ହାଇଦ୍ରାବାଦ:ଆଖିପତା ପଟେ ବାହାରିଲା ବ୍ରେନ ଟ୍ୟୁମର । ଏ କଥା ଶୁଣିବାକୁ ବିଶ୍ବାସ ହେଉନଥିଲେ ବି ସତ । ଆପଣ ଭାବୁଥିବେ ଆଖିପତା ଦେଇ ମୁଣ୍ଡରୁ କେମିତି ଟ୍ୟୁମର ବାହାରିବ ! ହେଲେ ଏଭଳି ବିରଳ ଅସ୍ତ୍ରୋପଚାର ହୋଇଛି ହାଇଦ୍ରାବାଦସ୍ଥିତ ଏସିଆନ ଇନଷ୍ଚିଚ୍ୟୁଟ ଅଫ୍ ଗାଷ୍ଟ୍ରୋଏଣ୍ଟରଲୋଜି (AIG) ହସ୍ପିଟାଲରେ । ଏହି ହସ୍ପିଟାଲର ଡାକ୍ତରୀ ଟିମ୍ ଜଣେ 54 ବର୍ଷୀୟା ମହିଳାଙ୍କଠାରେ ଏଭଳି ବିରଳ ସଫଳ ଅସ୍ତ୍ରୋପଚାର କରିଛନ୍ତି । ବ୍ରେନ ଟ୍ୟୁମରରେ ପୀଡିତ ଏହି ମହିଳାଙ୍କ ମୁଣ୍ଡରେ ଗୋଟିଏ ବି କଟ୍ ନକରି ଆଖିପତା ଦେଇ ଟ୍ୟୁମରକୁ ବାହାର କରିଛନ୍ତି ।
ସୂଚନା ମୁତାବକ, ଗତ 6 ମାସ ହେଲା ମହିଳାଙ୍କ ଡାହାଣ ଆଖିରେ ଯନ୍ତ୍ରଣା ହେଉଥିଲା ଏବଂ ତାଙ୍କୁ ସ୍ପଷ୍ଟ ଭାବେ କିଛି ଦେଖାଯାଉନଥିଲା । ସେ ହାଇଦ୍ରାବାଦର ଏଆଇଜି ହସ୍ପିଟାଲକୁ ଯାଇଥିଲେ । ସେଠାରେ ବରିଷ୍ଠ ନ୍ୟୁରୋସର୍ଜନ ଡ. ଅଭିରାଚନ୍ଦ୍ର ଗବିତା ଓ ଡ. ଶୁଭୋଦ୍ରାଜୁଙ୍କ ଟିମ୍ ପରୀକ୍ଷା କରିବା ପରେ ମହିଳାଙ୍କ ମୁଣ୍ଡରେ ସ୍ପାଇନୋ ଅର୍ବିଟାଲ ମେନିନଜିଓମା (Spino Orbital Cavernous Meningioma) ଟ୍ୟୁମର ହୋଇଥିବା ଜଣାପଡିଥିଲା । ତାଙ୍କର ଖପୁରୀ ଏବଂ ଆଖିର ପଛପଟ ଜଙ୍କସନଠାରେ ଏହି 2 ସେଣ୍ଟିମିଟର ଟ୍ୟୁମର ରହିଥିଲା ।