସୁରୀଙ୍କ ବଡ ଭାଇ ଏକ ଦୁର୍ଘଟଣାରେ ଆହତ ହୋଇ ପକ୍ଷାଘାତ ରୋଗରେ ପୀଡିତ ହୋଇ ସଜ୍ୟାଶାୟୀ ହେବା ପରେ, ଭାଉଜଙ୍କ ଆକାଳ ବିୟୋଗ, ମୁସୁରୀଙ୍କ ମୁଣ୍ଡରେ ପଡ଼ିଥିଲା ଚଡ଼କ ।
ଦମ୍ପତିଙ୍କ ପାଇଁ ବଢ଼ିଲା ଚ୍ୟାଲେଞ୍ଜ
ବଡ଼ ଭାଇଙ୍କ ସ୍ବାସ୍ଥ୍ୟ ଖର୍ଚ୍ଚ ସହିତ ପିଲାଙ୍କ ପାଠ ପଢ଼ା ଖର୍ଚ୍ଚ ବହନ କରିବା କାଠିକର ପାଠ ହୋଇ ପଡ଼ିଥିଲା । ମୁସୁରୀ ଦମ୍ପତ୍ତିଙ୍କ ଦୁଖଃ ବେଳାରେ ସହାୟତାର ହାତ ବଢ଼ାଇଥିଲା ଏକ ସ୍ବେଚ୍ଛାସେବୀ ସଂଗଠନ । ସ୍ବେଛାସେବୀ ସଂଗଠନ ସିୱାଇଏସଡି ସହ ଯୋଗାଯୋଗ କରିଥିଲେ ମୁସୁରୀ ଦମ୍ପତି । ମୁସୁରୀ ଦମ୍ପତିଙ୍କ କୁକୁଡ଼ା ଚାଷ ଅଭିଜ୍ଞତାକୁ ଆଖିରେ ରଖି ସେମାନଙ୍କୁ ଦେଶୀ କୁକୁଡ଼ା ପାଳନ କରିବା ପାଇଁ ସଂସ୍ଥା ତରଫରୁ ପ୍ରଦାନ କରାଯାଇଥିଲା ଆର୍ଥିକ ସହାୟତା ।
ବର୍ଷକୁ ୮୦ ହଜାର ରୋଜଗାର:
ସ୍ବେଚ୍ଛାସେବୀ ସଂଗଠନ ସଂଯୋଜକ ସୁଦେଶ ସାହୁଙ୍କ କହିବା କଥା ' ଧାନ, ମାଣ୍ଡିଆ, ହଳଦୀ ଚାଷରେ ସୀମିତ ରହିଥିବା ଏହି ଦମ୍ପତି ସିୱାଇଏସଡି ସହଯୋଗରେ ଟ୍ରେଲି ପଦ୍ଧତି ବ୍ୟବହାର କରି ପନି ପରିବା, କୁକୁଡ଼ା ଏବଂ ମାଛ ଚାଷ କରୁଛନ୍ତି । ଏମାନେ ବର୍ଷକୁ ପାଖାପାଖି ୮୦ ହଜାର ଟଙ୍କା ପର୍ଯ୍ୟନ୍ତ ରୋଜଗାର କରନ୍ତି । ଚାଷ କରି ବେଶ ଦୁଇ ପଇସା ରୋଜଗାର କରିବାରେ ସମର୍ଥ ହୋଇଛନ୍ତି। '
ମୁଣ୍ଡ ଉପରେ ଗୁରୁ ଦାୟିତ୍ବ:
କୁକୁଡ଼ା ଚାଷ କରି ବର୍ଷକୁ ୩୦ ହଜାର ଟଙ୍କା କମାଉଛନ୍ତି ମୁସୁରୀ ଦମ୍ପତି । ଏହା ସହ ପରିବା, ମକା, ବିନ୍ସ,, ହଳଦୀ, ଧାନ, ମାଣ୍ଡିଆ ଚାଷ କରି ନିଜକୁ ଆର୍ଥିକ ରୂପେ ସ୍ୱଚ୍ଛଳ କରିବାରେ ସଫଳ ହୋଇ ପାରିଛନ୍ତି । ମୁସୁରୀ କହିଛନ୍ତି ଯେ, ' ଏହି ଆୟରୁ ବଡ ଭାଇଙ୍କ ବଡ ଝିଅକୁ ବିବାହ କରାଇ ପାରିଛନ୍ତି । ଆଉ ଜଣେ ଝିଅ କୁ ଏକ ଆବାସିକ ବିଦ୍ୟାଳୟରେ ପଢ଼ାଉଥିବା ବେଳେ ପୁଅକୁ ଗାଁ ସ୍କୁଲରେ ପଢ଼ାଉଛନ୍ତି ।'
ସଫଳ ଦମ୍ପତି :
