Food you should stop storing in fridge: ସାଧାରଣତଃ ଘରେ କୌଣସି ଖାଦ୍ୟ ବଳିଗଲେ, ଆମେ ଫ୍ରିଜରେ ରଖିଥାଉ । ପନିପରିବା ଓ ଫଳମୂଳ ଦୀର୍ଘ ଦିନ ପର୍ଯ୍ୟନ୍ତ ସତେଜ ରହିବା ଓ ନଷ୍ଟ ନ ହେବା ପାଇଁ ଫ୍ରିଜରେ ରଖୁ । କିନ୍ତୁ ଏପରି କିଛି ଖାଦ୍ୟ ଅଛି, ଯାହାକୁ ଆଦୌ ଫ୍ରିଜରେ ରଖିବା ଠିକ୍ ନୁହେଁ । ନଚେତ୍ ଏହାକୁ ଖାଇଲେ ସ୍ବାସ୍ଥ୍ୟ ପ୍ରତି କ୍ଷତିକାରକ ହୋଇଥାଏ । ସ୍ବାଦ ମଧ୍ୟ ବଦଳିଯାଏ । ଆଜି ଆମେ ଆପଣଙ୍କୁ ସେତିକି କିଛି ଖାଦ୍ୟ ଓ ପନିପରିବା ବିଷୟରେ କହିବୁ ଯାହାକୁ ଫ୍ରିଜରେ ରଖିବା ଅନୁଚିତ୍...
ଆଳୁ:ଫ୍ରିଜରେ ରଖିବା ଦ୍ବାରା ଆଳୁରେ ଥିବା ଷ୍ଟାର୍ଚ ସୁଗାରରେ ପରିଣତ ହୋଇଯାଏ । ଆଉ ସୁଗାର ଆମ ସ୍ବାସ୍ଥ୍ୟ ପାଇଁ ଖରାପ । ଏହାର ସ୍ବାଦ ଓ ଟେକ୍ସଚର ମଧ୍ୟ ପ୍ରଭାବିତ ହୁଏ । ତେଣୁ ଆଳୁକୁ ଫ୍ରିଜରେ ରଖିବା ବଦଳରେ ଏକ ଥଣ୍ଡା ଓ ଅନ୍ଧାରିଆ ସ୍ଥାନରେ ରଖନ୍ତୁ । ଅନେକ ଦିନ ପର୍ଯ୍ୟନ୍ତ ଭଲ ରହିବ ।
କଦଳୀ: ଫ୍ରିଜରେ କଦଳୀ ରଖିଲେ ଏହାର ଚୋପା ବ୍ରାଉନ (ବାଦାମୀ ରଙ୍ଗ) ହୋଇଯାଇପାରେ । ଯଦିଓ ଏହାର ଭିତର ଅଂଶ ଖାଇବା ଯୋଗ୍ୟ ରହିଥାଏ, କିନ୍ତୁ ସତେଜତା ଓ ସ୍ବାଦ କମିଯାଏ । ସବୁବେଳେ କଦଳୀକୁ ରୁମ୍ ତାପମାତ୍ରାରେ ରଖିବା ଉଚିତ୍ । କାରଣ ତାପମାତ୍ରା ଭଲ ଭାବେ ପାଚିବାରେ ସାହାଯ୍ୟ କରେ ଏବଂ ଆଲୋକ ଓ ବାୟୁ ଏହାକୁ ଶୀଘ୍ର ନଷ୍ଟ ହେବାରୁ ରୋକିଥାଏ ।
ଟମାଟୋ: ଥଣ୍ଡା ତାପମାତ୍ରା ଟମାଟୋ ସ୍ବାଦ ଖରାପ କରିପାରେ ଓ ଏହାକୁ ନରମ କରିଥାଏ । ତେଣୁ ଏହାକୁ ସବୁବେଳେ ରୁମ୍ ତାପମାତ୍ରାରେ ରଖିବା ଓ ବଜାରରୁ ଆଣିବାର କିଛି ଦିନ ମଧ୍ୟରେ ବ୍ୟବହାର କରିବା ଉଚିତ୍ । ତେଣୁ କେବି ବି ଟମୋଟୋ ରେଫ୍ରିଜରେଟରରେ ରଖିବା ଉଚିତ୍ ନୁହେଁ ।
ପିଆଜ:ଫ୍ରିଜରେ ପିଆଜ ମଧ୍ୟ ରଖିବା ଅନୁଚିତ୍ । ଏହାକୁ ସବୁବେଳେ କମ୍ ଥଣ୍ଡା ଓ ଶୁଖିଲା ଜାଗାରେ ରଖିବା ଆବଶ୍ୟକ, ଯେଉଁଠି ଠିକ୍ ଭାବେ ବାୟୁ ଚଳାଚଳ ହେଉଥିବ । ଫଳରେ ପିଆଜ ଅନେକ ଦିନ ଯାଏ ନଷ୍ଟ ହୋଇନଥାଏ ।
ରସୁଣ: ପିଆଜ ଭଳି ରସୁଣ ମଧ୍ୟ ଫ୍ରିଜରେ ରଖନ୍ତୁ ନାହିଁ । ହେଲେ ଅନେକ ଲୋକ ଚୋପା ଛଡାଇ ରସୁଣ ଫ୍ରିଜରେ ରଖିଦିଅନ୍ତି । ଏମିତି କଲେ ଏହା ନରମ ହୋଇ ଅଙ୍କୁରିତ ହେବାରେ ଲାଗେ । ଏହାର ସ୍ବାଦ ବଦଳିଯାଏ ଏବଂ ଏଥିରେ ଥିବା ଲାଭକାରୀ ଗୁଣ ନଷ୍ଟ ହୋଇଯାଏ ।
ମହୁ: ତେଲ ପରି ମହୁ ଅନେକ ଦିନ ଯାଏଁ ନଷ୍ଟ ହୁଏ ନାହିଁ ଓ କୋଠରୀର ତାପମାତ୍ରାରେ ଖରାପ ହୁଏନି । ହେଲେ ମହୁ ଫ୍ରିଜରେ ରଖିଲେ ଏହା କ୍ରିଷ୍ଟାଲାଇଜ ହୋଇ କଠିନ ହୋଇଯାଇପାରେ । ଏହାର ନ୍ୟାଚୁରାଲ ଗୁଣ ମଧ୍ୟ ନଷ୍ଟ ହେବାରେ ଲାଗେ । ତେଣୁ ସବୁବେଳେ ମହୁ ରୁମ୍ ତାପମାତ୍ରାରେ ଶୁଖିଲା ଜାଗାରେ ରଖିବା ଭଲ । ଯାହାଦ୍ବାରା ଏହାକୁ ଅନେକ ଦିନ ପର୍ଯ୍ୟନ୍ତ ସଂରକ୍ଷିତ ରଖାଯାଇପାରିବ ।