ହାଇଦ୍ରାବାଦ: ଆମେ ଭାରତୀୟ ନିଜ ଭୋଜନରେ ଅନେକ ସନ୍ତୁଳିତ ଚର୍ବି (Saturated Fat) ଜାତୀୟ ଖାଦ୍ୟ ଖାଇଥାଉ । ଯେମିତିକି, ଘିଅ, ଲହୁଣି, ଲାଲ୍ ମାଂସ, ତେଲ ଛଣା ଖାଦ୍ୟ ଇତ୍ୟାଦି । ଆମ ପାରମ୍ପରିକ ଖାଦ୍ୟରେ ଘିଅ, ଲହୁଣି, କ୍ଷୀରର ବହୁଳ ବ୍ୟବହାର ହୁଏ । ଏହି ଚର୍ବି ଜାତୀୟ ଖାଦ୍ୟ ପାଟିକୁ ସୁଆଦିଆ ହୋଇଥିଲେ ହେଁ ଏହାକୁ ଅତ୍ୟଧିକ ଖାଇବା ଦ୍ବାରା ଶରୀର ଉପରେ ଖରାପ ପ୍ରଭାବ ପଡେ । ଏଥିରେ ଓଜନ ବଢିବା ସହ କୋଲେଷ୍ଟ୍ରୋଲ, ହୃଦରୋଗ, ଡାଇବେଟିସ୍ ଆଶଙ୍କା ବୃଦ୍ଧି ପାଇଥାଏ । ତଥାପି ସୁସ୍ବାଦ ଯୋଗୁଁ ଏହିସବୁ ଖାଦ୍ୟରୁ ଆମେ ନିଜକୁ ଦୂରେଇ ପାରିନଥାଉ । ତେଣୁ ଆଜି ଆମେ ଆପଣଙ୍କୁ କହିବୁ କେମିତି ନିଜ ଭୋଜନରେ ସାଚୁରେଟଡ ଫ୍ୟାଟ ବା ସନ୍ତୁଳିତ ଚର୍ବିକୁ ହ୍ରାସ କରି ବି ନିଜ ଖାଦ୍ୟକୁ ସୁସ୍ବାଦୁ କରିପାରିବେ ।
କିଛି ଭାରତୀୟ ଖାଦ୍ୟପେୟରେ ଅଧିକ ସନ୍ତୁଳିତ ଚର୍ବି (ସାଚୁରେଟଡ ଫ୍ୟାଟ) ରହିଥାଏ । ଯେମିତିକି:-
ଘିଅ ଓ ଲହୁଣି: ବିଭିନ୍ନ ଭାରତୀୟ ବ୍ୟଞ୍ଜନରେ ଟପିଂ ଭାବେ ବ୍ୟବହାର କରାଯାଏ ।
ତେଲ ଛଣା ଖାଦ୍ୟ:ସିଙ୍ଗଡା, ପକୁଡି, ପୁରୀ ଓ ଅନ୍ୟାନ୍ୟ ତେଲରେ ଛଣା ହୋଇଥିବା ଖାଦ୍ୟ
ଚର୍ବି ଯୁକ୍ତ ମାଂସ: ସିଖ୍ କବାବ, ଚର୍ମ ଥିବା ତନ୍ଦୁରି ଚିକେନ, କେତେକ ତରକାରୀ
ଦୁଗ୍ଧଜାତ ପଦାର୍ଥ:ପନିର, କ୍ରିମ, ଗୁଲାବଜାମୁ ଓ ଜିଲାପି ଭଳି ମିଠା
କେମିତି ଖାଦ୍ୟରୁ ଚର୍ବି କମାଇବେ ?
- ଖାଦ୍ୟକୁ ଡିପ୍ ଫ୍ରାଏ ବା ପ୍ୟାନ ଫ୍ରାଏ କରିବା ବଦଳରେ ଏହାକୁ ସିଝାଇ, ଗ୍ରୀଲ କିମ୍ବା ସେକି ଖାଇପାରିବେ । ଉଦାହରଣ ସୂରୁପ, ସିଙ୍ଗଡା ଓ ପକୁଡିକୁ ତେଲରେ ଛାଣିବା ବଦଳରେ ଓଭେନରେ ସେକି ଖାଇପାରିବେ ।
- ଖାଦ୍ୟରେ ତେଲ ନିୟନ୍ତ୍ରଣ କରିବାକୁ ହେଲେ ତେଲ ପକାଇବା ବେଳେ ଚାମଚରେ ମାପି ପକାନ୍ତୁ । ଆପଣ ସ୍ପ୍ରେ ବି ବ୍ୟବହାର କରିପାରିବେ । ଅଲିଭ୍ ଅଏଲ ଓ ସନଫ୍ଲାୱାର ତେଲ ବ୍ୟବହାର କରନ୍ତୁ ।
- ମାଂସ ରାନ୍ଧିବା ବେଳେ ଏହାର ଦେଖାଯାଉଥିବା ଚର୍ବି ଓ ସ୍କିନ୍ ବାହାର କରନ୍ତୁ । ଚିକେନ ବ୍ରେଷ୍ଟ ପିସ୍ ଭଳି ମାଂସରେ କମ୍ ଚର୍ବି ଥାଏ ।
- ଲୋ ଫ୍ୟାଟ କ୍ଷୀର, ଦହି ସେବନ କରନ୍ତୁ । ତରକାରୀକୁ ସୁଆଦିଆ କରିବା ପାଇଁ କ୍ରିମ୍ ବ୍ୟବହାର କରିବାରୁ ଦୂରେଇ ରୁହନ୍ତୁ । ସେହିପରି କମ୍ ଫ୍ୟାଟ ଥିବା ପନିର ଖାଆନ୍ତୁ ।
- ବିରିୟାନି, ପୁଲାଓ ଭଳି ଖାଦ୍ୟ ରାନ୍ଧୁଥିଲେ ଯଥାସମ୍ଭବ କମ୍ ତେଲ ବ୍ୟବହାର କରନ୍ତୁ ଏବଂ ଫାଇବର ମାତ୍ରା ବଢାଇବାକୁ ଅଧିକ ପନିପରିବା ପକାନ୍ତୁ ।
- ତରକାରୀରେ କମ୍ ଫ୍ୟାଟ ଥିବା ଦୁଗ୍ଧଜାତ ପଦାର୍ଥ ବ୍ୟବହାର କରନ୍ତୁ ଏବଂ ମସାଲାଦାର ସସ୍ ବଦଳରେ ଟମାଟୋ ଥିବା ସସ୍ ପକାନ୍ତୁ । ସେହିପରି କୋକାନଟ ମିଲ୍କ କମ୍ ବ୍ୟବହାର କରିବାକୁ ଚେଷ୍ଟା କରନ୍ତୁ ।
- କ୍ଷୀରି ଓ ଲଡୁ ଭଳି ପାରମ୍ପରିକ ମିଠାଇ କମ୍ ଖାଆନ୍ତୁ । ଏହାକୁ ନିଜ ଘରେ କମ୍ ଘିଅରେ ବନାନ୍ତୁ ।
- ସେହିପରି ସ୍ନାକ୍ସରେ ଛଣା ସେଓ, ବିସ୍କୁଟ ନ ଖାଇ ରୋଷ୍ଟେଡ ଚଣା ଖାଆନ୍ତୁ ।