ସକାଳ ଜଳଖିଆ (ବ୍ରେକଫାଷ୍ଟ) ଆମ ଦିନର ସବୁଠୁ ଗୁରୁତ୍ବପୂର୍ଣ୍ଣ ଭୋଜନ । ରାତିସାରା ଶୋଇବା ପରେ ସକାଳୁ ଶରୀରକୁ ଶକ୍ତି ଆବଶ୍ୟକ ହୋଇଥାଏ । ଆଉ ସକାଳ ଜଳଖିଆ ଦିନ ତମାମ କାର୍ଯ୍ୟ କରିବାକୁ ଶକ୍ତି ଯୋଗାଇଥାଏ । ସାଧାରଣତଃ ଲୋକମାନେ ଦ୍ବନ୍ଦରେ ରହିଥାନ୍ତି କି, ସକାଳେ କ'ଣ ଖାଇଲେ ଦେହ ପାଇଁ ହିତକର । କିଛି ଲୋକେ ସକାଳୁ ରୁଟି, ତରକାରୀ ଖାଇବାକୁ କହୁଥିବାବେଳେ ଆଉ କିଛି ଉପମା କିମ୍ବା ଓଟସ୍ ଜାତୀୟ ଖାଦ୍ୟ ଖାଇବାକୁ ପରାମର୍ଶ ଦିଅନ୍ତି । ଚାଲନ୍ତୁ ଜାଣିବା ଏନେଇ କ'ଣ କୁହନ୍ତି ନ୍ୟୁଟ୍ରନିଷ୍ଟ
ନ୍ୟୁଟ୍ରନିଷ୍ଟ ଡଃ ଦିବ୍ୟା ଶର୍ମା କୁହନ୍ତି, ସକାଳ ଜଳଖିଆ ନା କେବଳ ସ୍ବାଦିଷ୍ଟ ହେବା ଉଚିତ୍, ବରଂ ପୌଷ୍ଟିକ ତତ୍ତ୍ବରେ ଭରପୁର ଓ ସନ୍ତୁଳିତ ହେବା ମଧ୍ୟ ଉଚିତ୍ । ରୁଟି, ପରଟା, ଉପମା, ଓଟସ୍ ଏସବୁ ଭଲ ବିକଳ୍ପ । ହେଲେ ଠିକ୍ ମାତ୍ରାରେ ଖାଇବା ଦରକାର । ଯଦି ଜଳଖିଆରେ ପ୍ରୋଟିନ, ଭିଟାମିନ, କାର୍ବୋହାଇଡ୍ରେଟ ଓ ଫାଇବର ସନ୍ତୁଳିତ ମାତ୍ରାରେ ରହେ ତେବେ ଦିନର ଆରମ୍ଭ ଉର୍ଜା ଓ ଉତ୍ସାହର ସହ ହୁଏ । ସାରା ଦିନ ଶରୀର ଆକ୍ଟିଭ ରହେ ।
କେଉଁ ପ୍ରକାର ବ୍ରେକଫାଷ୍ଟ କରିବେ ?
ବିଭିନ୍ନ ପ୍ରକାର ଖାଦ୍ୟରୁ ଭିନ୍ନ ଭିନ୍ନ ଫାଇଦା ମିଳିଥାଏ । ଯେମିତିକି ପାରମ୍ପରିକ ଜଳଖିଆ ରୁଟି-ପରଟା ଓ ତରକାରୀ ଆପଣଙ୍କୁ ଦୀର୍ଘ ସମୟ ଯାଏଁ ଶକ୍ତି ଯୋଗାଏ । କିନ୍ତୁ ଯଦି ବେଶୀ ଘିଅ କିମ୍ବା ତେଲରେ ରନ୍ଧା ହୁଏ ତେବେ ଅଧିକ ଭାରି ଲାଗେ ଯାହା ଦେହ ପାଇଁ ଖରାପ ହୋଇପାରେ । ଫଳରେ ଦିନ ସାରା ଆପଣଙ୍କୁ ମାନ୍ଦା ଲାଗେ ଓ କୌଣସି କାମ କରିବାକୁ ଆଗ୍ରହ ହୁଏନି । ସେହିପରି ଉପମା, ଓଟସ୍, ଚୁଡା ସନ୍ତୁଳା ଭଳି ଖାଦ୍ୟ ସହଜର ହଜମ ହୋଇଯାଏ । ହେଲେ ଯଦି ଏହାକୁ ଠିକ୍ ଭାବେ ପ୍ରସ୍ତୁତ ନ କରାଯାଏ ତେବେ ଏଥିରୁ ଶରୀରରୁ ସଠିକ୍ ପୌଷ୍ଟିକତା ମିଳିପାରେନି ।
ଏଠି ଜାଣିବା ଜରୁରୀ ଯେ, କେଉଁ ପ୍ରକାର ଖାଦ୍ୟ ଖାଇଲେ ଅଧିକ ସମୟ ଯାଏ ଭୋକ ଲାଗେନି ଓ ଓଜନ ନିୟନ୍ତ୍ରଣ ରହେ । ଏହାବ୍ୟତୀତ ଜଳଖିଆ ସହ ଜଡିତ କିଛି ଅଭ୍ୟାସ ମଧ୍ୟ ଶାରିରୀକ ସମସ୍ୟାର କାରଣ ହୋଇପାରେ । ବେଳେବେଳେ ଲୋକମାନେ ସକାଳେ ଭାରି ଖାଦ୍ୟ ଖାଇଦିଅନ୍ତି । ଆଉ କେତେକ ଲୋକେ ସମୟ ଅଭାବରୁ ଏବଂ ଓଜନ କମାଇବା ପାଇଁ ଜଳଖିଆ କରନ୍ତି ନାହିଁ । ଏହି ପ୍ରକାର ଅଭ୍ୟାସ ସ୍ବାସ୍ଥ୍ୟହାନି କାରଣ ହୋଇପାରେ ।
କେଉଁ ଖାଦ୍ୟ ଭଲ:
ଡଃ ଦିବ୍ୟା ଶର୍ମା କହିଛନ୍ତି, ସକାଳ ଜଳଖିଆ ପୌଷ୍ଟିକ ତତ୍ତ୍ବରେ ଭରପୂର ହେବା ଜରୁରୀ । ଏହା ଶରୀରକୁ ଆବଶ୍ୟକ ମାତ୍ରାରେ ଶକ୍ତି ପ୍ରଦାନ କରେ । ତେଣୁ ଖାଦ୍ୟରୁ ମିଳୁଥିବା ପୋଷଣ ଆଧାରରେ ଜଳଖିଆ କରିବା ଆବଶ୍ୟକ ।
କାର୍ବୋହାଇଡ୍ରେଟ: ରୁଟି, ପରଟା, ବ୍ରାଉନ ବ୍ରେଡ, ଓଟସ୍, ଚୁଡା ସନ୍ତୁଳା
ପ୍ରୋଟିନ: ସିଝା ଅଣ୍ଡା, ଛେନା, ବାଦାମ ଓ ସ୍ପାଉଟ୍ସ
ଫାଇବର ଓ ଭିଟାମିନ: ସବୁଜ ପରିବା, ଫଳ, ଡ୍ରାଏଫ୍ରୁଟ୍ସ