ମୁସୁରୀଙ୍କୁ ଚାଷ କାମରେ ସହାୟତା କରନ୍ତି ପତ୍ନୀ ବିମଳା । ରାତି ପାହିଲେ ସ୍ବାମୀଙ୍କ ସହ କ୍ଷେତକୁ ଯାଆନ୍ତି । ଦୁହେଁ କଠିନ ପରିଶ୍ରମ କରି ଫସଲ ଉତ୍ପାଦନ କରନ୍ତି । ବିମଳାଙ୍କ କହିବା ହେଲା ' ଘର ଚଳାଇବା ସହ ଦୁଇ ପିଲାଙ୍କ ପାଠପଢ଼ା ଖର୍ଚ୍ଚ ଏହି ଚାଷର ହେଉ ଥିବା ଆୟରୁ ମେଣ୍ଟାଉଛୁ । 'ସ୍କୁଲରେ ପଢୁଛି ବଡ଼ ଭାଇର ପୁଅ । ସେ ଭଲ ମଧ୍ୟ ପଢୁଛି । ସ୍କୁଲ ଶିକ୍ଷୟିତ୍ରୀ ରାଧିକା ସାଉନ୍ତା କହିଛନ୍ତି ଯେ, 'ବଡ଼ ଭାଇ ପୁଅର ଶିକ୍ଷା ପ୍ରତି ମୁସୁରୀଙ୍କ ପ୍ରୟାସ ସମସ୍ତଙ୍କ ପାଇଁ ଏକ ଅନନ୍ୟ ଉଦାହରଣ । ପିଲାଟି ଭଲ ପଢୁଛି । ଆଉ ଟିକେ ପ୍ରୟାସ କଲେ ଅଧିକ ଭଲ କରିପାରିବ । '
ସମନ୍ବିତ କୃଷି :
ସିୱାଇଏସଡିର ସହାୟତାରେ ଅଧିକ ଜମିରେ ମକା ଚାଷ କରୁଛନ୍ତି ମୁସୁରୀ ଦମ୍ପତି । ପୋଖରୀଟିଏ ଖୋଳି ମାଛ ଚାଷ ଆରମ୍ଭ କରିଛନ୍ତି । ପୋଖରୀରେ ରୋହି ଏବଂ ଭାକୁର ମାଛ ଛାଡ଼ିଛନ୍ତି । ପ୍ରତି ଛଅ ମାସକୁ ଥରେ ପୋଖରୀରୁ ମାଛ ଧରି ବେଶ ଦୁଇ ପଇସା ରୋଜଗାର କରୁଛନ୍ତି । ଆଗକୁ ପରିବା ଚାଷରେ ଆଧୁନିକ ପ୍ରଣାଳୀ ପ୍ରୟୋଗ କରି ଅଧିକ ଅମଳ କରିବାର ଲକ୍ଷ୍ୟ ରଖିଛନ୍ତି ଏହି ଦମ୍ପତି ।
ସଶକ୍ତ କରିଛି ସମନ୍ବିତ କୃଷି । ଆଜି ମୁସୁରୀ ପରିବାର ହୋଇଛି ଆତ୍ମନିର୍ଭରଶୀଳ । ସ୍ବେଚ୍ଛାସେବୀ ସଂଗଠନର ଆର୍ଥିକ ଏବଂ ବୈଷୟିକ ସହାୟତା କେବଳ ଜୀବିକା ଦେଇନି, ଆଗକୁ ବଢ଼ିବାର ରାହା ଦେଖାଇଛି । ନିଜ ଗୋଡ଼ରେ ଛିଡ଼ା ହୋଇ ପାରିଛନ୍ତି । ରୋଗାକ୍ରାନ୍ତ ଭାଇର ଚିକିତ୍ସା ଖର୍ଚ୍ଚ ବହନ ଏବଂ ମାଆ ଛେଉଣ୍ଡ ଦୁଇ ପିଲାଙ୍କୁ ଶିକ୍ଷିତ କରାଇବା ଭଳି ଗୁରୁ ଦାୟିତ୍ବ ମୁଣ୍ଡାଇଛନ୍ତି । କୋରାପୁଟ ଲକ୍ଷ୍ମୀପୁର ବ୍ଲକ ଉପାନ୍ତ ଅଞ୍ଚଳର ମୁସୁରୀ ଦମ୍ପତି, ସମାଜକୁ ଆତ୍ମନିର୍ଭରଶୀଳତାର ବାର୍ତ୍ତା ଦେବା ସହ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି ।
ଇଟିଭି ଭାରତ, କୋରାପୁଟ